Unknown

 

 

 

 

 

 

 

 

 

ଅସମୟ

ସାତକଡ଼ି ହୋତା

 

 

ସୁଦର୍ଶନ ଶେଷଥର ପାଇଁ ଘର ଆଗରେ ଛିଡ଼ା ହେଲେ କିଛି ସମୟ.....

 

ଏଇ ତାଙ୍କର ଚଉଦପୁରୁଷର ଭିଟାମାଟି । ଏଇ ଭୁଇଁକୁ ଆଦରି ନେଇ ଘରଟିଏ ତୋଳିଥିଲେ ତାଙ୍କର ପୂର୍ବପୁରୁଷମାନେ । ସେମାନେ ଆଜି ଆଉ ନାହାନ୍ତି, ସେମାନଙ୍କ ସମୟ ବି ଆଜି ଆଉ ନାହିଁ । ତଥାପି ସେଇ ଭିଟାମାଟି ଉପରେ ଗଢ଼ି ଉଠିଥିବା ମାଟିଝାଟିର ସେଇ ଘରଟିର ଅନେକ ବାହ୍ୟ ପରିବର୍ତ୍ତନ ମଝିରେ ମଝିରେ ଘଟିଥିଲେ ମଧ୍ୟ ଭିତରଟି ପ୍ରାୟ ଠିକ୍ ଆଗପରି ଅଛି ।

 

ସୁଦର୍ଶନ ନିଜର ହୃଦୟରେ କାହାରି ଶେଷସ୍ପର୍ଶ ଅନୁଭବ କଲେ ଯେପରି । ହୃତ୍‌ପିଣ୍ଡର ଗତି ବଢ଼ିଗଲା ଟିକେ । ସେ ବିହ୍ୱଳ ହୋଇପଡ଼ିଲେ କେତୋଟି ମୁହୁର୍ତ୍ତ ପାଇଁ । ତା’ପରେ ଆଣ୍ଠେଇପଡ଼ି ପ୍ରଣାମ କଲେ ବାସ୍ତୁ ଦେବତାଙ୍କୁ ଏବଂ ମାଟି ମୁଠାଏ ଟେକି ନେଇ ମୁଣ୍ଡରେ ଛୁଆଇଁଲେ ଶ୍ରଦ୍ଧାର ସହିତ । ଏଇ ମାଟି ସାଧାରଣ ମାଟି ନୁହେଁ; ଏହାର ପ୍ରତି ଧୂଳିକଣା ପବିତ୍ର, ଅତୀତର ସ୍ମୃତି ସହିତ ସମ୍ପର୍କିତ ।

 

ସୁଜାତା ପଛରେ ଛିଡ଼ା ହୋଇଥିଲା ।

 

ତା’ର ସଫା କପାଳ ଉପରେ ସେଇ ମାଟିରୁ ଟିକେ ନେଇ ଟିପା ଲଗାଇ ଦେଇ କହିଲେ ସୁଦର୍ଶନ–ସମୟ ହୋଇଗଲାଣି ମା’ ! ଚାଲ ଏଥର, ଶୀଘ୍ର ଶୀଘ୍ର ନ ଗଲେ ଗାଡ଼ି ହୁଏତ ମିଳିବ ନାହିଁ ।

 

ସୁଜାତା କିଛି ନ କହି ପିତାଙ୍କର ଅନୁସରଣ କଲା ।

 

ସୁଦର୍ଶନ ଯେତିକି ଆଗକୁ ପାଦ ବଢ଼ାଉଥାଆନ୍ତି, ସେତିକି ମନେପଡ଼ୁଥାଏ ପଛକଥା, ସେତିକି ଘାଣ୍ଟିଚକଟି ହେଉଥାଏ ମନ । ସେ କୁଳାଙ୍ଗାର, କୁଳଧର୍ମ ରକ୍ଷା କରିପାରିଲେ ନାହିଁ । ଚଉଦପୁରୁଷର ଭିଟାମାଟି ଛାଡ଼ି ଆଜି ତାଙ୍କୁ ଚାଲି ଯିବାକୁ ପଡ଼ୁଛି ।

 

ଯୋଉଦିନ ଅମୀନ ଓ କାନଗୋଇ ବାବୁ ଆସି ପ୍ରଥମେ ଜମିର ଜରିପ ଠିକ୍‌ କଲେ, ସେହିଦିନ ପାପ ଛୁଇଁଥିଲା ସୁଦର୍ଶନ ମନକୁ । ସେ ସେମାନଙ୍କ ହାବଭାବକୁ ଠଉରେଇ ନେଇଥିଲା ଯେ କିଛି ଗୋଟେ ହେବାକୁ ଯାଉଚି । ଶେଷରେ ଠିକ୍ ତାହାହିଁ ହେଲା । ତହସିଲଦାର ବାବୁ ଆସି ଗାଁର ସମସ୍ତଙ୍କୁ କହି–ଦେଇଗଲେ ଯେ, ସୁବର୍ଣ୍ଣପୁର ଗାଁର ଜମି ଜାଗା ସରକାର ଦଖଲ କରିବେ । ଯୋଉମାନେ ଘରବାଡ଼ି ଓ ଜମିଜମାରୁ ଉଚ୍ଛେଦ ହେବେ, ସେମାନଙ୍କୁ କ୍ଷତିପୂରଣ ମିଳିବ, ଅନ୍ୟସ୍ଥାନରେ ସେମାନଙ୍କୁ ଥଇଥାନ କରିବା ଲାଗି ସରକାର ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବେ ଏବଂ ଏଇ ଜମି ଉପରେ ଯୋଉ ଲୁହା କାରଖାନା ବସିବ ସେଥିରେ ପ୍ରତ୍ୟେକ ପରିବାରରୁ ଜଣେ ଜଣେ କର୍ମକ୍ଷମ ବ୍ୟକ୍ତିକୁ ଚାକିରୀ ମଧ୍ୟ ଦିଆଯିବ ।

 

ଆଗ କଥା ଆଗ ହେଲା । ସୁବର୍ଣ୍ଣପୁର ଗାଁ ସରକାର ଆକୁଆର କରିନେଲେ । ଲୋକମାନଙ୍କୁ କ୍ଷତିପୂରଣ ବି କିଛି କିଛି ମିଳିଲା ଏବଂ ସେଠାରୁ ଦଶ କୋଶ ଦୂରରେ ଠାକୁରାଣୀ ମୁଣ୍ଡିଆ ପାଖରେ ଆଉ ଗୋଟେ ଗାଁ ବସେଇବା ପାଇଁ ମାଗଣାରେ ଘରଡ଼ିହ ଯୋଗାଇ ଦିଆଗଲା-। ଏହାପରେ ଆଉ କଅଣ ଘଟିବ ବା ନ ଘଟିବ ତାହା ଦେଖିବାକୁ ସାହସ ବା ଧୈର୍ଯ୍ୟ ନ ଥିଲା ସୁଦର୍ଶନଙ୍କର । ସେ ଝିଅକୁ ସାଙ୍ଗରେ ଧରି ବାହାରି ପଡ଼ିଲା ସହର ଅଭିମୁଖେ ।

 

ଷ୍ଟେସନକୁ ଯିବା ରାସ୍ତା ଧାରରେ ମାଟିଝାଟିର ସେଇ ଚାଟଶାଳୀ ଆଖିରେ ପଡ଼ିଲା ତାଙ୍କର, ଯୋଉଠି ସତେଇଶ ବର୍ଷ ହେଲା ସେ ପିଲାମାନଙ୍କୁ ବିଦ୍ୟାଦାନ କରି ଆସୁଥିଲେ । ଜୀବନର ଶେଷଦିନ ପର୍ଯ୍ୟନ୍ତ ସେଠାରେ ରହି ଛାତ୍ରଛାତ୍ରୀମାନଙ୍କୁ ପଢ଼େଇବା ପାଇଁ ସଂକଳ୍ପ କରିଥିଲେ ସେ । ସେଇ ସଂକଳ୍ପ ଭାଙ୍ଗିଗଲା । ହୁଏତ କାରଖାନା ବସିଲେ ଆହୁରି ନୂଆ ସ୍କୁଲ ବସିବ, ନୂଆ ମାଷ୍ଟର ରହିବେ; କିନ୍ତୁ ସେଥିରେ ସେଥିରେ ସେ ଆଉ ନିଯୁକ୍ତି ପାଇପାରିବେ ନାହିଁ । ତାଙ୍କର ସେଥିପାଇଁ ଯୋଗ୍ୟତା ନାହିଁ ବୋଲି କହି ଦେଇଛନ୍ତି ଇନ୍ସପେକ୍ଟର ବାବୁ । ସେ ମାଟ୍ରିକ୍‍ ପାସ୍ କରି ନାହାନ୍ତି କି ପ୍ରଶିକ୍ଷଣ ତାଲିମ ପାଇ ନାହାନ୍ତି । ତାଙ୍କରି ଯୋଗ୍ୟତା ମାତ୍ର ଦଶମ ଶ୍ରଣୀ ପାସ୍ । ଆଧୁନିକ ଭାରତବର୍ଷର ପିଲାମାନଙ୍କୁ ପାଠ ପଢ଼ାଇବା ଲାଗି ଏତିକି ଯୋଗ୍ୟତା ଯଥେଷ୍ଟ ନୁହେଁ ।

 

ତାଙ୍କର ଅଯୋଗ୍ୟତା ଜଳ ଜଳ ହୋଇ ଦିଶୁଥାଏ ସୁଦର୍ଶନଙ୍କୁ । ଦଶମ ଶ୍ରେଣୀରୁ ଆଗେଇ ନ ଥିବା ମଣିଷଟି ଯେ ଅଜ୍ଞ ଏବଂ ଏ ଯୁଗର ଅନେକ କିଛି ତାଙ୍କର ଅଗୋଚର ସେ କଥା କର୍ତ୍ତୃପକ୍ଷ ଭଲ ଭାବରେ ବୁଝି ନ ଥିଲେ ଇମିତି କାମଟିଏ କରି ନ ଥାନ୍ତେ ବୋଲି ମନକୁ ମନ କହୁଥିଲେ ସୁଦର୍ଶନ । ସେ ଯୁକ୍ତି କରୁଥିଲେ କର୍ତ୍ତୃପକ୍ଷଙ୍କ ସପକ୍ଷରେ ଏବଂ ନିଜର ବିପକ୍ଷରେ ।

 

ସେ ଅର୍ଦ୍ଧଶିକ୍ଷିତ । ପେଟ ପୋଷିବାର ଭଲ ବିକଳ୍ପଟିଏ ବାହାର କରି ନ ପାରି ଦିନେ ଗୋଟେ ଖିଆଲରେ ଏହି ସ୍କୁଲ ଆରମ୍ଭ କରିଥିଲେ । ନିଜ ପୂର୍ବ ପୁରୁଷଙ୍କ ପଡ଼ିଆ ପଡ଼ିଥିବା ଖଣ୍ଡେ ଜମି ସେ ଏଥିପାଇଁ ଦାନ କରି ଦେଇଥିଲେ ମୌଖିକ ଭାବରେ । ସେଇ ଜମି ଉପରେ ପରେ ପରେ ଗାଁ ଲୋକେ ମାଟିଝାଟିର ଘରଟିଏ ତୋଳିଥିଲେ ସ୍କୁଲ ଖୋଲିବା ପାଇଁ । ଆରମ୍ଭରୁ ସେ ରହିଗଲେ ଯେ ଆଉ ପରେ ବାହାରି ଯାଇ ପାରିଲେ ନାହିଁ । ଏହାର ପ୍ରଧାନ କାରଣ ତାଙ୍କର ବିଦ୍ୟାବୁଦ୍ଧି ନୁହେଁ–ଅନ୍ୟଜଣେ ଦକ୍ଷ ଶିକ୍ଷିତ ତାଲିମପ୍ରାପ୍ତ ବ୍ୟକ୍ତିକୁ ଚାନ୍ଦାକରି ଗାଁ ବାଲା ରଖିବା ପାଇଁ ସମର୍ଥ ନ ଥିଲେ ଏଇ କାରଣରୁ । ସ୍କୁଲଟିକୁ ସରକାର ହାତକୁ ଟେକି ଦେବା ପାଇଁ ମଝିରେ ମଝିରେ ଚେଷ୍ଟା ହୋଇଥିଲେ ବି ଶେଷରେ ଅକୃତକାର୍ଯ୍ୟରେ ପରିଣତ ହୋଇଛି । କିନ୍ତୁ ଗତ ଦଶବର୍ଷ ହେଲା ସ୍କୁଲ ଘରର ରକ୍ଷଣାବେକ୍ଷଣ ପାଇଁ ବର୍ଷକୁ ପାଞ୍ଚଶହ ଟଙ୍କା ଗ୍ରାଣ୍ଟ ମିଳୁଥିଲା ସରକାର ବାହାଦୁରଙ୍କଠାରୁ । ବାସ୍‍ ସେତିକି । ତାଙ୍କ ଦରମା ଏବଂ ଆଉ ଜଣେ ଶିକ୍ଷକଙ୍କ ଦରମା ଗ୍ରାମବାସୀମାନେ ଚାନ୍ଦା ଭେଦା କରି ଦେଉଥିଲେ । ସେଥିପାଇଁ ପ୍ରତି ମାସ ନିୟମିତ ଭାବରେ ବେତନ ମିଳୁ ନ ଥିଲା କିମ୍ବା ନ ମିଳିଲେ ଆଉ କାହାରି ପାଖରେ ଆପତ୍ତି ଅଭିଯୋଗ କରିବା ଲାଗି ସୁଯୋଗ ମିଳୁ ନ ଥିଲା ।

 

ସ୍କୁଲ ଘରର ଛାତ ଉଡ଼ି ଯାଇଥିଲା ତୋଫାନରେ । ମରାମତି ହବା ଆଗରୁ ଏଇ ସିଦ୍ଧାନ୍ତ ଶୁଣିଲେ ସମସ୍ତେ । ମରାମତି କାମ ଆଉ ହାତକୁ ନବା ପାଇଁ ଦରକାର ପଡ଼ିଲା ନାହିଁ ।

 

ସୁଦର୍ଶନ ଦଣ୍ଡେ ଛିଡ଼ା ହେଲେ ଏବଂ ତା’ପରେ ହାତଯୋଡ଼ି ନମସ୍କାର କରି ଅସ୍ପଷ୍ଟ ଭାବରେ କଅଣ ଉଚ୍ଚାରଣ କଲେ ତାହା ସୁଜାତା ବି ଶୁଣିପାରିଲା ନାହିଁ ।

 

ଗାଁବାଲା ଶ୍ରମଦାନ କରି କୂଅଟିଏ ଖୋଳିଥିଲେ ସ୍କୁଲ ସୀମା ଭିତରେ । ସେଇ କୂଅରୁ ପାଣି ଉଠେଇ ଗଛ କେତୋଟି ସେ ବଞ୍ଚେଇ ଥିଲେ ସ୍କୁଲ ହତା ଭିତରେ ।

 

ସେଇ ଗଛଗୁଡ଼ିକୁ ସ୍ନେହସିକ୍ତ ଦୃଷ୍ଟିରେ ଅନାଇଲେ ସୁଦର୍ଶନ ସାହାଣୀ ଏବଂ ମନେ ମନେ ଅନୁନୟ କଲାଭଳି କହିଲେ–ମୁଁ ଚାଲିଯାଉଛି, କିନ୍ତୁ ଏଇ ଗଛମାନେ ରହିଲେ । ଗଛର ଛାଇରେ ଟିକେ ବିଶ୍ରାମ କରିବେ ବାଟୋଇମାନେ, ଶାଖା ପ୍ରଶାଖାରେ ଆଶ୍ରୟ ନେବେ ପକ୍ଷୀମାନେ, ଗଛ ଫଳପୁଷ୍ପ ଦବ ଲୋକମାନଙ୍କୁ । ଗଛର ଶୁଖିଲା ପତ୍ରରେ ନିଆଁ ଲଗାଇ ଶୀତଦିନେ ନିଆଁ ପୋହିବେ ଗାଁ ଲୋକେ ।

 

ପିଲାମାନଙ୍କୁ ପାଠ ପଢ଼େଇବା ସମୟର କଥା ମନେପଡ଼ିଯାଏ । ମନେପଡ଼ିଯାଏ ବୃକ୍ଷର ଉପକାରୀତା ।

 

ବୃକ୍ଷ ମୌସୁମୀବାୟୁକୁ ଆକର୍ଷଣ କରି ବର୍ଷା କରିବାରେ ସାହାଯ୍ୟ କରେ ।

 

ବୃକ୍ଷ ମୃତ୍ତିକା ସଂରକ୍ଷଣ କରେ ଓ ଏହାର ଉର୍ବରାଶକ୍ତି ବୃଦ୍ଧି କରେ ।

 

ବୃକ୍ଷ ବାୟୁମଣ୍ଡଳକୁ ଶୁଦ୍ଧ ଏବଂ ପରିବେଶକୁ ସୁନ୍ଦର କରେ ।

 

ବୃକ୍ଷ ଫଳମୂଳ ଦାନ କରେ ଲୋକମାନଙ୍କୁ । ଏହାର କାଠ, ପତ୍ର ବିଭିନ୍ନ କାର୍ଯ୍ୟରେ ବ୍ୟବହୃତ ହୁଏ ।

 

ମଣିଷ, ପଶୁପକ୍ଷୀ ଆଶ୍ରୟ ନିଅନ୍ତି ବୃକ୍ଷ ମୂଳରେ, ବୃକ୍ଷର ଶାଖା ପ୍ରଶାଖାରେ ।

 

ବୃକ୍ଷ ମାଆ ପରି ମହାନ୍ । ପାଇବାର ପ୍ରତ୍ୟାଶା ନ ରଖି କେବଳ ଦାନ କରିଯାଏ ।

 

ସୁଜାତା ମନେପକେଇ ଦେଇ କହିଲା–ଶୀଘ୍ର ଶୀଘ୍ର ନ ଗଲେ ଗାଡ଼ି ମିଳିବ ନାହିଁ ଯେ ବାପା..... ।

 

ସୁଦର୍ଶନଙ୍କ ମନ୍ଥର ଗତି ଦ୍ରୁତତର ହେଲା ଏବଂ ସେ କେତେବେଳେ ଗଛମାନଙ୍କୁ, କେତେବେଳେ ଆକାଶକୁ ତ ଆଉ କେତେବେଳେ ଛାଡ଼ି ଯାଉଥିବା ଗାଁଆର ପରିବେଶ ଓ ଶସ୍ୟକ୍ଷେତକୁ ଅନାଇ ଅନାଇ ଧାନମଣ୍ଡଳ ଷ୍ଟେସନ୍ ଆଡ଼କୁ ଦ୍ରୁତଗତିରେ ଆଗେଇ ଚାଲିଲେ ।

 

କଟକ ସହର । ଧବଳ ଟଗର । କିନ୍ତୁ କଟକ ସହରରେ ପାଦ ପକେଇ ଚମକି ପଡ଼ିଲେ ସୁଦର୍ଶନ । ସହରର ଗଳିକନ୍ଦି, ରାସ୍ତା ଆବର୍ଜନାରେ ପୂର୍ଣ୍ଣ । ନାଳ-ନର୍ଦ୍ଦମା ଭଲ ଭାବରେ ସଫା ହୁଏନି ବୋଲି ପୁତ୍ତିଗନ୍ଧମୟ ପରିବେଶ । ମଶା, ମାଛି, ଡାଆଁଶ ଦାଉରେ ଜନଜୀବନ ବିପନ୍ନ । ଏପରିକି ମେଡ଼ିକାଲ କଲେଜ ହସ୍‌ପିଟାଲର ମଳ, ମୁତ୍ର, ପୂଜ, ରକ୍ତ ନାଳ ନର୍ଦ୍ଦମା ପାଣିରେ ମିଶି ଶେଷରେ ତାଳଦଣ୍ଡା କେନାଲରେ ପଡ଼େ ଟିକିଏ ଦୂରରେ । ଆଉ ସେଇ ପାଣିରେ ସ୍ନାନ କରନ୍ତି ସହର, ସହର ଉପକଣ୍ଠ ଓ ଗ୍ରାମର ହଜାର ହଜାର ମଣିଷ । ସେଇ ପାଣି ପିଅନ୍ତି ବି ସେମାନେ ।

 

ମଥା ଗୋଳମାଳ ହୋଇଯାଏ ଅଧିକ ଭାବିଲେ । ସୁଦର୍ଶନଙ୍କର ଇଚ୍ଛାହୁଏ ସହରର ସମସ୍ତ ଲୋକଙ୍କୁ ଚାଟଶାଳୀରେ ଭର୍ତ୍ତି କରି ସ୍ୱାସ୍ଥ୍ୟରକ୍ଷା ଶିକ୍ଷା ଦବା ପାଇଁ । ଛି, ଛି, ଏଡ଼େ ଅଜ୍ଞ ଏଇ ସହରର ଅହଙ୍କାରୀ ମଣିଷମାନେ । ନିଜ ଘରର ମଇଳା ଯିଏ ରାସ୍ତା ଉପରକୁ ଫୋପାଡ଼ି ଦିଏ ବା କେନାଲ ପାଣିରେ ଢାଳିଦିଏ, ସେ ଯେ ପଞ୍ଜାବର ଆତତାୟୀଠାରୁ କୌଣସି ଗୁଣରେ କମ୍ ଦେଶଦ୍ରାହୀ ନୁହେଁ, ଏକଥା ମନକୁ ମନ କହନ୍ତି ସୁଦର୍ଶନ ।

 

କଟକ ସହରରେ ପାଦ ଦେବାକ୍ଷଣି ତା’ର ଧବଳ ଟଗର ରୂପଟି ସିନା ତାଙ୍କୁ ଆକର୍ଷଣ କଲା ନାହିଁ, କିନ୍ତୁ କଟକ ସହରର କୁଢ଼କୁଢ଼ ଆବର୍ଜନା, ମାଛି, ମଶା ଓ ବୁଲା କୁକୁରଙ୍କ ଉପଦ୍ରବ ସତ୍ତ୍ୱେ ଶେଷରେ ସେଇଠି ରହିଗଲେ ସେ । ଟିକେ ଦୂରରେ ରାଜଧାନୀ ଭୁବନେଶ୍ୱର । କିନ୍ତୁ ରାଜଧାନୀରେ ସ୍ୱପ୍ନ ଦେଖିହୁଏ, ଜୀବନ ସହିତ ଅହର୍ନିଶି ମୁକାବିଲା କରିହୁଏ ନାହିଁ । ସେ ଉଦ୍‌ବାସ୍ତୁ-। ତାଙ୍କ ପାଇଁ ସେଠାରେ ସ୍ଥାନ ନାହିଁ । କଟକ ସହରର ତାଳଦଣ୍ଡା କେନାଲ କୂଳେ ଗଢ଼ି ଉଠିଥିବା ବସ୍ତିରେ ପାଞ୍ଚଶହ ଟଙ୍କା ଖର୍ଚ୍ଚ କରି ମାଟିଝାଟିର ଛୋଟ କୁଡ଼ିଆଟିଏ ତୋଳିଲେ ସୁଦର୍ଶନ-। ମାଲଗୋଦାମର ଖାଲି ଜମି ଉପରେ ଏବଂ କେନାଲ କୂଳର ପରିତ୍ୟକ୍ତ ସ୍ଥାନରେ ଶହ ଶହ ଲୋକ ବସତି ବସେଇଛନ୍ତି ବଞ୍ଚିବା ପାଇଁ । ଜବରଦଖଲ ବେଆଇନ । କିନ୍ତୁ ଆଇନ ମାନି ମାନି ତ ସୁଦର୍ଶନ ଉଦ୍‌ବାସ୍ତୁ ହୋଇଗଲେ–ଆଇନ ଅମାନ୍ୟ କରି ଶେଷରେ ଯେ ବଞ୍ଚିବାକୁ ହେବ ଏହା କଅଣ ସ୍ୱପ୍ନରେ ହେଲେ ବି ଦିନେ ସେ ଭାବିଥିଲେ ? ଏଇ ପ୍ରଥମ ଆଇନ ଭାଙ୍ଗିଲେ ସେ ।

 

ଏଇ ମାଲଗୋଦାମ କଟକ ସହରର ପ୍ରଧାନ ବାଣିଜ୍ୟ କେନ୍ଦ୍ର । ମାଲଗୋଦାମର ଇତିହାସ ସହିତ କଟକ ସହରର ସମୃଦ୍ଧିର ଇତିବୃତ୍ତି । ଅନୁସନ୍ଧିତ୍ସୁ ମନ ନେଇ ସୁଦର୍ଶନ ମାଲଗୋଦାମ ସମ୍ପର୍କରେ ଯେଉଁ ତଥ୍ୟ ସଂଗ୍ରହ କଲେ ସେଥିରୁ ଜଣାଯାଏ ଯେ ଯେତେବେଳ କଟକ ଦେଇ ରେଳପଥ ପଡ଼ିଲା ସେତେବେଳ କଟକ ହେଲା ଓଡ଼ିଶାର ପ୍ରଧାନ ବାଣିଜ୍ୟ କେନ୍ଦ୍ର । ତାହା ପ୍ରାୟ ଶହେ ବର୍ଷ ତଳର କଥା । ଊନବିଂଶ ଶତାବ୍ଦୀର ଶେଷ ଦଶକର ପ୍ରଥମ ବର୍ଷ ରେଳ ଚଳାଚଳ ଆରମ୍ଭ ହେଲା ଏବଂ କଲିକତା ସହିତ ମାନ୍ଦ୍ରାଜ୍ ସଂଯୁକ୍ତ ହେଲା । ସୁଦର୍ଶନ ଅଭିଯୋଗ କରି କହନ୍ତି ଯେ, ଯଦି ବ୍ରିଟିଶ୍ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଆବଶ୍ୟକ ହୋଇ ନ ଥାନ୍ତା ତାହେଲେ ମାନ୍ଦ୍ରାଜ ସହିତ କଲିକତାକୁ ସଂଯୋଗ କରିବାର ପ୍ରଶ୍ନ ମଧ୍ୟ ଉଠି ନ ଥାନ୍ତି । ସେହି ଆବଶ୍ୟକତାକୁ ପୂର୍ଣ୍ଣ କରିବା ଲାଗି ରେଳପଥ ନିର୍ମିତ ହେଲା; ମହାନଦୀ, କାଠଯୋଡ଼ି, କୂଆଖାଇ, ବ୍ରାହ୍ମଣୀ, ବୈତରଣୀ ଏବଂ ଅନ୍ୟାନ୍ୟ ନଦୀ ଉପରେ ପୋଲ ନିର୍ମିତ ହେଲା । ରେଳଦ୍ୱାରା କଲିକତା ମହାନଗରୀ ଓ ଶିଳ୍ପାଞ୍ଚଳରୁ ଆସିଲା ନାନାଦି ସାମଗ୍ରୀ । ସେଥିପାଇଁ ଦରକାର ହେଲା ଗୋଦାମ । ଗୋଦାମ ନିର୍ମିତ ହେଲା ଏବଂ ବେଙ୍ଗଲ, ନାଗପୁର ରେଳବାଇ କମ୍ପାନୀ ସାମାନ୍ୟ ବାର୍ଷିକ ସଲାମିରେ ବେପାରୀମାନଙ୍କୁ ଜମି ଯୋଗାଇ ଦେଲେ ଷ୍ଟେସନ ନିକଟରେ । ସେଠାରେ ଗଢ଼ିଉଠିଲା ମାଲଗୋଦାମ । ମାଟି କାଟି ମାଲଗୋଦାମ ସହିତ ତାଳଦଣ୍ଡା କେନାଲକୁ ସଂଯୁକ୍ତ କରାଗଲା । ବଡ଼ବଡ଼ ନୌକାରେ ମାଲବୋଝେଇ କରି କଟକ ଜିଲ୍ଲାର ମଫସଲ ଅଞ୍ଚଳକୁ ପଠାଇବା ବ୍ୟବସ୍ଥା ଏହାଦ୍ୱାରା ଦ୍ରୁତତ୍ତର ହେଲା । ସେଇଦିନୁ ଚାଲି ଆସିଥିଲା ଏହି ବ୍ୟବସ୍ଥା ସ୍ୱାଧୀନତା ପରବର୍ତ୍ତୀ ଦଶବର୍ଷ ପର୍ଯ୍ୟନ୍ତ । ସଡ଼କପୋଲ ନିର୍ମିତ ହେବା ପରେ କଟକ ସହର ସହିତ ଓଡ଼ିଶାର ଅନ୍ୟାନ୍ୟ ଅଞ୍ଚଳ ସବୁଦିନିଆ ସଡ଼କପଥଦ୍ୱାରା ସଂଯୁକ୍ତ ହେଲା ଏବଂ ଜଳପଥ ଦେଇ ମାଲ ପରିବହନ ବ୍ୟବସ୍ଥାର ଗୁରୁତ୍ୱ ହ୍ରାସ ପାଇଲା ଏବଂ ସଡ଼କ ପଥରେ ମାଲ ପରିବହନ ବ୍ୟବସ୍ଥାର ଅଭିବୃଦ୍ଧି ଘଟିଲା ।

 

ମାଲଗୋଦାମ ଅଞ୍ଚଳକୁ ଅସ୍ଥାୟୀ ଭାବରେ ପଟ୍ଟା ନେଇ ମଧ୍ୟ ସ୍ଥାୟୀ ଭାବରେ ଦେକାନ ବଜାର ଗେଦାମ ଘର ତିଆରି କଲେ ବେପାରୀମାନେ । ସହରରେ ସ୍ଥାନାଭାବ ହେତୁ ଏବଂ ମାଲଗୋଦାମରେ କାମ କରୁଥିବା ଶ୍ରମିକମାନଙ୍କର ଆବଶ୍ୟକତା ପୂର୍ଣ୍ଣ କରିବା ସକାଶେ ଗୋଟିଏ ଦୁଇଟି କରି ଗଢ଼ି ଉଠିଲା ଛୋଟଛୋଟ ଚାଳଘର, ଝୁମ୍ପୁଡ଼ି.... ।
 

ସୁଦର୍ଶନ ପ୍ରଥମେ ସଂକୋଚ କରୁଥିଲେ ଆଇନ ଭାଙ୍ଗି ସରକାରୀ ଜାଗା ଜବର ଦଖଲ କରି ଘର ତିଆରି କରିବା ପାଇଁ । କିନ୍ତୁ ସେହି ସଂକୋଚ କଟିଗଲା ଅଳ୍ପକେତେଦିନ ମଧ୍ୟରେ । ସୁଜାତା ମା’ ଛେଉଣ୍ଡ ଝିଅ, ତାଙ୍କର ଏକମାତ୍ର ଅଲିଅଳି କନ୍ୟା । ସେ ଗଛମୂଳେ କିମ୍ବା କଚେରୀ ବାରନ୍ଦାରେ ମାସ ମାସ କଟେଇ ଦେଇପାରିବେ, କିନ୍ତୁ ସୁଜାତା ପାଇଁ ଘରଟିଏ ଲୋଡ଼ା । ତା’ର ସମ୍ମାନ ଓ ସୁରକ୍ଷା କଥା ଚିନ୍ତା କରି କ୍ଷତିପୂରଣ ପାଇଥିବା ସାମାନ୍ୟ ଟଙ୍କାରୁ ପାଞ୍ଚଶହ ଖର୍ଚ୍ଚ କରି ମାଟିଝାଟିର କୁଡ଼ିଆଟିଏ ତିଆରି କଲେ ସେ କେନାଲ କୂଳରେ । ମାଲଗୋଦାମ ଓ କେନାଲ କୂଳ ମଧ୍ୟରେ ଖାଲିଥିବା ଜମିରେ ପ୍ରାୟ ତିନି ଚାରିଶହ କୁଡ଼ିଆ ତିଆରି ହୋଇଛି । ସେଥିରୁ ଗୋଟିଏ ସୁଦର୍ଶନଙ୍କର ।

 

ସୁଦର୍ଶନ ମାଲଗୋଦାମ ଶ୍ରମିକ ବସ୍ତିର ନୂତନ ଅଧିବାସୀ । ସେ ଶିକ୍ଷକରୁ କେବେ ଯେ ଶ୍ରମିକ ପର୍ଯ୍ୟାୟକୁ ଖସି ଆସିଲେ ଜାଣି ବି ପାରିଲେ ନାହିଁ; କିନ୍ତୁ ଏତିକି ଜାଣି ଆନନ୍ଦିତ ହେଲେ ଯେ ମାଲଗୋଦାମର ଶ୍ରମିକ ବସ୍ତିରେ ଯେଉଁମାନେ ରହନ୍ତି ସେମାନଙ୍କ ମଧ୍ୟରେ ଦିନ ମଜୁରିଆ, ରିକ୍ସାବାଲା, ମେହେନ୍ତର ଓ ବୁଲା ବିକାଳୀଙ୍କୁ ଛାଡ଼ି ଆହୁରି କେତେକ ଅର୍ଦ୍ଧଶିକ୍ଷିତ ବେକାର ବା ଅପଦାର୍ଥ ଶିକ୍ଷିତ ଲୋକ ବି ରହନ୍ତି ।

 

ବସି ଖାଇଲେ ନଈବାଲି ସରେ । ସେ ଆଉ ବସି ନ ରହି କିଛି ଗୋଟେ ଧନ୍ଦା ଖୋଜିବାବେଳେ ହଠାତ୍ ଦିନେ କେନାଲ କୂଳେ ଦେଖା ହୋଇଗଲା ଜଣେ ଯୁବକ ସହିତ । ତାର ନାମ ସୌମ୍ୟରଞ୍ଜନ । ଜାଣି ଜାଣି ସେ ସାଙ୍ଗିଆ ନ କହିବାରୁ ସୁଦର୍ଶନ ପଚାରିଲେ–ସାଙ୍ଗିଆ କହିଲ ନାହିଁ ଯେ–ଅପୂର୍ଣ୍ଣ ରହିଗଲା ନାମ ।

 

ସୌମ୍ୟରଞ୍ଜନ ହସି ପକେଇ କହିଲା–ସାଙ୍ଗିଆ ଆଉ ଲାଗୁନି ନାମ ପଛରେ । ଏମିତି ବେଶ୍ ଚଳି ଯାଉଛି ।

 

–ତଥାପି କହିବାରେ ଯଦି ଆପତ୍ତି ନ ଥାଏ..... । ଜାଣିବାର କୌତୁହଳ ଦମନ କରି ନ ପାରି କହିଲେ ସୁଦର୍ଶନ ।

 

–ପଟ୍ଟନାୟକ.... କିନ୍ତୁ ଆଜିକାଲି ସମସ୍ତେ ଯେତେବେଳ ନାୟକ ଆଉ ପଟ୍ଟ କିଏ ତାହା ଲେଖିବା ଦରକାର ପଡ଼ୁନି । ସାଙ୍ଗିଆ ଏକ ସାମନ୍ତବାଦୀ ବ୍ୟବସ୍ଥା । ବଶିଷ୍ଟ, ବିଶ୍ୱାମିତ୍ର, ବାଲ୍ମିକୀ, ବ୍ୟାସ, କାଳିଦାସ ନିଜର ସାଙ୍ଗିଆ ବ୍ୟବହାର କରୁ ନ ଥିଲେ ।

 

ସୁଦର୍ଶନ ଉତ୍ସାହିତ ହୋଇ ସମର୍ଥନ କରି କହିଲେ–ଏଇ ଭଲ, ଏଇ ଭଲ ବାବୁ ... । ନାମ ଗୋଟେ ଦରକାର ପରିଚୟ ପାଇଁ । ଯାହାର ସେତକ ଦରକାର ନାହିଁ ତାର ନାମ ନ ଥିଲେ ବି ଚଳିବ ।

 

ସେଇ କେନାଲ କୂଳର ପରିଚୟରୁ ପରସ୍ପର ପ୍ରତି ଆତ୍ମୀୟତା ଜନ୍ମିଗଲା ଦୁହିଁଙ୍କର । ପରିଚୟ ନିକଟତର କଲା ଦୁହିଁଙ୍କୁ ।

 

ଆଉ ଦିନେ ସକାଳେ ବସ୍ତିର ମଇଳା ସଫା କରିବା ଲାଗି ଆଉ କେତେକ ଯୁବକଙ୍କୁ ସୁଦର୍ଶନ ପ୍ରବର୍ତ୍ତାଉଥିବାବେଳେ ପୁଣି ଦେଖା ହୋଇଗଲା ସୌମ୍ୟ ସହିତ ।

 

–ଏଇ ଯେ ସୌମ୍ୟ.... କିମିତି.... ଭଲ ଅଛ ତ ? କହିଲେ ସୁଦର୍ଶନ । ସୌମ୍ୟ କହିଲା–ଆପଣଙ୍କୁ ଖୋଜିଖୋଜି ଆସୁଥିଲି ।

 

ଖୁସୀ ହୋଇ କହିଲେ ସୁଦର୍ଶନ–ଏଇ ରାସ୍ତା ସଫା କରିବା ପାଇଁ ବାହାରିଚି ବଡ଼ି ଭୋର୍‌ରୁ । ନିଜେ ଯାହା ପାରିଲି କଲି; କିନ୍ତୁ ଜଣକଦ୍ୱାରା ଏହା କରିବା ସମ୍ଭବ ନୁହେଁ, ସହଜ ବି ନୁହେଁ । ସମସ୍ତଙ୍କୁ ଏଥିରେ ସମ୍ପୃକ୍ତ ନ କଲେ ନିଜର ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି ହେବ ନାହିଁ ।

 

ଚାଲନ୍ତୁ, ମୁଁ ସାଙ୍ଗ ଦେବି–ନିର୍ବିକାର ଚିତ୍ତରେ କହିଲା ସୌମ୍ୟ ।

 

ଆଉ ଜଣେ ଟୋକା ଖତେଇହବା ପରି କହିଲା–ନେତା ହବା ପାଇଁ ହାଇଁ ପାଇଁ ହଉଚି ମନ ... ।

 

ସୌମ୍ୟ କହିଲା–ନା, ନା, ନେତା ହେବାକୁ ଚାହେଁ ନି ମୁଁ । ତୁମେ ସବୁ ଆସ ମିଳିମିଶି କାମ କରିବା... ବସ୍ତି ସଫେଇ କରିବା.... ଆବର୍ଜନା ସଫା ହୋଇଗଲେ ପରିବେଶଟି ବି ସୁନ୍ଦର ଓ ସ୍ୱାସ୍ଥ୍ୟକର ମନେ ହବ ।

 

ଜଣେ କେନାଲ ଭିତରକୁ ପଥରଖଣ୍ଡେ ଫିଙ୍ଗି କହିଲା–କି ଗୁରୁ ଦେଶସେବା କରିବାକୁ ରାଜି ତା’ ହେଲେ ?

 

ସେମାନେ ଥିଲେ ଚାରିଜଣ । ସେମାନଙ୍କ ମଧ୍ୟରେ ଯାହାର ବ୍ୟକ୍ତିତ୍ୱ ଫୁଟି ବାହାରୁଥିଲା ଅନ୍ୟମାନଙ୍କ ତୁଳନାରେ, ତାର ନାମ ରାଜୁ । ସେ ସମସ୍ତଙ୍କର ଗୁରୁ ।

 

ରାଜୁ ହୁଙ୍କାର ଛାଡ଼ି କହିଲା–ଯାହା କରୁଛ କର–କିନ୍ତୁ କୌଣସି ଦଳର ଲୋକ ହୋଇଥିଲେ ଆମେ ସହ୍ୟ କରିବା ନାହିଁ ।

 

ସୁଦର୍ଶନ ଶାନ୍ତ ସ୍ୱରରେ କହିଲେ–ଦଳ ନାହିଁ କି ବଳ ନାହିଁ ବାପା । ଆମେ ଯେ ଯାହାର ଶିଙ୍ଗରେ ମାଟି ଖୋଳିବାକୁ ବାହାରିଛୁ । ତେବେ ନିଜ କାମ କରୁ କରୁ ଯଦି ପଡ଼ିଶାର ଭଲ ହେଲାପରି କାମଟିଏ ହୋଇଯାଏ ସେଥିରେ ଆପତ୍ତି ବା ଅଭିଯୋଗ ରହିବା ଉଚିତ ନୁହେଁ । ମୋର ଅନୁରୋଧ ତମେ ବରଂ ଆଗେଇ ଆସ, ସମସ୍ତେ ମିଳିମିଶି କାମ କରିବା ।

 

ରାଜୁ ଏବଂ ତାର ତିନିଜଣ ସାଙ୍ଗ ସିରାଜ୍, ଶଙ୍କର ଏବଂ ମନୁଆ ସମସ୍ତେ ସମସ୍ୱରରେ ହସିଉଠି କହିଲେ–ଠିକ୍ ସେଇ ଏକା ସ୍ୱରର କଥା... । ଆମେ କିନ୍ତୁ ଆଉ ଭୁଲିବୁ ନାହିଁ । ଇଲେକ୍ସନ ବେଳ ଆସୁ... ପାନେ ଦବୁ ଯେ ଭଲ କରି । ଗହ୍ମାପୁନେଇରେ ମାଇଁ ନୀତି ଆଉ ଚଳିବ ନାହିଁ ।

 

ସୁଦର୍ଶନ ତର୍କ କଲେନି ସେମାନଙ୍କ ସହିତ । ସୌମ୍ୟ ସେତେବେଳକୁ କେନାଲ ଘାଟର ଦୁଇ କଡ଼ରେ ଠୁଳ ହୋଇଥିବା ଆବର୍ଜନା ବୋହି ଗୋଟିଏ ଜାଗାରେ ଠୁଳ କରିବାକୁ ଆରମ୍ଭ କରି ଦେଇଥାଏ ।

 

ସୁଦର୍ଶନ ତା’ ସହିତ ଯୋଗ ଦେବାରୁ ସେ କହିଲା–ବାଧ୍ୟ ବାଧକତା ନାହିଁ–ଯାହାର ଇଚ୍ଛା ହେବ ସେ କରିବ । ଏ କାମ ତୁମର ବା ମୋର ଏକାର ନୁହଁ–ସମସ୍ତଙ୍କର ।

 

କିଛି ସମୟ କାମ କରି ଦୁହେଁ ଘାଟ ଦୁଇ ପାଖରେ ଠୁଳ ହୋଇଥିବା ଆବର୍ଜନା ସଫା କରିଦେଲେ । କିନ୍ତୁ ଆଉ ଗୋଟିଏ ସମସ୍ୟା ଦେଖାଦେଲା । ଠୁଳ ହୋଇଥିବା ଆବର୍ଜନା ନିୟମିତ ସଫା ନ ହେଲେ ଆଗପରି ବାୟୁମଣ୍ଡଳ ଏବଂ ପରିବେଶ ଦୂଷିତ ହେଉଥିବ । ସୁଦର୍ଶନ ଉପାୟ ଚିନ୍ତା କରିବାବେଳେ ସୌମ୍ୟ ତାଙ୍କ ପାଖକୁ ଲାଗି ଆସି କହିଲା–ଆପଣଙ୍କୁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି । ଏଇ ଶ୍ରମିକ ବସ୍ତିରେ ସ୍କୁଲ ନାହିଁ; ପିଲାଗୁଡ଼ା ପାଠ ନ ପଢ଼ି ବୁଲଛନ୍ତି । ଗୋଟେ ସ୍କୁଲ ଖୋଲିଲେ ଚଳନ୍ତାନି ? ଆପଣ ତ ଅଛନ୍ତି.... ।

 

ସୁଦର୍ଶନ ଏକଥା ଯେ ଭାବି ନ ଥିଲେ ସେପରି ନୁହେଁ, କିନ୍ତୁ ସାହସ କରି କହି ନ ଥିଲେ କାହାକୁ । ମାସେ ହେବ ଆସିଛନ୍ତି ସେ ବସ୍ତିକୁ । ଏଠାରେ ସେ ରହିବା ବିରୁଦ୍ଧରେ ଯେ ଅନ୍ୟମାନେ ପ୍ରତିବାଦ ବା ପ୍ରତିରୋଧ କରି ନାହାନ୍ତି ଏହା ଆଶ୍ଚର୍ଯ୍ୟର ବିଷୟ । ଏତେ ଲୋକ ଥିବାବେଳେ ସେ ଯଦି ସ୍କୁଲଟିଏ ଖୋଲିବେ କାଳେ ଯଦି ପ୍ରତିବାଦର ସ୍ୱର ଶୁଣାଯାଏ । ସେଥିପାଇଁ ରହି ରହି କହିଲେ ସୁଦର୍ଶନ–ଅନ୍ୟମାନଙ୍କୁ ପଚାରି....କେହି ନ ବାହାରିଲେ ମୁଁ ତ ଅଛି ।

 

ସୁଦର୍ଶନ ମଇଳା ଗଦାକୁ ଲକ୍ଷ୍ୟ କରି କହିଲେ–ମ୍ୟୁନିସିପାଲିଟିର ଗାଡ଼ି ଅଛି ପରା... ଥରରେ ଆସିଲେ ସାଫ୍ ହୋଇ ଯାଆନ୍ତା ।

 

ସୌମ୍ୟ କହିଲା–ଅଛି ଯେ.... । କିନ୍ତୁ ଏଇନେ ହୁଏତ ଅଫିସରଙ୍କ ବଗିଚାକୁ ଖତ ବୋହୁଥିବେ... ସବା ଆଗ ସାହେବମାନଙ୍କ କାମ....ତା’ ପରେ ସର୍ବସାଧାରଣଙ୍କ କାମ ।

 

–ବଡ଼ ଅନ୍ୟାୟ, କିନ୍ତୁ.... ।

 

–ଅନ୍ୟାୟ ସବୁ ଚଳି ଯାଉଛି, ଦେହ ସୁହା ହୋଇଯାଉଛି । ମ୍ୟୁନିସିପାଲିଟିର ଗାଡ଼ି ନ ଆସିଲେ କେହି ପ୍ରତିବାଦ କରୁନି । ଏ ଅଞ୍ଚଳକୁ ସହଜରେ ନ ଆସିବା କଥା । ଏଠାରେ କେହି ଟିକସ ଦିଅନ୍ତିନି; କେବଳ ହଜାର ସରିକି ଭୋଟ୍‍ର ଏଇଠି ରହନ୍ତି ବୋଲି ବେଳେ ବେଳେ ଚେୟାରମ୍ୟାନ କିମ୍ବା ଏଇ ଅଞ୍ଚଳର ପ୍ରତିନିଧି ମାଡ଼ି ଆସନ୍ତି ନା’ !
 

ସୁଦର୍ଶନ କହିଲେ–ଅନ୍ୟାୟ ସହିଯିବା ବି ନୀତି ବିରୁଦ୍ଧ । ତା’ର ପ୍ରତିକାର ଲୋଡ଼ା ।

 

–ଆପଣ ଶିକ୍ଷକ । ଆପଣ ନୀତିଶିକ୍ଷା ଦିଅନ୍ତୁ ସମସ୍ତଙ୍କୁ । ସମସ୍ତେ ଅଧିକାର ସମ୍ପର୍କରେ ସଚେତନ ହେଲେ ଏଇ ନିର୍ଲିପ୍ତ ନିସ୍ପୃହ ଭାବ ଆଉ ରହିବ ନାହିଁ ।

 

ମ୍ୟୁନିସିପାଲିଟିର ଟ୍ରକ୍ ଆଣିବା ଲାଗି ସୌମ୍ୟ ବାହାରିଗଲା । ତା’ ପଛେ ପଛେ ଚାଲିଲେ ସୁଦର୍ଶନ । ଆଗେ ଯୋଉଠି ନୌକାରେ ମାଲବୋଝେଇ କରାଯାଉଥିଲା ସେଠାରେ ପହଞ୍ଚିବା କ୍ଷଣି ସୁଦର୍ଶନ କହିଲେ–ବ୍ୟବହାର ନ ହୋଇ ପୋତିହୋଇ ଗଲାଣି ।

 

ସୌମ୍ୟ ପଛକୁ ଫେରିପଡ଼ି କହିଲା–ଆପଣ ବରଂ ଘରେ ଥାଆନ୍ତୁ.... ମୁଁ ମ୍ୟୁନିସିପାଲିଟି ଅଫିସକୁ ଯାଏ.... ।

 

ସୁଦର୍ନଶ କହିଲେ–ମୁଁ ବି ଯିବି ଯେ.... ମ୍ୟୁନିସିପାଲିଟି ଅଫିସ୍ ଦେଖିବା ହେବ, କାମ ବି ହେବ । କଟକ ସହର ନୂଆ ନୂଆ ଲାଗେ ଏବେବି । ମାସେ ହେଲା ଆସିଛି, ଏତେଶୀଘ୍ର ଏତେବଡ଼, ଏଡ଼େପୁରୁଣା ସହରକୁ ଜାଣିହେବ ?

 

ସୌମ୍ୟକୁ ନିଜ ଘରକୁ ନେଇଯାଇ କହିଲେ ସୁଦର୍ଶନ–ଟିକେ ଚା’ ପିଇ ଯାଅ... କେତେବେଳେ ଫେରିବ କିଏ ଜାଣେ ।

 

ସୌମ୍ୟ କହିଲା–କିନ୍ତୁ ମୁଁ ତ ଚା’ ପିଏନା ମଉଷା.... !

 

ଘର ଭିତରୁ କହିଲା କିଏ–ତା’ ହେଲେ ମୁଁ ସରବତ କରି ଆଣୁଛି ବାପା ।

 

ସୁଦର୍ଶନ ପରିଚୟ କରେଇ ଦେଇ କହିଲେ–ଇଏ ମୋ ଝିଅ ସୁଜାତା... ଏଇ କୁଡ଼ିଆର ଅଧିଶ୍ୱର, ମୁଁ ଏକା ନୁହେଁ–ସେ ବି ।

 

ତା’ପରେ ଝିଅକୁ କହିଲେ–ସେୟା କର ମା’.... ।

 

ସୁଜାତା ସରବତ ଗ୍ଲାସଟା ସୌମ୍ୟ ହାତକୁ ବଢ଼ାଇ ଦେବାବେଳେ ତା’ ଆଗରେ ଏକ ଦରଫୁଟା ମଲ୍ଲୀ କଢ଼ ଦେଖି ମୁଗ୍‌ଧ ହୋଇଗଲା ସୌମ୍ୟ ।

 

ସୁଜାତା ଧାନମଣ୍ଡଳ ହାଇସ୍କୁଲରେ ମେଟ୍ରିକ୍ ପରୀକ୍ଷା ଦେଇ ଆସିଥିଲା ।

 

ଗ୍ରୀଷ୍ମଛୁଟି ଶେଷ ହେବା ଆଗରୁ ଫଳ ବାହାରି ଗଲା ।

 

ସୁଦର୍ଶନ ଘରକୁ ଆସି ଘୋଷଣା କରିଦେଲେ ଯେ ସେ ଫାଷ୍ଟ ଡିଭିଜନ ପାଇଛି ।

 

ସୁଜାତା ବାପାଙ୍କୁ ପ୍ରଣାମ କରି କହିଲା–କଲେଜ୍‌କୁ ପଠେଇବ ତ ବାପା ?

 

ସୁଦର୍ଶନ ବି ସେଇ ପ୍ରଶ୍ନ ପଚାରିଥିଲେ ନିଜକୁ, କିନ୍ତୁ ଉତ୍ତର ଦେଇପାରି ନାହାନ୍ତି ।

 

ଝିଅକୁ ସିଧା ସଳଖ ଉତ୍ତରଟିଏ ନ ଦେଇ ଅନ୍ୟ ପ୍ରସଙ୍ଗ ଉପରକୁ ଚାଲି ଯାଇ କହିଲେ–ସ୍କୁଲର ଛାତ୍ର ସଂଖ୍ୟା ତିରିଶ ଅତିକ୍ରମ କରିଗଲାଣି.... ମୁଁ ଆଜି ଭାବୁଛି ଏମାନଙ୍କର ସୁବର୍ଣ୍ଣ ସମୟର କେତେ ବେଶୀ ଅପଚୟ ହୋଇଛି, କେଡ଼େ ମହାର୍ଘ ମୂଲ୍ୟବାନ ସମୟ ସେମାନେ କଟେଇ ଦେଇଛନ୍ତି ରାସ୍ତା ଉପରେ.... ।

 

ସୁଜାତା ନିରାଶ ହେଲାନି କିନ୍ତୁ । ବାପା ସବୁବେଳେ ଏହିପରି । ଯେତେବେଳେ ନିଜେ ନିଷ୍ପତ୍ତି ନେଇ ନ ପାରି ବା ନବା ପାଇଁ ଚିନ୍ତା କରନ୍ତି, ସେ ସେତିକିବେଳେ ଇମିତି ପ୍ରତିକ୍ରିୟା ପ୍ରକାଶ କରନ୍ତି ସେ ।

 

ସୁଜାତା କିନ୍ତୁ ପଛେଇ ନ ଯାଇ ତାଙ୍କୁ ସ୍ମରଣ କରାଇ ଦେଲା ଯେ ସେ ଯେଉଁ ଦୃଷ୍ଟିରେ ଦେଖନ୍ତି ଜଗତକୁ, ସମସ୍ତେ ଯଦି ଦେଖନ୍ତେ ସେହି ଦୃଷ୍ଟିରେ–ଅନେକ ସମସ୍ୟା ସମାଧାନ ହୋଇଯାଆନ୍ତା ।

 

ସୁଦର୍ଶନ ଝିଅର ଉଚ୍ଚାଶା ବୁଝନ୍ତି । ତାଙ୍କର ବି ଇଚ୍ଛାହୁଏ ତାକୁ କଲେଜରେ ପଢ଼େଇବା ପାଇଁ । ସେ ପାଠ ପଢ଼ି ନ ପାରି ଅର୍ଦ୍ଧଶିକ୍ଷିତ ହୋଇ ରହିଗଲେ । କିନ୍ତୁ ବିଦ୍ୟାର ମହତ୍ତ୍ୱ ବୁଝନ୍ତି ସେ-। ସେଥିପାଇଁ ତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ବି ପ୍ରାଇମେରୀ ସ୍କୁଲ ଚଳଉ ଥିଲେ ସେ । ତାଙ୍କ ସ୍କୁଲର ପରୀକ୍ଷା ଫଳ ବରଂ ଭଲ ହେଉଥିଲା ଅନ୍ୟ ସ୍କୁଲ ତୁଳନାରେ । କିନ୍ତୁ ସେ ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ନୁହଁନ୍ତି ବୋଲି ଶେଷ ପର୍ଯ୍ୟନ୍ତ ସ୍କଲ୍‌କୁ ସରକାରୀ ଗ୍ରାଣ୍ଟ ମିଳିଲାନି କି ସରକାରଙ୍କ ପକ୍ଷରୁ ସ୍କୁଲଟିଏ ଖୋଲା ଗଲାନି । ସେ ଶିକ୍ଷକତା କରି ନ ଥିଲେ ଗାଁର ପିଲାଗୁଡ଼ା ଦୂର ଗାଁର ସ୍କୁଲକୁ ଯାଇ ନ ଥାଆନ୍ତେ ବା ବାଳୁଙ୍ଗା ପରି ଗାଁ ଦାଣ୍ଡରେ ବୁଲି ବା ମୁଣ୍ଡିଆ ତଳେ ଆଡ଼୍ଡା ମାରି ସମୟ କଟେଇ ଦେଇଥାଆନ୍ତେ ।

 

ସୁଦର୍ଶନ ଏଇ ବସ୍ତିରେ ରହିବା ପରେ ତାଙ୍କର ସେଇ ପୂର୍ବପରିଚୟ ପୁଣି ପ୍ରସାରିତ ହେଲା । କେଜାଣି କେଉଁ ସୂତ୍ରରେ ତାଙ୍କର ଇତିବୃତ୍ତି ଜାଣିଯାଇ ସମସ୍ତେ ତାଙ୍କୁ ମାଷ୍ଟର ବାବୁ ବୋଲି ଡାକିବାକୁ ଲାଗିଲେ ।

 

ଏଇ ମାଷ୍ଟର ବାବୁ ଡାକଟି ଅତି ପ୍ରିୟ ତାଙ୍କର । ସେ ଯେ ଜଣେ ଅର୍ଦ୍ଧ ଶିକ୍ଷିତ ବ୍ୟକ୍ତି ନୁହନ୍ତି, ଜଣେ ସଭ୍ୟ ଶିକ୍ଷିତ ଶିକ୍ଷକ ଏଇ କଥାଟା ମନକୁ ଆସିଲା କ୍ଷଣି ମନରେ ଗର୍ବ ହୁଏ ଟିକେ, ଗୌରବବୋଧ କରନ୍ତି ସେ ।

 

ସୁଜାତାକୁ ଏବେ ବି ଛିଡ଼ା ହୋଇଥିବାର ଦେଖି ସେ କହିଲେ–କିଛି ଗୋଟେ ହୋଇଯିବ ମା’ ... ତୁ ଭରସା ରଖ ଭଗବାନଙ୍କ ଉପରେ ।

 

ସୁଜାତା ମୁଖମଣ୍ଡଳ ଉପରେ ପ୍ରସନ୍ନତା ସଞ୍ଚରି ଗଲା ମୁହୁର୍ତ୍ତକରେ । ସେଇ ସୁନ୍ଦର, ସ୍ନେହସିକ୍ତ ମୁହଁଟିକୁ ଅନେଇ ଦେଇ ନିଜକୁ ଭୁଲିଗଲେ ସୁଦର୍ଶନ । ତାଙ୍କର ସବୁ ସ୍ୱପ୍ନ କନ୍ୟାକୁ କେନ୍ଦ୍ରକରି । ତାହାରି ପାଇଁ ଦିନରାତି ଖଟନ୍ତି ସେ । ମା’ ଛେଉଣ୍ଡ ଶିଶୁକୁ ସେ ଏକା ବଢ଼େଇଛନ୍ତି ନିଜ ହାତରେ । ସେ ଷୋହଳ ବର୍ଷରେ ପାଦ ଦେଇ ମହକିବାକୁ ଆରମ୍ଭ କରିଛି । ମଣିଷ ଜୀବନର ଏଇ ସମୟ ଠିକ୍ ଫୁଲ ଫୁଟିବାର ମୁହୁର୍ତ୍ତପରି । ଏଇ ମୁହୁର୍ତ୍ତଟି ନଷ୍ଟ ହୋଇଗଲେ ଅନେକ ସମ୍ଭାବାନର ମୃତ୍ୟୁ ହୁଏ ସମୟର ଗର୍ଭରେ ।

 

ସୁଜାତା କହେ ସେ ରେଭେନ୍‍ସା କଲେଜରେ ପଢ଼ିବ । ସୁଦର୍ଶନଙ୍କର କିନ୍ତୁ ଭୟ ଜାତ ହୁଏ । ଏତେ ବଡ଼ କଲେଜରେ ପୁଅଝିଅ ଏକାଠି ପଢ଼ନ୍ତି । ସମୟ ବଦିଳ ଯାଇଛି । ସୁଜାତା ବି ବଦଳି ଯାଇଛି ଅନେକ । ସାଧାରଣତଃ ତନ୍ତ ଶାଢ଼ିଟିଏ ପିନ୍ଧି ବି ସେ ଅସାଧାରଣ ହୋଇଉଠେ । ସୁଦର୍ଶନ ଆଖି ବୁଜି ଦିଅନ୍ତି । ଭୟ ହୁଏ କାଳେ ଯଦି କନ୍ୟା ତାଙ୍କ ହାତରୁ ଖସିଯାଏ...। ଦୁନିଆର ଗତି ବିଚିତ୍ର । ଆହୁରି ବିଚିତ୍ର ଆଜିକାଲିର ସଭ୍ୟ ଶିକ୍ଷିତ ମଣିଷମାନଙ୍କର ଗତି !

 

ସୁଜାତା କହିଲା, ଫର୍ମ କାଲିଠାରୁ ମିଳିବ ବାପା । ତମେ ଫର୍ମ ନେଇ ଆସିବ କଲେଜରୁ... ।

 

ସୁଦର୍ଶନ କହିଲେ–ହଁ, ହଁ ଫର୍ମ ଆଣିବି... ।

 

ଘରୁ ବାହାରି ପଡ଼ିଲା ପରେ ଗଳି ମୋଡ଼ରେ ଦେଖା ହୋଇଗଲା ରାଜୁ ସହିତ । ରାଜୁ ସାହିର ମସ୍ତାନ୍‌ । ତାକୁ ଏ ଅଞ୍ଚଳର ଲୋକେ ଭୟ ବି କରନ୍ତି, ମାନନ୍ତି ମଧ୍ୟ ।

 

ରାଜୁ ଓରଫ୍ ରାଜେନ୍ଦ୍ର ରାଉତ ଘରେ ଖାଇ ବାହାରେ ବୁଲେ, ଆଡ଼୍ଡା ମାରେ, ଚାନ୍ଦା ଭେଦା ଉଠେଇ ଦୁର୍ଗାପୂଜା, ସରସ୍ୱତୀ ପୂଜା କରାଏ, ସାହି ସାହି ମଧ୍ୟରେ ବାଦ ବିବାଦ ଲାଗିଲେ ସେ ଆଗୁଆ ହୁଏ, ଆଖଡ଼ା କରି ବାଡ଼ି ଖେଳ, ଖଣ୍ଡା ଖେଳ ଶିଖାଏ ସାଙ୍ଗମାନଙ୍କୁ । ଆଉ ମାଲଗୋଦାମରୁ ଚୋରି କରେ । ବ୍ୟବସାୟୀମାନେ ଡରନ୍ତି ତାକୁ । ସେ ହାତ ପାତିଲେ ମନା କରି ପାରନ୍ତିନି କେହି । ଦୁଇଥର ହାଜତରେ ରହିଚି ରାଜୁ, କିନ୍ତୁ କେସ୍‌ ପ୍ରମାଣ କରି ପାରିନି ପୋଲିସ୍‌, ସେ ମୁକିଳି ଆସିଚି ।

 

ରାଜୁକୁ କିନ୍ତୁ ଭିନ୍ନ ଦୃଷ୍ଟିରେ ଦେଖନ୍ତି ସୁଦର୍ଶନ । ସେଥିପାଇଁ ଦେଖା ହୋଇଯିବା କ୍ଷଣି କହିଲେ,ଆରେ ରାଜୁ ଯେ.... ।

 

ରାଜୁ ତାଙ୍କୁ ଉପେକ୍ଷା କଲାଭଳି କହିଲା–ରାଜୁ ସବୁଠି ଏଇକଥା ଯେପରି ମନେରଖନ୍ତି ମାଷ୍ଟରବାବୁ ।

 

ସୁଦର୍ଶନ ଆଗରେ ଗୋଟିଏ ଅମର ଅରଣା ମଇଁଷି ଦେଖିଲେ ଯେପରି । ଆଉକିଛି ନ କହି ଚାଲିଲେ ନିଜ କାମରେ ।

 

ଆଜିକାଲିର ପିଲାମାନଙ୍କୁ ବୁଝିପାରନ୍ତିନି ସୁଦର୍ଶନ । ସେମାନେ ଯେପରି ଆଉ ଗୋଟିଏ ଯୁଗର ମଣିଷ । ଚାଲି, ଚଲଣ, ବେଶଭୂଷା, ଖାଦ୍ୟପେୟ ଓ ଚିନ୍ତାଧାରା ସବୁଥିରେ ପାର୍ଥକ୍ୟ । ସାଦୃଶ୍ୟ ଅପେକ୍ଷା ପାର୍ଥକ୍ୟ ବେଶୀ । ଆଚରଣରେ ନମ୍ରତା ନାହିଁ, ଶିଷ୍ଟାଚାର ନାହିଁ । ବଡ଼ ଲଘୁ ଜ୍ଞାନ ନାହିଁ । ଇଜ୍ଜତ ଜଗି ନ ଚଳିଲେ ସେମାନଙ୍କ ଆଗରେ କେତେବେଳେ ଯେ ବେଇଜ୍ଜତ ହେବାକୁ ପଡ଼ିବ ଏହା କହି ହବନି ।

 

କାହିଁକି ପିଲାଗୁଡ଼ା ଏପରି ହେଲେ ? ଏହା ସମୟର ଦୋଷ ନା ସମାଜର ଦୋଷ ? କିଛି ସ୍ଥିର କରିପାରନ୍ତିନି ସୁଦର୍ଶନ । ପ୍ରଶ୍ନଗୁଡ଼ା ମନରେ ଉଠି ପୁଣି ମନରେ ମିଳେଇ ଯାଏ ।

 

ଶିକ୍ଷକ ଜବୀନର ଦୀର୍ଘ ଅଭିଜ୍ଞତାରୁ ସେ କେବଳ ଏତିକି ବୁଝିଛନ୍ତି ଯେ ବୁଢ଼ା ଏବଂ ପିଲାମାନଙ୍କ ମଧ୍ୟରେ ଗଢ଼ି ଉଠୁଥିବା ପୁରୁଷର ପାର୍ଥକ୍ୟ କଥାରେ କଥାରେ ଉଡ଼େଇ ଦେଇ ହବ ନାହିଁ; ସେଥିପାଇଁ କାଳୋଚିତ ପରିବର୍ତ୍ତନ ଆବଶ୍ୟକ । ଖାଲି ପିଲାମାନଙ୍କ ପରିବର୍ତ୍ତନ ଆଶା ନ କରି ବୁଢ଼ାମାନଙ୍କୁ ବି ବଦଳିବାକୁ ହେବ । ପିଲାମାନଙ୍କର ଦୃଷ୍ଟିକୋଣ, ବିଚାର, ସମସ୍ୟା ଓ ସେମାନଙ୍କ ଜୀବନର ଅସଙ୍ଗତି ଓ ଅସଫଳତାକୁ ଉଦାରତା ଓ ସହାନୁଭୁତିର ସହିତ ବିଚାର କରି ସମାଧାନ କରିବାକୁ ହେବ । ସେତେବେଳେ ଯାଇ ସେମାନେ ଫେରି ପାଇବେ ସେମାନଙ୍କର ହଜି ଯାଇଥିବା ଆତ୍ମ ପ୍ରତ୍ୟୟ, ମରି ଯାଇଥିବା ଆଶା ଓ ଶୁଖି ଯାଇଥିବା ରସବୋଧ ।

 

ସବୁଦିନେ ସୁଦର୍ଶନ ଆଶାବାଦୀ । ସେଥିପାଇଁ ନିଜର ଗାଁଆ ସୁବର୍ଣ୍ଣପୁରୀରରୁ ଉଚ୍ଛେଦ ହୋଇ କ୍ଷତିପୂରଣ ବାବଦକୁ ମିଳିଥିବା ସାମାନ୍ୟ ଟଙ୍କା ନେଇ ସେ ଚାଲିଆସିଲେ ସହରକୁ ନୂଆ ଘରଟିଏ ତୋଳିବା ପାଇଁ । ସୁଜାତା ପାଖରେ ନ ଥିଲେ ସେ ଆସି ନ ଥାନ୍ତେ, ହୁଏତ ସେଇ ସୁବର୍ଣ୍ଣପୁରର ଆଖପାଖରେ କୋଉଠି ଆଉ କାହାର ଆଶ୍ରା ପାଇ ରହି ଥାଆନ୍ତେ । ଯୋଉଦିନ ସେ ଜାଣିପାରିଲେ ଯେ ସେ ଉପଯୁକ୍ତ ଶିକ୍ଷା ଓ ତାଲିମ ପାଇ ନ ଥିବାରୁ ଆଉ ଶିକ୍ଷକ ହୋଇ ରହିପାରିବେ ନାହିଁ, ସେହିଦିନ ତାଙ୍କର ସେଠାରେ ରହିବାର ଆଶା ଟିକକ ମଉଳି ଗଲା । ତଥାପି ସେ ରହିଥାଆନ୍ତେ, ଗଛମୂଳେ କିମ୍ବା ଆଉ କାହାର ପିଣ୍ଡା ଉପରେ ସ୍କୁଲ କରି ପେଟ ପୋଷିବା ଲାଗି ଚେଷ୍ଟା କରିଥାଆନ୍ତେ; କିନ୍ତୁ ସୁଜାତାର ମୁହଁକୁ ଚାହିଁଦେଇ ସେ ବାହାରି ପଡ଼ିଲେ । ତାଙ୍କ ସମୟ ସରିଯାଇଛି କାରଖାନା ବସୁଥିବା ସୁବର୍ଣ୍ଣପୁର ଗାଁଆର ସବୁଜ ସମୟ ପରି; କିନ୍ତୁ ସୁଜାତର ସମୟ ଆରମ୍ଭ ହୋଇଛି ମାତ୍ର । ତାକୁ ସେ କୋଉ ଅଧିକାରରେ ବଞ୍ଚିତ କରିବେ ସେଥିରୁ... ?

 

ସୁଦର୍ଶନ ସେଇ ସମୟର ନୂତନ ରୂପ ଦେଖିଲେ ସହରକୁ ଆସି ।

 

କଟକ ସହରରେ ବଡ଼ଲୋକଙ୍କର ସମୟ କେତେବେଳେ ସରିଯାଏ ସେମାନେ ବୁଝିପାରନ୍ତି ନାହିଁ । ଦିନବେଳେ ବି ଆଲୁଅ ଜାଳି, ଝରକା କବାଟ ବନ୍ଦ କରି, ପଙ୍ଖା ଛାଡ଼ି ରହିପାରନ୍ତି ସେମାନେ । ବଡ଼ ବଡ଼ କୋଠା ଭିତରୁ ବାହାରକୁ ଅନେଇବା ପାଇଁ ସମୟ ନ ଥାଏ । ନିଜ ନିଜର ସାମ୍ରାଜ୍ୟ ଏତେବଡ଼ ଯେ ଅନ୍ୟର ଛୋଟ ଛୋଟ କୁଡ଼ିଆ କଥା ମନେପଡ଼େନି ସେମାନଙ୍କର । ଆଉ ଦୁଃଖୀ, ଗରିବ, ଦୁସ୍ଥର ସମୟ ଅଟକି ରହେ ମାଲଗୋଦାମ, ଚାନ୍ଦିନୀଚୌକ, ନିମଚଉଡ଼ି, ବକ୍ସି ବଜାର ଓ ତୁଳସୀପୁରର ବଡ଼ ବଡ଼ କୋଠା ଭିତରେ । ଉଦୟାସ୍ତ ଖଟି ଖଟି ବି ସଂସାର ଚଳାଇ ନ ପାରି ଯନ୍ତ୍ରଣାରେ ଛଟପଟ ହେଉଥିବା ଏଇ ଅର୍ଦ୍ଧଭୁକ୍ତ ଅନାଦୃତ ମଣିଷମାନଙ୍କର ଅହଙ୍କାର କେବଳ ଏତିକି ଯେ ସେମାନେ ନିଜର ଭୋଗ୍ୟ ଭୋଗ କରନ୍ତି, ଅଥଚ ଯୋଉମାନେ ଥିଲାବାଲା ସେମାନେ ଭୋଗ କରନ୍ତି ଅନ୍ୟର ଭାଗ୍ୟ, ଅନ୍ୟର ସମ୍ପଦ ।

 

ବିଚିତ୍ର ଏ ବିଧିଲିପି !

 

ମାଲେଗୋଦାମ ଅଞ୍ଚଳ କେବଳ କଟକ ସହରର ବ୍ୟବସାୟ ବାଣିଜ୍ୟ କେନ୍ଦ୍ର ନୁହେଁ, ଏହା ସମଗ୍ର ଓଡ଼ିଶାର ବ୍ୟବସାୟ ବାଣିଜ୍ୟର କେନ୍ଦ୍ର । ଯେତେବେଳେ ଅନ୍ୟ କେଉଁଠି ବ୍ୟବସାୟ ପ୍ରତିଷ୍ଠାନ ଗଢ଼ି ନ ଥିଲା ସେତେବେଳେ ବି କଟକ ଥିଲା ବ୍ୟବସାୟ କେନ୍ଦ୍ର । ଆଗେ କଲିକତାରୁ ସମୁଦ୍ର ଓ ନଦୀପଥ ଦେଇ ଉତ୍ପାଦିତ ସାମଗ୍ରୀ ଆସୁଥିଲା, ରେଳପଥ ନିର୍ମାଣ ହେବାପରେ ରେଳପଥରେ ଏବଂ ଏବେ ରେଳପଥ ଓ ସଡ଼କପଥ ଉଭୟରେ ଆସୁଛି । ମାଲଗୋଦାମର ସମୃଦ୍ଧି ବଢ଼ିବାରେ ଳାଗିଛି ସିନା କମିନାହିଁ ।

 

ମାଲଗୋଦାମ ଅଞ୍ଚଳ ଗୋଟିଏ ଦୁର୍ଗପରି । କେହି କେହି କହନ୍ତି ଯକ୍ଷପୁରୀ । ଆଉ କେହି କେହି ନିନ୍ଦୁକ କହନ୍ତି ଯେ ମାଲଗୋଦାମା ନୁହେଁ ଯେ ଭ୍ରଷ୍ଟାଚାର, ଭେଜାଲ ଏବଂ ଦୁର୍ନୀତିର ମାଲଗୋଦାମ । ଗୁଣ୍ଠେମାତ୍ର ଜମି ନ କିଣି ଜମି ଅଧିକାର କରିଥିବା ବାବଦକୁ ସାମାନ୍ୟ ବାର୍ଷିକ ଖଜଣା ଦେଇ ବିନା ଅନୁମତିରେ ଗଢ଼ି ଉଠିଛି ଶତାଧିକ ସୌଧ ଓ ଗୋଦାମଘର । ବର୍ଷାଦିନେ ଜଳ ନିଷ୍କାସନର ବ୍ୟବସ୍ଥା ନାହିଁ । ଓଜନଦାର ଟ୍ରକ୍, ଶଗଡ଼ଦ୍ୱାରା ଅନବରତ ବ୍ୟବହୃତ ହେବା ଫଳରେ ରାସ୍ତା ଖାଲଖମାରେ ଭର୍ତ୍ତି । ସଡ଼କପଥ ଆହୁରି ଭୟଙ୍କର ଯାନବାହାନ ଓ ପଥଚାରୀମାନଙ୍କ ପାଇଁ । ମ୍ୟୁନିସିପାଲିଟିର ଆୟ ହୁଏ ନାହିଁ ବୋଲି ଆବର୍ଜନା, ନାଳ ନର୍ଦ୍ଦମା ପରିଷ୍କାର କରିବାର ନିୟମିତ ବ୍ୟବସ୍ଥା ନାହିଁ । ତଥାପି ବାହାରେ ପୁତ୍ତିଗନ୍ଧମୟ ଓ ଆଲୋକ ବତାସ ପଡ଼ୁ ନ ଥିବା ରୁଦ୍ଧ ଗୋଦାମ ଘରର ଏକ ପ୍ରକାର ମିଶ୍ରିତ ଗନ୍ଧ ଭିତରର ଓ ବାହାରର ପରିବେଶକୁ ଇମିତି କରିଦେଇଛି ଯେ ଅଣନିଶ୍ୱାସୀ ହୋଇ ଯାଆନ୍ତି ସାଧାରଣ ଲୋକ । କିନ୍ତୁ ସୁଦର୍ଶନକୁ ଆଶ୍ଚର୍ଯ୍ୟ ଲାଗେ ଯେ ଏହାସତ୍ତ୍ୱେ ବେଶ୍ ନିର୍ବିକାର ଭାବରେ ବ୍ୟବସାୟୀମାନେ ଆତଜାତ ହୁଅନ୍ତି ସେଠାରେ ସ୍ଥାୟୀ ଭାବରେ ଏବଂ ସୁସ୍ଥ ଭାବରେ ।

 

ଅର୍ଥପାଇଁ ବୋଧହୁଏ ସବୁ କରିପାରେ ମଣିଷ ।

 

ସେ ବି ତ ସେଇ ଅର୍ଥ ଉପାର୍ଜନ କରିବାର ନୂଆରାସ୍ତା ଉଦ୍ଭାବନ କରିବା ପାଇଁ ଆସିଛନ୍ତି କଟକ ସହରକୁ । ଏଠାରେ ଅଭାବରୁ ସ୍ୱଭାବ ନଷ୍ଟ ପ୍ରତିକ୍ଷଣ ହେଉଥିଲେ ବି ବଞ୍ଚିବାର ବହୁମୁଖୀ ରାସ୍ତା ରହିଛି ସହରରେ ।

 

ଭାବୁ ଭାବୁ କେତେବେଳେ ଯେ ସୁଦର୍ଶନ ମାଧବଲାଲ ଖଜୁରିଲାଲଙ୍କ ଗୋଦାମ ଆଗରେ ପହଞ୍ଚି ଗଲେ ତାହା ସେତେବେଳେ ଜାଣିଲେ ଯେତେବେଳେ ମାଧବଲାଲଙ୍କ ମୁନ୍‍ସୀ ଚିରଞ୍ଜିଲାଲଙ୍କ ଡାକ କାନରେ ପଡ଼ିଲା ଆସି ।

 

ସୁଦର୍ଶନକୁ ତିନିଦିନ ତଳେ ଚିରଞ୍ଜିଲାଲ କହିଥିଲେ ଆସିବା ପାଇଁ ।

 

ସୁଦର୍ଶନ ନମସ୍କାର କରି ତାଙ୍କ ଆଗରେ ଛିଡ଼ା ହେଲେ । ଚିରଞ୍ଜିଲାଲ ପଇଁତିରିଶ ବର୍ଷ ହେଲା ମୁନ୍‍ସୀ କାମ କରୁଛନ୍ତି । ବାଳ ପାଚିଲାଣି ଏଇ କାମ କରି । ସେ ସୁଦର୍ଶନକୁ ଡାକିଦେଲେ ସିନା । କିନ୍ତୁ ପର ମୁହୁର୍ତ୍ତରେ ଗମ୍ଭୀର ହୋଇ ଯାଇ ମୁଣ୍ଡ ତଳକୁ କଲେ । ସୁଦର୍ଶନ ଆସି ନମସ୍କାର କରି ଛିଡ଼ା ହେଲା ପାଖରେ ।

 

ଚିରଞ୍ଜିଲାଲ ମୋଟା ହିସାବ ଖାତାର ପୃଷ୍ଠା ଓଲଟାଇବାକୁ ଲାଗିଲେ ଏବଂ ଯେପରି ସୁଦର୍ଶନକୁ ଆଦୌ ଚିହ୍ନି ନାହାନ୍ତି ସେହିପରି ବ୍ୟବହାର କରିବାକୁ ଲାଗିଲେ ।

 

ସୁଦର୍ଶନ ଏପର୍ଯ୍ୟନ୍ତ କୌଣସି କାମରେ କୂଳକିନାରା କରି ନ ପାରି ଅତି ଚିନ୍ତିତ ଥିଲେ ଏବଂ ଚିରଞ୍ଜିଲାଲଙ୍କୁ ନିଜର ଦୁଃଖ ଜଣାଇଥିଲେ । ଆଜି ଚିରଞ୍ଜିଲାଲଙ୍କର ଡାକ ଶୁଣି ବେଶ୍ ଉତ୍ସାହିତ ହୋଇ ପାଖକୁ ଆସିଲାବେଳକୁ ସେ ଯେ ଏପରି ଶୀତଳ ହୋଇଯିବେ ତା’ର କାରଣ ଆଦୌ ଠିକ୍ କରି ନ ପାରି ଶୁଭ ମୁହୁର୍ତ୍ତର ଅପେକ୍ଷା କରିବାକୁ ଲାଗିଲେ ।

 

ଯେପରି ହେଉ କିଛି ଗୋଟେ କାମ ନ କଲେ ସେ ଯେ ଆଦୌ ଚଳିପାରିବେ ନାହିଁ–ଏହା ବୁଝୁଥିଲେ । କଟକ ସହର ବଡ଼ ମହରଗ ବୋଲି ଯେଉଁ ପ୍ରବାଦଟି ପ୍ରଚଳିତ ଅଛି ତା’ର ସତ୍ୟତା ଅକ୍ଷରେ ଅକ୍ଷରେ ଅନୁଭବ କରନ୍ତି ସୁଦର୍ଶନ । ବାଇଗଣ କିଲୋ ପାଞ୍ଚଟଙ୍କା, ସଜନା ଛୁଇଁ ଗୋଟିକୁ ଚାରିଅଣା, କୁନ୍ଦୁରୀ କିଲୋ ତିନିଟଙ୍କା, ବଡ଼ଲୋକ ଖାଉଥିବା ପରିବା ଟମାଟୋ କିଲୋ ଆଠଟଙ୍କା, ପୋଟଳ ଛଅଟଙ୍କା । ପରିବା ଦର ଆକାଶଛୁଆଁ । ମାଛ ମାଂସ ଗରୀବଲୋକଙ୍କ କ୍ଷମତାର ବାହାରେ । ମୋଟା ଚାଉଳ କିଲୋ ଚାରିଟଙ୍କା । ଦାନ୍ତକାଠି ବିଡ଼ାକୁ ପଚିଶ ପଇସା । ଜାଳେଣୀ କାଠ କିଲୋ ଆଠ ଅଣା । ସୋରିଷ ତେଲ ତିରିଶ ଟଙ୍କା । ଡାଲି ଦଶଟଙ୍କା ।

 

ଚାକିରିଟିଏ ନ ହେଲେ ଆଦୌ ଚଳିପାରିବେ ନାହିଁ ସୁଦର୍ଶନ । ହାତରେ ଯାହା ଆଣିଥିଲେ ସେଥିରୁ ଘରଟିଏ ତୋଳିବାରେ ଏବଂ ଅନ୍ୟ ଖର୍ଚ୍ଚରେ ପ୍ରାୟ ଦେଢ଼ ହଜାର ହେବ ସରିଗଲାଣି । ବାକି ଦୁଇ ହଜାର ଟଙ୍କା ହାତରେ ଅଛି, ସେତକ ବି ବସି ଖାଇଲେ ଯେ ଚାହୁଁ ଚାହୁଁ ସରିଯିବ ତାହା ମନେକରି ଶିତେଇ ଯାଆନ୍ତି ସୁଦର୍ଶନ । ଯୋଉ ସ୍କୁଲ ଖୋଲିଛନ୍ତି ସେ କେନାଲ କୂଳ ବସ୍ତିରେ ସେଠାରୁ ତ ମାସକୁ ତିରିଶ ଟଙ୍କା ମିଳିବ କି ନାହିଁ ସନ୍ଦେହ । ପିଲାମାନଙ୍କୁ ମାସକୁ ମାସ ଦରମା ମାଗିଲେ କେହି ପଢ଼ିବାକୁ ଆସିବେ ନାହିଁ । ଯିଏ ଯାହା ଖୁସିରେ ଦବ । ଖାଇବାକୁ ଯାହାର ଘରେ ପ୍ରତିଦିନ ନିଅଣ୍ଟ ପାଠପଢ଼ିବା ତା’ ପକ୍ଷରେ ବିଳାସ କହିବାକୁ ହେବ । ତଥାପି ସୁଦିନ ଆସିବାର ସ୍ୱପ୍ନ ଦେଖୁଥିବା ସୁଦର୍ଶନ ଆଶା ଛାଡ଼ନ୍ତି ନାହିଁ ।

 

ଚିରଞ୍ଜିଲାଲ କିଛି ସମୟ ପରେ ମୁଣ୍ଡ ଉପରକୁ ନ ଉଠେଇ କହିଲେ–କଅଣ ହେଲା ମାଷ୍ଟ୍ରେ ?

 

ସୁଦର୍ଶନ କହିଲେ–ଚଳିବାକୁ ବଡ଼ କଷ୍ଟ ହେଉଛି ଆଜ୍ଞା । ବସି ରହିଲେ ଭିକ ମୁଠେ ବି ମିଳିବ ନାହିଁ । ଆପଣଙ୍କର ଯଦି ଦୟା ହୁଏ.... ।

 

–ଆଜିକାଲି ସମୟ ବଡ଼ଖରାପ ପଡ଼ିଛି ମାଷ୍ଟ୍ରେ । ବଜାରରେ ହାତୀ ଘୋଡ଼ାଠାରୁ ଆରମ୍ଭ କରି ବାପା ମା’ ପର୍ଯ୍ୟନ୍ତ ସବୁ ମିଳିବ, କିନ୍ତୁ ଚାକିରୀ ମିଳିବା ଅସମ୍ଭବ । ଆଖି ଉପରୁ ଚଷମା ଉଠେଇ ନେଇ କାଚ ପୋଛୁପୋଛୁ କହିଲେ ମୁନଖସୀ ଚିରଞ୍ଜିଲାଲ ।

 

–ସେଇ ଅସମ୍ଭବକୁ ସମ୍ଭବ କରିବା ପାଇଁ ଶକ୍ତି ଅଛି ଆପଣଙ୍କର... । ଯାହା କହିବେ ସବୁ କରିବା ପାଇଁ ମୁଁ ପ୍ରସ୍ତୁତ । ଦରକାର ହେଲେ କୁଲିକାମ ବି କରିବି... । କହିଲେ ସୁଦର୍ଶନ ।

 

ଖାତା ବନ୍ଦ କରି ଉଠି ପଡ଼ିଲେ ମୁନ୍‍ସୀ । ଗୋଦାମ ଭିତରକୁ ପାଦ ବଢ଼େଇ ଇଙ୍ଗୀତ କଲେ ସୁଦର୍ଶନଙ୍କୁ ଅନୁସରଣ କରିବା ପାଇଁ ।

 

ସୁଦର୍ଶନ ତାଙ୍କ ପଛେ ପଛେ ଚାଲିଲେ ।

 

ସୁବର୍ଣ୍ଣପୁରର ଖୋଲା ଆକାଶ ତଳେ ମନଇଚ୍ଛା ବୁଲୁଥିବା ସୁଦର୍ଶନ ସାହାଣୀ ଗୋଦାମ ଭିତରକୁ ଯାଇ ଅଣନିଃଶ୍ୱାସୀ ହୋଇଗଲେ । ତାଙ୍କୁ ଲାଗିଲା ସେଠାରେ କିଛି ସମୟ ରହିଲେ ତାଙ୍କର ସେଇ ପୁରୁଣା ଶ୍ୱାସବେମାରୀ ଆଉଥରେ ବାହାରି ପଡ଼ିବ । କିନ୍ତୁ ଫେରିଯିବାର ବି ଉପାୟ ନାହିଁ । ସୁଯୋଗ ହାତ ଛଡ଼ା ହୋଇଯିବ ।

 

ଗୋଦାମ ଘରଟା ଏତେ ବଡ଼ବୋଲି ବାହାରୁ ଜଣାପଡ଼େନି । ଭିତରେ ପଶି ସୁଦର୍ଶନ ଆଶ୍ଚର୍ଯ୍ୟ ହୋଇଗଲେ । ପ୍ରଥମେ ପ୍ରବେଶଦ୍ୱାରକୁ ଲାଗି ଖାଲି ଟିଣର ଥାକ ଦେଖିଲେ, ତା’ ପରେ ସୋରିଷ ତେଲର ଥାକ । କିଛିଦୂର ଯିବାପରେ ଆରମ୍ଭ ହେଲା ପିଡ଼ିଆ ବସ୍ତା ଥାକ । ଆଉ କିଛିଦୂର ଯିବାପରେ ଡାଲି ଓ ତା’ପରେ ଚାଉଳ । ଡାଲି, ଚାଉଳ, ସୋରିଶତେଲର ମୋଟା ବେପାରୀ ମାଧବଲାଲ ଖଜୁରୀଲାଲ । ଅଳ୍ପଦିନ ତଳେ ସୁରେଶ ସାହୁଙ୍କଠାରୁ ଆଉ ଗୋଟେ ଗୋଦାମ କିଣି ସେଥିରେ ଅଟା, ମଇଦା, ସୁଜି ଓ ବେସନ ରଖିଛନ୍ତି ଖଜୁରୀଲାଲ । ସୁବିଧା ପାଇଁ ଅଟାକଳ ବି ବସେଇଛନ୍ତି ସେଠାରେ ।

 

ଚିରଞ୍ଜିଲାଲ ପ୍ରଥମ ଗୋଦାମ ଦେଖାଇ ସାରି ମାଲିକ ନୂଆ ହୋଇ କିଣିଥିବା ଦ୍ୱିତୀୟ ଗୋଦାମ ଦେଖେଇ ଆଣିଲେ ସୁଦର୍ଶନଙ୍କୁ । ତା’ପରେ କହିଲେ–କିପରି ମନେହେଲା ?

 

ସୁଦର୍ଶନଙ୍କ ମନରୁ ଅଭିଭୁତ ହେବାର ଭାବଟା କମି ନ ଥିଲା ସେପର୍ଯ୍ୟନ୍ତ । ସେ ପ୍ରଥମେ ଶୁଣି ନ ପାରି ସେହିପରି ଛିଡ଼ାହୋଇ ରହିଲେ ।

 

ପୁଣି ଆଉଥରେ ପ୍ରଶ୍ନ କଲେ ମୁନ୍‌ସୀ–କଅଣ ଦେଖିଲ ?

 

ସୁଦର୍ଶନ ନିଜକୁ ସଜାଡ଼ି ନେଇ କହିଲେ–ଲକ୍ଷ୍ମୀ ଭଣ୍ଡାର । କୋଟି କୋଟି ଟଙ୍କାର ଅଚଳାଚଳ ସମ୍ପତ୍ତି । କୁବେରପୁରୀ ବି କୁହାଯାଇପାରେ ।

 

ଚିରଞ୍ଜିଲାଲ ଖୁସୀ ହୋଇ କହିଲେ–ମାଧବଲାଲଜୀ ଭାଗ୍ୟବାନ ପୁରୁଷ । ଯେଉଁଠି ହାତ ଦିଅନ୍ତି ସେଠାରେ ସୁନା ଫଳେ । ତାଙ୍କର ଦୟା ହେଲେ, ତୁମେ ତରିଯିବ... ।

 

ସୁଦର୍ଶନ ଆହୁରି ନମ୍ର କଣ୍ଠରେ କହିଲେ–ମୁଁ ତାଙ୍କୁ ଚିହ୍ନିନି, ଆପଣଙ୍କୁ ଚିହ୍ନିଛି । ଶିବଙ୍କଠାରୁ ତାଙ୍କ ବାହାନ ବୃଷଭ ବଡ଼ ମୋ ପକ୍ଷରେ । ଆପଣ ମୋର ସାହା ଭରସା ।

 

ଚିରଞ୍ଜିଲାଲ କହିଲେ–ତୁମ ପାଇଁ ମୁ ଚେଷ୍ଟା କରିବି ମାଷ୍ଟ୍ରେ । କିନ୍ତୁ ତୁମ ପାଖରେ ମୋର ବି ଗୋଟେ କାମ ଅଛି ।

 

ସୁଦର୍ଶନ ବିସ୍ମିତ ହୋଇ କହିଲେ–ମୋ ପାଖରେ ?

 

–ହଁ ହଁ, ତୁମ ପାଖରେ । ମୁଁ ଗୁଜରାଟର ଲୋକ, କିନ୍ତୁ ମୋ ପୁଅ ଓଡ଼ିଆ ସ୍କୁଲରେ ପଢ଼େ-। ଅଙ୍କ ଆଉ ଇଂରାଜୀରେ ଅଟକି ଯାଉଛି । ପଞ୍ଚମ ଶ୍ରଣୀରେ ବର୍ଷେ ଅଧିକ ରହିଲାଣି...

 

ସୁଦର୍ଶନ ଉତ୍ସାହିତ ହୋଇ କହିଲେ–ମୁଁ ତାକୁ ପାସ୍ କରାଇଦେବି ମୁନ୍‌ସିଜୀ । ଆପଣ ପୁଅର ଦାୟିତ୍ୱ ମୋ ଉପରେ ଛାଡ଼ି ଦିଅନ୍ତୁ ।

 

ଚିରଞ୍ଜିଲାଲ ଆଖି ଉପରୁ ଚଷମା କାଢ଼ି ଖୋଳ ଭିତରେ ରଖି କହିଲେ–ମୁଁ କିନ୍ତୁ ତୁମକୁ କିଛି ଦେଇ ପାରିବିନି ଏତେବେଳୁ କହି ରଖୁଛି । ଦିଆଲିରେ ଧୁତୀଯୋଡ଼େ କିନ୍ତୁ ନିଶ୍ଚେ ପାଇବ । ତେବେ ମାଧବଜୀଙ୍କୁ କହି ତୁମପାଇଁ କିଛି ଗୋଟେ କରେଇ ଦେବା ପାଇଁ ଚେଷ୍ଟା କରିବି... ।

 

–ସେଇ ମୋ ପକ୍ଷରେ ଯଥେଷ୍ଟ ହେବ ମୁନ୍‌ସିଜୀ । ମାଧବଲାଲଙ୍କ ପାଖରୁ ପାଇଲେ ଆପଣ ଆଉ କିଛି ଦବା ଦରକାର ନାହିଁ । କିନ୍ତୁ ସେ ତ ଚିହ୍ନନ୍ତିନି ମୋତେ । ଆପଣ ମୋର ହୋଇ ନ କହିଲେ... ।

 

–କହିଛି, ସେ ମୋ ଉପରେ ଛାଡ଼ି ଦେଇଛନ୍ତି କଥାଟା । ମୁଁ ଯାହା ନିଷ୍ପତ୍ତି କରିବି ... ।

 

–ଆପଣଙ୍କର ଆହୁରି ବଡ଼ତି ହେଉ... ଭଗବାନ ଆପଣଙ୍କୁ ଇନ୍ଦ୍ରପଦ ଦିଅନ୍ତୁ.... ।

 

–ତୁମେ କାଲିଠୁ ଆସ ମାଷ୍ଟ୍ରେ । ମୋ ପୁଅକୁ ସଂଧ୍ୟାବେଳେ ଛଅଟାରୁ ଆଠଟାଯାଏ ପଢ଼େଇ ସାରି ଦୁଇ ନମ୍ବର ଗୋଦାମକୁ ଯିବ । ସେଇଠି ମୁଁ ଅପେକ୍ଷା କରିଥିବି, ତୁମକୁ କ’ଣ କରିବାକୁ ହେବ ସେଇଠି ବୁଝେଇ ଦେବି । ହଁ ହୁସିଆର ରହ ଯେପରି । ବିଶ୍ୱାସ ନ ଭାଙ୍ଗିଲେ ତୁମର ଅଭାବ ହେବନି... ।

 

ଚିରଞ୍ଜିଲାଲଙ୍କୁ କୁଣ୍ଢାଇ ପକେଇ କୃତଜ୍ଞତା ଜଣାଇବା ପାଇଁ ଇଚ୍ଛା ହେଉଥିଲା ସୁଦର୍ଶନଙ୍କର । ସେ ସେତକ କରିବା ପାଇଁ ସାହସ ନ କରି କହିଲେ–ମୁଁ ମରିଯିବି ପଛେ ବିଶ୍ୱାସଘାତକତା କରିବି ନାହିଁ । ଆପଣ ମୋ ଅନ୍ନଦାତା... ମୁଁ ଅକୃତଜ୍ଞ ହେବିନି... ।

 

–ସମସ୍ତେ ସେପରି କହନ୍ତି ମାଷ୍ଟ୍ରେ, କିନ୍ତୁ ମୌକା ପଡ଼ିଲେ ପୋଲିସ୍‌କୁ ଡାକନ୍ତି, ଭିଜିଲାନ୍ସକୁ ଖବର ଦିଅନ୍ତି, ଇନ କମ୍‌ ଟିକିସ ଡିପାର୍ଟମେଣ୍ଟର ଗୁପ୍ତଚର ହୋଇ ଉପୁରି ଆୟ କରନ୍ତି... ।

 

–ମୋତେ ବିଶ୍ୱାସ କରନ୍ତୁ ମୁନ୍‌ସିଜୀ ।

 

–ତୁମର ସରଳ ପଣିଆ ଦେଖି ବିଶ୍ୱାସ କରିବାକୁ ଇଚ୍ଛା ହେଉଛି ମାଷ୍ଟ୍ରେ । ତା’ପରେ ତୁମେ ତ କଟକ, ଭୁବନେଶ୍ୱର ଲୋକ ନୁହଁ, ତୁମେ ମଫସଲରୁ ଆସିଛ । ଚେର ମାଡ଼ିଲେ କଅଣ କରିବ ସେକଥା ଅବଶ୍ୟ ସ୍ୱତନ୍ତ୍ର ... ।

 

–ଏଠାରେ ବାହାର ଲୋକଙ୍କର, ମଳିମୁଣ୍ଡିଆଙ୍କର ଚେର ମାଡ଼େନି, ଯୋଉମାନେ ଆସ୍ଥାନ ଜମେଇ ବସିଛନ୍ତି ସେମାନେ ଦୁର୍ଗ ରକ୍ଷକ, ମାଛିଟିଏ ବି ପଶିବାର ଯୁ ନାହିଁ ।

 

–ବଡ଼ ବୁଦ୍ଧିମାନ ଲୋକ ପରି କହୁଛ ଯେ... !

 

–ଆଜ୍ଞା ମାଷ୍ଟର ବୁଦ୍ଧି କୋଉଆଡ଼କୁ ପାଏନି ବୋଲି ଓପାସ ରହେ, ନୀତି ନିୟମ ଭାଙ୍ଗି ନ ପାରି ଶୁଖି ଶୁଖି ମରେ ।

 

–ତୁମେ ସେ କାଳର ମାଷ୍ଟର । ବୁଝିଲ ? ଆଜିକାଲିକା ମାଷ୍ଟରମାନଙ୍କ ପାଖରେ ପିଲାଙ୍କୁ ଟିଉସନ୍ ନ ପଢ଼େଇଲେ ପିଲାଏ ଫେଲ ହେବେ । ପରୀକ୍ଷା ପ୍ରଶ୍ନ କହିଦେଲେ କିମ୍ବା ଖାତାରେ ବେଶୀ ନମ୍ବର ଦେଲେ ଯୋଉ ଉପୁରୀ ମିଳେ ତାହା କିଛି କମ୍ ନୁହେଁ ମାଷ୍ଟ୍ର ।

 

ସୁଦର୍ଶନ ଆବାକ୍‍ ହୋଇଗଲେ ଚିରଞ୍ଜିଲାଲ୍‌ଙ୍କ କଥା ଶୁଣି । ସେ ଆଜି ପର୍ଯ୍ୟନ୍ତ ପଢ଼େଇ ଆସିଚନ୍ତି, ନିରପେକ୍ଷ ଭାବରେ ଛାତ୍ରମାନଙ୍କର ମୂଲ୍ୟାୟନ କରିଛନ୍ତ; କିନ୍ତୁ କେବେ ଟିଉସନ୍ କରି ନାହାନ୍ତି, ପରୀକ୍ଷା ପ୍ରଶ୍ନ କାହାକୁ କହିଦେଇ କିମ୍ବା ଖାତାରେ ବେଶୀ ନମ୍ବର ଦେଇ ଉପାର୍ଜନ କରି ନାହାନ୍ତି । ଇମିତି ହୁଏ ବୋଲି ସେ ଏଇ ପ୍ରଥମେ ଶୁଣିଲେ । ବିଶ୍ୱାସ ହେଉ ନ ଥିଲେ ବି ଶିକ୍ଷକମାନେ ଏପରି କରନ୍ତି ବୋଲି ଚିରଞ୍ଜିଲାଲ୍ କହୁଥିବାରୁ ତାଙ୍କୁ ବିଶ୍ୱାସ କରିବାକୁ ପଡ଼ିଲା । ଏହା ଶୁଣିବା ପାଇଁ ସେ ଏତେଦିନ ବଞ୍ଚି ନ ଥିଲେ ବୋଧହୁଏ ଭଲ ହୋଇଥାନ୍ତା । ଛି, ଛି... ।

 

ଚିରଞ୍ଜିଲାଲ କହିଲେ–ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ମାଷ୍ଟ୍ରେ । ଆଜିକାଲି ସମୟ ସେପରି ହୋଇଛି । ଯୋଉ ଧନ୍ଦା କର ଏପରି କିଛି ଦୁଇ ନମ୍ବରି କାମ ନ କଲେ, ନୀତି ନିୟମ ମାନି ଚଳିଲେ ପେଟ ପୂରିବ ନାହିଁ କି ଦୁଃଖ ସରିବ ନାହିଁ । ଗୋଟିଏ କଥା ମନେରଖିବ, ଯାହାର ଲୁଣ ଖାଇବ ତା’ର ଗୁଣ ଗାଇବା ଧର୍ମ ।

 

ସୁଦର୍ଶନ ମାଷ୍ଟ୍ରେ ସବୁ ଶୁଣିଲେ । ଶେଷରେ ଚିରଞ୍ଜିଲାଲଙ୍କୁ ଆଉଥରେ କୃତଜ୍ଞତା ଜଣାଇ ସେ ଚାଲିଲେ ରେଭେନ୍‍ସା କଲେଜ ଆଡ଼କୁ । ସୁଜାତା ପାଇଁ ଫର୍ମ ଗୋଟେ ଆଣିବେ । ଦରଖାସ୍ତ ଦବାର ସମୟ ଶେଷ ହୋଇ ଆସୁଛି ।

 

ମାଲଗୋଦାମରୁ ବାହାରି ରାସ୍ତାରେ ଯିବାବେଳେ ଅଧାବାଟରେ ଅଟକି ଗଲେ ସୁଦର୍ଶନ-

 

ରିକ୍‌ସାରେ ଯାଉଥିବା ଜଣେ ଲୋକ ରରିକ୍‌ସା ଅଟକାଇ ତିନି ଜଣ ଯୁବକ ବଳାତ୍କାର କରି ଜିନିଷ ପତ୍ର ଲୁଟି ନେଉଥିଲେ । ସେ ବିଚରା ଚିତ୍କାର କଲାକ୍ଷଣି ଜଣେ ତା’ ଛାତି ଉପରେ ଗୋଟେ ଲମ୍ବା ଛୁରୀର ମୁନ ଜାକି କହିଲା–ଶଳା ହାରାମଜାଦା ଚୁପ୍‌କର ନ ହେଲେ ଶଳାର ଗଳା କାଟିଦେବି ... ।

 

ଚୁପ୍ ହୋଇଗଲା ଲୋକଟି । ରିକ୍‌ସାବାଲା ସେତେବେଳକୁ ରିକ୍‌ସା ଛାଡ଼ି ଦଉଡ଼ି ପଳେଇ ଯାଇଥାଏ ରେଭେନ୍‍ସା କଲେଜ ହତା ଭିତରକୁ । ସୁଦର୍ଶନ ନୀରବ ଦ୍ରଷ୍ଟା ଭାବରେ ଦେଖୁଥିଲେ ଏସବୁ । ଦିନ ଦିପ୍ରହରେ ରାସ୍ତା ଉପରେ ରାହାଜାନି ! ହଠାତ୍ ତାଙ୍କ ଭିତରର ସୁପ୍ତ ମଣିଷପଣିଆ ବିପ୍ଳବ କରି ଉଠିଲା । ସେ ଦୌଡ଼ିଗଲେ ସେଇ ଲୋକଟିକୁ ସାହାଯ୍ୟ କରିବା ପାଇଁ । ତାଙ୍କୁ ସତର୍କ କରିଦେବା ସତ୍ତ୍ୱେ ସେ ଜିଦ୍‌ କରି ସେମାନଙ୍କୁ ନିବୃତ୍ତ କରିବା ପାଇଁ ଚେଷ୍ଟା କରିବାରୁ ସେମାନେ ପଳେଇଯିବା ପୂର୍ବରୁ ଜଣେ ଚିହିଁକି ଆସିଲା ଏବଂ ସେ ନିଜକୁ ରକ୍ଷା କରିବା ଲାଗି ନଇଁ ପଡ଼ିଲେ ବି ତାହାରି ଛୁରୀରେ ହାତର ବୁଢ଼ା ଆଙ୍ଗୁଳିରୁ ମାଉଁସ ପୁଳାଏ ଖସିଗଲା । ଦୁର୍ବୁତ୍ତମାନେ ଦୌଡ଼ି ପଳାଇଲେ । ସେତେବେଳକୁ ଆଉ ଦୁଇ ଚାରିଜଣ ପଥଚାରି ପହଞ୍ଚି ଯାଇଥିଲେ ଘଟଣା ସ୍ଥଳରେ ।

 

ଲୋକଟି ମଫସଲର ଜଣେ ବେପାରୀ । ମଙ୍ଗଳପୁରରୁ କଟକ ଆସିଥିଲା ମାଲ ନବାପାଇଁ । ତା’ ପିଛା ଧରିଥିଲେ ଏଇ ଟୋକାମାନେ । ସେ କିନ୍ତୁ ରକ୍ଷା ପାଇପାରିଲା ନାହିଁ । ତା’ର ଅଣ୍ଟା ଚାରିପାଖରେ ଗୁଡ଼େଇ ରଖିଥିବା ଥଳି କାଟି ସେମାନେ ସବୁ ଟଙ୍କା ନେଇ ସାରିଥିଲେ ସୁଦର୍ଶନ ବାଧା ଦବା ପୂର୍ବରୁ । ଲୋକଟି କାନ୍ଦି ଉଠିଲା । ପ୍ରାୟ ପାଞ୍ଚ ହଜାର ଟଙ୍କା ଥିଲା ଥଳି ଭିତରେ ।

 

ଜଣେ ପଥଚାରି କହିଲା–ଦିନକାଳ ଖରାପ୍, ଆଜିକାଲି ପ୍ରାୟ ପ୍ରତିଦିନ ଇମିତି ଦୁର୍ଘଟଣା ଘଟୁଛି । ଟଙ୍କା ପଇସା ନେଇ ଏକା ଯିବା ଆସିବା କରିବା ଆଉ ନିରାପଦ ନୁହେଁ ।

 

ଆଉ ଜଣେ ସୁଦର୍ଶନଙ୍କ ଖଣ୍ଡିଆ ଆଙ୍ଗୁଳିରେ ରୁମାଲଟା ବାନ୍ଧି ଦେଇ କହିଲା–ତୁମେ ବରଂ ସିଧା ମେଡ଼ିକାଲକୁ ଯାଅ... ସିଲେଇ କରିବା ଦରକାର ହବ... ।

 

ସୁଦର୍ଶନ ଆଉ ଗୋଟିଏ ରିକ୍‌ସା ଡାକି ଚାଲିଲେ ମେଡ଼ିକାଲ ଆଡ଼କୁ । ଯନ୍ତ୍ରଣାରେ ଥରି ଉଠୁଥାଏ ଦେହ । ତାଙ୍କ ହାତର ବୁଢ଼ା ଆଙ୍ଗୁଳିର କ୍ଷତି ପାଇଁ ତାଙ୍କୁ ଦୁଃଖ ଯେତେ ଲାଗୁ ନ ଥାଏ ତାଠାରୁ ବେଶୀ ଦୁଃଖ ଲାଗୁଥାଏ ଯେ ସେ ଲୋକଟିର କୌଣସି ଉପକାରରେ ଆସି ପାରିଲେ ନାହିଁ ।

 

କଟକ ସହରର ନୂଆ ନୂଆ ରୂପ କ୍ରମଶଃ ଉଦ୍‌ଘାଟିତ ହବାରେ ଲାଗିଛି ଆଖି ଆଗରେ ।

 

ଶାସନ କଳର ବଡ଼ପଣ୍ଡାମାନେ ରହନ୍ତି ଏଇ ସହରରେ । ସେମାନଙ୍କ ଆଖି ଆଗରେ ଘଟେ ଏସବୁ ଘଟଣା । ଏହାର ପ୍ରତିକାର ହୁଏ ନାହିଁ ବୋଲି ନିରୁପାୟ ମଣିଷ ଆହୁରି ଅସହାୟ ହୋଇ ପଡ଼ିଛି ।

 

ସୁଦର୍ଶନ ମେଡ଼ିକାଲରେ କାମ ସାରି ରେଭେନ୍‍ସା କଲେଜରୁ ଫର୍ମ ନେଇ ଘରକୁ ଫେରିବାବେଳକୁ ଦୁଇଟା ବାଜି ଯାଇଥିଲା ।

 

ତାଙ୍କ ମୁହଁରୁ ସବୁ ଶୁଣି ବ୍ୟାଣ୍ଡେଜ୍ କରା ହୋଇଥିବା ଆଙ୍ଗୁଳି ଦେଖି ଆଖିରେ ଲୁହ ଆସିଲା ସୁଜାତାର ।

 

ସେ ତାଙ୍କ ଛାତି ଉପରେ ମୁହଁ ରଖି କହିଲା–ଏଇ ସହରରେ ଆମେ ଚଳିପାରିବା ତ ବାପା ?

 

କଟକ ସହର ଉପରେ ସଂଧ୍ୟା ନଇ ଆସିଥାଏ ସେତେବେଳକୁ । କେନାଲ ଆରପାଖ ରାସ୍ତା ଧାରର ଲାଇଟ୍ ପୋଷ୍ଟରୁ ଆଲୁଅ ଭାସି ଉଠୁଛି କେନାଲ ପାଣିରେ । ଗୋଟିଏ ପରେ ଗୋଟିଏ ଯାନ ଅଗ୍ରସର ହେଉଥିବା ସ୍ପଷ୍ଟ ଭାବରେ ଦିଶୁଛି ଏପାଖକୁ । କେନାଲ ପାଣିରେ ମୁହଁ ଦେଖୁଛି ସଂଧ୍ୟା ପ୍ରକାଶୋନ୍ମୁଖୀ ଆକାଶ ।

 

କେନାଲର ଏପାଖ ମାଲଗୋଦାମ ବସ୍ତିରେ ଉଚ୍ଚକିତ ଅନ୍ଧକାର । ମୁହଁକୁ ମୁହଁ ସ୍ପଷ୍ଟ ଦିଶୁ ନ ଥିଲ ବି ବାରି ହେଉଛି ଉପସ୍ଥିତି, ଜଣେ ଆଉ ଜଣକୁ ଠାରି ଦେଇ ଆଗେଇ ଯାଉଚି ଆଉ କୌଣସି ନିରୋଳା ସ୍ଥାନକୁ–ଯେଉଁଠି ସଂଧ୍ୟାର ସଂକ୍ରମିତ ମଧୁରତା ଏକତ୍ରିତ କରିବ ଦୁଇ ଜଣଙ୍କୁ ।

 

କେନାଲ ଘାଟରୁ କଳସୀଏ ପାଣି ନେଇ ଉଠି ଆସିଲା ସୁଜାତା । ଉଛୁର ହୋଇଗଲାଣି ବୋଲି ପାଦର ଗତି ଚଞ୍ଚଳ ।

 

ଠିକ୍ ଉପରକୁ ଉଠି ଆସିବାବେଳକୁ ତା’ ଆଗରେ ଛିଡ଼ା ହୋଇଯାଇ କହିଲା ରାଜୁ–ମୁଁ ବାଘ ନୁହେଁ କି ଭାଲୁ ନୁହେଁ, ତଥାପି ଏଡ଼ି ଯାଉଛ ଯେ... ।

 

ସୁଜାତା କିଛି କହିଲା ନାହିଁ, କିନ୍ତୁ ପାଦର ଗତି ଆହୁରି ଚଞ୍ଚଳ ହେଲା ।

 

ରାଜୁ ଚାଲିଲା ସମାନ୍ତରାଳ ଭାବରେ

 

–ଟିକେ ରହିଯାଅ ସୁଜାତା... ।

 

ସୁଜାତା, କିନ୍ତୁ ରହିଗଲାନି, ବରଂ ଆଗେଇ ଚାଲିଲା ଯୋର୍‌ରେ ।

 

ରାଜୁ ତାର ଝୁଲୁଥିବା ଡ଼ାହାଣ ହାତଧରି ପକେଇ କହିଲା–ମୁଁ ମଣିଷ–ମୋର ବି ମନ ଅଛି–ମାନ ଅଭିମାନ ଅଛି... ।

 

ସୁଜାତା ହାତ ଛଡ଼େଇ ନବାକୁ ଉଦ୍ୟମ କରି ନିଷ୍ଫଳ ହୋଇ ରାଗିଯାଇ କହିଲା–ଦୁଇଟି ସମାନ୍ତରାଳ ରେଖା କେବେ ବି କୌଣସିଠାରେ ମିଳିତ ହୁଅନ୍ତିନି । ଏଇ ଚରମ ସତ୍ୟ ବୁଝିପାରୁ ନ ଥିବା ତମର ଚରମ ନିର୍ବୋଧତା... ।

 

ତା’ ଉତ୍ତରରେ ନିଷ୍କରୁଣ ନିଷ୍ଠୁରତା ପାଇଁ ରାଜୁ କାତର ନ ହୋଇ ସୁଜାତା କଥା କହିଥିବାର କ୍ରସ୍ ହର୍ଡ଼ଲସ୍‌ ରେସ୍‌ରେ ପ୍ରଥମ ପ୍ରତିବନ୍ଧକ ଡେଇଁ ଆଗଉଥିବା ଖେଳାଳି ପରି ତା’ର ପାଖେ ପାଖେ ଚାଲିଲା ରାଜୁ ।

 

ସାମ୍ନାରୁ କେହି ଆସୁଥିବାର ଲକ୍ଷ୍ୟକରି ହଠାତ୍ ଛିଡ଼ା ହୋଇପଡ଼ି କର୍କଶ କଣ୍ଠରେ କହିଲା ସୁଜାତା–ଛାଡ଼ ମୋ ହାତ କହୁଚି.... ।

 

ପ୍ରଥମ ସ୍ପର୍ଶର ମଧୁରତାବୋଳା ସେଇ ସନ୍ଧ୍ୟାକୁ ଏକାନ୍ତରେ ଏକାନ୍ତରେ ଉପଭୋଗ କରିବାକୁ ଇଚ୍ଛାକରି ସୁଜାତାକୁ ଆଉ ବିରକ୍ତ ନ କରି ସେଇ ଲୋକଟି ପହଞ୍ଚିବା ପୂର୍ବରୁ ସେଠାରୁ ଖସିଗଲା ରାଜୁ ।

 

ମୁକ୍ତିପାଇ ସୁଜାତା ପାଦ ବଢ଼େଇବାବେଳକୁ ତା’ ଆଗରେ ଛିଡ଼ା ହୋଇଯାଇ କହିଲା ସୌମ୍ୟ- କଅଣ ହେଲା... ?

 

ଏଇ ଅଳ୍ପ କେଇମୁହୂର୍ତ୍ତ ପୂର୍ବରୁ ଯାହା ଘଟିଯାଇଛି ସେ ବିଷୟରେ କୌଣସି ଅବତାରଣା ନ କରି କହିଲା ସୁଜାତା–ଏକା ଏଇ ଅନ୍ଧାରୁଆ ରାସ୍ତାରେ ଚାଲିବା ପାଇଁ ଡର ଲାଗେ ସୌମ୍ୟ ଭାଇ ... ଭଲ ହେଲା ଠିକ୍ ସମୟରେ ତମେ ପହଞ୍ଚିଗଲ... ।

 

ସୌମ୍ୟ ଆଗକୁ ଟର୍ଚ୍ଚ ଲାଇଟ୍ ପକେଇ କହିଲା, ବସ୍ତି ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ କେତୋଟି ଜାଗାରେ ଆଲୁଅ ଦବା ପାଇଁ କେତେଥର କହିଛି ମୁଁ ନେତାମାନଙ୍କୁ, ମ୍ୟୁନିସିପାଲଟିର ଓ୍ୱାର୍ଡ଼ କାଉନ୍‌ସିଲରଙ୍କୁ.... କିନ୍ତୁ ସବୁ ନିରର୍ଥକ ହୋଇ ଯାଇଛି ।

 

ସୁଜାତା କହିଲା, ଜବରଦଖଲ କରିଥିବା ବସ୍ତିରେ ସରକାର ଆଲୁଅ ଦବ କାହିଁକି ଯେ ?

 

–ଏଠାରେ ବି ଏ ଦେଶର ସାର୍ବଭୌମ ନାଗରିକ ବସବାସ କରନ୍ତି ସୁଜାତା । ଏମାନେ ଭୋଟ୍ ଦିଅନ୍ତି ନିର୍ବାଚନରେ... । ସେତେବେଳେ ଏ ପ୍ରଶ୍ନ ଉଠାନ୍ତିନି କେହି... ?

 

ତମେ ଇଲକ୍‌ସନରେ ଜିତିଲେ ଦେଖିବି ଯେ କେମିତି କରିବ... ।

 

–ଇଲେକ୍ସନ ଲଢ଼ିବି ବୋଲି କିଏ କହିଲା ତୋତେ ?

 

ସୁଜାତା ହସି ପକେଇ କହିଲା–ନେତା ହେବାକୁ ହେଲେ ଇଲେକ୍ସନ୍ ଲଢ଼ିବାକୁ ହୁଏ... । ତମେ ନେତା ହବନି ?

 

ନା, ନା, ନା... ପ୍ରତିବାଦ କଲା ସୌମ୍ୟ । ତା’ପରେ ଟିକେ ରହି କହିଲା ନେତା ହେଲେ ଲୋକଙ୍କର ସେବା କରି ହୁଏନି ସୁଜାତା... ନେତା ଆଉ ଲୋକଙ୍କ ମଧ୍ୟରେ ଏଇ ତିରିଶ ବର୍ଷରେ ଗଢ଼ି ଉଠିଥିବା ପାର୍ଥକ୍ୟ ଦେଖି ଏଇ ଗୋଟିଏ କଥା ଅନ୍ତତଃ ପ୍ରମାଣିତ ହୁଏ ଯେ ଦେଶ ସେବା କରିବା ପାଇଁ ବାହାରିଥିବା ବ୍ୟକ୍ତି ଥରେ ନେତା ହୋଇଗଲେ ଖାଲି ନିଏ, ଦବାକୁ ଭୁଲିଯାଏ... ।

 

ସୁଜାତା ହସରେ ଫାଟି ପଡ଼ିଲା ସୌମ୍ୟର ବର୍ଣ୍ଣନା ଶୁଣି । ତା’ ପରେ ଟିକେ ଦମ୍ ନେଇ କହିଲା–ଦେଖିବି ଯେ ତମେ ବଦଳିବ କି ନାହିଁ ?

 

ସୌମ୍ୟର ଟର୍ଚ୍ଚ ଲାଇଟ୍ ଠିକ୍ ଯାଇ ପଡ଼ିଲା ସୁଦର୍ଶନଙ୍କ ଘର ଉପରେ ।

 

ଘର ଆଗରେ ସେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ କନ୍ୟାକୁ ।

 

ବସ୍ତି ଅଞ୍ଚଳରେ କୁଅ ବା ଟ୍ୟୁବ୍ଓ୍ୱେଲ୍ ନାହିଁ । ପାଣିକଳ ଆସିନି ଏ ଅଞ୍ଚଳକୁ । ସେଥିପାଇଁ କେନାଲ୍ ପାଣି ବ୍ୟବହାର କରନ୍ତି ସମସ୍ତେ । ବହୁ ବର୍ଷ ଛାତ୍ରମାନଙ୍କୁ ମଇଳା ପାଣି କିପରି ବିଶୋଧନ କରାଯାଏ ଶିକ୍ଷା ଦେଇ ଆସିଥିବା ସୁଦର୍ଶନ ମାଷ୍ଟ୍ରେ ଝିଅକୁ ଶିଖେଇଚନ୍ତି ବ୍ୟବହାର କରିବା ପୂର୍ବରୁ ପାଣିକୁ ଫୁଟେଇ ନବା ପାଇଁ । ସାହିର ଅନ୍ୟମାନଙ୍କୁ ମଧ୍ୟ ସେ ପରାମର୍ଶ ଦିଅନ୍ତି ସେ ।

 

ଏତେବଡ଼ ବସ୍ତିରେ ସର୍ବସାଧାରଣଙ୍କ ପାଇଁ ସାର୍ବଜନୀନ ପାଇଖାନା ବି ନାହିଁ । କେନାଲ କୂଳରେ, ରେଳଲାଇନ କଡ଼ରେ ଏବଂ ଖୋଲା ଜାଗାରେ ନିର୍ବିଘ୍ନରେ ମଳମୁତ୍ର ତ୍ୟାଗ କରନ୍ତି ସମସ୍ତେ । ପ୍ରଥମେ ବଡ଼ ସଂକୋଚ ଲାଗୁଥିଲା ସୁଜାତାକୁ । ଏବେ ବି ଯେ ସଂକୋଚ ସମ୍ପୂର୍ଣ୍ଣ କଟି ଯାଇଛି ତାହା ନୁହେଁ, ସେଥିପାଇଁ ସେ ବଡ଼ିଭୋରରୁ ନିତ୍ୟକର୍ମ ସାରିନିଏ । ବସ୍ତିର ଲୋକେ ଉଠିବା ପୂର୍ବରୁ ସେ ପ୍ରସ୍ତୁତ ହୋଇଯାଏ ଦିନର ମୁକାବିଲା କରିବା ପାଇଁ ।

 

ଆସିବାଦିନୁ ସୁଜାତା ବାପାଙ୍କୁ ଲଗେଇଚି ଏ ବିଷୟରେ । ଗୋଟେ ବରପାଲି ପକେଇ ଟିକେ ଘେରି ଦେଲେ ଅସୁବିଧା ରହିବ ନାହିଁ । କିନ୍ତୁ ଏ ଯାଏ ସୁବିଧା କରିପାରି ନାହାନ୍ତି ସେ । ଝିଅ ଯେ ବନ୍ୟାଜଳ ପରି ହୁ ହୁ ହୋଇ ବଢ଼ୁଛି ଏହା ଦୃଷ୍ଟି ଏଡ଼ାଇ ନାହିଁ ତାଙ୍କର । ପଙ୍କ ଭିତରୁ ପଙ୍କଜ ଜନ୍ମ ନବା ପରି ବସ୍ତିର ସବୁ ସଂକୀର୍ଣ୍ଣତା ଅତିକ୍ରମ କରି ସୁଜାତା ବଡ଼ ହେଉଛି । ସେ ଆଉ ଛୋଟ ନୁହେଁ, କଲେଜର ଛାତ୍ରୀ । ସେ ରାସ୍ତାରେ ଚାଲିଗଲେ ଆଉ ପାଞ୍ଚଜଣଙ୍କର ଦୃଷ୍ଟି ଆପେ ଆପେ ଟାଣି ହୋଇ ଆସେ ତା’ ଆଡ଼କୁ ।

 

ସୌମ୍ୟକୁ ସେହିପରି ଛିଡ଼ା ହୋଇଥିବାର ଦେଖି କହିଲେ ସୁଦର୍ଶନ, ମୁଁ ବି ଅନ୍ୟମନସ୍କ ହେବାକୁ ଆରମ୍ଭ କଲିଣି ସୌମ୍ୟ । ଅଥଚ ଏ ରୋଗ ମୋର କେବେ ବି ନ ଥିଲା... । ବସ ବସ...-

 

ଘର ଆଗରେ ଦଉଡ଼ି ଖଟ ଉପରେ ସୌମ୍ୟକୁ ବସିବାକୁ କହି ବସି ପଡ଼ିଲେ ସୁଦର୍ଶନ ।

 

ସୌମ୍ୟ କହିଲା–ଆପଣ ଖଜୁରୀଲାଲ ଗୋଦାମରେ କାମଟିଏ ପାଇଗଲେ ତାହେଲେ...-?

 

–ହଁ, ହଁ, ଭାଗ୍ୟ ଭଲ ! ସବୁ ଆଡ଼ ଅନ୍ଧାର ଦିଶୁଥିଲାବେଳେ ହଠାତ୍ ଆଲୁଅ ଚେନାଏ ଦେଖାଗଲା... ।

 

–ଖଜୁରୀଲାଲ, ମଦନଲାଲ, ପୋପଟଲାଲ, ମଧୁ ସାହୁ, ଗୋବିନ୍ଦ ଗୋଛାଏତ ସମସ୍ତେ କିନ୍ତୁ ଚୋର... ଅସାମାଜିକ... ।

 

–କିନ୍ତୁ କଅଣ କରିବି କୁହ ? ପେଟ ପୋଷ ନାହିଁ ଦୋଷ ନୀତି ଧରିବା ଛଡ଼ା ଅନ୍ୟପନ୍ଥା ନାହିଁ । ତମେ ଜାଣିରଖ ଯେ ଖଜୁରୀଲାଲ ଚୋର ହୋଇପାରେ କିନ୍ତୁ ମୁଁ ନୁହେଁ... ।

 

ସୁଜାତା ଭିତରୁ ସବୁ ଶୁଣୁଥିଲା ବୋଧହୁଏ । ସେ ସୌମ୍ୟର କହିବା କଥାକୁ ସମର୍ଥନ କରି ନ ପାରି ଘର ଭିତରୁ ବାହାରି ଆସି କହିଲା, ତମେ ସମସ୍ତଙ୍କୁ ସନ୍ଦେହ କର କାହିଁକି ସୌମ୍ୟଭାଇ ? ଖଜୁରୀଲାଲ, ମଦନଲାଲ, ଗୋବିନ୍ଦ ଗୋଛାଏତ ଭଲ ବି ହୋଇପାରନ୍ତି । ସେମାନେ ସମସ୍ତେ ସମାଜର ପ୍ରତିଷ୍ଠିତ ଲୋକ... ।

 

ସୁଜାତା ମୁହଁରୁ ଏପରି ପ୍ରତିବାଦ ଶୁଣିବ ବୋଲି ଆଶା କରୁ ନ ଥିଲା ସୌମ୍ୟ । ସୁଜାତାର କଥା ଶୁଣି ସେ ଚକିତ ହୋଇଗଲା ଏବଂ କିଛି ସମୟ ନୀରବରେ ବସିରହିଲା । ତା’ ପରେ ଧିରେ ଧିରେ କହିଲା–ଏ ସମାଜକୁ ତୁ ଯେତିକି ଦେଖିବୁ ସେତିକି ଆଶ୍ଚର୍ଯ୍ୟ ହବୁ ସୁଜାତା । ସମାଜର ଦୋଷ ଦୁର୍ବଳତା-ଗୁଡ଼ା ଯେତେବେଳେ ଭଲଭାବରେ ଜାଣିପାରିବୁ, ତୁ ଅବାକ୍ ହୋଇଯିବୁ ଏଇକଥା ଭାବି ଯେ ଏହାସତ୍ତ୍ୱେ କିମିତି ତିଷ୍ଠିଚି ଏଇ ସମାଜ–କିମିତି ପାପର ଏତେ ଭାର ସତ୍ତ୍ୱେ ବସୁଧା ଫାଟି ଯାଉନି... ।

 

ସୁଜାତା ହସର ଲହରୀ ଖେଳାଇ କହିଲା, ତମେ ବିବେକାନନ୍ଦ ହବା ପାଇଁ ଚେଷ୍ଟା କର ସୌମ୍ୟ ଭାଇ । ଏଇ ପାପପୁଣ୍ୟର ପୃଥିବୀରୁ ପାପ ଲୋପ କରିବା ପାଇଁ ତପସ୍ୟା କର ।

 

ସୌମ୍ୟ ଏବଂ ସୁଜାତା ମଧ୍ୟରେ ତର୍କ ଲାଗିଲେ ମଜା ଲାଗେ ସୁଦର୍ଶନଙ୍କୁ । ସୌମ୍ୟ ସହିତ ସାକ୍ଷାତ୍ ହେଲାଦିନୁ ତାକୁ ଆପଣାର ଲୋକବୋଲି ଧରି ନେଇଛନ୍ତି ସେ । ସରଳ, ସ୍ପଷ୍ଟଭାଷୀ, ନିର୍ଭୀକ ସୌମ୍ୟରଞ୍ଜନର ରକ୍ତ ପ୍ରବାହରେ ଦେଶକୁ ଭଲ ପାଇବାର ଶିହରଣ । ସେ ପାଠପଢ଼େ ନିଜକୁ ଉପଯୁକ୍ତ କରିବା ପାଇଁ । ସର୍ବସାଧାରଣଙ୍କ କାମ କରେ ନିଜ ଦେଶକୁ ଭଲପାଏ ବୋଲି । ତାହାରି ଛୁଆଁ ଲାଗିଛି ସୁଜାତାର ମନରେ । କଲେଜ ଯିବା ଦିନରୁ ସେ ଆବିଷ୍କାର କରିଛି ଅବହେଳିତ ପୃଥିବୀର ପାଖାପାଖି ଲାଲିତ ହେଉଥିବା ଆଉ ଏକ ରଙ୍ଗୀନ ପୃଥିବୀ ।

 

ସୁଦର୍ଶନ କହିଲେ, ଖାଲି ତର୍କ କରୁଥିବୁ ନା ତାକୁ କିଛି ଖାଇବାକୁ ଦବୁ ? କେତେବେଳୁ ଆସିଛ ସୌମ୍ୟ, ତୋର ଫେରିବାରେ ବିଳମ୍ବ ହେବାରୁ ତାକୁ ପଠେଇଥିଲି ତୋତେ ଖୋଜିବା ପାଇଁ...-

 

ସୁଜାତା ଜିଭ କାମୁଡ଼ି ପକେଇଲା ଏଇ ତ୍ରୁଟି ପାଇଁ । ତା’ପରେ କହିଲା, ରୁଟି ଡାଲନା ଏଇନେ ହୋଇଯିବ । ତୁମେ ଦୁହଁ ଗପୁଥାଅ ।

 

ସୁଦର୍ଶନ କହିଲେ–ତୁମର ପଢ଼ା କେବେ ସରିବ ସୌମ୍ୟ ?

 

ସୌମ୍ୟ କହିଲା–ପଢ଼ା ତ ସରିଗଲାଣି ମଉସା, ଖାଲି ପରୀକ୍ଷାଟା ବାକି ଅଛି । ପଢ଼ାପଢ଼ି କରୁଛି, ପରୀକ୍ଷା ଦେଇ ସାରିଲେ ଛୁଟି ।

 

–ତା’ପରେ ?

 

–ତା’ପରେ ଏଇ ବସ୍ତିକୁ ଚାଲି ଆସିବି, ଅନେକ କାମ ପଡ଼ିରହିଛି ଏଠାରେ... ।

 

–ଚାକିରି କରିବନି ?

 

–ନା । ମୋ ଦେଇ ସେ କାମ ଆଦୌ ହେବ ନାହିଁ ମଉସା । କରିବା ପାଇଁ ଏତେ କାମ ଥିବାବେଳେ ମୁଁ କାମ ଖୋଜିବା ପାଇଁ ଏମ୍ପ୍ଲମେଣ୍ଟଏକ୍ସଚେଞ୍ଜରେ ନାମ ଲେଖାଇବି କାହିଁକି ? ଚାକିରିଟିଏ ପାଇବା ପାଇଁ ସବୁ ଅଫିସକୁ ଦୌଡ଼ିବି କାହିଁକି ?

 

–ଚଳିବ କେମିତି ? ଗାଁରେ ମା’ ଅଛନ୍ତି, ତାଙ୍କ ପ୍ରତି କର୍ତ୍ତବ୍ୟ ବି ଅଛି ତୁମର ।

 

–ମା’କୁ ନେଇ ଆସିବି ସହରକୁ, ଏଇ ବସ୍ତିକୁ । ଜାଗା ଅଭାବ ହେବନି ଏଠାରେ । ରେଳ ଲାଇନ କଡ଼ରେ ଗୋଟେ ଜାଗା ଜବରଦଖଲ କରି ଗୋଟେ କିଛି ବ୍ୟବସ୍ଥା କରିନେଲେ ଚଳିବ । ଆଉ ଆପଣ ତ ଅଛନ୍ତି, ସୁଜାତା ଅଛି, ସେ ଏକା ପଡ଼ିଯିବେ ନାହିଁ ।

 

ସୌମ୍ୟର ସାହସ ଦେଖି ଓ ସଂକଳ୍ପ ଶୁଣି ହତଚକିତ ହୋଇଗଲେ ସୁଦର୍ଶନ । ଏତେ ପାଠପଢ଼ି ସେ ଚାକିରି ନ କରି ନଷ୍ଟ କରିଦେବ ଜୀବନକୁ କେନାଲ କଡ଼ର ଏଇ ବସ୍ତିରେ । ତାକୁ ସମର୍ଥନ କରି ନ ପାରି ମନେ ମନେ ଆହୁରି ଭାବିବାକୁ ଲାଗିଲେ ସେ । ବାପା ମା’ ପିଲାମାନଙ୍କୁ ପାଠପଢ଼ାନ୍ତି ମଣିଷ କରିବା ପାଇଁ । ପିଲାମାନେ ପାଠପଢ଼ନ୍ତି ଚାକିରୀ କରିବା ପାଇଁ । ବ୍ୟତିକ୍ରମ ତ ଏଯାଏ ଆଖିରେ ପଡ଼ିନି ତାଙ୍କର । ଅବଶ୍ୟ ପାଠପଢ଼ା ଶେଷ କରି ଚାକିରୀ ନ ପାଇ ଦୀର୍ଘଶ୍ୱାସଛାଡ଼ି ଅକର୍ମଣ୍ୟ ପରି ବୁଲୁଥିବା ଅନେକ ଯୁବକଙ୍କୁ ପ୍ରତିଦିନ ଦେଖନ୍ତି ସେ । ସେମାନଙ୍କୁ ଦେଖି ହତାଶ୍‍ ହୁଅନ୍ତି ସୁଦର୍ଶନ । ଦେଶର ଯୁବଶକ୍ତିର ସଠିକ୍ ଉପଯୋଗ ହୋଇପାରୁ ନ ଥିବାରୁ ମନ କ୍ଷୁର୍ଣ୍ଣ ହୁଏ । କିନ୍ତୁ ସମାଧାନର ସୂତ୍ର ବାହାର କରି ନ ପାରି ଆହୁରି ଅସ୍ଥିର ହୁଅନ୍ତି । ବେଳେବେଳେ ଅବସାଦ ବି ଆସେ ।

 

ସୌମ୍ୟ ଏମ୍.ଏ. ପଢ଼ି ଶେଷରେ ଚାକିରି ନ କରି ବସ୍ତିରେ ରହିବ, ଏକଥା ଆଦୌ ବିଶ୍ୱାସ କରିପାରୁ ନ ଥାନ୍ତି ସୁଦର୍ଶନ । ଅଥଚ ରେଭେନ୍‍ସା କଲେଜର କୃତୀ ଛାତ୍ର ଭାବରେ ସୁନାମ ଅଛି ତା’ର । ଶିକ୍ଷକମାନେ ସ୍ନେହ କରନ୍ତି, ସାଙ୍ଗମାନେ ଶ୍ରଦ୍ଧା କରନ୍ତି । ଆଉ ନିଜ ଉପରେ ଅଗାଧ ବିଶ୍ୱାସ ସୌମ୍ୟର ।

 

ତଥାପି କାଳେ ମତେ ପରିବର୍ତ୍ତନ କରିପାରେ ଏଇ ଆଶା କରି ସୁଦର୍ଶନ ଅନେକ କଥା କହିଲେ ତାକୁ । ଏ ସଂସାର ବଡ଼ ଜଟିଳ । ଏଠାରେ ବଞ୍ଚିବା ପାଇଁ ସଂଗ୍ରାମ କରିବାକୁ ହୁଏ । ପଦେ ପଦେ ଅର୍ଥ ଆବଶ୍ୟକ ହୁଏ । ହାତରେ ଅର୍ଥ ନ ଥିଲେ ଭିକ୍ଷା କରିବା ଛଡ଼ା ଅନ୍ୟ ପନ୍ଥା ନାହିଁ । ଅଥଚ ଭିକ୍ଷା ଦବା ପାଇଁ ଏତେ ଲୋକ ବି ନାହାନ୍ତି । ସଂସାର ଚଳାଇବା ପାଇଁ, ନିଜର ଆବଶ୍ୟକତା ପୂର୍ଣ୍ଣ କରିବା ପାଇଁ ଚାକିରୀ ହେଉ, ଚାଷ ବା ବ୍ୟବସାୟ କିଛି ଗୋଟେ କରିବାକୁ ହୁଏ-। ବେକାର ମଣିଷ ନିଜର ଓ ସମାଜର ଉଭୟର ଶତ୍ରୁ ।

 

ସୌମ୍ୟର କିନ୍ତୁ ଅନ୍ୟମତ । ଚାକିରି ନ କରି ବି ନିଜକୁ ଚଳେଇ ନବାରେ ବାଧା ନାହିଁ । ଯାହା ପୈତୃକ ସମ୍ପତ୍ତି ଅଛି ସେତକ ଯଥେଷ୍ଟ ଦୁଇଜଣଙ୍କ ପାଇଁ । ମା’ଙ୍କ ପରେ ସେହି ସମ୍ପତ୍ତି ଆଉ ଲୋଡ଼ା ହେବନି ତା’ର । ସେ ସବୁ ଜମିଜମା ବିକ୍ରୀ କରି ଦେଇ ସେଥିରୁ ଯାହା ପାଇବ କୌଣସି ଆଶ୍ରମକୁ ବା ଅନୁଷ୍ଠାନକୁ ଦାନ କରିଦବ ବା ସବୁ ଜମିଜମା ବିନ୍ୟମୂଲ୍ୟରେ ଦେଇଦବ କାହାକୁ–ଯାହାର କିଛି ନାହିଁ–ଯିଏ ନିରାଶ୍ରୟ, ଅରକ୍ଷିତ ।

 

ସୁଦର୍ଶନ କହିଲେ–ତମେ ଭଲ କରି ଚିନ୍ତା କର ସୌମ୍ୟ । ଯଥେଷ୍ଟ ସମୟ ଅଛି ହାତରେ-। ତା’ପରେ ଯାହା ଭଲ ଭାବିବ କରିବ । କିନ୍ତୁ ମୁଏତିକି କହିପାରେ ଯେ ଏ ଦୁନିଆରେ ଖାଲି ହାତରେ ଚଳି ହୁଏନି । ତା’ର ତଲଓ୍ୱାର ନ ଥାଇ ଖାଲି ହାତରେ ଯୁଦ୍ଧ କରି ହୁଏନି ।

 

ସୁଜାତା ତାଳପତ୍ରର ଆସନ ପକେଇ ଦୁଇଜଣଙ୍କୁ ଖାଦ୍ୟ ବାଢ଼ି ଦେଲା ଶାଳପତ୍ରଖଲିରେ-। ରୁଟି ଆଉ ଡାଲନା ।

 

ସୌମ୍ୟ ଡାଲନାରୁ ଟିକେ ଖାଇ ପ୍ରଶଂସା କରି କହିଲା, ବାଃ ବେଶ୍ ଭଲ ରାନ୍ଧିଛୁ ତ !

 

ତା’ପରେ ଗୋଟିଏ ଅଦ୍ଭୁତ ପ୍ରଶ୍ନ ପଚାରିଲା ସେ, ଇମିତି ରୁଟି ଡାଲନା ଦିଓଳି ଖାଇଲେ ଜଣ ପିଛା କେତେ ଖର୍ଚ୍ଚ ହେବ ମଉସା ?

 

ସୁଦର୍ଶନ କିଛି କହିବା ପୂର୍ବରୁ ସୁଜାତା କହିଲା, ଏଥିରେ ପ୍ରୋଟିନ୍ କିଛି ଥାଇପାରେ, କିନ୍ତୁ ଭିଟାମିନ୍ ନାହିଁ, ଆଇରନ୍ ନାହିଁ । ଖାଲି କାର୍ବୋହାଇଡ଼୍ରେଟ୍ ଆଉ କିଛି ପ୍ରୋଟିନ୍ ଖାଇ... ।

 

ସୌମ୍ୟ ଠୋଠୋ ହୋଇ ହସି ଉଠିଲା ଖାଇବା ବନ୍ଦ କରି ।

 

ସୁଦର୍ଶନ କହିଲେ, କଅଣ ହେଲା ?

 

ସୌମ୍ୟର ହସ ବନ୍ଦ ହେବା ପରେ ସେ କହିଲା, ସୁଜାତର ପ୍ରୋଟିନ୍ ଭିଟାମିନ୍ ବର୍ଣ୍ଣନା ଶୁଣି ।

 

ସୁଦର୍ଶନ କହିଲେ, ସୁଜାତା ହୋମ୍‌ସାଇନ୍ସରେ ଆଇ.ଏ. ପଢ଼ୁଛି ଯେ !

 

ସୌମ୍ୟ କହିଲା, ହଁ ସତ କଥା ତ... ମୁଁ ଭୁଲି ଯାଇଥିଲି ଏକଥା....

 

ସୁଦର୍ଶନ କହିଲେ, ଖାଲି ରୁଟି ଡାଲନା ଖାଇ ବଞ୍ଚି ହୁଏନି ସୌମ୍ୟ । ପିନ୍ଧିବା ପାଇଁ ଲୁଗା, ରୋଗ ହେଲ ଚିକିତ୍ସା ପାଇଁ ଔଷଧ, ମୁଣ୍ଡ ଗୁଞ୍ଜିବା ପାଇଁ ଆଶ୍ରୟ ଟିକେ ଲୋଡ଼ା । ସମାଜରେ ଏକା ଏକା ରହି ହୁଏନି ବୋଲି ସାମାଜିକତା ବି ଦରକାର... ।

 

–ଏସବୁ ପାଇଁ ମୋ ବଜେଟରେ ମୋ ପାଇଁ ମାସକୁ ଶହେ ଟଙ୍କା ଲାଗିବ ମଉସା... ସେତକ ମିଳିଯିବ... ।

 

–କିଏ ଦବ ? କେଉଁଠୁ ଆଣିବ ? ପଚାରିଲେ ସୁଦର୍ଶନ ।

 

–କମ୍ରେଡ଼ମାନେ ଦେବେ... ଯେଉଁମାନଙ୍କ ପାଇଁ କାମ କରିବି ସେମାନେ ମୋ ଖର୍ଚ୍ଚ ତୁଲାଇବେ ... ।

 

–ତୁମେ ପଲିଟିକାଲ କରିବ ସୌମ୍ୟ ଭାଇ ? ଆଶ୍ଚର୍ଯ୍ୟ ହବା ପରି କହିଲା ସୁଜାତା ।

–ଠିକ୍‌ ପାର୍ଟି ପଲିଟିକାଲ ନୁହେଁ... ମୁଁ ସେଥିରେ ବିଶ୍ୱାସ କରେନି... ଯୋଉ ଦେଶରେ ଅଧେରୁ ଅଧିକ ଲୋକ ଦାରିଦ୍ର୍ୟର ସୀମାରେଖା ତଳେ ପ୍ରତିଦିନ ନିଷ୍ପେସିତ ସେଠାରେ ସେମାନଙ୍କୁ ଗଣତନ୍ତ୍ର, ବ୍ୟକ୍ତି ସ୍ୱାଧୀନତା, ଇଲେକ୍ସନ୍ କଥା କହିବାର କୌଣସି ଅର୍ଥ ହୁଏନା । ସେମାନେ କେବଳ ଶୁଣିବାକୁ ଚାହାନ୍ତି ଖାଇବେ କଅଣ, ପିନ୍ଧିବେ କଅଣ, କେତେଦିନ ସେମାନଙ୍କ ନାମ କହି ଦେଶକୁ, ଜାତିକୁ ଭଣ୍ଡୁଥିବେ ଦଳେ ଦଲାଲ ?

ସୁଜାତା ଆଉ ଟିକେ ଡାଲନା ଏବଂ ଗୋଟେ ରୁଟି ସୌମ୍ୟର ପତ୍ରରେ ଦେଇ କହିଲା, ତମେ କମ୍ୟୁନିଜିମ୍ କଥା କହୁଛ... ?

–ନା, କୌଣସି ଇଜିମ୍ କଥା ଏଇନେ ମନରେ ନାହିଁ ମୋର । ମୁଁ କେବଳ ଭାବୁଛି ଗୋଟିଏ କଥା । ଏମାନଙ୍କୁ ଉଠେଇବାକୁ ହେବ... ଏମାନଙ୍କୁ ସଚେତନ କରିବାକୁ ହେବ । ତା’ପରେ ଗଣତନ୍ତ୍ର, ଇଲେକ୍‌ସନ... ।

ସୁଦର୍ଶନ ଖାଇସାରି ମୁହଁ ହାତ ଧୋଇ ହାତ ପୋଛିଲେ ଗାମୁଛାରେ । ସୌମ୍ୟକୁ ବିଦାୟ ଦବା ପାଇଁ ଆଗେଇ ଦବାକୁ ଯିବାବେଳେ କହିଲା ସୌମ୍ୟ, ଲୋକେ ସଚେତନ ହେଲେ ନିଜର ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଅଜ୍ଞ ହୋଇ ରହିବେ ନାହିଁ । କୁସଂସ୍କାର, ମୁଢ଼ତା, ମତାନ୍ଧତା ସେମାନଙ୍କୁ ଆଉ ବିବ୍ରତ କରିବ ନାହିଁ । ସେମାନେ ତିଆରି କରିବେ ସେମାନଙ୍କର ନିଜର ସମାଜ, ଯେଉଁଠି ସମସ୍ତେ ଅଂଶୀଦାର ଅଥଚ ସମସ୍ତେ ପ୍ରଭୁ... କେହି ବଡ଼ ନୁହନ୍ତି କି ଛୋଟ ନୁହନ୍ତି ।

–ମୁଁ ଗାଆଁର ମାଷ୍ଟର, ଏତେ କଥା ବୁଝେନି ବାପା । ବରଂ ମୁଁ ଏଇ ରାଜନୀତି କଥା ଶୁଣିଲେ ଭୟ ପାଏ । ରାଜନୀତିଜ୍ଞ ପାଲରେ ପଡ଼ି ଆମ ଦେଶ କେଉଁଠି ପହଞ୍ଚିଛି ଜଳ ଜଳ ହୋଇ ଦିଶୁଛି ସମସ୍ତଙ୍କୁ । ତଥାପି ସେମାନଙ୍କର ଲଜ୍ଜା ନାହିଁ, ଆହୁରି କହୁଛନ୍ତି ଯେ ଦେଶ ଓ ଦଶର ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିଛନ୍ତି ସେମାନେ... ।

ସୌମ୍ୟ ସେଦିନ ପାଇଁ ସେଇଠୁ ବିଦାୟ ନେଇ ଚାଲିଗଲା । ନିଜ ଘରକୁ ଫେରି ଆସିବାବେଳେ ମଖନଲାଲର କୋଇଲା ଡିପୋରୁ କେତେଜଣ କୋଇଲାଚୋରି କରୁଥିବାର ଦେଖିଲେ ସେ । ଇମିତି ଘଟଣା ପ୍ରତିଦିନ ଘଟେ ଏଠାରେ । କାଲି ମାଲଗୋଦାମକୁ ମାଲ ନବା ପାଇଁ ଆସିଥିବା ଜଣେ ଲୋକକୁ ଭୁଲେଇ ଭାଲେଇ ଜଳଖିଆ ଖୁଆାଇବାର ଛଳନା କରି କିପରି ତାର ସର୍ବସ୍ୱ ଲୁଟିନେଲେ ସେ ଆଖିରେ ଦେଖିଛନ୍ତି । ସେଦିନର ଦୁର୍ଘଟଣାରେ ଡାହାଣ ବୁଢ଼ା ଆଙ୍ଗୁଳି କ୍ଷତବିକ୍ଷତ ହେବା ପରେ ସେ ମୁହଁ ବନ୍ଦ କରି ସବୁ ଦେଖୁଛନ୍ତି, କିଛି କହୁ ନାହାନ୍ତି । ସେ ତ ଏକା ନୁହନ୍ତି, ସୁଜାତା ବି ଅଛି ସାଙ୍ଗରେ !

ମାଲଗୋଦାମ ପଛରେ ଏବଂ ତାଳଦଣ୍ଡା କେନାଳକୁ ଲାଗି ଯେଉଁ ବସ୍ତି ଗଢ଼ି ଉଠିଚି ସେଠାରେ ପ୍ରାୟ ଚାରିପାଞ୍ଚଟି ଭାଷା କହୁଥିବା, ତିନିଚାରିଟି ଧର୍ମର ଅନେକ ସମ୍ପ୍ରଦାୟର ଦେଶର ଅନେକ ଅଞ୍ଚଳର ଲୋକ ବାସ କରନ୍ତି । କିନ୍ତୁ ସେମାନେ ବିଭିନ୍ନ ଭାଷା କହୁଥିଲେ ବି, ବିଭିନ୍ନ ଧର୍ମ ବା ଅଞ୍ଚଳର ହୋଇଥିଲେ ବି ସେମାନଙ୍କର ପରିଚୟ ଗୋଟିଏ । ସେମାନେ ଗରିବ । ସେମାନଙ୍କ ଆଗରେ ପୃଥିବୀ ଦୁଇଟି ଶିବିରରେ ବିଭକ୍ତ–ଗୋଟିଏ ଗରରିବମାନଙ୍କର, ଅନ୍ୟଟି ଧନୀମାନଙ୍କର । ସେମାନଙ୍କ ମତରେ ପୃଥିବୀର ସଂସ୍କୃତି ମଧ୍ୟ ଦୁଇଟି–ଗୋଟିଏ ଥିଲା ବାଲାଙ୍କର ଏବଂ ଆଉ ଗୋଟିଏ ନଥିଲା ବାଲାଙ୍କର । ଧର୍ମ, ସମ୍ପ୍ରଦାୟ, ଭାଷା ବା ଆଞ୍ଚଳିକତା ସେମାନଙ୍କୁ ପରସ୍ପରଠାରୁ ଅଲଗା କରିପାରେ ନାହିଁ, ସେମାନଙ୍କ ପେଟର ଭାଷା ଏକ ହୋଇଥିବାରୁ ମୁହଁର ଦାବି ମଧ୍ୟ ଏକ । ସେଥିପାଇଁ ବହୁ ପାର୍ଥକ୍ୟ ସତ୍ତ୍ୱେ ସେମାନଙ୍କର ଗୋଟିଏ ଜାତି, ଗୋଟିଏ ଶିବିର । ଗଣେଶ ପୂଜାବେଳେ ସମସ୍ତେ ଯେପରି ମହା ଉତ୍ସାହ, ଦେଖାନ୍ତି, ଦୁର୍ଗାପୂଜା, ବଡ଼ଦିନ ବା ମହରମ ସମୟରେ ଠିକ୍ ସେଇ ଉତ୍ସାହ, ସେଇ ଏକତା । ମହରମର ତାଜିଆ ବାହାରିଲେ ମୁସଲମାନମାନଙ୍କ ସହିତ ଏକ ହୋଇ ବାଡ଼ି ଖେଳ, ଛୁରୀ ଖେଳ ଦେଖାନ୍ତି ବସ୍ତିର ଯୁବକମାନେ; କାହାରି ଘରେ ବାହାଘର ହେଲେ ସମସ୍ତେ ଏକ ହୋଇ କନ୍ୟାଦାନର ଆନନ୍ଦ ଓ ଦୁଃଖରୁ ଅଂଶଗ୍ରହଣ କରନ୍ତି । ସେଥିପାଇଁ ବସ୍ତି ଗୋଟିଏ ଦୁର୍ଗସ୍ୱରୂପ, ଏହାର ପ୍ରବେଶଦ୍ୱାର ଓ ସର୍ବତ୍ର ସୁରକ୍ଷିତ । ସେମାନେ ସମସ୍ତେ ଏକ । ପୁଲିସ୍‍ ଆସେ ସର୍ଚ୍ଚଓ୍ୱାରେଣ୍ଟ ଧରି, କିନ୍ତୁ ଆସାମୀକୁ ନ ପାଇ ଫେରିଯାଏ । ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା–ଜାଣିନି, ଦେଖିନି । ଅବକାରୀବାଲା ଚଢ଼ଉ କଲେ ବି ସେଇ ଏକ ଅବସ୍ଥା– ଭାଙ୍ଗ, ଗଞ୍ଜେଇ, ଅଫିମ ଚୋରା କାରବାର କରୁଥିବା ହାରୁ ମିଆଁ ଆଉ ସାଧୁ ସେଠିକୁ ପାଆନ୍ତିନି କେହି । ସେଇ ଏକା ବସ୍ତିର ଲୋକ ସେମାନେ । କାହାଘରେ କେତେବେଳେ ଲୁଚିଯାଆନ୍ତି ସେଇ ଖବର ବାହାର ଲୋକ ଜାଣିବା ଅସମ୍ଭବ । ଆଉ ଏ ବସ୍ତିର କାହା ସହିତ ଅନ୍ୟ ବସ୍ତିର ଆଉ କାହାର କଜିଆ ହେଲେ ବସ୍ତିର ସବୁଲୋକ ପକ୍ଷ ନିଅନ୍ତି ନିଜ ଲୋକର ଦୋଷଗୁଣ ନିର୍ବିଶେଷରେ । ଏ ବସ୍ତିର ପାପପୁଣ୍ୟ ସୁଖ ଦୁଃଖର ଅଂଶୀଦାର କେବଳ ଏଇ ବସ୍ତିର ଲୋକମାନେ, ସେଠାରୁ ଅନ୍ୟମାନେ ଅଂଶଗ୍ରହଣ କରିବା ମନା । ଏ ବସ୍ତିର ଝିଅଟିଏ ରାସ୍ତାରେ ଚାଲିଗଲେ ଅନ୍ୟ ବସ୍ତିର କେହି ଯଦି ଆଖି ମାରେ କି ମନ୍ତବ୍ୟ କରେ ସମସ୍ତଙ୍କର ସେ ହୁଏ ଶତ୍ରୁ ।

ଏହା ସତ୍ତ୍ୱେ ସେଦିନ କିନ୍ତୁ ଅଘଟଣଟିଏ ଘଟିଗଲା ।

ମାଲଗୋଦାମ ବସ୍ତିର ସୁର ନାଏକ ରିକ୍‌ସା ନେଇ ଫେରୁଥିବା ବେଳେ ସମ୍ରାଟ୍ ସିନେମା ପାଖରେ ତାକୁ ମାଡ଼ମାରି ଯେଉଁମାନେ ବେହୋସ କରିଦେଇ ତା ରିକ୍‌ସାକୁ ତାଳଦଣ୍ଡା କେନାଲ୍ ଭିତରକୁ ଫୋପାଡ଼ି ଦେଲେ, ସେମାନଙ୍କୁ ସମସ୍ତଙ୍କୁ ଚିହ୍ନେ ସୁର ନାଏକ । ତାର ଚେତା ଫେରିଆସିବା ପରେ ସେ ଗୋଟିଗୋଟି କରି ଯେଉଁମାନଙ୍କ ନାମ କହିଗଲା ପୁଲିସ୍‍ ଆଗରେ, ସେମାନଙ୍କ ମଧ୍ୟରେ ଥିଲା ତା’ ନିଜ ବସ୍ତିର ସିରାଜ୍ ଖାଁ ।

 

ବସ୍ତିଲୋକ ତାତି ଉଠିଲେ । ସିରାଜ ଖାଁକୁ ତଲବ କରାଗଲା ସଭାକୁ । ତାର ବିଚାର ପୁଲିସ୍‍ ଉପରେ ଛାଡ଼ି ନ ଦେଇ ବସ୍ତିବାଲା ନିଜେ କରିବେ ।

 

ସିରାଜ୍ କିନ୍ତୁ ଆସିଲା ନାହିଁ, ବରଂ କହି ପଠାଇଲା ଯେ ସେ ଯାହା କରିଛି ଠିକ୍ କରିଛି, ସୁର ନାଏକକୁ ଆହୁରି ଛେଚିବ ସୁଯୋଗ ପାଇଲେ ।

 

ଚିହିଁକି ଉଠିଲେ ବସ୍ତି ଲୋକେ ।

 

ପ୍ରାୟ ଡିଆଁ ମାରି ଛିଡ଼ା ହୋଇଗଲା ନରସିଂହ ଦଳେଇ । ସେ ବାହୁ ଓ ଜଙ୍ଘରେ ହାତ ପିଟି ଆହ୍ୱାନ କଲା ପ୍ରତିପକ୍ଷକୁ । ସମସ୍ତେ ବୁଝିଗଲେ ଯେ ନରସିଂହ ଛାଡ଼ିବ ନାହିଁ, ସେ ଥରେ ତେଜିଲେ ତାକୁ ସମ୍ଭାଳିକା କଷ୍ଟକର ।

 

ନରସିଂହର ଚିତ୍କାର ଶୁଣାଯାଏ କେନାଲ ସେ ପାଖକୁ ।

 

ହଠାତ୍ ତାକୁ ଜବାବ ଦେଇ କହିଲା ରାଜୁ ସିଂ–ସାବଧାନ, ସିରାଜ୍ ଉପରେ ଯଦି କାହାର ହାତ ପଡ଼େ ତାକୁ ମୁଁ ଜୀବନରେ ମାରିଦେବି... ।

 

–ଶଳା, ହାରାମଜାଦା... ତୁ ବାପର ପୁଅ କି ମୁଁ ବାପର ପୁଅ ଏଇଠି ଏଇନେ ପରଖି ନିଆଯାଉ... । ଏଡ଼େ ହିମ୍ମତ ଶଳା ଭାଡ଼ୁଆର ... ?

 

ନରସିଂହ ଚିତ୍କାର କଲା ।

 

ରାଜୁ ଦୌଡ଼ିଯାଇ ନରସିଂହକୁ ଇମିତି ଯୋର୍‌ରେ ଗୋଟାଏ ଘୁଷି ମାଇଲା ଯେ ସେ ସମ୍ଭାଳି ନ ପାରି ମୁହଁମାଡ଼ି ତଳେ ପଡ଼ିଗଲା ।

 

ନରସିଂହକୁ ସମର୍ଥନ କରି କାମେୟା, ଲାଟୁ ଆଉ ସନିଆ ଧସି ପଶି ଆସିଲେ ଭିତରକୁ । ମୁଖିଆମାନଙ୍କର ବାରଣ ସତ୍ତ୍ୱେ, ଉଭୟ ପକ୍ଷକୁ ଅଲଗା କରିବା ପାଇଁ କେତେକଙ୍କର ଚେଷ୍ଟା ସତ୍ତ୍ୱେ, ରାଜୁର ଚୁଟି ଧରି ଭଅଁର କାଟି ତାକୁ ଦୁଇଥର ବୁଲେଇ ଆଣି ଫୋପାଡ଼ି ଦେଲା କାମେୟା-। କାମେୟାର ଶକ୍ତି ଆଗରେ ତାଳ ଦବା ଭଳି ଆଉ କେହି ନ ଥିଲେ ରାଜୁ ପକ୍ଷରେ... ।

 

ରାଜୁ ମାଡ଼ଖାଇ ଅପମାନିତ ହୋଇ ଚିତ୍କାର କରି କରି ଚାଲିଗଲା ସେଠାରୁ ।

 

ଦେଖିନେବି... ଶଳା ବେଧୁଆ କାମେୟାକୁ ଦେଖିନେବି... ।

 

କାମେୟା ତା’ର ପିଛା ଧରୁଥିଲା; କିନ୍ତୁ ତାକୁ ଅଟକାଇ ଦେଇ କହିଲା ସୌମ୍ୟ, ତୁମେ ସବୁ ନିଜ ନିଜ ମଧ୍ୟରେ ଇମିତି ଲଢ଼ିବ ନା ନିଜ ନିଜର ଉନ୍ନତି କିପରି ହବ ସେ କଥା ଚିନ୍ତା କରିବ-? ଛି... ଛି...ମନା କରିବା ସତ୍ତ୍ୱେ ପୁଣି ନିଜ ନିଜ ଭିତରେ କଳି... ?

 

ନରସିଂହ କହିଲା, କଥାଟିକେ ବୁଝ ବାବୁ । ଏ ବସ୍ତିର ସୁର ନାଏକକୁ ଯେଉଁମାନେ ମାରି ମାରି ବେହୋସ କରିଦେଲେ, ତା ରିକ୍‌ସା ଫୋପାଡ଼ି ଦେଲେ କେନାଲ ଭିତରକୁ, ସେମାନଙ୍କ ସହିତ ଥିଲା ଏ ବସ୍ତିର ସିରାଜ । ଆମ ବସ୍ତିର ଲୋକ ଅନ୍ୟ ବସ୍ତିର ଶତ୍ରୁଙ୍କ ସହିତ ମିଶି ଆମ ଲୋକଙ୍କୁ ପିଟିବ.... ଆମେ ସହିଯିବୁ ମାଇଚିଆ ପରି... ?

 

ସୌମ୍ୟ ବୁଝେଇଲା ସମସ୍ତଙ୍କୁ । ସମସ୍ତଙ୍କୁ ଶାନ୍ତି ହେବା ପାଇଁ କହିଲା । ଉତ୍ତେଜନା ନ କମିଲେ କିଏ ଦୋଷୀ କିଏ ନିର୍ଦ୍ଦୋଶ ବିଚାର କରିବା କଷ୍ଟକର । ସିରାଜ୍‌ର ବିଚାର ହେବ । ରାଜୁର ବି ବିଚାର ହେବ...କିନ୍ତୁ ଧୈର୍ଯ୍ୟଧରି କାମ ନ କଲେ ଶତ୍ରୁତା ବଢ଼ିବ । ‘କେନାଲ ସେପାରିର ଲୋକ ଆଉ ଏପାରିର ଲୋକ ସମସ୍ତେ ଦୁଇଟି ବସ୍ତିର ହେଲେ ବି ସମସ୍ତେ ଗରିବ... ସମସ୍ତେ ଅବହେଳିତ-।’ ଗରିବ ସହିତ ଗରିବ ନ ଲଢ଼ି ସେମାନଙ୍କ ମଧ୍ୟରେ ଯିଏ ଶତ୍ରୁତା ସୃଷ୍ଟି କରୁଛି ତା’ ବିରୁଦ୍ଧରେ ଲଢ଼ିବା ଦରକାର । ଉଭୟଙ୍କର ଯିଏ ଶତ୍ରୁ ତାହାରି ହାତ ଥିବ ଏହି ଘଟଣା ପଛରେ... । ସମସ୍ତେ ଏକହେଲେ, ସମସ୍ତେ ସଙ୍ଗଠିତ ହେଲେ, ସେହି ଅଦୃଶ୍ୟ ଅପଶକ୍ତିର ମୁକାବିଲା କରାଯାଇ ପାରିବ ସହଜରେ ... ।

 

ସମସ୍ତେ ଚୁପ୍ ହୋଇଗଲେ ।

 

ସୌମ୍ୟ କହିଲା, ଏକଥା ପଛେ ବିଚାର କରିବା । ମୁଁ ନିଜେ ସିରାଜକୁ ଡାକିବି, ରାଜୁକୁ ବି ଡାକିବି... ତୁମେ ସବୁ ମୋ ଉପରେ ସେ ଦାୟିତ୍ୱ ଛାଡ଼ିଦିଅ । ବର୍ତ୍ତମାନ ଆଉ ଗୋଟେ ଜରୁରୀ ବିଷୟରେ ମୁଁ ତୁମମାନଙ୍କର ମତ ନେବାପାଇଁ ଆସିଛି ।

 

ନରସିଂହ କହିଲା–କୁହ ବାବୁ କୁହ ... କିନ୍ତୁ ଆମ ଲୋକ ମାଡ଼ ଖାଇବ–ଇଏ ସହି ହେବ ନାଇଁ.... ।

 

ସୌମ୍ୟ କହିଲା–ତମେ ସବୁ ଏଇ ବସ୍ତିରେ ରହିଛ ବର୍ଷ ବର୍ଷ ଧରି । ମ୍ୟୁନିସିପାଲିଟି ଘରଭଙ୍ଗା ଅଭିଯାନ ଆରମ୍ଭ କରିଛି... ତା’ର ପ୍ରତିରୋଧ କରିବାକୁ ହେବ । ଜମି ଉପରେ ତୁମ୍ଭମାନଙ୍କର ଅଧିକାର ଗ୍ରହଣ କରି ମ୍ୟୁନିସିପାଲିଟି ଯଦି ପଟ୍ଟା ନ ଦିଏ ଆନ୍ଦୋଳନ ଚାଲିବ... ।

 

ସମସ୍ତେ ସମସ୍ୱରରେ କହିଲେ–ମରିବୁ ପଛେ ଉଠିବୁ ନାହିଁ ।

 

ସୀତା କହିଲା–ମୁଁ ବିଧବା, ନିରାଶ୍ରିତା... ଆଉ କୁଆଡ଼ିକୁ ଯିବି ଯେ... ?

 

ତାକୁ ସାନ୍ତ୍ୱନା ଦେଇ କହିଲା କାମେୟା–ମୁଁ ଯୋଉଠି ରହିବି ତୁ ବି ସେଇଠି ରହିବୁ ମାଉସୀ ।

 

–ତୋର ଭାରିଜା ମୋତେ ରଖିବରେ କାମେୟା ?

 

–ସେ କିଏ କି ? ତୋତେ ନ ରଖିଲେ ତାକୁ ବାହାରି ଯିବାକୁ ପଡ଼ିବ... ।

 

ସମସ୍ତେ ଜାଣନ୍ତି ‘କାମେୟା କହେ ଯାହା କରେ ତାହା’ । ଲୋକଟାର ପେଟରେ କିଛି ରହେ ନାହିଁ ।

 

ସୀତା କିନ୍ତୁ ଜଣକର ନୁହେଁ, ସମସ୍ତଙ୍କର ମାଉସୀ । ସବୁ ଘରେ ତା’ର ସମାନ ଅଧିକାର-। ସେ କିଛି କହିଲେ ତାହା କାଟି ଦେବ ଇମିତି ସାହସ କାହାରି ନାହିଁ । ଏ ବସ୍ତି ଆରମ୍ଭ ଦିନରୁ ସେ ରହିଆସିଛି । କେନାଲରେ କେତେ ପାଣି ବହିଗଲାଣି ଏ ଭିତରେ, ସୀତା ବୁଢ଼ୀ ହୋଇଗଲାଣି; କିନ୍ତୁ ତା’ର ସମ୍ମାନ କମିନି । ପଚିଶ ବର୍ଷ ବୟସରେ ସ୍ୱାମୀ କାଠଯୋଡ଼ି ବନ୍ୟାରେ ଭାସି ଯାଉଥିବା ଜଣେ ଲୋକକୁ ଉଦ୍ଧାର କରିବାକୁ ଯାଇ ନିଜେ ଭାସିଗଲା । ଆଉ ପତ୍ତା ମଳିଲା ନାହିଁ । ସେଇଦିନୁ ଶାଢ଼ି ଶଙ୍ଖା ପିନ୍ଧି ସେମିତି ରହିଛି ସୀତା । ସେ କହେ ଯେ ତା’ର ସ୍ୱାମୀ କୋଉଠି ରହିଯାଇଛି ଜରୁରୀ କାମରେ.... ସମୟ ପାଇଲେ ନିଶ୍ଚେ ଆସିବ । ତା’ କଥା ସମସ୍ତେ ଶୁଣନ୍ତି, କିନ୍ତୁ ପ୍ରତିବାଦ କରନ୍ତି ନାହିଁ ।

 

କାହାଘରେ କେହି ବାଧିକି ପଡ଼ିଲେ କିମ୍ବା କାହାର ଗର୍ଭ କଷ୍ଟ ଆରମ୍ଭ ହେଲେ ଡାକ ବା ନ ଡାକ ସୀତା ମାଉସୀ ହାଜର । ପର୍ବପର୍ବାଣୀରେ କିନ୍ତୁ ମାଉସୀର ଦେଖା ମିଳେନି । ସମସ୍ତେ କହନ୍ତି ସେତେବେଳ ସୀତା ମାଉସୀ କବାଟ କିଳି ନିଜ ଘର ଭିତରେ ଶୁଏ, କେନାଲ ଆଡ଼କୁ ଚାହିଁ ଚାହିଁ ଆଖିରୁ ଲୁହ ପୋଛେ ।

 

ସୀତା ମାଉସୀ ଖୁସି ହୋଇଗଲା କାମେୟାର କଥା ଶୁଣି । ତା’ର ଏତେ ପୁଅ ଥାଉ ଥାଉ ଚିନ୍ତା କାହିଁକି କରିବ ସେ ! ତଥାପି କହିଲା, ସରକାର ପରା ବଡ଼ ଦୟାବନ୍ତ ପୁରୁଷ... ତାକୁ କହୁନ ସମସ୍ତେ... ?

 

ସୌମ୍ୟ କହିଲା–ଦିନେ ଶୋଭାଯାତ୍ରାରେ ଯିବା ସରକାର ପାଖକୁ । ସେଦିନ ତମେ ଆଗେ ଆଗେ କିନ୍ତୁ ଚାଲିବ ମାଉସୀ ।

 

ସୀତା ମାଉସୀ ଆହୁରି ଖୁସି ହେଲା । ସେ ଆଗେ ଆଗେ ଚାଲିବ, ଆଉ ତା’ ପଛେ ପଛେ ବସ୍ତିର ସମସ୍ତେ ।

 

ନରସିଂହ କହିଲା–ସବୁ ବସ୍ତିର ଗୋଟେ ଗୋଟେ ନାମ ଅଛି । ଆମ ବସ୍ତିର ନାହିଁ... ।

 

ସୀତା ମାଉସୀ କହିଲା–ଇଏତ ରାବଣର ଗଡ଼ ପାଖରେ ପାତାଳପୁରୀରେ ନରସିଂହ... ।

 

ସୌମ୍ୟ ଘୋଷଣା କରିଦେଲା–ସୀତା ମାଉସୀଙ୍କ କଥା ଅନୁସାରେ ଆଜିଠାରୁ ମାଲଗୋଦାମ ବସ୍ତିର ନାମ ରହିଲା–ପାତାଳପୁର ।

 

ଜୟ ପାତାଳପୁର କୀ ଜୟ...

 

ସ୍ଲୋଗାନ ଦେଲେ ସନିଆ, କାମେୟା, ନରସିଂହ...

 

ସଭା ଭଙ୍ଗ ହେଲା ।

 

ଯିଏ ଯାହାର ଘରକୁ ଚାଲିଗଲେ । ରିକ୍‌ସା ଛିଡ଼ା କରେଇ କହିଲା ସାଇମନ୍, କଲେଜ ଆଡ଼କୁ ଯିବୁ ବାବୁ ?

 

ସୌମ୍ୟ ତା’ ପିଠିରେ ହାତମାରି କହିଲା, ଏଇନେ ମାଲଗୋଦାମରୁ ଅନେକ ସବାରୀ ପାଇବୁ ସାଇମନ...ଜଲଦି ଜଲଦି ଚାଲି ଯା....

 

ସାଇମନ୍ ରିକ୍‌ସା ଚଢ଼ି ଘଣ୍ଟି ବଜେଇ ଚାଲିଗଲାବେଳେ କହିଗଲା–କାଲି କିନ୍ତୁ ମୁଁ ସକାଳେ ପଢ଼ିବା ପାଇଁ ଆସିପାରିବିନି ବାବୁ... କାଲି ଚର୍ଚ୍ଚକୁ ଯିବି ଯେ... ରବିବାର... ।

 

ସୌମ୍ୟ ହାତ ହଲାଇ ବିଦାୟ ଦେଲା ସାଇମନକୁ ।

 

ଏଇ କେତେଦିନ ହେଲା ସୁଦର୍ଶନ ମାଷ୍ଟର ଯେଉଁ ସ୍କୁଲ ଖୋଲିଛନ୍ତି ସେଠାରେ ସନ୍ଧ୍ୟାରେ ବୟସ୍କମାନଙ୍କୁ ପଢ଼ାଏ ସୌମ୍ୟ । ଯୋଉମାନେ ସନ୍ଧ୍ୟାରେ ଆସି ନ ପାରନ୍ତି, ସେମାନଙ୍କ ପାଇଁ ଶନିବାର ଆଉ ରବିବାର ହପ୍ତାରେ ଦୁଇଦିନ ସକାଳେ କ୍ଲାସ ହୁଏ । ସାଇମନ୍ ସକାଳ କ୍ଲାସ୍‌ର ଛାତ୍ର-। ସେ କିନ୍ତୁ ବୁଦ୍ଧିମାନ । ସାତ ଦିନରେ ଥରେ କ୍ଲାସ କରି ବି ଅନ୍ୟମାନଙ୍କଠାରୁ ପାଠପଢ଼ାରେ ଆଗୁଆ ।

 

ସମସ୍ତେ ଚାଲିଯିବା ପରେ ସୀତା ମାଉସୀ ସୌମ୍ୟକୁ ତା’ ଘରକୁ ଡାକିନେଲା ।

 

ମାଉସୀର ବଖରାଏ ନୁଆଁଣିଆ ଚାଳଘରର ଚଟାଣ ସନ୍ତସନ୍ତିଆ । କେନାଲ କଡ଼ରେ ଘର ବୋଲି କାନ୍ଥର ଫୁଟେ ପର୍ଯ୍ୟନ୍ତ ପାଣିର ଦାଗ ସୁସ୍ପଷ୍ଟ । କେନାଲରେ ବର୍ଷାଦିନେ ବେଶୀ ପାଣି ଛାଡ଼ିଲେ ବର୍ଷା ପାଣି ଓ କେନାଲର ପାଣି ମିଶି ସୀତା ମାଉସୀ ଏବଂ କେନାଲ କୂଳରେ ଥିବା ଅନ୍ୟମାନଙ୍କର ଘର ଭିତରକୁ ପାଣି ପଶେ । ସେତେବେଳେ ସବୁ ସମ୍ବଳ ଉଠେଇ ନେଇ ଉଚ୍ଚ ସ୍ଥାନକୁ ଉଠି ଯିବାକୁ ହୁଏ ।

 

ମାଉସୀ କହିଲା–ତତେ ଏକା ଡାକି ଆଣିଲି ଗୁପତ କଥା ହାଟରେ କହିବି ନାଇଁ ବୋଲି...-

 

ସୌମ୍ୟ କହିଲା–କୁହ ମାଉସୀ... ।

 

ମାଷ୍ଟରଙ୍କୁ ଟିକେ ସାବଧାନ କରିଦବୁରେ ପୁଅ... ଝିଅକୁ ଏକା ଛାଡ଼ିବେ ନାହିଁ । ଆଖି ଆଗରେ ରଖିବେ ?

 

ସୌମ୍ୟ କହିଲା କିଛି ଶୁଣିଲ ମାଉସୀ ?

 

ସୀତା ମାଉସୀ କହିଲା–ଝିଅ ନୁହେଁ ଯେ ହୀରା ଖଣ୍ଡେ । କାହା ଜିଭରେ ହାଡ଼ ଅଛି ଅପବାଦ ଦବ ତାକୁ ? କିନ୍ତୁ ବସ୍ତିର ସମସ୍ତେ ତ ଭଲ ଲୋକ ନୁହନ୍ତି ? ବଦମାସ ବି ଅଛନ୍ତି ଏଠାରେ ... ।

 

–କାହା କଥା କହୁଛୁ ମାଉସୀ... ?

 

–ଏଇ ରାଜୁ, ସିରାଜ ଆଉ ତା’ ଦଳ କଥା । ପିଲାଗୁଡ଼ା ଅବାଟରେ ଯାଉଛନ୍ତି । ବଡ଼ସାନଙ୍କ କଥା ମାନନ୍ତିନି । ମୁଁ ସେଦିନ କଥା ପଡ଼ିବାରୁ ଯେମିତି କହିଛି ପରଝିଅ ଉପରେ ଆଖି ନ ପକେଇବା ପାଇଁ, ରାଜୁଟା ମାଡ଼ି ଆସିଲା ମୋ ଆଡ଼କୁ । ନିଶା ଭାଙ୍ଗ କରେ ଯେ କଅଣ କହେ ଜ୍ଞାନ ରହେନି ତା’ର । ଅଥଚ ତା’ ବାପକୁ ଦେଖ... ମାଛିକୁ ‘ମ’ କହିବ ନାହିଁ–ଏଇ ବସ୍ତିରେ ରହି ବି ନିଜ ଉପାୟରେ ଚାରିଟା ରିକ୍‌ସା ଚଳେଇଚି, ଗୋଟେ ଚାହା ଦୋକାନ କରିଛି । ଏ ଟୋକା ଘରେ ଖାଇ ବାହାରେ ବୁଲୁଛି ।

 

ସୌମ୍ୟ କହିଲା–ତମେ ନିଶ୍ଚିତ ରୁହ ମାଉସୀ । ମୁଁ ନିଜେ ରାଜୁକୁ ବାଟକୁ ଆଣିବା ପାଇଁ ଚେଷ୍ଟା କରୁଛି । ଟୋକାଗୁଡ଼ା କିମିତି ଅବାଟରେ ଚାଲି ଯାଉଛନ୍ତି । ସେମାନଙ୍କ ସୁଧାରିବାକୁ ପଡ଼ିବ-। ରାଜୁର ବୁଦ୍ଧି ଅଛି, ଏଇ ବସ୍ତିରେ ସେ ସବୁଠୁ ବେଶୀ ପାଠୁଆ–ମାଟ୍ରିକ୍‌ ପାସ୍ କରି ଆଇ.ଏ. ପଢ଼ୁଥିଲା...

 

ସୀତା ମାଉସୀ ଘର ଯାକ ଅଣ୍ଡାଳି ପକେଇଲା କିନ୍ତୁ ସୌମ୍ୟକୁ ଦବା ଭଳି କିଛି ନ ପାଇ କହିଲା–ଘରେ ଖୁଦ ଭଜା ବି ମୁଠାଏ ନାହିଁରେ ପୁଅ.. ଖାଲି ଖାଲି ଇମିତି ଫେରିଯିବୁ... ?

 

ସୌମ୍ୟ ଥଳିରୁ ବାହାର କରି ମା’ ପଠେଇଥିବା ଆରିସାପିଠାରୁ ଦୁଇଟା ସୀତା ମାଉସୀ ହାତକୁ ବଢ଼େଇ ଦେଇ କହିଲା–ମା’ ଗାଁଆରୁ ପଠେଇଛି ମାଉସୀ– ତୁମ ପାଇଁ ଏତକ ।

 

ସୀତା ମାଉସୀ ସୌମ୍ୟକୁ ଛାତି ଉପରେ ଆଉଜାଉ ନେଇ କହିଲା–ତୁ ମୋର ବି ପୁଅରେ ।

 

ପ୍ରତିବର୍ଷ ଦୋଳ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରନ୍ତି ପାତାଳପୁର ବସ୍ତିର ଅଧିବାସୀମାନେ-

 

ସାତଦିନ ଧରି ଠାକୁରଙ୍କର ଝୁଲଣ ହୁଏ ବସ୍ତି ମଝିରେ । ରଙ୍ଗ ଖେଳନ୍ତି ଛୋଟବଡ଼ ସମସ୍ତେ । ନାଚଗୀତ ବି ହୁଏ ଦିନେ ଦୁଇଦିନ । ଗତବର୍ଷ ଗଞ୍ଜାମରୁ ଗୋଟିପୁଅ ନାଚଦଳ ଆସିଥିଲା । ଏବର୍ଷ ସମସ୍ତେ ମିଶି କନକପୁର ଅପେରା ଆଣିବା ପାଇଁ ସ୍ଥିର କରିଛନ୍ତି । କନକପୁର ଅପେରା ରାତିକୁ ଦୁଇ ହଜାର ଟଙ୍କା ନିଅନ୍ତି । ଯିବା, ଆସିବା, ଖାଇବା, ରହିବା ସ୍ୱତନ୍ତ୍ର । ଦୁଇ ରାତି ପାଇଁ ପ୍ରାୟ ପ୍ରାୟ ପାଞ୍ଚହଜାର ଟଙ୍କା ଖର୍ଚ୍ଚ ହୋଇଯିବ ସେମାନଙ୍କ ପଛରେ । ଚାନ୍ଦା ଆଦାୟ ଚାଲିଛି-। ସାତ ଆଠ ହଜାର ନ ହେଲେ ନ ଚଳେ । ଅନ୍ୟାନ୍ୟ ଖର୍ଚ୍ଚ ଅଛି ।

 

ଟୋକାମାନେ ଲାଗିଛନ୍ତି ବୀର ବିକ୍ରମରେ । ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ରାଜୁ ଆଉ ତା’ର ସାଙ୍ଗମାନେ, କାମେୟା, ସାଇମନ, ନରସିଂହ, ସନିଆ ପ୍ରଭୃତି । ସମସ୍ତଙ୍କୁ ପୁଣି ଏକ କରିଦେଇଛି ଦୋଳଯାତ୍ରା ।

 

ଏପାଖ ବସ୍ତିରେ କନକପୁର ଅପେରା ଦୁଇଦିନ ଧରି ନାଟ ଦେଖେଇବ, ଏଇ ଖବର ରଟିଗଲାଣି ଚତୁର୍ଦ୍ଦିଗରେ । ପ୍ରଥମ ଦିନ ରାବଣ ବଧ, ଦ୍ୱିତୀୟ ଦିନ କର୍ଣ୍ଣାର୍ଜୁନ । କାନ୍ଥରେ, ବାଡ଼ରେ, ମାଲଗୋଦାମ ଛକରେ ପୋଷ୍ଟର ବି ମରା ହୋଇଛି କେତେ ଜାଗାରେ । କେବଳ ମାଲଗୋଦାମା ବସ୍ତି ଅଞ୍ଚଳକୁ ନୁହେଁ, କୌଣସି ବସ୍ତି ଅଞ୍ଚଳକୁ କନକପୁର ଅପେରା ଆସିବା ଏଇ ପ୍ରଥମ ।

 

ବସ୍ତି ଶେଷରେ କୋଇଲା ଡିପୋ ପାଖରେ ପେଣ୍ଡାଲ ତିଆରି ଚାଲିଛି । ଏବର୍ଷ ଲୋକ ଭିଡ଼ ବେଶୀ ହେବ ବୋଲି ବସ୍ତି ମଝିରେ ନ କରି ଟିକେ ବଡ଼ଖୋଲା ଜାଗାରେ କରିବା ପାଇଁ ଆୟୋଜନ ଚାଲିଛି । ନାଟଦଳ ରହିବା ପାଇଁ ଗୋଟେ ଖାଲି ଗୋଦାମ ଭଡ଼ା ନିଆ ହୋଇଛି ।

 

ପ୍ରତିବର୍ଷ ରଙ୍ଗ ଖେଳ ହୁଏ ତିନିଦିନ, ଆଉ ଚାରିଦିନ ଅବିର । ଏବର୍ଷ ବି ସେଇ ସାତଦିନ ଅବିର ଓ ରଙ୍ଗଖେଳ ପାଇଁ ନିର୍ଦ୍ଦିଷ୍ଟ ହୋଇ ରହିଛି । କିନ୍ତୁ ଚଳିତ ବର୍ଷର ଆଉ କେତେକ ନୂଆ କାର୍ଯ୍ୟକ୍ରମ ବି ରହିଛି । ହୁଲିପୋଡ଼ିବା ପରେ ଆତସବାଜି ହେବ । ରାଜୁ ଆଉ ତା’ର ଦଳ ଏଥିପାଇଁ ପୁରା ଦାୟିତ୍ୱ ନେଇଛନ୍ତି ।

 

ଠିକ୍ ଦୋଳଯାତ୍ରା ପରେ ପରେ ମ୍ୟୁନିସିପାଲିଟିର ନିର୍ବାଚନ ।

 

ସୁଦର୍ଶନ ମାଷ୍ଟରଙ୍କୁ ଛିଡ଼ା କରେଇବା ପାଇଁ ସର୍ବସମ୍ମତ ନିଷ୍ପତ୍ତି ନିଆ ହୋଇଛି । ମାଷ୍ଟ୍ରେ ନା, ନା, କରୁଥିଲେ, କିନ୍ତୁ ବାଧ୍ୟ ହୋଇ ରାଜି ହେଲେ ଶେଷରେ । ପାତାଳପୁର ବସ୍ତିରେ ହଜାରେ ଭୋଟ୍‍ ଥୁଆ ହୋଇ ରହିଛି ତାଙ୍କ ପାଇଁ । ମାଲଗୋଦାମ, ରେଭେନ୍‍ସା କଲେଜ ପଛ ଅଞ୍ଚଳର ଏବଂ ଷ୍ଟେସନ ବଜାରର ଅନ୍ୟ ଭୋଟ୍‍ରମାନଙ୍କ ମଧ୍ୟରୁ କିଛି ଭୋଟ୍‍ ଯେ ଏ ଆଡ଼କୁ ଆସିବ ଏଥିରେ ନିଃସନ୍ଦେହ ସମସ୍ତେ । ପାଞ୍ଚଟି ରାଜନେୈତିକ ଦଳ ପକ୍ଷରୁ ପାଞ୍ଚଜଣ ପ୍ରାର୍ଥୀ ଛିଡ଼ା ହୋଇଥିଲେ ବି ପ୍ରଗତିବାଦୀ ଦଳ ଓ ଗଣତାନ୍ତ୍ରିକ ସଂଗ୍ରାମ ସମିତି ମଧ୍ୟରେ ପ୍ରକୃତରେ ପ୍ରତିଦ୍ୱନ୍ଦ୍ୱିତା ହେବ । ସେମାନଙ୍କ ଭିତରେ ବିଭେଦର ସୁଯୋଗ ନେଇ ମାଲଗୋଦାମ ବସ୍ତି ଅଞ୍ଚଳର ଲୋକେ ଛିଡ଼ା କରେଇଛନ୍ତି ସୁଦର୍ଶନ ସାହାଣୀଙ୍କୁ ।

 

ଦୋଳ ଉତ୍ସବ ପାଇଁ ପ୍ରସ୍ତୁତି ଯେପରି ଯୋର୍‌ସୋର୍‍ ଚାଲିଛି, ତା’ଠାରୁ ଆହୁରି ଯୋର୍‌ରେ ପ୍ରଚାର ଚାଲିଛି ସବୁ ପକ୍ଷରୁ । ସୁଦର୍ଶନ ମାଷ୍ଟରଙ୍କ ପ୍ରଚାରର ଦାୟିତ୍ୱ ନେଇଛି ସୌମ୍ୟ । ମାଲଗୋଦାମ ବସ୍ତିର ସବୁ ଭୋଟ୍‍ ଯେ ନିଶ୍ଚିତ ଭାବରେ ପାଇବେ ଏହା ଧରି ନେଇ ଷ୍ଟେସନ ବଜାର, ରେଭେନ୍‍ସା କଲେଜ ପଛ ଓ ମାଲଗୋଦାମ ଅଞ୍ଚଳରେ ପ୍ରଚାର କାର୍ଯ୍ୟ ତୀବ୍ରତର କରାଯାଇଛି ।

 

ସୁଦର୍ଶନ ସକାଳୁ ବାହାରି ଯାଆନ୍ତି ଯେ ଫେରନ୍ତି ରାତି ବାରଟା ଗୋଟେ ପରେ । ଦିନେ ଦିନେ ଆହୁରି ଡେରିରେ ।

 

ଦୋଳ ପୂର୍ଣ୍ଣିମା ପରେ ରାଜୁ ଆଉ ତା’ର ଦଳ ପୂର୍ଣ୍ଣ ପ୍ରାଣରେ ନିର୍ବାଚନ ପ୍ରଚାରରେ ଅବତୀର୍ଣ୍ଣ ହେବେ ବୋଲି ପ୍ରତିଶ୍ରୁତି ଦେଇଛି ରାଜୁ ।

 

ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ପ୍ରଥମେ ଅମଙ୍ଗ ହୋଇଥିଲେ ସୁଦର୍ଶନ ମାଷ୍ଟ୍ରେ । କିନ୍ତୁ ସମସ୍ତେ ଜିଦ୍‌ କଲେ ଯେତେବେଳେ ସେ ମନା କରିପାରିଲେ ନାହିଁ । ସୌମ୍ୟ ତାଙ୍କୁ କହିଥିଲା ଯେ ଯଦି ବା ସେ ଏପରି ନିର୍ବାଚନରେ ବିଶ୍ୱାସ କରେ ନାହିଁ, ତାଙ୍କଠାରୁ ଭଲ ଲୋକ ଆଉ କେହି ନାହାନ୍ତି ଅଞ୍ଚଳର ପ୍ରତିନିଧିତ୍ୱ କରିବା ପାଇଁ । ଜଣେ କାଉନ୍‌ସିଲର ସଚ୍ଚୋଟ ହେଲେ କଟକ ସହରର ଚେହେରା ବଦଳି ଯିବ ନାହିଁ କିମ୍ବା ସବୁ ସମସ୍ୟା ସମାଧାନ ହୋଇଯିବ ନାହିଁ, କିନ୍ତୁ ରାବଣ ରାଜ୍ୟରେ ରାମନାମ ଶୁଣାଯିବା ପରି ଜଣେ ହେଲ କେହି ତ ଲଢ଼ିବ ଗରିବଙ୍କ ପାଇଁ, ନୀତି ଓ ନୈତିକତା ପାଇଁ !

 

ସୁଦର୍ଶନ ମାଷ୍ଟ୍ରେ ଇଲେକ୍‌ସନରେ ମାତିବା ଦିନୁ ସୁଜାତା ବଡ଼ ନିଃସଙ୍ଗ ଅନୁଭବ କରୁଛି । ଆଗେ ସେ କଲେଜ୍‌କୁ ଯାଉଥିବାବେଳେ ପିତା ତାକୁ ଆଗେଇ ଦେଇ ଆସୁଥିଲେ ଏବଂ କଲେଜରୁ ଫେରିବାବେଳକୁ ଉଦ୍‌ବିଗ୍ନ ଭାବରେ ଅପେକ୍ଷା କରୁଥିଲେ; ଏବେ ସେ ଯିବାବେଳକୁ ବା ଫେରିବାବେଳକୁ ଘରେ ନ ଥାନ୍ତି ସେ । ଆଉ ରାତି ଗୋଟେ ଦୁଇଟା ଯାଏ ଏକାକୀ ଘରେ ରହିବା ପାଇଁ ଭୟ କରେ ସୁଜାତା ।

 

ସୌମ୍ୟ ଦିନେ ଦିନେ ସାଙ୍ଗ ଦିଏ । ସେ ଉପସ୍ଥିତ ଥିଲେ ଖାଲି ନିଶଙ୍ଗ ହୁଏନି ସୁଜାତା, ତାକୁ ଭଲ ବି ଲାଗେ । ସୌମ୍ୟକୁ ପ୍ରତିଦିନ ଅପେକ୍ଷା କରେ ସେ । କିନ୍ତୁ ଦୁନେ ଦୁଇଦିନ ସେ ଆସି ନ ପାରିଲେ ସୁଜାତା ଯେପରି ତାକୁ ଅନେକ ଦିନ ହେବ ଦେଖିନାହିଁ, ସେହିପରି ଅନୁଭବ କରେ । ବସ୍ତିରେ ଏତେ ଲୋକ ଥିବାବେଳେ କାହିଁକି ଯେ ସୌମ୍ୟକୁ ସେ ଅଧିକ ଖୋଜେ, କାହିଁକି ତାକୁ ଦେଖିବାକ୍ଷଣି ତା’ର ପ୍ରାଣ ପୁଲକିତ ଏବଂ ଶରୀର ରୋମାଞ୍ଚିତ ହୁଏ, ସେ ଜାଣିପାରେନି । ସୌମ୍ୟ କଅଣ ସେହିପରି ତା’ କଥା ଭାବେ, ତାକୁ ଦେଖିବା ପାଇଁ ଅପେକ୍ଷା କରେ ? ପଚାରିବ ପଚାରିବ ହୋଇ ତାକୁ ପଚାରି ପାରେନି ସୁଜାତା । ସୌମ୍ୟକୁ ଦେଖିଲା କ୍ଷଣି ଇମିତି ଗୋଟିଏ ପୂର୍ଣ୍ଣତା ତାକୁ ଆଚ୍ଛନ୍ନ କରେ ଯେ ସେ ତାହାରି କଥା ଛାଡ଼ି ଆଉ କିଛି କହିବା ପାଇଁ ଭୁଲିଯାଏ ।

 

ଜୀବନର ଏଇ ପ୍ରଥମ ଅନୁଭୁତି ପ୍ରତିଶ୍ରୁତିରେ ପୂର୍ଣ୍ଣ । ସେଥିପାଇଁ ସୌମ୍ୟ ପାଖରେ ଥାଉ ବା ନ ଥାଉ ତା’ କଥା ଭାବିଲେ ସେ ପୁଲକିତ ହୁଏ । ଉଲ୍ଲସିତ ହୁଏ ମନ । ଯେପରି ଅନାଦି କାଳରୁ ସେ ଅପେକ୍ଷା କରୁଥିଲା ଏଇ ପ୍ରତୀକ୍ଷିତ ପୁରୁଷକୁ । ସୌମ୍ୟକୁ କହିବ କହିବ ହୋଇ କହିପାରେନି କିଛି । ଆଉ ସେ ପୁରୁଷ ହୋଇ କାହିଁକି ଏମିତି ଗୋଟେଇ ରଖେ ନିଜକୁ ବୁଝିପାରେନି ସୁଜାତା ।

 

ସେ ଖଟ ଉପରେ ବସି ଏଇସବୁ କଥା ଭାବୁଥିଲାବେଳେ ସୌମ୍ୟର ସ୍ୱର ଶୁଣିଲା ବାହାରୁ ।

 

କବାଟ ଖୋଲିବାବେଳକୁ ଆଗରେ ସୌମ୍ୟକୁ ଦେଖି ହଠାତ୍ ତୁଣ୍ଡରୁ ବାହାରି ଗଲା ସୁଜାତାର, ଏତେଦିନେ ମନେପଡ଼ିଲା ?

 

–ଏଇତ ରବିବାର ଦିନ ଆସିଥିଲି... । କହିଲା ସୌମ୍ୟ ।

 

–ଆଜି ବୁଧବାର ମନେଅଛି ନିଶ୍ଚୟ... ।

 

–ଅନେକ କାମ ହାତରେ । ଆସି ପାରିନି... ।

 

–ମନ ଥିଲେ ଆସି ହୁଏ... ।

 

–ମନ ଥିଲ ବି ଆସି ହୁଏନି, ସମୟ ହୁଏନି ।

 

–ଆଜି କିଏ ବାଧ୍ୟ କଲା ଆସିବା ପାଇଁ... ?

 

–ତୋ କଥା ଭାରି ମନେପଡ଼ିଲା । ଭଲମନ୍ଦ ବୁଝିନି ତିନିଦିନ ହେଲା ।

 

–ମୋ କଥା ମନେପଡ଼େ ?

 

–କାହିଁକି ପଡ଼ିବନି... ତୁ ତ ପୁଣି ମୋ କଥା ଏତେ ଭାବୁ... ?

 

–ବାଃ ରେ ! ତୁମ ଆଉ ମୋ ଭିତରେ ଫରକ ନାହିଁ... ମୁଁ ଝିଅ... ତୁମେ ତ.... !

 

–ଥାଉ ଥାଉ । ଭୋକ କରୁଛି । କିଛି ଅଛି ଘରେ ?

 

–ସୁଜାତା ଅଣ୍ଡାଳି ପକେଇଲା ଘରଯାକ । କିଛି ନାହିଁ । ସେ ଲାଜେଇ ଯାଇ କହିଲା, ଏଇନେ ନେଇ ଆସୁଛି ଦେକାନରୁ ... ।

 

ତାକୁ ମନା କଲା ସୌମ୍ୟ । ଥାଉ, ବଜାରରୁ କିଛି ଆଣିବା ଦରକାର ନାହିଁ ।

 

ସୁଜାତା ନିରୁପାୟ ହୋଇ କହିଲା, ବାପା ଇଲେକ୍‌ସନରେ ମାତିଛନ୍ତି... ହାତ ଶୂନ୍ । ଖଜୁରୀଲାଲ ଦରମା ବନ୍ଦ କରି ଦେଇଛି ।

 

–ମୋର ବି ଇଚ୍ଛା ଥିଲାନି, କିନ୍ତୁ କେହି ଭଲ ଲୋକ ଜଣେ ନ ଜିତିଲେ ଠଗଙ୍କ ହାତରେ ପଡ଼ିବ ଶାସନ... ।

 

–କିନ୍ତୁ ଘର ଯେ ଅଚଳ ହେଲାଣି ଏଣେ... !

 

–ସବୁ ଠିକ୍ ହୋଇଯିବ । ତୁ ରଖିଥା ଏଇ ଟଙ୍କା । ଦରକାର ହୋଇପାରେ... ।

 

ତା’ ହାତରୁ ଥରିଲା ହାତରେ ଟଙ୍କା ନବାବେଳେ ଝାଳେଇ ଗଲା ସୁଜାତା । ଆଜି ଏଇ ପ୍ରଥମ ସେ ଦୁର୍ବଳତା ଅନୁଭବ କରୁଛି । କାହିଁକି ମନଟା ଦୋହଲି ଯାଉଛି ଜାଣିପାରୁନି ।

 

ତା’ ହାତ ଛୁଇଁଲା ସୌମ୍ୟର ଆଙ୍ଗୁଳି ।

ପଲକ ପାଇଁ ଜଳି ଉଠିଲା ସୁଜାତା ।

 

ସୌମ୍ୟ କହିଲା–ଏ ମୋର ଦାନ ନୁହେଁ, ମୁଁ ମଉସାଙ୍କ ପାଖରୁ ନେଇଥିଲି ଦିନେ, ଆଜି ଫେରେଇ ଦଉଛି... ।

 

–ବାପାଙ୍କଠାରୁ ନେଇଥିଲ, ତାଙ୍କୁ ଦେଇଥାଆନ୍ତ, ମୋତେ କାହିଁକି ଦେଲ ?

 

–କାମରେ ଲାଗିବ । ସମୟ ଅଛି ହାତରେ, ଯଦି ବଜାର କିରବାକୁ ହୁଏ, କହ ମୁଁ ଯାଇ ସବୁ ନେଇଆସିବି ।

 

ତାକୁ ମୁହୁର୍ତ୍ତକ ପାଇଁ ବି ଛାଡ଼ି ଦବା ପାଇଁ ଇଚ୍ଛା ହେଉ ନ ଥିଲା ସୁଜାତାର । ସେ କହିଲା, ଏଠି ବସିବା ପାଇଁ ଖରାପ ଲାଗୁଛି ?

 

ତା’ ମୁହଁକୁ ଅନାଇଲା ସୌମ୍ୟ ।

 

ସୁଜାତାର ମୁହଁରେ ଅନୁରାଗର ରଙ୍ଗ ।

 

ସୌମ୍ୟ ସ୍ତବ୍ଧ ହୋଇଗଲା ମୁହୂର୍ତ୍ତେ । ତା’ପରେ କହିଲା–ତୁ କଅଣ କହିବୁ କହୁଥିଲୁ ସେଦିନ ... ଆଜି କହ ।

 

ସୁଜାତା ଲଜ୍ୟାରେ ଲାଲ ପଡ଼ିଗଲା ।

 

ସୌମ୍ୟ କହିଲା–କହ, କହ, ତୋ ତୁଣ୍ଡରୁ ଶୁଣିବାକୁ ଇଚ୍ଛା ହେଉଛି... ।

 

–ତୁମର କିଛି କହିବାର ନାହିଁ ? ଧୀରେ ଧୀରେ କହିଲା ସୁଜାତା ।

 

–ଅଛି... ଅନେକ କଥା କହିବାର ଅଛି ସୁ... । ଥଙ୍ଗେଇ ଥଙ୍ଗେଇ କହିଲା ସୌମ୍ୟ ।

 

–ଆଜି କୁହ... ।

 

–ଦିନ ଆସୁ ମୁଁ ନିଶ୍ଚେ କହିବି ।

 

–ଆଜି ନୁହଁ ?

 

–ସମୟ ହେଲେ କହିବିନି ମୁଁ... ?

 

–ମୁଁ ତୁମରି ମୁହଁରୁ ଆଗ ଶୁଣିବାକୁ ଚାହେଁ... ତୁମେ ଆଜି କୁହ... ଏଇକ୍ଷଣି... ।

 

–ତୋ’ର ଭବିଷ୍ୟତ କଥା ଭାବୁଛି ମୁଁ... ।

 

–ମୋର ଭବିଷ୍ୟତ କଥା ଆଉ ଭାବିବାକୁ ହବନି ତୁମକୁ... । ରାଗି ଯାଇ କହିଲା ସୁଜାତା-

 

–ତୁ ରାଗିଗଲୁ... ?

 

–ମୁଁ ରାଗିଲେ କି ଋଷିଲେ ତୁମର କି ଯାଏ ଆସେ ଯେ... ?

 

ସୁଜାତାର କଣ୍ଠସ୍ୱର ଭାଙ୍ଗି ପଡ଼ୁଥିଲା ।

 

ବାହାରେ କାହାର ପାଦଶବ୍ଦ ଶୁଣି ଉଠି ବସିଲା ସୌମ୍ୟ । ସୁଜାତା ବସି ରହିଲା ପଥର ପ୍ରତିମା ପରି ।

 

ମ୍ୟୁନିସିପାଲିଟି ନିର୍ବାଚନ ଯେତିକି ପାଖେଇ ଆସିଲା, ସେତିକି ଅସ୍ଥିରତା ଏବଂ ଅଶାନ୍ତି ବଢ଼ିଲା ସହରରେ । ସମଗ୍ର କଟକ ସହର ଯେମିତି ରଣକ୍ଷେତ୍ରରେ ପରିଣତ ହୋଇଛି । ବିଭିନ୍ନ ଶିବିରରେ ବିଭକ୍ତ ବିଭିନ୍ନ ଦଳ ପକ୍ଷରୁ ରାତିଦିନ ପ୍ରଚାର କାର୍ଯ୍ୟ ଅବ୍ୟାହତ ରହିଛି । ଠାଏ ଠାଏ ଗୋଟିଏ ଗୋଟିଏ ଦଳର ପ୍ରାଧାନ୍ୟର ସୂଚନା ଦେଇ ଉଡ଼ୁଛି ସେହି ଦଳର ପତାକା । ଦଳୀୟ କର୍ମୀମାନରଙ୍କ ରହିବା ଖାଇବା ଲାଗି ବିଶେଷ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ନିର୍ବାଚନ ଅଫିସ ଖୋଲି ସେହି ଅଞ୍ଚଳର ନିର୍ବାଚନ ପ୍ରଚାର ପରିଚାଳନା କରାଯାଉଛି ସେହି କେନ୍ଦ୍ରରୁ । ବିଭିନ୍ନ ନିର୍ବାଚନ ଅଫିସଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦଳ ପକ୍ଷରୁ କେନ୍ଦ୍ର ଅଫିସରେ ବ୍ୟବସ୍ଥା କରାଯାଇଛି । ମାଲଗୋଦାମ, ଯୋବ୍ରା, ବାଙ୍କା ବଜାର, ତେଲେଙ୍ଗା ସାହି, ବଜ୍ରକବାଟି ପ୍ରଭୃତି ଅଞ୍ଚଳରେ ଉତ୍ତେଜନା ଓ କାହିଁ କାହିଁ ହିଂସାକାଣ୍ଡ ଘଟିବାର ସମ୍ବାଦ ଆସି ପହଞ୍ଚିଛି ଏ ଭିତରେ ।

 

ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି, ସେତିକି ତତ୍ପରତା ପ୍ରକାଶ ପାଉଛି ବିଭିନ୍ନ ଦଳ ପକ୍ଷରୁ । ଏ ଯାଏ କିଏ କଅଣ କରିବେ ତା’ର ତାଲିକା ଦିଆଯାଉଥିଲା ଲୋକମାନଙ୍କୁ । ଏବେ ପ୍ରଚାର ଭିନ୍ନ ମୋଡ଼ ନେଇଛି ! ପରାଜୟ ଆଶଙ୍କା କରୁଥିବା ଦଳ ଅନ୍ୟଦଳ ଉପରେ ହାମଲା ଆରମ୍ଭ କରି ଦେଇଛନ୍ତି, ଏଣେ ଜିତିବା ପାଇଁ ଆଶା ରଖିଥିବା ଦଳ ନିଜର ସ୍ଥାନ ଓ ଶକ୍ତିକୁ ସୁଦୃଢ଼ କରିବା ପାଇଁ ଭୋଟ୍ କେନ୍ଦ୍ର ଦଖଲ କରିନବା ଲାଗି ମଧ୍ୟ ବ୍ୟବସ୍ଥା କରୁଛନ୍ତି । କେହି କେହି ସମସ୍ୟାର ଉତ୍‌ଥାପନ ନ କରି ବାହ୍ୟ ବିଷୟ ଉତ୍‌ଥାପନ କରି ଅଶାନ୍ତି ସୃଷ୍ଟି କରିବା ଲାଗି ଉଦ୍ୟମ ଅବ୍ୟାହତ ରଖିଛନ୍ତି ।

 

ଏହି ପରିପ୍ରେକ୍ଷୀରେ ସୁଦର୍ଶନ ପ୍ରଥମ ଯେଉଁ ଅଗ୍ରଗତି କରିଥିଲେ, ତାହା ପ୍ରତିହତ ହୋଇଥିବାର ସୂଚନା ମିଳୁଛି । ସୁଦର୍ଶନ ଯାହା କେବେ ଆଶଙ୍କା କରୁ ନ ଥିଲେ, ସେହିପରି କେତେକ ଘଟଣା ଘଟିବାକୁ ଆରମ୍ଭ କରିଛି ।

 

ଦୋଳଯାତ୍ରାରେ ପ୍ରତିବର୍ଷ ସବୁ ଜାତି ଓ ସମ୍ପ୍ରଦାୟର ଲୋକ ଯୋଗ ଦିଅନ୍ତି ସ୍ୱେଚ୍ଛାରେ । ଏହା ହିନ୍ଦୁମାନଙ୍କର ପର୍ବ ହୋଇଥିଲେ ମଧ୍ୟ ମୁସଲମାନ ଓ ଖ୍ରୀଷ୍ଟିଆନ ଲୋକମାନେ ମଧ୍ୟ ଅଂଶଗ୍ରହଣ କରିବାର ପ୍ରମାଣ ରହିଆସିଛି ପ୍ରଥମରୁ । କିନ୍ତୁ ସେଦିନ ସାମାନ୍ୟ କଥାରୁ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବା ପାଇଁ ଯେଉଁ ଅପଚେଷ୍ଟା କେହି ଦୁବୃତ୍ତ କରିଥିଲା, ତାହା ସଫଳତା ଆଡ଼କୁ ଅଗ୍ରଗତି କରୁଛି ।

 

ରାତି ବାରଟା ହବ ବୋଧହୁଏ । ସୁଦର୍ଶନ କଲେଜ ଅଞ୍ଚଳରୁ ଫେରୁଥାଆନ୍ତି ସେତେବେଳେ । ସାଙ୍ଗରେ ଥାଆନ୍ତି ଆଉ ପାଞ୍ଚଜଣ ।

 

ସେମାନେ ଓଭରବ୍ରିଜ୍ ପାଖରେ ପହଞ୍ଚିବାବେଳକୁ ଆଉଦଳେ ଲୋକ ଠେଙ୍ଗା, ବାଡ଼ି, ସାଇକଲ ଚେନ୍, ଲୁହାଛଡ଼, ସୋଡ଼ାବୋତଲ ନେଇ ମାଲଗୋଦାମ ଆଡ଼କୁ ଧସେଇ ପଶୁଥିବାର ଦେଖି ଗଣ୍ଡଗୋଳ ଆଶଙ୍କା କରି ପୋଲିସ୍‌କୁ ଖବର ଦବା ପାଇଁ ଜଣେ ସହକର୍ମୀଙ୍କୁ ପଠାଇ ଦେଇ ଅନ୍ୟମାନଙ୍କୁ ସାଙ୍ଗରେ ଧରି ସେମାନଙ୍କ ପଶ୍ଚାତ୍‌ ଧାବନ କଲେ ସୁଦର୍ଶନ ।

 

କିନ୍ତୁ ଆଗେ ଆଗେ ଯାଉଥିବା ସେଇ ଲୋକମାନେ ଚିତ୍କାର କରୁଥାଆନ୍ତି–ଧର୍ମ ବିପନ୍ନ.... ଶିବ ମନ୍ଦିରର ପତାକା ବିଧର୍ମୀମାନେ ପୋଡ଼ି ଦେଲେ... ଆମେ ମରିବୁ ପଛେ ଛାଡ଼ିବୁ ନାହିଁ... ।

 

ସେହି ଉତ୍ତ୍ୟକ୍ତ ଜନତାଙ୍କୁ ଶୃଙ୍ଖଳିତ ଓ ଶାନ୍ତ କରିବାର କୌଣସି ଉପାୟ ନ ପାଇ ସୁଦର୍ଶନ ସାଙ୍ଗମାନଙ୍କୁ ନେଇ ଗୋଟେ ଚଲା ପଥରେ ଦୌଡ଼ିବାକୁ ଲାଗିଲେ । କିନ୍ତୁ ସେମାନେ ମୁସଲମାନ ବସ୍ତି ପାଖରେ ପହଞ୍ଚିବା ପୂର୍ବରୁ ଦୁଇଟି ଘରେ ନିଆଁ ଜଳୁଥିବାର ଦେଖିଲେ । ସେଥିରୁ ଗୋଟିଏ ଘର ଯେ ସିରାଜ୍‌ର ଏଥିରେ ସନ୍ଦେହ ନ ଥିଲା କାହାର ।

 

ସେତେବେଳକୁ ଅନ୍ୟଲୋକ ଯୋଗ ଦେଇ ଥାଆନ୍ତି ସେମାନଙ୍କ ସହିତ । ମୁସଲମାନ ଓ ହରିଜନ ବସ୍ତିରେ ପ୍ରାୟ ପନ୍ଦର କୋଡ଼ିଏଟି ଘର ଜଳି ଉଠିଲା ହୁ ହୁ କରି । ଘର ଭିତରୁ ଜିନିଷ ପତ୍ର ନେଇ ପ୍ରାଣ ବିକଳରେ ପଳେଇ ଆସୁଥିବା ଲୋକଙ୍କ ଉପରେ ସାମ୍ନାରୁ ଆକ୍ରମଣ ହେବାରୁ ସେମାନେ ପଳେଇ ଯାଇ ନ ପାରି ବଳି ପଡ଼ିଲେ କ୍ରୁଧ ହିଂସ୍ର ଜନତା ଆଗରେ । ସେତେବେଳକୁ ଲୋକଙ୍କର ସମବେତ ଚିତ୍କାର ଶୁଣାଯାଉଥାଏ–ମାର, ମାର....ଧର୍ମ ବିପନ୍ନ... ଦେଶ ବିପନ୍ନ.... ବିଧର୍ମୀମାନଙ୍କୁ ନିପାତ କର .... ଶିବ ମନ୍ଦିର ରକ୍ଷାକର.... ହିନ୍ଦୁ ଧର୍ମକୁ ... ରକ୍ଷାକର... ହିନ୍ଦୁସ୍ଥାନ ଅମର ରହେ... ।

 

ସୁଦର୍ଶନ, ସୌମ୍ୟ ଏବଂ ଅନ୍ୟମାନଙ୍କର କଥା ଶୁଣିବା ଅବସ୍ଥାରେ କେହି ନ ଥିଲେ ।

 

ଠିକ୍ ସେତିକିବେଳେ ସୀତା ମାଉସୀ ଘରେ ଆଶ୍ରୟ ନେଇଥିବା ସିରାଜ୍‌କୁ ପାଞ୍ଚଜଣ ଲୋକ ଘୋଷାରି ଆଣି ଛିଡ଼ା କରାଇ ଦେଲେ ଜଳୁଥିବା ଘର ଆଗରେ ।

 

ଜଣେ କହିଲା, ଶିବ ମନ୍ଦିରର ପତାକା ଏଇ ଶଳା ଶଇତାନ ପୋଡ଼ି ଦେଇଛି ... ।

 

ଆଉ ଜଣେ ହୁଙ୍କାର କଲା–ମାର... ମାର... ଶଳାକୁ... ।

 

ତା’ପରେ ଚାରିଆଡ଼ୁ ବୃଷ୍ଟି ହେଲା ଲାଠିମାଡ଼, ପଥର ମାଡ଼ । ସେଇ ମାଡ଼ ଖାଇ ଟଳି ପଡ଼ିଲା ସିରାଜ୍... ।

 

ସୀତା ମାଉସୀ ଭିଡ଼ ଠେଲି ତାର ରକ୍ତାକ୍ତ ଶରୀରକୁ କୋଳ ଉପରକୁ ଉଠେଇ ନବାବେଳେ ଦୁଇଜଣ ତାକୁ ଠେଲି ଦେଇ ସିରାଜ୍‌ର ଜ୍ଞାନହୀନ ଶରୀରକୁ ଧରି ଫିଙ୍ଗି ଦେଲେ ଜଳନ୍ତା ନିଆଁକୁ ।

 

ଆଉ ଠିକ୍ ସେଇ ମୁହୂର୍ତ୍ତରେ ଅନ୍ୟ କେତେଜଣଙ୍କୁ ରକ୍ଷା କରିବାକୁ ଆସି ମାଡ଼ଖାଇ ତଳେ ପଡ଼ିଗଲେ ସୁଦର୍ଶନ ।

 

ସେତିକିବେଳେ ସେ ଦେଖିବାକୁ ପାଇଲେ ଯେ ଯେଉଁମାନେ ବିଧର୍ମୀମାନଙ୍କର ରକ୍ତ ନବାପାଇଁ ହୁଙ୍କାର କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ରାଜୁ ଏବଂ ତା’ର ସାଙ୍ଗମାନେ ।

 

କେହି କାହା କଥା ଶୁଣିବା ଅବସ୍ଥାରେ ନ ଥିଲେ ସେତେବେଳ ।

 

ଏତିକିବେଳେ ପୁଲିସ୍‍ ଓ ଦମକଳ ଆସୁଥିବାର ଖବର ପ୍ରଚାରିତ ହୋଇଗଲା ଏବଂ ସେଇ ହିଂସ୍ର ଜନତା ସଙ୍ଗେ ସଙ୍ଗେ ଗଳିକନ୍ଦି ପାର ହୋଇ ପଳେଇବାକୁ ଲାଗିଲେ ।

 

ପୁଲିସ୍ ଜିପ୍ ଏବଂ ଦମକଳ ପହଞ୍ଚିବା ବେଳକୁ କୋଡ଼ିଏଟିକୁଡ଼ିଆ ଭସ୍ମରେ ପରିଣତ ହୋଇ ସାରିଥିଲା ।

 

ତଥାପି ନିଆଁ ଲିଭାଇବା ପାଇଁ ଲାଗିଗଲେ ଦମକଳ ବାଲା ।

 

ପୁଲିସ୍‍ ଘେର କରି ମୃତ ଓ ଆହତମାନଙ୍କୁ ଏକତ୍ର ଠୁଳ କଲାବେଳକୁ ତିନିଜଣଙ୍କୁ ମୃତ ଏବଂ ଏକୋଇଶ ଜଣଙ୍କୁ ଆହତ ଅବସ୍ଥାରେ ପାଇଲେ । ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ସିରାଜ୍, ତାର ବାପ କରିମ୍ ଖାଁ ଏବଂ ସାଧୁ ସେଠୀ । ଆହତମାନଙ୍କ ମଧ୍ୟରେ ସୀତା ମାଉସୀ, ସୁଦର୍ଶନ ମାଷ୍ଟ୍ରେ, କାମେୟା, ନରସିଂହ ପ୍ରଭୃତି ।

 

ଯେତିକି ଶୀଘ୍ର ଦଙ୍ଗା ଘଟିଗଲା ସେତିକି ଶୀଘ୍ର ଶାନ୍ତ ହୋଇଗଲା ମାଲଗୋଦାମ ବସ୍ତି ଅଞ୍ଚଳ ।

 

ମୃତ ବ୍ୟକ୍ତିମାନଙ୍କର ଲାସ୍‍ ପୋଷ୍ଟମଟମ୍ ପାଇଁ ପୁଲିସ୍ ଗାଡ଼ିରେ ପଠାଇ ଦେଲେ ଏବଂ ଆହତମାନଙ୍କୁ ହସ୍‌ପିଟାଲ ନିଆଗଲା ।

 

ସୁଜାତାକୁ ତା’ ବାପାଙ୍କ ସହିତ ହସ୍‌ପିଟାଲ ପଠେଇ ଦେଇ ପୋଡ଼ି ଯାଇଥିବା ସେଇ ଘରଗୁଡ଼ିକର ଜଳନ୍ତା ଅଂଶକୁ ଚାହିଁଲା ସୌମ୍ୟ ।

 

ତା’ ଆଖି ଆଗରେ ଯେଉଁ ଭାରତବର୍ଷର ଚିତ୍ର ଫୁଟି ଉଠିଲା ତାହା ସେ ଆଉ କେବେ ପ୍ରତ୍ୟକ୍ଷ କରି ନ ଥିଲା ।

 

ଏଇ ଭାରତବର୍ଷ ହଜାରେ ବର୍ଷଧରି ପରାଧୀନ ରହିଥିଲାବେଳେ ସଂହତି ଓ ଐକ୍ୟ ଅଭାବରୁ । ସବୁ ସମ୍ପଦ ଓ ଶକ୍ତିର ଅଧିକାରୀ ହୋଇବି ଏଇ ଭାରତବର୍ଷ ବିଦେଶୀ ଆକ୍ରମଣକାରୀଙ୍କ ଆଗରେ ପଦାନତ ହୋଇଥିଲା ବାରମ୍ବାର ।

 

ସ୍ୱାଧୀନ ଭାରତର ଶକ୍ତି ଓ ସଫଳତାକୁ ଖର୍ବ କରିବା ଲାଗି ଆଉ ଥରେ ନ୍ୟସ୍ତସ୍ୱାର୍ଥ ଚକ୍ରାନ୍ତ କରୁଛି... ।

 

କିନ୍ତୁ ତାହା ବୁଝି ନ ପାରି ସାମୟିକ ଉତ୍ତେଜନାର ବଶୀଭୂତ ହୋଇ ଭାଇ ଭାଇର ତଣ୍ଟି କାଟିବା ପାଇଁ ବଦ୍ଧ ପରିକର... ।

 

କେନାଲଲ ଉପରେ ଉଦ୍ଭାସିତ ହେଉଥିଲା ଚନ୍ଦ୍ରର ପ୍ରତିବିମ୍ବ । ଦକ୍ଷିଣା ପବନ ପୁଣି ବହିବାକୁ ଆରମ୍ଭ କରିଥିଲା ।

 

ବାଷ୍ପାକୁଳ ନୟନରେ ସୌମ୍ୟ ଲକ୍ଷ୍ୟ କଲା କେନାଲର ପ୍ରବହମାନ ଜଳଧାରାକୁ ।

 

ଚନ୍ଦ୍ରାଲୋକରେ ହଠାତ୍ ଝଲସି ଉଠିଲା ଜନନୀ ଜନ୍ମଭୂମିର କରୁଣ ମୁଖମଣ୍ଡଳ... ।

 

ଆଉ ସେଇ ମୁହୂର୍ତ୍ତରେ କେହି ଯେପରି କାନେ କାନେ କହିଗଲା–ଭାରତ ମରିବ ନାହିଁ... ମରି ପାରେନା । ଜାତି, ଧର୍ମ, ଭାଷା ଓ ସମ୍ପ୍ରଦାୟ ନିର୍ବିଶେଷରେ ପ୍ରତ୍ୟେକ ନାଗରିକ ଏହାର ସନ୍ତାନ । ଦେଶ କେବଳ ପାହାଡ଼, ପର୍ବତ, ନଦୀ, ନାଳ, ସଡ଼କ ଓ ସୌଧର ନିର୍ଜୀବ, ନିଷ୍ପ୍ରାଣ ଭୌଗୋଳିକ ଅବସ୍ଥିତି ନୁହେଁ–ଏହା ଜୀବନ୍ତ ଜନନୀର ବରାଭୟ ରୂପ । ଜନନୀ ଜନ୍ମଭୂମିର ସୁରକ୍ଷା ପାଇଁ କୌଣସି ତ୍ୟାଗ ବଡ଼ ନୁହେଁ ।

 

ହଠାତ୍ ହସ୍‌ପିଟାଲ ନ ଯାଇ ସେଇ ଭସ୍ମସ୍ତୁପଆଡ଼କୁ ଅନାଇ କାନ୍ଦୁଥିବା ସୀତା ମାଉସୀର ସ୍ୱର କାନରେ ପଡ଼ିଲା ସୌମ୍ୟର ।

 

ସାର୍ବଜନୀନ ଦୋଳ ଉତ୍ସବ ପାଳନ କରିବା ପାଇଁ ପ୍ରଥମେ ପୁଲିସ୍ ଅନୁମତି ଦେଉ ନ ଥିଲା । ବହୁ ସାଧ୍ୟସାଧନା ପରେ ପୁଲିସ୍‍ ଅନୁମତି ଦେଲା ଗୋଟିଏ ସର୍ତ୍ତରେ ଯେ–ରଙ୍ଗ ଖେଳିବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ । ଅନ୍ୟଧର୍ମର ଲୋକମାନଙ୍କର ମତାମତ ପ୍ରତି ସମ୍ମାନ ପ୍ରଦର୍ଶନ କରି ସେମାନେ ସ୍ୱେଚ୍ଛାରେ ଏଥିରେ ଯୋଗ ନ ଦେଲେ ସ୍ୱତନ୍ତ୍ର ଭାବରେ ନିର୍ବିଘ୍ନରେ ଚଳପ୍ରଚଳ କରିବାରେ କେହି ବାଧା ସୃଷ୍ଟି କରିବେ ନାହିଁ ଏବଂ ବସ୍ତିର ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୁଲିସ୍‌କୁ ସ୍ଥାନୀୟ ଲୋକମାନେ ସାହାଯ୍ୟ କରିବେ ।

 

ସବୁଥିରେ ରାଜିହେଲେ ପାତାଳପୁରର ବାସିନ୍ଦାମାନେ ।

 

ଗଣ୍ଡଗୋଳ ଘଟିଯିବା ପରେ ସବୁଆଡ଼େ କିପରି ଏକ ଅଶ୍ୱସ୍ତିକର ଅଶାନ୍ତ ଭାବ ସଞ୍ଚରି ବୁଲୁଥିଲା । ପୂର୍ବର ସ୍ୱାଭାବିକ ସହଯୋଗ ଓ ସଦିଚ୍ଛା ନ ଥିଲା ପରସ୍ପର ମଧ୍ୟରେ । କେହି କାହାକୁ ବିଶ୍ୱାସ କରିପାରୁ ନ ଥିଲେ । ବର୍ଷ ବର୍ଷ ଧରି ପାତାଳପୁରର ବାସିନ୍ଦାମାନଙ୍କ ମଧ୍ୟରେ ଗଢ଼ି ଉଠିଥିବା ବିଶ୍ୱାସ ଓ ଭାତୃତ୍ୱ ହଠାତ୍ ଯେପରି ଭାଙ୍ଗି ଯାଇଥିଲା କେଉଁ ଅପଶକ୍ତିର ଆଘାତରେ ।

 

ସାମାଜିକ ଜୀବନର ଏକତା ଓ ବନ୍ଧୁତ୍ୱ ଯେ ଏଡ଼େ କ୍ଷଣଭଙ୍ଗୁର ତାହା ଏଇ ପ୍ରଥମ ଜାଣିଲା ସୌମ୍ୟ । ଗଣ୍ଡଗୋଳ ଘଟିବା ଯାଏ ବସ୍ତିର ସମସ୍ତେ ଗୋଟିଏ ଶିବିରର ଲୋକ ଭାବରେ ନିଜକୁ ପରିଚୟ ଦବା ଲାଗି ଗର୍ବ କରୁଥିଲେ, ଅଥଚ ଆଜି ସେମାନେ ଏକାଧିକ ଶିବିରରେ ବିଭକ୍ତ-। ମୁସଲମାନମାନଙ୍କର ଭିନ୍ନ ଗୋଷ୍ଠୀ । ହରିଜନମାନଙ୍କର ଅନ୍ୟ ଏକ ଗୋଷ୍ଠୀ । ଖ୍ରୀଷ୍ଟିୟାନ ମାନଙ୍କର ସ୍ୱତନ୍ତ୍ର ଗୋଷ୍ଠୀ । ସବର୍ଣ୍ଣ ହିନ୍ଦୁମାନେ ଅନ୍ୟ ଏକ ଗୋଷ୍ଠୀରେ । ଯେଉଁମାନେ ଗରିବ, ଅସହାୟ ବୋଲି ଏ ଯାଏଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ର ହୋଇ ପାରୁଥିଲେ, ପରସ୍ପରର ସୁଖୁଃଖରେ ଅଂଶଗ୍ରହଣ କରୁଥିଲେ, ସେମାନେ ଆଜି ବହୁଧା ବିଭକ୍ତ, ପରସ୍ପରର ଶତ୍ରୁ ।

 

ପୁଞ୍ଜିବାଦୀ ସମାଜରେ ଠିକ୍ ଏହିପରି ଭାଗ ଭାଗ କରାଯାଏ ଲୋକମାନଙ୍କୁ । ନ୍ୟସ୍ତ ସ୍ୱାର୍ଥମାନେ ନିଜର ସ୍ୱାର୍ଥରକ୍ଷା ସକାଶେ ଏକତା ଭାଙ୍ଗି ଠିକ୍ ଏପରି ବିଭେଦ ସୃଷ୍ଟି କରନ୍ତି, ସର୍ବସାଧାରଣଙ୍କ ମଧ୍ୟରେ । ଏଥିରେ ନୂତନତ୍ୱ ଓ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ; ବରଂ ଏପରି ଘଟଣା ଘଟିପାରେ ଏହା ଆଶଙ୍କା ନ କରିବା ଏକ ମସ୍ତବଡ଼ ପ୍ରମାଦ । ସେଇ ପ୍ରମାଦର ପ୍ରାୟଶ୍ଚିତ ଓ ପ୍ରତିକାର କିପରି କରାଯାଇ ପାରେ ସେ ବିଷୟରେ ଭାବିବାକୁ ଯାଇ ଚିନ୍ତାମଗ୍ନ ହୋଇଗଲା ସୌମ୍ୟ ।

 

ସୀତା ମାଉସୀର ସ୍ୱର ଶୁଣି ସେ ପୁଣିଥରେ ବାସ୍ତବ ଦୁନିଆ ସହିତ ମୁହାଁମୁହିଁ ହେଲାବେଳକୁ କହିଲା ମାଉସୀ, ସାଧୁ ସେଠି ମରିଗଲାନି ଯେ ତରିଗଲା । ତା’ ଭାରିଜା ଆଉ ପାଞ୍ଚଟା ପିଲା ଭୋକ ଓପାସରେ ଡହଳ ବିକଳ ହେଉଛନ୍ତି । ସାଧୁଆ କେବେ କେଉଁଠି ଠିକା କାମ କରି ବା ରେଳ ଲାଇନ୍‌ରୁ ମଡ଼ା ଉଠେଇ ଯାହା ଆୟ କରୁଥିଲା ସେତକ ସମୁଦ୍ରକୁ ଶଙ୍ଖେ ପଣା ପରି । ସେଥିପାଇଁ ପେଟ ବିକଳରେ ଚୋରି ବି କରୁଥିଲା ବେଳେବେଳେ । ସେ ମୋତେ କେତେଥର କହିଚି, ଭଲ ହେଇ ପାରିଲିନି ମାଉସୀ... ପିଲାଙ୍କ ମୁହଁରେ ଦାନାମୁଠାଏ ଦବା ପାଇଁ ଚୋରି କରେ.. ମୋତେ ମାରିଲେ ମାର... ଅଭିଶାପ ଦେଲେ. ଦିଅ... ।

 

ସୌମ୍ୟ କହିଲା–ସରକାରୀ ସାହାଯ୍ୟ ପାଇନି ସାଧୁ ସେଠୀର ସ୍ତ୍ରୀ ?

 

–ନା ! ସାହାଯ୍ୟ ଦବାକୁ ଲୋକ ଆସିଥିଲେ ବୋଲି ଶୁଣିଲି, କିନ୍ତୁ କାହାକୁ ଦେଲେ କଅଣ କଲେ ଜାଣେନି ।

 

–ମୁଁ କିଛି ଚୁଡ଼ା ଚାଉଳ ସାଙ୍ଗରେ ଆଣିଛି ମାଉସୀ ଏଇନେ ଦେଇ ଆସିବି ।

 

–ତୋର ମଙ୍ଗଳ ହେଉ ବାପ । ଜଲଦି ଜଲଦି ଯା’, ପିଲାଗୁଡ଼ାଙ୍କର ପେଟ ପିଠି ଏକ ହୋଇଗଲାଣି ଭୋକରେ ... ।

 

ସୌମ୍ୟ ଚାଲିଲା ହରିଜନ ବସ୍ତି ଆଡ଼କୁ । ସାଧୁ ସେଠୀର ସ୍ତ୍ରୀ ରଡ଼ି ଛାଡୁଥାଏ ଯେ ଶୁଣା ଯାଉଥାଏ ରାସ୍ତା ପର୍ଯ୍ୟନ୍ତ । ଆରେ ଅଳପେଇସା କିଏ ମୋ ଗେରସ୍ତକୁ ମାରି ପକେଇଲରେ–ତୋର ବଂଶ ବୁଡ଼ିଯିବରେ... କୁଷ୍ଠ ରୋଗ ହବରେ.... ।

 

ସୌମ୍ୟ କହିଲା–କିଛି ହବନି, ଖାଲି ତୋ ତୁଣ୍ଡ ବଥା କରିବ ଗାଳି ଦେଇ । ବରଂ ନେ ଏଇ ଚୁଡ଼ା ଚାଉଳ, ଦୁଇଦିନ ଚଳିଯିବୁ । ଆଉ ପାଞ୍ଚଟଙ୍କା ରଖିଥା ହାତରେ.... ଲୁଣ, ତେଲ, ଦରକାର ହେଲେ କିଣି ଆଣିବୁ...

 

ସାଧୁ ସେଠୀର ସ୍ତ୍ରୀ ଆବାକ୍‍ ହୋଇଗଲା ଏଇ ଅଯାଚିତ ସାନ୍ତ୍ୱନା ପାଇ ।

 

ସେ ଆଖି ପୋଛି କହିଲା–ଲଙ୍କାରେ ହରିଶବ୍ଦ ପରି ତୋ କଥା ଶୁଭୁଚିରେ ପୁଅ... ।

 

ସୌମ୍ୟ କହିଲା–କାନ୍ଦିଲେ, କପଳା କୁଟିଲେ ଭଗବାନ ଉହ୍ଲେଇ ଆସିବେନି କି ଗାଳି ଦେଲେ ଏଇ ଶଇତାନମାନଙ୍କର ସର୍ବନାଶ ହବ ନାହିଁ । ଗରିବଙ୍କର ଦୁଃଖରେ ସେମାନଙ୍କର ସୁଖ । ଏଇ ନୀତି ଚାଲି ଆସିଛି ଯୁଗ ଯୁଗଧରି । ଏବେ ସେଇ ନୀତି, ସେଇ ବ୍ୟବସ୍ଥା ଭାଙ୍ଗିବାକୁ ହେବ ।

 

ସାଧୁ ସେଠୀର ସ୍ତ୍ରୀ ବଲ ବଲ କରି ଅନେଇଥିଲା ସୌମ୍ୟରଞ୍ଜନ ମୁହଁକୁ ।

 

ସେମାନଙ୍କୁ ସାନ୍ତ୍ୱନା ଦେଇ ଚାଲିଯିବାବେଳେ ମୁସଲମାନ ବସ୍ତିରେ ଚୁଡ଼ା, ଚାଉଳ ଓ ଟଙ୍କା ବାଣ୍ଟିଲା ସୌମ୍ୟ । ସେମାନଙ୍କୁ ଆଶ୍ୱାସନା ଦେଲା, ଯାହା ହୋଇଗଲା ସେଥିପାଇଁ ଦୁଃଖ ଓ ଲଜ୍ୟା ପ୍ରକାଶ କରି, ଆଉ ଯେ ଏପରି ହବାକୁ ଦିଆଯିବ ନାହିଁ, ତାହା ମଧ୍ୟ କହିଲା । ସେ ସେମାନଙ୍କୁ ବୁଝେଇଲା ଯେ, ଜାତି ଗୋଟିଏ, ଧର୍ମ ଗୋଟିଏ ମଣିଷର । ସେମାନେ ମୁସଲମାନ, ହିନ୍ଦୁ ବା ଖ୍ରୀଷ୍ଟିୟାନ ନୁହନ୍ତି, ସମସ୍ତେ ମଣିଷ । ସମସ୍ତଙ୍କର ଶିରା ପ୍ରଶିରାରେ ଏକ ପ୍ରକାର ଲାଲ ରକ୍ତ ପ୍ରବାହିତ ହୁଏ, ବଞ୍ଚିବା ପାଇଁ ଏକ ପ୍ରକାର ଖାଦ୍ୟ ଆବଶ୍ୟକ ହୁଏ । ଧର୍ମ, ଭାଷା, ସମ୍ପ୍ରଦାୟ ନାମରେ ମଣିଷ ଓ ମଣିଷ ମଧ୍ୟରେ ତିଆରି ହୋଇଥିବା ପାର୍ଥକ୍ୟର ପାଚେରୀକୁ ଭାଙ୍ଗି ଦବାହିଁ ପ୍ରଥମ ମାନବୋଚିତ କର୍ତ୍ତବ୍ୟ ।

 

ସୌମ୍ୟ ପାଗଳ ପରି ଛୁଟୁଛି ଘରରୁ ଘରକୁ, ସାହିରୁ ସାହିକୁ, ବସ୍ତିରୁ ବସ୍ତିକୁ । ଦୁନିଆର ଗରିବ, ପାପୀ ଓ ପତିତ ଏକଜୁଟ ହୁଅ, ନ୍ୟସ୍ତ ସ୍ୱାର୍ଥର ଓ ସ୍ଥିତାବସ୍ଥାର ମୁକାବିଲା କର । ସେ ନିଜେ ସ୍ଲୋଗାନ ଦିଏ, ମନ ଖୁସି ଥିଲେ ପିଲାମାନଙ୍କୁ ସୁସୁରି ବଜାଇ ଡାକେ, ଲାଲ ପତାକା ଖଣ୍ଡେ ଉଡ଼ାଏ, ଆଉ ଦୁସ୍ଥ, ଦୁର୍ବଳ ଗୋଟିକୁ ଦେଖିଲେ କୁଣ୍ଢେଇ ପକେଇ କହେ–ଧୈର୍ଯ୍ୟ ଧର... ସବୁଦିନ ଇମିତି ଯିବ ନାହିଁ... ଭଲ ଦିନ ଆସିବ... ତୁମର ଦିନ ଆସିବ । ଏଇ ନାଲି ପତାକା ସମସ୍ତଙ୍କୁ ଦିନେ ଏକତ୍ର କରିଦେବ ।

 

କେହି କେହି କହନ୍ତି ପାଗଳର ପ୍ରଳାପ । ଆଉ ସୀତା ମାଉସୀ ପରି ଯୋଉମାନେ ଅଛନ୍ତି ସେମାନେ ତା’ର ମଙ୍ଗଳ କାମନା କରନ୍ତି, ଭଗବାନଙ୍କ ଉପରେ ଆଉ ବିଶ୍ୱାସ ରହୁନି ବୋଲି ନିଜର ପରମାୟୁ କମେଇ ତାକୁ ସେଥିରୁ କିଛି କିଛି ଦାନ କରି ତାର କୋଟି ପରମାୟୁ ହେଉ ବୋଲି ଦୁଇ ହାତ ଟେକି ଆଶୀର୍ବାଦ କରନ୍ତି ।

 

ଏଇ ଲୋକମାନଙ୍କୁ ଯେତିକି ଦେଖେ ସେତିକି ଅନୁପ୍ରାଣୀତ ଓ ଉଦ୍‌ବୁଦ୍ଧ ହୁଏ ସୌମ୍ୟ ।

 

କେଡ଼େ ସହଜରେ ସେମାନେ ଖୁସୀ ହୁଅନ୍ତି, କେଡ଼େ ଶୀଘ୍ର ଦାନର ପ୍ରତିଦାନ ଦବା ପାଇଁ ନିଜର ପରମାୟୁ କମେଇ ହିତାକାଂକ୍ଷୀର ପରମାୟ ବଢ଼ାଇ ଦିଅନ୍ତି ।

 

ସୌମ୍ୟ ବସ୍ତିରୁ ବାହାରି ଯାଉଥିବାବେଳେ ରାଜୁ ସହିତ ଦେଖା ହୋଇଗଲା ।

 

ରାଜୁ ଏକା ନ ଥିଲା, ତା’ ସହିତ ଥିଲେ ତାର ଦଳବଳ–ଶଙ୍କର, ମନୁଆ, ଅପନ୍ନା, ଗୋବିନ୍ଦା... ।

 

ସୌମ୍ୟକୁ ଶୁଣେଇ ଶୁଣେଇ ଗାଇଲେ ରାଜୁ–ଶ୍ୟାମ ନାଗର ହେ ଆଉ କେବେ ହେବ ଭେଟ... । ତୁମକୁ ନ ପାଇ ଶ୍ରୀରାଧା ବାତୁଳି ଗାଆନ୍ତି ବିରହ ଗୀତ... ।

 

ସୌମ୍ୟ ଫେରି ବି ଚାହିଁଲାନି ।

 

ଉପେକ୍ଷିତ ହୋଇ ରାଗିଗଲା ରାଜୁ । ତାର ଇଙ୍ଗୀତ ପାଇ ଅପନ୍ନା ଦୌଡ଼ିଯାଇ ସୌମ୍ୟର ହାତଧରି ପକେଇ କହିଲା–ସୁଦର୍ଶନ ମାଷ୍ଟରଙ୍କ ଝିଅ ଡାକୁଛି ଯେ... ।

 

ସୌମ୍ୟ ହାତ ଛଡ଼େଇ ନେଇ କହିଲା, ବାଟ ଛାଡ଼ ଅପନ୍ନା... ।

 

ଅପନ୍ନା କହିଲା–ତମ ବାଟରେ ମୁଁ ଠିଆ ହୋଇନି ମ... ଏ ରାସ୍ତା ତ ସରକାରର... ।

 

ଅପନ୍ନାକୁ ଠେଲି ଦେଇ ସୌମ୍ୟ ଆଗେଇବାବେଳକୁ ଅପନ୍ନତା ତାକୁ ଯୋର କରି ଅଟକାଇ ଦେଇ ରାଜୁକୁ ଡାକିଲା । ରାଜୁ ଏବଂ ତାର ସାଙ୍ଗମାନେ ଛିଡ଼ା ହୋଇଗଲେ ଆଗରେ ।

 

ଅପନ୍ନା କହିଲା–ବାବୁଙ୍କର ବହପ ଦେଖ... ।

 

ରାଜୁ କହିଲା–ଏ ବସ୍ତିକୁ ଆଉ ଆସିବା ଚଳିବ ନାହିଁ... ।

 

ସୌମ୍ୟ ଶାନ୍ତ କଣ୍ଠରେ କହିଲା, ଇଏ କାହାର ଆଦେଶ ?

 

–ମୋର ! ଦୃପ୍ତ କଣ୍ଠରେ କହିଲା ରାଜୁ ।

 

–ସକାଳୁ କଳି କରିବା ପାଇଁ ବାହାରିଛ ପରା... କହିଲା ସୌମ୍ୟ ।

 

ଏ ବସ୍ତକୁ ଆସି ଝିଅ ବୋହୁଙ୍କ ସହିତ କଥାଭାଷା ହେଲେ ଜିଭ କାଟି ଦିଆଯିବ, ଗୋଡ଼ ଭାଙ୍ଗି ଦିଆଯିବ... ।

 

ସୌମ୍ୟ କହିଲା, ମୋ ହାତରେ ସମୟ ଅଳ୍ପ । ଆଉ କେବେ ଦେଖା ହେଲେ କଥାଭାଷା ହେବି ରାଜୁ... ବାଟ ଛାଡ଼... ।

 

ତାକୁ ଯୋର କରି ଅଟକାଇ ଦେଲେ ସେମାନେ ।

 

ସୌମ୍ୟ ଦେହରେ ଅପନ୍ନା ପୁଣି ହାତ ରଖିବାକୁ ସେ ଯୋର କରି ଫୋପାଡ଼ି ଦେଲା ତା’ ହାତ ।

 

ରାଜୁ ସୌମ୍ୟର ହାତଧରି ପକେଇ କହିଲା, ଅପନ୍ନାକୁ ଦୁର୍ବଳିଆ ଦେଖି ନିଜକୁ ବଡ଼ ବଳବାନ ମନେହେଉଛି ନା... ?

 

ସୌମ୍ୟ ଯୋର କରି ରାଜୁ ହାତରୁ ନିଜ ହାତ ମୁକୁଳାଇ ଆଣିବାବେଳେ ତା’ର ବେକ ଉପରେ ଆଘାତ କଲା ଜଣେ । ସେ ହଠାତ୍ ଆକ୍ରମଣର ସମ୍ମୁଖୀନ ହୋଇ କରାଟେ କାଇଦାରେ ରାଜୁକୁ ବାହାରକୁ ଫିଙ୍ଗି ଦେଇ ଅପନ୍ନାକୁ ତଳେ ପକାଇ ଦେଲା ଏବଂ ମନୁଆ ଓ ଗୋବିନ୍ଦ ତା’ ଉପରକୁ କୁଦି ପଡ଼ିବାବେଳକୁ ସେ କାଏଦା କରି ସେମାନଙ୍କୁ ଇମିତି ଦୁଇଲାତ ଚଢ଼େଇ ଦେଲା ଯେ ବାପଲୋ ମାଆଲୋ କହି ତଳେ ବସିପଡ଼ିଲେ ଦୁହେଁ ।

 

ସେତେବେଳକୁ ରାଜୁ ଛିଡ଼ାହୋଇ ଯାଇଥିଲା ଏବଂ ନିଜ ଅଣ୍ଟା ତଳୁ ଛୁରୀଟାଏ ବାହାର କରି ମାଡ଼ି ଆସିଲା । ସୌମ୍ୟ ନିଜକୁ ରକ୍ଷା କରିବା ପାଇ ଅପନ୍ନାକୁ ରାଜୁ ଉପରକୁ ଠେଲି ଦେଇ ରାଜୁକୁ ଏମିତି କାଏଦାରେ ଆକ୍ରମଣ କଲା ଯେ,ତା’ ହାତରୁ ଛୁରିଟା ଛିଟିକି ପଡ଼ିଲା ତଳେ ।

 

ଏବଂ ଠିକ୍ ସେତିକିବେଳେ ବସ୍ତି ଅଞ୍ଚଳରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ପାଇଁ ନିଯୁକ୍ତି ଥିବା ପୁଲିସ୍ ଦୁଇଜଣ ପହଞ୍ଚିଗଲେ ସେଠାରେ ।

 

ସୌମ୍ୟ ରକ୍ଷା ପାଇଗଲା ଏବଂ ରାଜୁ ଦଳବଳ ସହ ହଠାତ୍ ଗଳି ଭିତରେ ଅଦୃଶ୍ୟ ହୋଇଗଲେ ।

 

କନେଷ୍ଟବଳ ଜଣେ କହିଲା–ଏଇ ବାଜେ ବଦମାସ ଲୋକଙ୍କ ବସ୍ତିକୁ ତୁମପରି ପିଲା ଆସିବା ଅନୁଚିତ ବାବୁ... ।

 

ସୌମ୍ୟ କହିଲା–ନ ଆସିଲେ ସେମାନଙ୍କ ମଧ୍ୟରେ ବିଚ୍ଛିନ୍ନତାବୋଧ ବଢ଼ିବ ଆହୁରି । ଅଜ୍ଞତା, କୁସଂସ୍କାର, ମୁଢ଼ତା ଆହୁରି ଛୋଟ କରିଦବ ସେମାନଙ୍କୁ । ଏମାନଙ୍କୁ ସ୍ନେହ, ପ୍ରୀତିଦ୍ୱାରା ଆପଣାର କରିନେଲେ ସେମାନଙ୍କର ଶକ୍ତିର ଅପଚୟ ନ ହୋଇ ଭଲ କାର୍ଯ୍ୟରେ ଲଗାଯାଇ ପାରିବ । ରାଜୁ, ଅପନ୍ନା ଖରାପ ପିଲା ନୁହନ୍ତି–ଏଇ ପରିବେଶ, ଏଇ ପରିସ୍ଥିତି ସେମାନଙ୍କୁ ଏପରି କରିଛି... ।

 

କନେଷ୍ଟବଳ ଦୁଇଜଣ ଟହଲ ମାରି ମାରି ଚାଲିଗଲେ ଅନ୍ୟ ଦିଗକୁ । ସୌମ୍ୟ ଚାଲିଲା ମୁସଲମାନ ବସ୍ତିକୁ ।

 

ତାକୁ କେନ୍ଦ୍ର କରି ସୌମ୍ୟ ଅପମାନିତ ଓ ଆହତ ହୋଇ ଏଇ ବସ୍ତିରୁ ଚାଲି ଯାଇଥିବା କଥା ଶୁଣିଲା ସୁଜାତା ।

 

ଏଇ ବସ୍ତିର ଟୋକାଗୁଡ଼ା ଏଡ଼େ ନୀଚ ବୋଲି ସେ ଆଗରୁ ଜାଣି ନ ଥିଲା ।

 

ରାଜୁ ଯେ ତା’ ପ୍ରତି ଆସକ୍ତ ଏହା ସେ ଜାଣିବା ପରେ ତା’ଠାରୁ ଦୂରେଇ ରହୁଥିଲା ଏବଂ ସେ ଭାବିଥିଲା ଯେ ସମୟ ହେଲେ ରାଜୁ ସୁଧୁରି ଯିବ ଏବଂ ସେ ଆଉ ତା’ ପଛରେ ନ ଦୌଡ଼ି ନିଜ ଜୀବନକୁ ସଜାଡ଼ିବା ପାଇଁ ଚେଷ୍ଟା କରିବ । ରାଜୁ ପ୍ରତି ଦୟା ହୁଏ ସୁଜାତାର । ଯାହା ଅସମ୍ଭବ, ମରିଚିକା ପରି କେବଳ ଘୁଞ୍ଚି ଘୁଞ୍ଚି ଯାଏ, ତାହାରି ପଛରେ ନ ଯାଇ, ଯାହା ସମ୍ଭବ, ଯାହା ବାସ୍ତବତାକୁ ଆଶ୍ରୟ କରିବା ବୁଦ୍ଧିମାନର କାର୍ଯ୍ୟ । କିନ୍ତୁ ରାଜୁର ବୁଦ୍ଧି ଥାଇ ବି ସେ ବୋକା ପରି କାମ କରେ ।

 

ସୌମ୍ୟର ସୁନ୍ଦର, ହସ ହସ ମୁହଁଟି ସକାଳର ଶତଦଳ ପରି ଉଦ୍ଭାସିତ ହୋଇ ଉଠିଲା ଆଖି ଆଗରେ ।

 

ସେ ଯେ ସଫଳ ପୁରୁଷ ଏଥିରେ ସନ୍ଦେହ ନ ଥିଲା ସୁଜାତାର । ପଢ଼ାପଢ଼ି ବେଶୀ ନ କରି ମଧ୍ୟ ଏମ୍.ଏ. ପରୀକ୍ଷାରେ ପ୍ରଥମ ଶ୍ରଣୀରେ ପାସ୍‌ କରିଛି ସୌମ୍ୟ । ଚାକିରୀ ନ କଲା ନାହିଁ, ଜୀବନଧାରଣର ଅନ୍ୟାନ୍ୟ ଅନେକ ଅବଲମ୍ବନ ଥିବାବେଳେ ସରକାରଙ୍କ ପାଖରେ ମୁଣ୍ଡ ନ ବିକିଲା ନାହିଁ । ଯୋଉମାନେ ସମସ୍ୟାର ସମ୍ମୁଖୀନ ନ ହୋଇ କେବଳ ଜୀବନସାରା ଅନ୍ୟ ଉପରେ ସବାର ହୋଇ ରାଜଭୋଗ କରିବା ପାଇଁ ଚାହାନ୍ତି, ସେମାନେ ରାଜ କର୍ମଚାରୀ । ବଢ଼ି ଓ ମରୁଡ଼ିରେ ସେମାନଙ୍କର କିଛି ଯାଏ ଆସେ ନାହିଁ । ନିଜର ପଦ ପଦବୀ ଏବଂ ଚୌକୀ ନେଇ ସେମାନେ ବ୍ୟସ୍ତ ।

 

ସୌମ୍ୟ ବରଂ ଭଲ କରିଛି । ହୁଏତ ପ୍ରତିଦିନ ତାକୁ ସମ୍ମୁଖୀନ ହେବାକୁ ପଡ଼ିବ ଅନିଶ୍ଚୟତାର; କିନ୍ତୁ ଅନିଶ୍ଚୟତା ଭିତରେ ଯିଏ ନିଶ୍ଚିତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୁଏ ସେ କେବଳ ସଂଗ୍ରାମୀ ମଣିଷ ।

 

ସୌମ୍ୟ ସମ୍ପର୍କରେ ଯେତେ ଭାବିଲେ ବି ଭାବନାର ଅନ୍ତ ହୁଏନି । ଲୁଚି ଛପି ସେ ପୁଣି ଅଧିକାର କରି ବସେ ତା’ ମନକୁ ।

 

ସେଦିନ ସୌମ୍ୟ ମୁହଁରୁ ଶୁଣିବ ବୋଲି ଅପେକ୍ଷା କରିଥିଲା ସେ । କିନ୍ତୁ ପୁରୁଷ ହୋଇ ବି ସେ ଏଡ଼େ ଲାଜୁଆ ଯେ ମୁହଁ ଖୋଲି ‘ମୁଁ ତୁମକୁ ଭଲପାଏ’ ଏଇ ପଦିକ କଥା କହିପାରିଲା ନାହିଁ । କହିବ କହିବ ହୋଇ ଅନ୍ୟ ପ୍ରସଙ୍ଗକୁ ଚାଲିଗଲା । ଦୈନନ୍ଦିନ ଜୀବନରେ ଏତେ ସାହସ ଦେଖାଉଥିବା ଏଇ ନିର୍ଭୀକ, ନିର୍ମଳ ମଣିଷଟିର ତୁଣ୍ଡରୁ ସ୍ଫୁରିଲା ନାହିଁ ଏଇ ସତ୍ୟଟି । ମୁହଁରେ ତାକୁ କହି ନ ପାରିଲେ ବି ସେ ଯେ ସୁଜାତାକୁ ଭଲ ପାଏ, ଏଥିରେ ନିଃସନ୍ଦେହ ସେ । ଆଉ ସେ ନିଜେ ତ ସୌମ୍ୟକୁ କହିପାରିଥାନ୍ତା ଯେ, ସେ ତାକୁ ଭଲ ପାଏ... ଅତି ନିବିଡ଼ ଭାବରେ ଭଲପାଏ ।

 

ସେଇ ଭଲ ପାଇବାର କଥା ମନକୁ ଆସିଲାକ୍ଷଣି ସର୍ବାଙ୍ଗ ଶିହରି ଉଠିଲା ସୁଜାତାର । ତା’ର କାନମୂଳ ଗରମ ହୋଇଉଠିଲା ଏବଂ ମୁହଁ ଉପରେ ଯେପରି କେହି ଅବିର ବୋଳି ଦେଲା । ବାରମ୍ବାର ସୁଜାତାର ମନେହେବାକୁ ଲାଗିଲା ଯେ ସୌମ୍ୟହିଁ ତାର ପୁରୁଷ... ତାହାରି ହାତରେ ନିଜକୁ ସମର୍ପି ଦେଇ ସେ ନିଶ୍ଚିତ ନିର୍ଭୟ ହୋଇ ପାରିବ ।

 

ରାସ୍ତାରେ ଚାଲିଗଲାବେଳେ ଦୁଷ୍ଟ ପିଲାମାନଙ୍କର ମୁଖରୋଚକ ମନ୍ତବ୍ୟ ତାକୁ ଶୁଣିବାକୁ ପଡ଼େ । ମାଲଗୋଦାମ ଅଞ୍ଚଳରୁ କଲେଜ ଯିବା ରାସ୍ତାରେ ତା’ର ନାମ ସୌମ୍ୟର ନାମ ସହିତ ଯୁକ୍ତ କରି କାନ୍ଥରେ କେହି ଲେଖି ଦେଇଛି ଠାଏ ଠାଏ । ଅସତ୍ୟ କିଛି ନାହିଁ ଏଥିରେ; କିନ୍ତୁ ପ୍ରେମ, ପ୍ରଣୟ ମଣିଷର ଏକାନ୍ତ ଅନ୍ତରଙ୍ଗ ବ୍ୟକ୍ତିଗତ ବିଷୟ, ଏହା ପଣ୍ୟଦ୍ରବ୍ୟ ନୁହେଁ ଯେ କାନ୍ଥବାଡ଼ରେ, ଖବରକାଗଜ ପୃଷ୍ଠାରେ ବିଜ୍ଞାପିତ ହେବ ।

 

ତଥାପି ସୁଖଲାଗେ ଭାବିବାକୁ...

 

ଏଇ କେତେଦିନ ହେଲା ଆସିନି ସୌମ୍ୟ । ହୁଏତ ଯେ କୌଣସି ମୁହୂର୍ତ୍ତରେ ପହଞ୍ଚି ଯାଇପାରେ ।

 

ସେଦିନ ସେ ଖାଇବାକୁ ମାଗିଥିଲା, କିନ୍ତୁ କିଛି ଦେଇପାରି ନ ଥିଲା ସୁଜାତା । ସେହିଦିନୁ ଲଜ୍ୟାରେ ମରି ଯାଇଛି ସେ । ଛି, ଛି ।

 

କିନ୍ତୁ କଅଣ କରିବ ଯେ... । ନିରୁପାୟ ସେ । ବାପାଙ୍କର ଉପାର୍ଜନ ଅତି ସାମାନ୍ୟ । ଦୁଇଓଳି ଖାଇବା ଓ ମୋଟାରୁଟା ଖଣ୍ଡେ ପିନ୍ଧିବାକୁ ନିଅଣ୍ଟ ହୁଏ ଉପାର୍ଜନ ।

 

ଆଜି ଯଦି ଆସେ, ସେ ମାଗିବା ଆଗରୁ ବାଢ଼ିଦେବ ସୁଜାତା । ଚୁଡ଼ା ସିଝେଇ ରଖିଛି, ଛୁଙ୍କି ଦେଲେ ହେଲା ।

 

ଏଇ ପ୍ରତୀକ୍ଷାର ସମୟ ଗଣିବାରେ କେତେ ଯେ ଉତ୍କଣ୍ଠା ଜାଗେ ଅନ୍ତରରେ ତାହା ଯଦି ବୁଝନ୍ତା ସୌମ୍ୟ ତା’ହେଲ ଦିନଟିଏ ବାଦ ନ ଦେଇ ପ୍ରତିଦିନ ଆସନ୍ତା । ଆଉ ଯଦି ଜୀବନରେ ସେଇ ପରମ ପୂଜନୀୟ ପୁରୁଷ ତାକୁ ସବୁଦିନ ପାଇଁ ଆଶ୍ରା ଦିଅନ୍ତା, ନିଜ ପାଖରେ, ଅଲଂଘ୍ୟ ମନେହେଉଥିବା ନାନା ପ୍ରତିବନ୍ଧକଗୁଡ଼ିକୁ ଶୂନ୍ୟେ ଶୂନ୍ୟେ ଡେଇଁ ଯାଆନ୍ତା ସୁଜାତା ।

 

କେଲଜକୁ ଯିବା ରାସ୍ତାରେ କାଳେ ସୌମ୍ୟ ସହିତ ଦେଖା ହୋଇଯାଇପାରେ ଏଇ ଆଶାରେ ଗଜ ଗମନ ଗତିରେ ଚାଲେ ସେ । କିନ୍ତୁ ଦିନେ ହେଲେ ସୌମ୍ୟ ସହିତ ଦେଖା ହେଲାନି ଯିବା ବା ଆସିବା ବାଟରେ । ସେ ବାଟଭାଙ୍ଗି ଦିନେ ଦିନେ ସୌମ୍ୟର ହଷ୍ଟେଲ୍ ଦେଇ ଆସେ ଫରିବାବେଳେ, କିନ୍ତୁ ସୌମ୍ୟ ସହିତ ସାକ୍ଷାତ୍ ହୁଏନି । ଦିନେ ତାକୁ ପଚାରି ଦେଇଥିଲା ସୁଜାତା, ସୌମ୍ୟ କିନ୍ତୁ ତା’ର ସିଧା ସଳଖ ଉତ୍ତର ନ ଦେଇ କହିଥିଲା ଯେ ଯାହା ଯେତିକି ମୂଲ୍ୟବାନ ତାହା ସେତିକି ଦୁର୍ଲ୍ଲଭ । ସବୁଠି ସବୁ ସମୟରେ ଦେଖା ହୋଇଗଲେ ଉଭୟ ଶସ୍ତା ହୋଇଯିବେ ପରସ୍ପର ନିକଟରେ, ମନରେ ଉତ୍କଣ୍ଠା ରହିବନି ଦେଖା କରିବା ପାଇଁ ।

 

ଆଉ ଆଜି ସୁଜାତା ପଳପଳ କରି ଅନୁଭବ କରୁଛି ଯେ ସୌମ୍ୟ ଯାହା କହିଥିଲା ତାହା ନିରୋଳା ଅଙ୍ଗ ଲିଭାଇବା ସତ କଥା । ଯେତିକି ଉତ୍କଣ୍ଠା ବଢ଼ୁଛି ହୃଦୟରେ, ସେତିକି ସେ ନିକଟତର ହେଉଛି ପ୍ରିୟତମର ।

 

ହଠାତ୍ ସୁଜାତାର ମନେପଡ଼ିଗଲା ଯେ ଆଜି ଭୋଟ୍‍ ଗଣତିର ଦିନ । ନିର୍ବାଚନ ସରି ଯାଇଛି । ଆଜି ଭୋଟ୍ ଗଣାଯାଇ ଫଳାଫଳ ପ୍ରକାଶିତ ହେବ । ବାପା ବଡ଼ ପରିଶ୍ରମ କରିଛନ୍ତି ଏଇ କେତେଦିନ । ତାଙ୍କ ପାଇଁ ସୌମ୍ୟ ଏବଂ ଅନ୍ୟମାନେ କଅଣ କମ୍ କରିଛନ୍ତି ! ଜିତିଲେ ସାଧାରଣ ଲୋକଙ୍କର ଜୟ ହେବ, ଆଉ ହାରିଗଲେ ସୁଦର୍ଶନଙ୍କର ପରାଜୟ । ସୌମ୍ୟ କିନ୍ତୁ ପ୍ରଥମରୁ କହି ରଖିଛି ଯେ ନିର୍ବାଚନରେ ଜିତିବା ପାଇଁ ଆମେ ଲଢ଼ୁଥିଲେ ବି ଅନ୍ୟ ଦଳ ଜିତିବ । ଯିଏ ଯେତେ ଅର୍ଥ ଖର୍ଚ୍ଚ କରିପାରିବ, ଉତ୍କୋଚ ଦେଇପାରିବ ଏବଂ ପ୍ରତିଶ୍ରୁତିଦ୍ୱାରା ପ୍ରଭାବିତ କରିପାରିବ, ତାହାରି ଜିତାପଟ । ହାରିବା ପାଇଁ ଆମେ ଲଢ଼ୁଛେ କାରଣ ସେଇ ହାରିବାର ସ୍ୱାଦ ଚାଖିଲେ ଜିତିବା ପାଇଁ ଜିଦ୍ ଆସିବ । ସାଧାରଣ ଲୋକ ଯୋଉଦିନ ବୁଝିପାରିବେ ଯେ ନିଜ ଦୋଷରୁ ସେମାନେ ହାରନ୍ତି, ସେହି ଦିନଠାରୁ ଜୟଯାତ୍ରାର ଶୁଭାରମ୍ଭ । ସେହି ଦିନଠାରୁ ସେମାନେ ସଙ୍ଗଠିତ କରିବେ ନିଜକୁ, ସଂକଳ୍ପ କରିବେ ନ୍ୟସ୍ତସ୍ୱାର୍ଥର ସଫଳ ମୁକାବିଲା କରିବା ପାଇଁ ।

 

କାହାର ପାଦଶବ୍ଦ କାନରେ ପଡ଼ିଲା ଆସି । ବାହାରକୁ ଆସି ଅନାଇଲା ସୁଜାତା ... ।

 

ସୁଦର୍ଶନ ଫେରି ଆସିଲେ ଅନ୍ୟମାନଙ୍କ ସହିତ । ତାଙ୍କ ମୁହଁ ଦେଖି ସୁଜାତା ଜାଣିଗଲା ଯେ ସେ ହାରି ଯାଇଛନ୍ତି । ତାହା ଆଗରୁ ପ୍ରାୟ ନିଶ୍ଚିତ ହୋଇ ଯାଇଥିଲେ ବି ସୁଜାତାର ଅନ୍ତର ଭିତରଟି ବେଦନାରେ ଟଣଟଣ କରି ଉଠିଲା ।

 

ସୁଦର୍ଶନ କିନ୍ତୁ ମୁହଁ ଉପରେ ସାଦା ହସ ଖେଳାଇ କହିଲେ, ଯାହା ଆଶଙ୍କା କରାଯାଉଥିଲା ତାହା ହେଲା । ମୁଁ ହାରିଗଲି । ସ୍ୱରାଜ୍ୟ ଦଳର ପ୍ରାର୍ଥୀ ଜିତିଲେ । ସରକାର ତାଙ୍କ ଦଳର । ସେ ଜିତିବାହିଁ ସ୍ୱାଭାବିକ ।

 

ନରସିଂହ କହିଲା, କିନ୍ତୁ ଆମେ ରାସ୍ତା ଛାଡ଼ି ଦେଇନୁ ବିନା ଯୁଦ୍ଧରେ । ପ୍ରଥମ ରଣକ୍ଷେତ୍ରରେ ଆମେ ହାରିଛୁ ସତ, କିନ୍ତୁ ଆହୁରି ଯୁଦ୍ଧ ସରିନାହିଁ... । ଶେଷ ଯୁଦ୍ଧରେ ବିଜୟହିଁ ପ୍ରକୃତ ବିଜୟ... ।

 

ସେମାନଙ୍କୁ ବସିବା ପାଇଁ କହି ଘର ଭିତରକୁ ଚା’ ତିଆରି କରିବା ପାଇଁ ଚାଲିଗଲା ସୁଜାତା । ଭିତରକୁ ଯାଇ କାହିଁକି କେଜାଣି ସମ୍ଭାଳି ନ ପାରି କାନ୍ଦି ପକେଇଲା ସେ ।

 

ସୌମ୍ୟ ବାହାରୁ କହିଲା–ଖାଲି ଚା’ ନୁହେଁ, ଆଉ କିଛି ଆଣିବୁ ସୁଜାତା... ।

 

ଏ ଭିତରେ ସୌମ୍ୟ ଯେ ଆସି ପହଞ୍ଚି ଯାଇଛି, ଏହା ଜାଣି ସାନ୍ତ୍ୱନା ପାଇଲା ସୁଜାତା... ।

 

ଚୁଡ଼ା ସିଝାରେ ଛୁଙ୍କ ଦେଇ ଶାଳ ପତ୍ରରେ ପୁଞ୍ଜିଏ ପୁଞ୍ଜିଏ ଦେଇ ଆସିଲା ସମସ୍ତଙ୍କୁ । ତା’ ପରେ ଚା’ ।

 

ସୌମ୍ୟ ଚୁଡ଼ା ସିଝା ଖାଇ କହିଲା–ଆମେ ହାରି ଯାଇନୁ ଯେ ଏକ ପ୍ରକାର ଜିତିଛୁ ମଉସା... ।

 

–କେମିତି ? ପଚାରିଲା ନରସିଂହ ।

 

–ଆମ ଦୁର୍ଗ ସଂରକ୍ଷିତ । ବସ୍ତି ଅଞ୍ଚଳର ସର୍ବାଧିକ ଭୋଟ୍‍ ଆମ ପକ୍ଷରେ ପଡ଼ିଛି ।

 

–କିନ୍ତୁ ଆମ ଭିତରେ ବିଭେଦ ଘଟି ନ ଥିଲେ ଆମେ ଜିତି ଯାଇଥାଆନ୍ତୁ । କହିଲା ନରସିଂହ ।

 

–ସତ । ଯୋଉଦିନ ଆଉ ଆମ ଭିତରେ ଶତ୍ରୁ ବିଭେଦ ସୃଷ୍ଟି କରିବାରେ ବିଫଳ ହେବ, ସେଇ ଦିନଠାରୁ ଆମର ଜୟଯାତ୍ରା... । ସେଇଦିନ ଯେ ସୁଦୂର ନୁହେଁ ଏହା ମୋତେ ଜଳ ଜଳ ଦିଶୁଛି ।

 

ସୌମ୍ୟକୁ ଛାଡ଼ି ସମସ୍ତେ ଚା’ ପିଇଲେ ।

 

ବସ୍ତିର ଅନ୍ୟ ସ୍ୱେଚ୍ଛାସେବକ ଏବଂ ସହକର୍ମୀମାନେ ଆସି ଠୁଳ ହେଲେ ସେଠାରେ । ସଭା ବସିଲା । ନିର୍ବାଚନ ଫଳାଫଳର ତର୍ଜମା କରାଗଲା । ସ୍ୱରାଜ୍ୟ ଦଳର ପ୍ରଭୁପଦ ଯାଯୋଡ଼ିଆ ମାତ୍ର ସାତଶହ ଏଗାର ଭୋଟ୍‍ରେ ସୁଦର୍ଶନଙ୍କୁ ପରାସ୍ତ କରିଥିବା ଜାଣି ଆଶ୍ୱସ୍ତ ହେଲା ସୌମ୍ୟ ।

 

ନରସିଂହ ବାହାସ୍ପୋଟ ମାରି କହିଲା ଯାଯୋଡ଼ିଆ ଟଙ୍କା ଦେଇ ଭୋଟ୍‍ କିଣିଛି । କିନ୍ତୁ ଯଦି କାମ ନ କରେ ତାର ଗୋଡ଼ ଛୋଟା କରିଦେବି... ।

 

ତାକୁ ସମର୍ଥନ କଲେ ଅନେକ ।

 

କିନ୍ତୁ ସୌମ୍ୟ କହିଲା, ନିର୍ବାଚନ ପୂର୍ବରୁ କୌଶଳ କରି ଆମ ଲୋକଙ୍କ ମଧ୍ୟରେ ଯେଉଁ ଗଣ୍ଡଗୋଳ ଓ ବିଭେଦ ସୃଷ୍ଟି କରାଗଲା ତାହା ନ୍ୟସ୍ତସ୍ୱାର୍ଥମାନଙ୍କର କାରସାଦି । ଆମେ ସାବଧାନ ନ ହେଲେ ଭବିଷ୍ୟତରେ ସଂକଟର ସମ୍ମୁଖୀନ ହୋଇପାରିବୁ ନାହିଁ, ଏହାର ସମାଧାନ କରିପାରିବୁ ନାହିଁ ।

 

ଅନେକ ସମୟ ଆଲୋଚନା ପରେ ଭବିଷ୍ୟତର କର୍ମପନ୍ଥା ନିର୍ଦ୍ଧାରଣ କରି ବୈଠକ ଶେଷ ହେଲା ।

 

ଜଣ ଜଣ କରି ସସସ୍ତେ ଚାଲିଯିବା ପରେ ସୁର ନାଏକ ସହିତ ଚାଲିଲା ସୌମ୍ୟ ।

 

ରିକ୍‌ସାଖଣ୍ଡିକ କେନାଲରୁ ଉଦ୍ଧାର ହେବା ପରେ ପ୍ରାୟ ଦୁଇଶହ ଟଙ୍କା ଖର୍ଚ୍ଚ କରି ମରାମତି କରି ପୁଣି ଚାଲୁ କରିଛି । ଖାଲି ଦୁଇଶହ ଟଙ୍କା ନୁହେଁ, ପ୍ରାୟ ପନ୍ଦର ଦିନ ରିକ୍‌ସା ଚଳାଇ ନ ପାରିବାଦ୍ୱାରା ରୋଜଗାର ବି ନଷ୍ଟ ହୋଇଛି ।

 

ସୁର ନାଏକର ଘର ଭିତରକୁ ପଶିଯାଇ ସୌମ୍ୟ କହିଲା, ସୁର ଭାଇ ପାଇଁ କଅଣ ରାନ୍ଧିଛୁ ଅପା ?

 

ସୁରର ସ୍ତ୍ରୀ ଦୁଇଟି ଛୋଟ ପିଲାଙ୍କୁ ଶୁଆଇବା ପାଇଁ ଚେଷ୍ଟା କରୁଥିଲା । ହଠାତ୍ ସୌମ୍ୟ ଘର ଭିତରକୁ ପଶି ଆସିବାରୁ ଲୁଗାଟାକୁ ସଜାଡ଼ି ନେଇ ମୁହଁ ତଳକୁ କରି ବସି ରହିଲା । ଉତ୍ତର ଦେଇପାରିଲା ନାହିଁ ।

 

ସୌମ୍ୟ ଚାହିଁଲା ଚୁଲି ମୁଣ୍ଡକୁ । ଖାଇବାବେଳ ଅଥଚ ରୋଷେଇହୋଇ ଥିବା କୌଣସି ଲକ୍ଷଣ ଦେଖିଲା ନାହିଁ ସେ ।

 

ସୁର ନାଏକ ବୁଝି ସାରିଥିଲା ସବୁ । ଏଇ କେତେଦିନ ସେ ଇଲେକ୍‌ସନରେ ମାତିଥିଲା ବୋଲି ଉପାର୍ଜନ କିଛି କରି ନ ଥିଲା କହିଲେ ଚଳେ ।

 

ସୌମ୍ୟ କହିଲା, ସୁରଭାଇ... ତମେ ନିହାତି ଅମଣିଷ ହୋଇ ନ ଥିଲେ ଏମାନଙ୍କୁ ଓପାସ ରଖି ନ ଥାନ୍ତ !

 

ସୁର କହିଲା, ଆଉ କିଛି ଚାରା ନ ଥିଲା ବାବୁ... !

 

ଏତେବେଳେ କରୁଣ ସ୍ୱରରେ କହିଲା ଲକ୍ଷ୍ମୀ ଘରେ ଚାଉଳ ମୁଠାଏ ବି ନାହିଁ । ସକାଳୁ ଦଶ ପଇସାର ମୁଢ଼ି କିଣି ଖୁଏଇଥିଲି ଦୁଇ ପିଲାଙ୍କୁ । ଭାତ ରାନ୍ଧିନି ଆଜି । ହାଣ୍ଡି ଖାଲି ପଡ଼ିଛି । ସୌମ୍ୟ ଯୋରକରି ସୁର ହାତରେ କୋଡ଼ିଏ ଟଙ୍କା ଗୁଞ୍ଜି ଦେଇ କହିଲା, ଯାଅ–ଡାଲି ଚାଉଳ ନେଇ ଆସ । ମୁଁ ବି ଆଜି ତୁମ ଘରେ ଖାଇବି ।

 

ସୁର ନାଏକ ନାଚାର ହୋଇ ନେତା ସିନା, କିନ୍ତୁ କାନ୍ଦିଲା ପରି କହିଲା–ତମର ତ ରୋଜଗାର ନାହିଁ ବାବୁ... ମୋ ଦୁଃଖରୁ ଭାଗ ନେଇ ତମେ କାହିଁକି ନିଜକୁ କଷ୍ଟ ଦବ... ?

 

ଲକ୍ଷ୍ମୀ ଆଖି ପୋଛି କହିଲା, ଆଜି ଥରେ ନୁହେଁ, ଏଇ ଥରକୁ ମିଶାଇ ତିନିଥର ଭାଇ ଟଙ୍କା ଦେଲେଣି... ତମେ ଭୋଳାନାଥ ହୋଇ ବୁଲୁଥା ବାହାରେ ବାହାରେ ।

 

ସୁର ନାଏକ ଥଳି ଧରି ବଜାରକୁ ଚାଲିଯିବା ପରେ କହିଲା, ତୋ ପାଇଁ ଏଇ କସ୍ତା ଖଣ୍ଡିକ ନେଇ ଆସିଥିଲି ଅପା... ଦୋଳରେ ତ ଦେଇପାରିଲି ନାହିଁ... ବିଳମ୍ବ ହୋଇଗଲା... ।

 

ଥଳିରୁ ବାହାର କରି ଲକ୍ଷ୍ମୀ ହାତକୁ କସ୍ତା ଖଣ୍ଡିକ ଟେକି ଦେବାପରେ କହିଲା ଲକ୍ଷ୍ମୀ... ମୋର ମାଆ ପେଟରୁ ଜନ୍ମ ହୋଇବି ମୋ ଭାଇ ଏତେ କରିନି ଭାଇ... !

 

ଫଟା ଶାଢ଼ି ଭିତରେ ଲାଜ ଲୁଚାଇ ନ ପାରି ଲକ୍ଷ୍ମୀ ଶାଢ଼ିଟାକୁ ଏପାଖରୁ ସେପାଖକୁ ଟାଣୁଥିଲାବେଳେ ସୌମ୍ୟ କହିଲା, ରୋଷଇ ହବା ବେଳକୁ ମୁଁ ଆସି ପହଞ୍ଚିଯିବି ଅପା । ସେତେବେଳକୁ କିନ୍ତୁ ପିନ୍ଧି ସାରିଥିବୁ ଶାଢ଼ି ।

 

ସୌମ୍ୟ ଯାହା କହିବାର କଥା ଡେରିରେ ହେଲେ ବି ସ୍ପଷ୍ଟ ଭାବରେ କହି ଦେଇ ଆସିଲା ସୁଜାତାକୁ ।

 

ସୁଜାତା ଯେ ତା’ର ମନ ଓ ହୃଦୟର ଅଧିକାର କରି ବସିଛି ଏଇ ସତ୍ୟ ସେ ଯେଉଁ ମୁହୁର୍ତ୍ତରେ ଆବିଷ୍କାର କଲା ସେଇ ମୁହୁର୍ତ୍ତରେ ନିଷ୍ପତ୍ତି କରି ନେଲା ଯେ ଏ ବିଷୟ କେବଳ ନିଜର ଅନୁଭବରେ ସୀମାବଦ୍ଧ ନ ରଖି ସୁଜାତାକୁ କହିଦେବା ଉଚିତ ହେବ ।

 

ସେହିଦିନ ଯେତେବେଳ ଏଇ ଶୁଭ ସମ୍ବାଦ ଦବା ପାଇଁ ସୌମ୍ୟ ପହଞ୍ଚିଲା ତା’ ଘର, ସୁଜାତା ପଢ଼ା ପ୍ରସ୍ତୁତ କରୁଥିଲା ।

 

ସୁଜାତା କହିଲା, ଏଇ ଅବେଳରେ ଯେ,.. ?

 

ସୌମ୍ୟ ଗମ୍ଭୀର ହୋଇଯାଇ କହିଲା, ବେଳ ହବା ଆଗରୁ ଚାଲି ଆସିଲି... ।

 

ସୁଜାତା କହିଲା–ବସ !

 

–ଶୋଷ କରୁଛି ।

 

–ସରବତ୍ ଦେବି ?

 

–ଖାଲି ସରବତ

 

–ଆଉ କ’ଣ ଖଇବ କୁହ ?

 

–ଅନେକ ଆଶା କରି ଆସିଛି... ।

 

–ଗୋଟି ଗୋଟି କରି କହିଯାଅ

 

–ଶୁଣିବାକୁ ଇଚ୍ଛା ହେଉଛି ?

 

–ହଁ, ହଁ, କହିଯାଅ... ।

 

–ମୋ କଥା ଶୁଣିବାକୁ ଭଲ ଲାଗିବ ସୁ... ?

 

–ଆଜି ଏ ପ୍ରଶ୍ନ କାହିଁକି ଉଠୁଛି ?

 

–ନା’, କାଳେ ଯଦି... !

 

–ଆହୁରି ସଂଶୟ ଅଛି ମନରେ... ?

 

–ନା’, ତଥାପି... ।

 

–ତଥାପି କଅଣ ? ସାହସ ହଉନି କହିବା ପାଇଁ ? ତମେ ପରା ପୁରୁଷ ?

 

–ମୁଁ ଏଇ କେତେଦିନ ହେଲା ଅନେକ ଭାବିଛି... ।

 

–କଅଣ ଭାବିଛ ?

 

–ତୋ କଥା ।

 

ମୋ କଥା କଅଣ ଭାବୁଥିଲ ?

 

–ତୁ କହ ।

 

–ବାଃରେ, ତମ ମନକଥା ମୁଁ କିପରି ଜାଣିବି ?

 

–ଝିଅମାନେ ମନକଥା ବୁଝିପାରନ୍ତି... ।

 

–ପୁଅମାନେ ଖୋସାମତି କରିଜାଣନ୍ତି ବେଶୀ... ।

 

–ତୁ ସେଦିନ କଅଣ କହିବୁ କହୁଥିଲୁ ?

Unknown

 

–ତମେ ବି କଅଣ କହିବ କହିବ କହିବ କହୁଥିଲ... ?

 

–ତୁ ଆଗ କହୁନୁ... ?

 

–ତମେ କହ.... ।

 

–ଏକାବେଳେ କହିବା ... ।

 

ସୁଜାତାର ହାତଟି ଉଠେଇ ନେଇ, ତା‘ ଆଡ଼କୁ ଝୁଙ୍କିପଡ଼ି, ତାର କାନପାଖରେ କହିଲା ସୌମ୍ୟ–ମୁଁ ଆବିଷ୍କାର କରିଛି... ।

 

–କଅଣ ?

 

–ତୋତେ ...

 

ଆଃ, ଡେରି କରନି, ଅସଲ କଥା କହି ପକାଅ...

 

–ଏକା ସାଙ୍ଗରେ କହିବା..

 

–ମୁଁ ଆବିଷ୍କାର କରିଛି... ।

 

–କାହାକୁ ?

 

–ତମକୁ... ।

 

–ମୁଁ ତୋତେ...

 

–ମୁଁ ତୁମକୁ

 

–ଭଲପାଏ

 

–ମୁଁ ବି ଭାରି ଭଲ ପାଏ... ।

 

ପ୍ରାୟ ଏକା ସାଙ୍ଗରେ କହିଲେ ଦୁହେଁ ଏବଂ ସେଇ ଶେଷ ପଦିକ କହି ଦେଇ ନିଜର ଅନୁରାଗ ବୋଳା ମୁହଁ ନୁଆଁଇ ଆଣିବାବେଳକୁ ହଠାତ୍ ପଲକ ମଧ୍ୟରେ ଏକ ଉଷ୍ମ ଚୁମ୍ବନ ତା’ ଅଧର ଉପରେ ଆଙ୍କିଦେଲା ସୌମ୍ୟ ।

 

ଶିହର ଉଠିଲା ସୁଜାତା... ଏବଂ ସୌମ୍ୟର ଛାତି ଉପରେ ଧୀରେ ଧୀରେ ଆଉଜି ପଡ଼ିଲା ପରମ ଉଲ୍ଲାସରେ ।

 

ବାହାରକୁ ଆସି କେନାଲର ପ୍ରବହମାନ ଜଳଧାର ପାଖରେ ବସିଲେ ଦୁହେଁ ।

 

ଜୀବନ ଏଇ ନଦୀ ପରି । ଯେଉଁଦିନ ଏହାର ଗତି ବନ୍ଦ ହୋଇଯିବ, ସେହିଦିନ ମଣିଷ ହୋଇଯିବ ସ୍ଥାଣୁ, ନିର୍ଜୀବ । ଅନାଦି କାଳରୁ ଜୀବନରେ ବେଗ ଓ ଆବେଗ ସୃଷ୍ଟି କରି ବହି ଆସିଛି ନଦୀ । ତାର ପ୍ରବାହକୁ ଯେପରି କେହି ପ୍ରତିହତ କରିପାରିନି, ସେହିପରି ଜୀବନର ପ୍ରବାହ ଅପ୍ରତିହର ହୋଇ ରହିଛି । ଆଗରେ ଥିବା ପାହାଡ଼ ଡେଇଁ, ନୂଆବାଟ ଖୋଜିଖୋଜି ଯେପରି ଆଗେଇ ଯାଏ ନଦୀ–ମଣିଷ ବି ସେହିପରି ସବୁ ବାଧା ବନ୍ଧନକୁ ପଛରେ ପକେଇ ଅମଡ଼ା ପଥ ମାଡ଼ି ଚାଲେ... ।

 

ସୌମ୍ୟର ତାତ୍ତ୍ୱିକ ବ୍ୟାଖ୍ୟା ଦର୍ଶନ ଅଧ୍ୟାପକଙ୍କ ବକ୍ତୃତା ପରି ଲାଗୁଥିଲା ସୁଜାତାକୁ । ଅନେକ ବେଳଯାଏ ଦୁହେଁ ସେଠାରେ ବସି କେନାଲର ପ୍ରବାହ ଲକ୍ଷ୍ୟ କରୁଥିଲେ ଏବଂ ଗଳ୍ପ କରୁଥିଲେ ।

 

ହଠାତ୍ ସେମାନଙ୍କର ସେଇ ନିବିଡ଼ ଆତ୍ମୀୟ ପରିବେଶର ଶାନ୍ତି ଭଙ୍ଗ କରି କୋଳାହଳ ଶୁଣାଗଲା ପଛରୁ । ଫେରି ଚାହିଁବା ବେଳକୁ ଦୃଷ୍ଟିରେ ପଡ଼ିଲେ ବସ୍ତିର ଦଳେ ପିଲା ।

 

ରାଜୁ ଯେ ସେମାନଙ୍କୁ ମତେଇଛି, ଏଥିରେ ଆଉ ସନ୍ଦେହ ରହିଲା ନାହିଁ ମନରେ ।

 

ସେମାନଙ୍କର ନେତୃତ୍ୱ ନେଇ ଆଗେଇ ଆସିଲା ରାଜୁର ସାଙ୍ଗ ଗୋବିନ୍ଦା ।

 

ଗୋବିନ୍ଦା ଓଭରବ୍ରିଜ୍ ପାଖ ବସ୍ତିର ପିଲା ।

 

ସେ ଇମିତି ଏକ ବିକୃତ ଓ ଅଶ୍ଳୀଳ ଭଙ୍ଗି କରି ସେମାନଙ୍କୁ କଅଣ କହିଲା ଯେ ଅନ୍ୟ ସାଙ୍ଗମାନେ ହସି ଉଠିଲେ କିରିକିରି ଏବଂ ଲଜ୍ୟାରେ କାନମୁଣ୍ଡ ଗରମ ହୋଇଉଠିଲା ସୁଜାତାର ।

 

ସୌମ୍ୟ ଉଠିପଡ଼ି କହିଲା, ଏ ବସ୍ତିରେ ବି ଭଦ୍ରଲୋକ ଅଛନ୍ତି ଏହା ଭୁଲି ଯାଉଛ କାହିଁକି ଗୋବିନ୍ଦା ?

 

ଗୋବିନ୍ଦା ଉଚ୍ଚ ସ୍ୱରରେ ଖତେଇ ହୋଇ କହିଲା, ଦିନ ଦିପ୍ରହରେ କେନାଲ କୂଳରେ ପୀରତି କରେନି କେହି ଭଦ୍ରଲୋକ । ତୁମ ଦୁହିଁଙ୍କର ଲଜ୍ୟା ସରମ ବୋଲି କିଛି ନାହିଁ, ନୋହିଲେ ରାସଲୀନଳା ଲଗେଇ ଥାଆନ୍ତ ଏ ବସ୍ତିରେ ?

 

ସୁଜାତାକୁ ଘରକୁ ଯିବା ପାଇଁ କହିଲା ସୌମ୍ୟ ।

 

ସୁଜାତା ପାଦ ବଢ଼ାଇଲାବେଳକୁ ତା’ ଆଗରେ ଅପନ୍ନା ଛିଡ଼ା ହୋଇଯାଇ କହିଲା, ଘରକୁ ନୁହେଁ, ଚାଲ କ୍ଲବକୁ । ସେଇଠି ସମସ୍ତେ ଅପେକ୍ଷା କରିଛନ୍ତି ତୁମ ଦୁହିଁଙ୍କର ବିଚାର କରିବା ପାଇଁ ।

 

ସୌମ୍ୟ ପାଖକୁ ଲାଗି ଆସି ଉତ୍ତେଜିତ ହୋଇ କହିଲା, ଭଲ ହେବ ନାହିଁ କହୁଛି... ।

 

ଗୋବିନ୍ଦା ତାର ସାର୍ଟର କଲର ଧରି କହିଲା, ଦିନବେଳେ ପୀରତି କରିବା କେମିତି ଭଲ ଯେ.. ?

 

ସୌମ୍ୟ ତାକୁ ଇମିତି ଯୋର୍‌ରେ ଗୋଟେ ଘୁଷି ମାଇଲା ଯେ ସେ ତିନିଥର ଗଡ଼ି ଗଡ଼ି ଖଣ୍ଡେ ଦୂରରେ ପଡ଼ିଲା ଯାଇ । ଅପନ୍ନା ଆଗେଇ ଆସୁଥିଲା ଆକ୍ରମଣ କରିବାକୁ । ସୌମ୍ୟ ତାକୁ ବି ଚିତ୍ କରିଦେଲା ଅନାୟାସରେ । ତା’ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇ ଗଲେ ସେଠାରୁ ।

 

ଗୋବିନ୍ଦା ଉଠିପଡ଼ି ସେମାନଙ୍କୁ ଅକଥ୍ୟ ଭାଷାରେ ଗାଳି ଦେବା ବେଳକୁ ଆଗେଇ ଯାଇଥିଲେ ସୌମ୍ୟ ଓ ସୁଜାତା ।

 

ଅଶ୍ରବ୍ୟ, ଅଶ୍ଳୀଳ ଗାଳି ଭାସି ଆସୁଥାଏ ସେମାନଙ୍କ ପଛରୁ ।

 

ସୁଜାତାକୁ ଘରେ ପହୁଞ୍ଚାଇ ଦେଇ କହିଲା ସୌମ୍ୟ–ମୁଁ ଆଜି ଆସୁଛି ସୁ... !

 

କାଳେ ସେଦିନ ପରି କିଛି ଦୁର୍ଘଟଣା ଘଟିପାରେ ତାହା ଆଶଙ୍କା କରି, ତା’ ହାତଧରି ପକେଇ ସାଶ୍ରୁଳ ନୟନରେ କହିଲା ସୁଜାତା, ତମେ ବରଂ ଏଇଠି ରହିଯାଅ କିଛି ସମୟ ବାପା ଆସିବା ପର୍ଯ୍ୟନ୍ତ–ମୋତେ କାହିଁକି ଡର ଲାଗୁଛି... ।

 

ସୌମ୍ୟ କହିଲା, ବସ୍ତିରେ ରହିଲେ ଏପରି ଘଟଣା ଦେହସୁହା ହୋଇଯାଏ । ଏଥିରେ ବଡ଼ଲୋକୀ ଓ ମଧ୍ୟବିତ୍ତ ଶିକ୍ଷିତ ଶ୍ରେଣୀର ଆଚାର ବ୍ୟବହାର ବିରଳ । ଅଭାବ ଭିତରେ ବଢ଼ି ବସ୍ତି ଲୋକମାନଙ୍କର ସ୍ୱଭାବ ବି ବଦଳି ଯାଏ । କିନ୍ତୁ ମନେରଖିବୁ ଯେ ଏମାନେ ଅମଣିଷ ନୁହନ୍ତି, ବରଂ ଏମାନଙ୍କର ମଣିଷପଣିଆ ଅମାର୍ଜିତ ହେଲେ ବି ଭେଜାଲ ନୁହେଁ । ଟିକେ ଘଷି ମାଜି ଦେଲ ଖାଣ୍ଟି ସୁନା ।

 

ସୁଜାତାକୁ ଆଶ୍ୱାସନା ଓ ଭରସା ଦେଇ, ପୁଣି ଆସିବାର ପ୍ରତିଶ୍ରୁତି ଦେଇ ବାହାରି ପଡ଼ିଲା ସୌମ୍ୟ ।

 

କିନ୍ତୁ ସେତେବେଳେ ସେ ଜାଣି ନ ଥିଲା ଯେ ଶତ୍ରୁ ପଳେଇ ଯାଇନି, କେବଳ କୌଶଳ ପରିବର୍ତ୍ତନ କରି ପଛକୁ ହଟିଯାଇଛି ।

 

ସେ ବସ୍ତି ପାର ହୋଇ ରେଳ ଲାଇନ ପାଖରେ ପହଞ୍ଚିବା କ୍ଷଣି ରାଜୁ ଏବଂ ତା’ ସାଙ୍ଗମାନଙ୍କ ଅତର୍କିତ ଆକ୍ରମଣର ସମ୍ମୁଖୀନ ହୋଇ ନ ପାରି ତଳେ ପଡ଼ିଗଲା । ସେମାନେ ପ୍ରସ୍ତୁତ ହୋଇ ଆସିଥିଲେ । ସାଇକେଲ୍ ଚେନ, ଲାଠିରେ ଲାଛି ଦେଇଗଲା ତାକୁ । ସେମାନେ ହୁଏତ ଜୀବନରେ ମାରି ଦେଇଥାଆନ୍ତେ ସୌମ୍ୟକୁ, କିନ୍ତୁ ଅଳ୍ପ ସମୟ ପରେ ଅଚେତ ହୋଇ ପଡ଼ିଥିବା ସୌମ୍ୟରଞ୍ଜନ ମରିଗଲା ଭାବି ସେମାନେ ତାର ଦେହକୁ ରେଳ ଲାଇନ୍ ଉପରେ ଶୁଆଇ ଦବା ମୁହୁର୍ତ୍ତରେ ପହଞ୍ଚି ଗଲେ ନରସିଂହ ଏବଂ ସନିଆ ।

 

ରାଜୁ ଏବଂ ତାର ସାଙ୍ଗମାନେ ଦୌଡ଼ି ପଳେଇଗଲେ ସେଠାରୁ ।

 

ସେମାନଙ୍କୁ ଶିକ୍ଷା ଦବା ପାଇଁ ସମୟ ନ ଥିଲା ହାତରେ ।

 

ଦୁହେଁ ସୌମ୍ୟର ରକ୍ତାକ୍ତ ଜ୍ଞାନଶୂନ୍ୟ ଶରୀରକୁ ଶୂନ୍ୟେ ଶୂନ୍ୟେ ବୋହି ଆଣି ସନିଆର ରିକ୍‌ସାରେ ବସେଇ ଚାଲିଲେ ମେଡ଼ିକାଲକୁ ।

 

ପୃଥିବୀ ବଦଳି ଯାଇଛି ନା ସୁଦର୍ଶନ ମାଷ୍ଟ୍ରେ ନିଜେ ବଦଳିବାକୁ ଆରମ୍ଭ କରିଛନ୍ତି, ଏହା ଠିକ୍ କରି ନ ପାରି ସଂଶୟରେ ପଡ଼ି ଯାଇଛନ୍ତି ସେ । ଯେତିକି ବିଶ୍ୱାସ ଏବଂ ସାହସ ନେଇ ସେ ଆରମ୍ଭ କରିଥିଲେ ଜୀବନ, ସେଥିରେ ପରିବର୍ତ୍ତନ ଦେଖାଦେଇଛି । ଯେଉଁ ନୀତି ଏବଂ ଆଦର୍ଶ ଦିନେ ଅଟଳ ବୋଲି ମନେହେଉଥିଲା, ତାହା ଆଜି ଅବାସ୍ତବ, ଅନିଶ୍ଚିତ ମନେହେଉଛି । ଏଇ ପୃଥିବୀକୁ ସୁନ୍ଦର କରିବା ପାଇଁ ଅନାଦି କାଳରୁ କେତେ ମୁନିଋଷି ସାଧୁସନ୍ଥ ପ୍ରୟାସ କରିଛନ୍ତି ତା’ର ଇତିହାସ ଲିପିବଦ୍ଧ ହୋଇ ରହିଛି । ଏଇ ସମାଜକୁ ସଙ୍ଗଠିତ ଏବଂ ସମୃଦ୍ଧ କରିବା ଲାଗି କେତେ ଶାସକ ଓ ସମ୍ରାଟ୍ ଉଦ୍ୟମ କରିଛନ୍ତି । ଧର୍ମର ଗ୍ଳାନି ହୋଇ ଯେତେବେଳ ପାପଭାରରେ ପୃଥିବୀ ଥରହର ହୋଇଛି, ସେତେବେଳେ ସ୍ଥିତାବସ୍ଥା ବିରୁଦ୍ଧରେ ସଂଗ୍ରାମ କରି ନୂତନ ସମାଜ ପ୍ରତିଷ୍ଠା କରିବା ପାଇଁ ଜନ୍ମଗ୍ରହଣ କରିଛନ୍ତି ଅବତାର । ପୃଥିବୀ ଜନ୍ମଗ୍ରହଣ କରିବାର ଲକ୍ଷ ଲକ୍ଷ ବର୍ଷର ଇତିହାସରେ ଦଶ ଅବତାର ଅବତୀର୍ଣ୍ଣ ହୋଇ ମହୀମଣ୍ଡଳର ଓ ଲୋକ ଜୀବନର ଆମୂଳଚୁଳ ପରିବର୍ତ୍ତନ କରିଛନ୍ତି । ପୁଣି ଆହୁରି ପାପର ଭାର କେତେ ବେଶୀ ହେଲେ ଏକାଦଶ ଅବତାର ଅବତରଣ କରିବେ ଭୁପୃଷ୍ଠରେ ?

 

ସୁଦର୍ଶନ ଚିନ୍ତା କରିବାକୁ ଯାଇ ଅଡ଼ୁଆରେ ପଡ଼ି ଯାଆନ୍ତି । କିଛି ନିର୍ଣ୍ଣୟ କରିପାରନ୍ତି ନାହିଁ-। ତାଙ୍କୁ ଲାଗେ ଯେ ସେ ଯାହା କରୁଛନ୍ତି, ସେୟା ବୋଧହୁଏ ତତ୍କାଳିକ ଧର୍ମ । ଧର୍ମର ସଂଜ୍ଞା ଯାହା ହଉନା କାହିଁକି ତାଙ୍କ ମତରେ ତାହା ଯଦି କାଳୋଚିତ ନ ହୁଏ ତେବେ ଧର୍ମ ଲୋକଙ୍କର ଜୀବନଚର୍ଯ୍ୟାରେ ପ୍ରତିଫଳିତ ହୁଏନାହିଁ । କାଳର ଦାବି ମାନି ନେଇ ଧର୍ମ, ନୀତି, ଅନୁଶାସନ ସବୁ ବଦଳିବାକୁ ବାଧ୍ୟ । କିନ୍ତୁ ସନାତନ ଧର୍ମ ଚିରନ୍ତନ କହି ଏହାର ପରିବର୍ତ୍ତନ ହେଉ ନ ଥିବାରୁ ଆଜିର ଜଟିଳ ସମାଜରେ ଚଳିବା ଅସମ୍ଭବ ହୋଇପଡ଼ୁଛି ।

 

ସେଥିପାଇଁ ମାଧବଲାଲ ଖଜୁରୀଲାଲ ଯେଉଁଦିନ ତାଙ୍କୁ କହିଲେ ଯ, ଖାଲି ଗହମରୁ ଅଟା ତିଆରି ହୁଏନାହିଁ, ମକାରୁ ବି ଅଟା ତିଆରି ହୁଏ ଏବଂ ଗହମ ଓ ମକାର ସମ୍ମିଶ୍ରଣରେ ଯେଉଁ ଅଟା ତିଆରି ହୁଏ ତାହା ଅଧିକ ଉପାଦେୟ, ଲୋକଙ୍କ ସ୍ୱାସ୍ଥ୍ୟର ଅଧିକ ଅନୁକୁଳ । ସେଦିନ ସେ ମାନିଗଲେ ତାଙ୍କ କଥା ଏବଂ ସେହିଦିନଠାରୁ ମକା ଓ ଗହମ ମିଶ୍ରିତ ଅଟା ବିକ୍ରୀ ହେଲା ଗୋଦାମରୁ । ସୋରିଷ ସହିତ ଆଗରା ମିଶାଇ ପେଷାଗଲା ସୋରିଷ ତେଲ ଟିଣ । ଆଜିକାଲି ଖାଣ୍ଟି ଓ ଭେଜାଲ ମଧ୍ୟରେ ତଫାତ୍ ଧରାପଡ଼ୁନି ଆଖିକୁ । ଖାଣ୍ଟି ଗୁଆଘିଅ ଏ ଯୁଗର ପିଲାଏ ଚାଖି ନାହାନ୍ତି କି ମହାବଳ ବାଘଟିଏ ଦେଖିନାହାନ୍ତି । ସେଥିପାଇଁ ମା’, ମାଉସୀମାନେ କହନ୍ତି, ବାଘ ନ ଦେଖିଲେ ବିଲେଇ ଦେଖ । ସେଥିପାଇଁ ନନ୍ଦନକାନନ ଯିବାକୁ ହୁଏ ।

 

ସୁଦର୍ଶନ ଖାଣ୍ଟି ଅଛନ୍ତି କି ଭେଜାଲ ହୋଇଗଲେଣି ବୁଝିପାରନ୍ତି ନାହିଁ । ଖାଣ୍ଟି ଘିଅ ପରି ଖାଣ୍ଟି ମଣିଷ ହୋଇ ରହିବା ସମ୍ଭବ ମନେହେଉନି ଆଜି । ଜୀବନ ଜଞ୍ଜାଳରେ ପେଷି ହୋଇ ପ୍ରତିଦିନ ନିଜର ଆଖି ଆଗରେ ଭାଙ୍ଗି ପଡ଼ୁଥିବା ମୂଲ୍ୟବୋଧ ଓ ହ୍ରାସ ପାଉଥିବା ନୈତିକତା ଦେଖି ଏବଂ ପ୍ରତି ମୁହୂର୍ତ୍ତରେ ପରାକ୍ରମୀ ଓ ପ୍ରତିପତ୍ତିଶାଳୀର ନିର୍ଯାତନା ସହ୍ୟ କରି ନୀତି ନିୟମକୁ ଧରି ବଞ୍ଚିପାରୁନି ସାଧାରଣ ମଣିଷ । ସେ ବି ଦୁଧରେ ପାଣି ମିଶାଉଛି, ସତ ନ କହି, ମିଛି କହୁଛି, ଚୋରି କରୁଛି ।

 

ଅତି ବେଗରେ ବଦଳୁଥିବା ଏଇ ଦୁନିଆ ସହିତ ସେ ବି ବଦଳିବାରେ ଲାଗିଛନ୍ତି ।

 

ବସ୍ତିରେ ନିଶା ଭାଙ୍ଗ, ଜୁଆଖେଳ, ଅସାମାଜିକ ଲୋକଙ୍କରଆଡ଼୍ଡା ବଢ଼ିବାରେ ଲାଗିଛି । ରାମମୂର୍ତ୍ତି କଲେଜ ପିଲାଙ୍କର ଗଞ୍ଜେଇ ଗୁରୁ । ତାହାରି ଘରେ ଆସି ଆଡ଼୍ଡା ଦିଅନ୍ତି କଲେଜ ପିଲାମାନେ ଗଞ୍ଜେଇ ଟାଣିବା ପାଇଁ, ଭାଙ୍ଗ ପିଇବା ପାଇଁ । ଏବେ ସେ ଅଫିମ ଧରେଇଛି କେତେକଙ୍କୁ । ତା’ର ସାନ ଭଉଣୀ କାବେରୀକୁ ଧରି କେତେଜଣ ପଡ଼ିରହନ୍ତି ଦିନରାତି । ଆଉ ରାତିରେ ତାସ୍ ଖେଳ ହୁଏ ବରଗଛମୂଳେ । ବାଜି ମରାମରି ଚାଲେ । ଶହ ଶହ ଟଙ୍କା ଏ ହାତରୁ ସେ ହାତକୁ ଚାଲିଯାଏ ।

 

ସେଦିନ ସେମିତି ଖେଳ ଚାଲିଥିଲାବେଳେ ସେଇ ବାଟ ଦେଇ ଫେରୁଥିଲେ ସୁଦର୍ଶନ ।

 

ତାଙ୍କୁ ଦେଖି ଚୁପ୍ ହୋଇଗଲେ ସେମାନେ, କିନ୍ତୁ ସେ ଲକ୍ଷ୍ୟ କରିଥିଲେ ଯେ ସେ ଘରକୁ ଚାଲିଗଲା ପରେ ସେମାନଙ୍କର ଖେଳ ଚାଲିଲା ପୁଣି । ସେଇ ରାତିରେ କଅଣ ମନାନ୍ତର ଘଟି ମାଡ଼ଗୋଳ ଲାଗିଲା ସେମାନଙ୍କ ଭିତରେ ଯେ, ସକାଳୁ ଉଠି ସେ ଶୁଣିଲେ ହରିଶ୍‍ର ଖୁନ୍‍ ହବା ଖବର । ହରିଶ୍ ଚାକିରୀ କରୁଥିଲା ଆଉ ଆଇନ ପଢ଼ୁଥିଲା । ଘର ଆଳିରେ । ବାପା ପଠେଇଥିଲା ପୁଅକୁ ପାଠପଢ଼ି ସୁନାମ ଅର୍ଜନ କରି ଭଲ ମଣିଷ ହେବା ପାଇଁ । ହରିଶ କିନ୍ତୁ କାହା ପାଲରେ ପଡ଼ି ନିଶାଭାଙ୍ଗ ଧରିଲା ଯେ ଆଉ ଛାଡ଼ି ପାରିଲା ନାହିଁ । କାବେରୀ କୁଆଡ଼େ ଅନ୍ୟମାନଙ୍କୁ ଛାଡ଼ି ତା’ ପ୍ରତି ବିଶେଷ ଅନୁରକ୍ତ ଥିଲା ବୋଲି ଜାଣୁଥିଲେ ସାଙ୍ଗମାନେ । ସେଥିପାଇଁ ବୋଧେ ପ୍ରଥମ ସୁଯୋଗରେ ପ୍ରତିହିଂସା ନେଲେ ତା’ ଉପରେ । ରାତି ଅଧରେ ହରିଶ୍‌ର ନିଷ୍ପ୍ରାଣ ଶରୀରଟାକୁ ଭସେଇ ଦେଲେ ତାଳଦଣ୍ଡା କେନାଲରେ । ତା’ ଆରଦିନ ମଧ୍ୟାହ୍ନରେ ଶବ ମିଳିଲା ବେଳକୁ ଚିହ୍ନି ହେଉ ନ ଥିଲା ତାକୁ । ପୁଲିସ୍ ଅନୁସନ୍ଧାନ କରୁଛି, କିନ୍ତୁ ଫଳାଫଳ ଯେ ଶୂନ୍ୟ ତାହା ଆଗରୁ ଜାଣନ୍ତି ସୁଦର୍ଶନ ।

 

ମାଧବଲାଲ ଖଜୁରୀଲାଲ ସେଥିପାଇଁ ଗୁରୁମନ୍ତ୍ର ଦବା ପରି କେତେଥର କହିଛି ତାଙ୍କୁ ଯେ, ସମୟ ବଦଳି ଗଲାଣି ମାଷ୍ଟ୍ରେ, ନିଜେ ନ ବଦଳିଲେ କଷ୍ଟ ପାଇବ । ପଛରେ ପଡ଼ିଥିବା ଲୋକ କେବେହେଲେ ଆଗରେ ଚାଲିବାର ସୁଖ ପାଏନି । ସବୁଦିନ ଗୋଡ଼ଭାଙ୍ଗି ଠିଆ ହୋଇଥିବାଲୋକ ସିଧା ହୋଇ ଚାଲି ଜାଣେନି । ନୀତି ନିୟମଗୁଡ଼ା ଭାଙ୍ଗିଲେ ଯଦି ମଣିଷ ବଡ଼ହୋଇ ପାରିବ ତା’ହେଲେ ସେଗୁଡ଼ାକୁ ଭାଙ୍ଗିବା ପାଇଁ କୁଣ୍ଠା କରିବ କାହିଁକି ଯେ.... । ସୁଦର୍ଶନ ମାଷ୍ଟ୍ରେ ଏହାର ଉତ୍ତର ଦେଇପାରି ନାହାନ୍ତି ଖଜୁରୀଲାଲକୁ । ଛୋଟ ମୁହଁରେ ବଡ଼ କଥା ପରି ଶୁଭିବ ବୋଲି ତାଙ୍କ ପେଟ ଭିତରର କଥା ଅଟକି ଯାଇଛି ତୁଣ୍ଡ ଆଗରେ । ସେ ଅଦା ବେପାରୀ, ଜାହାଜର ମୂଲ ପଚାରିବା ତାଙ୍କ ପକ୍ଷରେ ଅଯୌକ୍ତିକ, ଅପ୍ରାସଙ୍ଗିକ ।

 

ସୁଦର୍ଶନ ସାହାଣୀ କିନ୍ତୁ ପାପ ପୁଣ୍ୟର ଭୟରୁ ମୁକ୍ତ କରିପାରନ୍ତିନି ନିଜକୁ । ଗହମ ସହିତ ମକା ମିଶାଇ ଭେଜାଲ ଅଟା ବଜାରରେ ବିକ୍ରୀ ହେବା ଦିନୁ ସେହି ପାପର ମାଲିକ ମାଧବଲାଲ ଖଜୁରୀଲାଲ ହେଲେ ମଧ୍ୟ ତାଙ୍କୁ ମଧ୍ୟ ସେଇ ପାପର ଅଂଶଗ୍ରହଣ କରିବାକୁ ପଡ଼ିବ । ଏଇ ପାପବୋଧ ତାକୁ ଅଥୟ କରୁଛି ଏଇ କେତେଦିନ । ଚାକିରୀ ଛାଡ଼ି ଦେଲେ ସଂସାର ଚଳାଇବା କଷ୍ଟକର । ମାଷ୍ଟର ଚାକିରି କରି ପଚାଶ ଟଙ୍କାରେ ଯେ ଦୁଇଜଣ ଚଳିବା ଅସମ୍ଭବ ଏହା ଯେଉଁଦିନ ସେ ଜାଣିଲେ, ସେହିଦିନ କୁହାବୋଲା କରି ହିଜ୍‍ ମାଷ୍ଟରସ୍ ଭଏସରୁ ଯାହା ଶୁଣିଲେ ସେତକ କରିବାକୁ ଲାଗିଲେ ।

 

ସୁଦର୍ଶନ କାମସାରି ମାଲଗୋଦାମରୁ ଫେରୁଥିବାବେଳେ ଜଣେ ଲୋକ ସହିତ ଦେଖା ହେଲା କୋଇଲା ଡିପୋ ପାଖରେ । ଲୋକଟା ମଧ୍ୟ ବୟସ୍କ । କାହିଁକି କେଜାଣି ତାକୁ ଦେଖିବାକ୍ଷଣି ସେ ଯେ ଭଲ ଲୋକ ନୁହେଁ ଏଇ ଧାରଣାଟି ବଦ୍ଧମୂଳ ହୋଇଗଲା ମନ ଭିତରେ । କିନ୍ତୁ ପ୍ରକାଶ୍ୟରେ ତାକୁ କିଛି ନ କହି ବାଟ ଚାଲୁଥିଲେ ସୁଦର୍ଶନ । ସେହି ଲୋକଟି ତାଙ୍କର ସାଙ୍ଗେ ସାଙ୍ଗେ ଚାଲିଲାବେଳେ କହିଲା ଫିସ୍ ଫିସ୍ କରି... ଟିକେ ରହିଯାଅ ବାବୁ... କଥା ଅଛି... ।

 

ସୁଦର୍ଶନ ମାଷ୍ଟ୍ରେ ଠିଆ ହୋଇ ଯାଇ କହିଲେ, କଅଣ ?

 

ସେ କାନ ଆଉଁସି କହିଲା, କିଛି ମନେ ନ କଲେ ଗୋଟେ କଥା କହିବି ।

 

ସୁଦର୍ଶନ ମାଷ୍ଟ୍ରେ କହିଲେ, କୁହ, କିଛି ମନେକରିବି କାହିଁକି... ?

 

–ଏଇ, ବସ୍ତିରେ ରହିବି ସେଥିରୁ ନିଷ୍କୃତି ପାଇବାର ଉପାୟ ଅଛି ବାବୁ... ।

 

–ବସ୍ତିର ଲୋକ ବସ୍ତିରେ ରହିବେ, ସେଥିରେ ଅନ୍ୟମାନଙ୍କର ଯାଏ ଆସେ କେତେ ?

 

–ଯାଏ ଆସେ ଅଛି ବୋଲି ତ ମୁଁଆସିଛି । ରେଭେନ୍‍ସା କଲେଜ ପାଖରେ ନୂଆ ହୋଇ ଯୋଉ ହୋଟେଲ ଉତ୍କଳ ଖୋଲିଛି ସେଇଠୁ ଆସିଛି ମୁଁ । କିଛି ପ୍ରସ୍ତାବ ଅଛି... ।

 

–କହି ଯାଆନ୍ତୁ । କହିଲେ ମାଷ୍ଟ୍ରେ ।

 

–ଝିଅ ବୋହୁମାନେ କିଛି କାମ କଲେ ସେମାନଙ୍କର ଅଭାବ ରହିବ ନାହିଁ... ।

 

–କଅଣ କାମ ? କିଏ ଦବ କାମ ? ବୁଝି ନ ପାରି ପଚାରିଲେ ସୁଦର୍ଶନ ମାଷ୍ଟ୍ରେ ।

 

–ଅତିଥିମାନଙ୍କ ସେବା କରିବେ ସେମାନେ, ସେମାନଙ୍କର ପରିଚର୍ଯ୍ୟା କରିବେ । ଯାହ ମିଳିବ କମ୍ ନୁହେଁ । ଦର କଷାକଷି କରିବାକୁ ମୁଁ ଆସି ନାହିଁ, ଆପଣ ଯଦି ଏଥିରେ ସହଯୋଗ କରନ୍ତି ମୁଁ ନେଇଯିବି ସାଙ୍ଗରେ ।

 

–କାହାକୁ ?

 

–ଯୋଉ ଝିଅ ବୋହୁ ଏଇ କାମ କରି କିଛି ରୋଜଗାର କରିବାକୁ ବାହାରିବେ ।

 

–ମୋତେ ସେ କଥା କହିବାର ଅର୍ଥ କଅଣ ? ମୁଁ ତ ଠିକାଦାରୀ ନେଇ ନାହିଁ,.. । ରୁକ୍ଷ ସ୍ୱରରେ କହିଲେ ମାଷ୍ଟ୍ରେ ।

 

–ଆପଣଙ୍କ ଝିଅ କଲେଜରେ ପଢ଼ୁଛି ଶୁଣିଲି । ସେ ଯଦି ପାର୍ଟ ଟାଇମ୍ କାମ କରନ୍ତା ବେଶ୍ ରୋଜଗାର କରନ୍ତା କିଛି, ଆପଣ ବି ସୁଖରେ ରହନ୍ତେ... ।

 

ସୁଦର୍ଶନ ମାଷ୍ଟ୍ରେ ସ୍ତବ୍ଧ ହୋଇ ଅନାଇ ରହିଲେ ମୁହୁର୍ତ୍ତେ, ତା’ପରେ ସେଇ ଲୋକଟାକୁ ହାତରେ ଠେଲି ଦେଇ ଆଗେଇ ଯିବାବେଳେ କହିଗଲେ, ଆଉ ଏ ରାସ୍ତାରେ ଆସିଲେ ମାଡ଼ ଖାଇବା ନିଶ୍ଚିତ, ଭଲରେ ଭଲରେ ଫେରିଯାଆନ୍ତୁ... ।

 

ସେଇ ଲୋକଟା ଉଚ୍ଚହାସ୍ୟ କରି କହିବାର ଶୁଣିଲେ ସେ, ଲୁଚିଛି ନା ଗୋଡ଼ ଦୁଇଟି ଦିଶୁଛି । ଝିଅକୁ ବିକିଭାଙ୍ଗି ଚଳୁଛି, ସତକଥାଗୁଡ଼ା ବିଷ ପରି ଲାଗୁଛି... ।

 

ସୁଦର୍ଶନ ବାବୁ ଏକମୁହାଁ ଘୋଡ଼ା ପରି କେବଳ ଦୌଡ଼ିଲେ ବାକି ପଥ ଟିକକ ଅତିକ୍ରମ କରିବା ପାଇଁ । ଆଉ କିଛି ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା ତାଙ୍କର ।

 

କିନ୍ତୁ ସେ ନିଜ ଘର ସମ୍ମୁଖରେ ପହଞ୍ଚିବାବେଳକୁ ତର ତର ହୋଇ ଘର ଭିତରୁ ବାହାରି ଚାଲି ଯାଉଥିବା ରାଜୁ ସିଂହକୁ ଦେଖି ଆବାକ୍ ଭାବରେ ଛିଡ଼ା ହୋଇଗଲେ,ଆଗକୁ ପାଦ ବଢ଼େଇବା ପାଇଁ ସାହସ ହେଉ ନ ଥିଲା ।

 

ମାଧବଲାଲ ଖଜୁରୀଲାଲ ନିଜେ କହିଲେ ସବୁକଥା ।

 

ନୂଆ ହୋଇ ଖୋଲିଥିବା ‘ହୋଟେଲ ଉତ୍କଳ’ରେ ବିନିଯୁକ୍ତ ପୁଞ୍ଜିର ବେଶୀ ଅଂଶ ତାଙ୍କ ନିଜର । ଏଣୁ ହୋଟେଲର ଉନ୍ନତି ତାଙ୍କର କାମ୍ୟ ଏବଂ ଲକ୍ଷ୍ୟ । ହୋଟେଲ ଉତ୍କଳର ପ୍ରତିଯୋଗୀ ଭାବରେ ଭ୍ରମରବର କହ୍ନେଇଲାଲ ଆଉ ଗୋଟେ ହୋଟେଲ ତିଆରି କରୁଛନ୍ତି କେନାଲ କୂଳରେ । ଆସନ୍ତା ମାସ ପହିଲା ତାରିଖରେ ସେଇ ହୋଟେଲର ଶୁଭ ଉଦ୍‌ଘାଟନ କରିବେ ସ୍ୱୟଂ କମିସନର ସାହେବ । ଭ୍ରମରବର ନିଜ ହୋଟେଲର ନାମ ଦେଇଛନ୍ତି ‘ହୋଟେଲ ମହାନଦୀ’ । ହୋଟେଲ ଉତ୍କଳ ତିନି ତାରକା ପାଇଥିବା ସ୍ଥଳେ ତାଙ୍କ ହୋଟେଲ ଯେପରି ଚାରି ତାରକା ପାଇବା ସେଥିଲାଗି ସବୁ ପ୍ରକାର ଚେଷ୍ଟା କରୁଛନ୍ତି କହ୍ନେଇଲାଲ । ସେ ଜାଣନ୍ତି ଯେ ପେଟର ଭୋକ ସହିତ ଦେହର ଭୋକ ନିବାରଣ କରି ପାରିଲେ ହୋଟେଲ ଉତ୍କଳକୁ ନ ଯାଇ ହୋଟେଲ ମହାନଦୀକୁ ଆସିବେ ବଡ଼ ବଡ଼ ଲୋକେ । କଟକ ସହରରେ ସମସ୍ତେ ତ ସତୀ ସାବିତ୍ରୀ ନୁହନ୍ତି, ଆଉ ଯେଉଁ ଘରେ ଅଭାବ ଅସୁବିଧା ଲାଗି ରହିଛି ସବୁଦିନ, ସେଇ ଘରୁ କାହାକୁ ବହଲେଇ ବାହାରକୁ ଆଣିବା ବିଚିତ୍ର ବ୍ୟାପାର ନୁହେଁ ଆଦୌ ।

 

କହ୍ନେଇଲାଲଙ୍କ ଯୋଜନା ଖଜୁରୀଲାଲଙ୍କ ମୁହଁରୁ ଶୁଣି କ୍ଳାନ୍ତ ସ୍ୱରରେ କହିଲେ ସୁଦର୍ଶନ ସାହାଣୀ, ତା’ ବୋଲି ସେ ଝିଅ ବୋହୁଙ୍କ ଇଜ୍ଜତ ବିକ୍ରୀ କରି ବଡ଼ ହବା ପାଇଁ ଚାହାନ୍ତି ? ମାଧବଲାଲ ତାଙ୍କ କାନ୍ଧରେ ହାତ ରଖି ଅନ୍ତରଙ୍ଗ ସ୍ୱରରେ କହିଲେ, ଏ ଦୁନିଆକୁ ଖାଲି ଆଖିରେ ସବୁବେଳେ ନ ଦେଖି ରଙ୍ଗୀନ ଚଷମା ଦେଇ ବେଳେ ବେଳେ ଦେଖିଲେ ଦେହ ମନରେ ଫୂର୍ତ୍ତି ହୁଏ ମାଷ୍ଟର ବାବୁ । ତୁମେ ସାରାଜୀବନ ଅନେକ ଦୁଃଖ କଷ୍ଟ ଭୋଗ କଲ, ଏବେ ଟିକେ ସୁଖରେ ରହିବା ପାଇଁ ଚେଷ୍ଟା କର ।

 

କହ୍ନେଇଲାଲ ବଡ଼ ହେବ କି ଖଜୁରୀଲାଲ ବଡ଼ ହେବ ଏଇ ପ୍ରତିଯୋଗିତାରେ ତାଙ୍କର କଅଣ କର୍ତ୍ତବ୍ୟ ଥାଇପାରେ ତାହା ଆଦୌ ବୁଝି ପାରିଲେ ନାହିଁ ସୁଦର୍ଶନ ସାହାଣୀ । ତଥାପି ସେ ମାଧବଲାଲଙ୍କ ଲୁଣ ଖାଆନ୍ତି ବୋଲି ତାଙ୍କର ଗୁଣ ଗାଇବା କର୍ତ୍ତବ୍ୟ ଭାବରେ ଧରିନେଇ ମାଷ୍ଟ୍ରେ ଯେତେବେଳେ ଖଜୁରୀଲାଲଙ୍କ ପ୍ରଚ୍ଛନ୍ନ ଇଙ୍ଗିତ ଜାଣିପାରିଲେ ଘୃଣାରେ ସର୍ବାଙ୍ଗ ଥରିଉଠିଲା ତାଙ୍କର । ଜୀବନଯାକ ଧର୍ମ ସପକ୍ଷରେ ଲଢ଼ି, ନ୍ୟାୟ ଓ ନୀତି ସପକ୍ଷରେ ଯୁକ୍ତି ଶେଷରେ ତାଙ୍କ ଜୀବନରେ ଏପରି ସଙ୍କଟ ଦେଖାଦେବ ଏହା ସେ କେବେ କଳ୍ପନା ମଧ୍ୟ କରି ନ ଥିଲେ । ଏଣେ ମାଧବଲାଲଙ୍କ ନିଜ ମୁହଁର ଅନୁରୋଧ ଶୁଣିବା କ୍ଷଣି ଏଡ଼ାଇ ଦବା ଯେ ଆତ୍ମହତ୍ୟା ସଦୃଶ ହେବ ଏଥିରେ ମଧ୍ୟ ମନରେ ସଂଶୟ ନ ଥିଲା ତାଙ୍କର । କିନ୍ତୁ ଏପରି ଏକ ହୀନ କାର୍ଯ୍ୟ ତାଙ୍କରି ହାତରେ କରାଇ ନେବା ମନ୍ଦବୁଦ୍ଧି କାହିଁକି ଯେ କଲେ ମାଧବଲାଲ ସେଇକଥା ଭାବି ବିସ୍ମିତ ହୋଇଗଲେ ସୁଦର୍ଶନ ।

 

ମାଧବଲାଲ ଖଜୁରୀଲାଲ ଷାଠିଏ ଅତିକ୍ରମ କରି ଏକଷଠିରେ ପଡ଼ିଛନ୍ତି । ପୃଥିବୀରେ ଯେଉଁମାନେ ବଡ଼ ହୋଇଛନ୍ତି ସେମାନଙ୍କ ଇତିହାସ ସେ ପଢ଼ିଛନ୍ତି ! ତାଙ୍କର ଦୀର୍ଘ ଅଭିଜ୍ଞତାରୁ ମଧ୍ୟ ସେ ଜାଣିଛନ୍ତି ଯେ ସିଧା ଆଙ୍ଗୁଳିରେ ଘିଅ ଉଠେ ନାହିଁ କି ନ୍ୟାୟ ପଛରେ, ସତ୍ୟ ପଛରେ ଧାଇଁ ଦୁଃଖ ଦୁର୍ଭୋଗରେ ସଢ଼ିବା ଛଡ଼ା କେହି ସଂସାରରେ ସୁଖୀ ହୋଇପାରିନାହିଁ । ସୁଖ ଶୂନ୍ୟରୁ ଖସେ ନାହିଁ । ସୁଖ ଅର୍ଜନ କରିବା ପାଇଁ ଯେଉଁ ଉପାଦାନ ଲୋଡ଼ା ହୁଏ ତାହା ବର୍ଜନ ନ କରି ସଂଗ୍ରହ କରିବାକୁ ହୁଏ । ଅର୍ଥ ଯେ ଜୀବନର ସବୁ ସୁଖ ସନ୍ତୋଷର ପରମାର୍ଥ ଏହା ଆଉଥରେ ସେ ବୁଝାଇ ଦେଲେ ମାଷ୍ଟରଙ୍କୁ ।

 

ସୁଦର୍ଶନ ମାଷ୍ଟ୍ରେ ମଥାନତ କରି ରହିଲେ କିଛି ସମୟ । ସେଥିରେ କିନ୍ତୁ ବିଚଳିତ ହେଲେନି ମାଧବଲାଲ । ଭାଙ୍ଗିବା ଆଗରୁ ନଇଁବା ପ୍ରକୃତିର ଧର୍ମ । ସେ ମାଷ୍ଟରଙ୍କୁ ସହସା ଉତ୍ତର ନ ଦେଇ ଚିନ୍ତା କରି ନିଷ୍ପତ୍ତିରେ ପହଞ୍ଚିବା ପାଇଁ କହିଲେ । ଆହୁରି ବି ଖଜୁରୀଲାଲ ତାଙ୍କୁ କହିଲେ ଯେ ସେ ସୁଜାତା କଥା କହୁ ନାହାନ୍ତି, ତା’ କଥା ମାଷ୍ଟର ପରେ ବିଚାର କରିବେ, କିନ୍ତୁ ପାତାଳାପୁରୀରେ ଆହୁରି ଅନେକ ଝିଅବୋହୁ ଅଛନ୍ତି, ଯେଉଁମାନଙ୍କୁ ପ୍ରବର୍ତ୍ତେଇ ହେବ ଏଇ କାମରେ ।

 

ସେଦିନ ବି ତାଙ୍କୁ ଠିକ୍ ଏଇ ସୁଚନା ଦେଇଥିଲା ସେଇ କୁତ୍ସିତ ଅପରଚିତ ଲୋକଟା । ଆଜି କୋଟିପତି ଖଜୁରୀଲାଲଙ୍କ ମୁହଁରୁ ବି ସେଇ ଏକ କଥା ଶୁଣିଲେ ସେ । କାହିଁକି ଆଉ କାହାକୁ ନ କହି ମାଧବଲାଲ ଖଜୁରୀଲାଲ ତାଙ୍କୁ କହିଲେ ବଞ୍ଚିବାର ଏଇ ଗୋପନ ରହସ୍ୟ ? ସେ କଅଣ ବିଲାତି ମୂଷା ଯେ ତାଙ୍କୁ ଆଧାର କରି ଆଧୁନିକ ସଂଯୋଗ ଓ ସନ୍ତୋଷ ପରୀକ୍ଷା ନିରୀକ୍ଷା କରାଯିବ ? ଅନ୍ତର ଭିତରଟା ମନ୍ଥି ହୋଇଗଲା ସୁଦର୍ଶନ ମାଷ୍ଟରଙ୍କର । ସେ ଚାହୁଁଥିଲେ ପ୍ରତିବାଦ କରିବା ପାଇଁ, ତଣ୍ଟି ଫଟେଇ ଚିତ୍କାର କରି ନିଜର ନାସ୍ତିବାଣୀ ଶୁଣେଇ ଦବା ପାଇଁ; କିନ୍ତୁ ମାଧବଲାଲ ତାଙ୍କ ମୁହଁ ଉପରେ ତାଲା ପକେଇ ଦବା ଲାଗି କହିଲେ, ଏତେ ତରତର କାହିଁକି ହେଉଛ ମାଷ୍ଟରଜୀ, ପରେ କହିବ । ଭାବି ଚିନ୍ତି ଦେଖି ନିଅ ଏ ଭିତରେ ।

 

ମାଧବଲାଲ ଖଜୁରୀଲାଲଙ୍କ ଗୋଦାମ ଛାଡ଼ି ମାଲଗୋଦାମ ରାସ୍ତାରେ ଆସୁଥିବାବେଳେ ସେଇ ଜନାକୀର୍ଣ୍ଣ ବଢ଼ନ୍ତି ବ୍ୟବସାୟ କେନ୍ଦ୍ରକୁ ଆଉଥରେ ନୂଆ କରି ଦେଖିବା ପରି ଲାଗିଲା ତାଙ୍କୁ । ସେ ନିଜର ଅବବୋଧଦ୍ୱାରା ଆଜି ପର୍ଯ୍ୟନ୍ତ ଯାହା ଅନ୍ୟାୟ, ଅସତ୍ୟ, ଅଧର୍ମ ବୋଲି ଭାବୁଥିଲେ, ତାହା ଯେପରି ରାତାରାତି ନ୍ୟାୟ, ଧର୍ମ ଓ ସତ୍ୟ ପାଲଟି ଯାଇଛି । ମାଲଗେଦାମାର ମାଟି ଗୋଡ଼ିରେ ପ୍ରତ୍ୟେକ କୋଠାର ପଲସ୍ତରା ତଳେ ଲୁଚି ରହିଛି ନୂତନ ଜୀବନର ରଙ୍ଗ ଓ ଅନୁରାଗ । ସେ ଯେଉଁ ଦୁନିଆକୁ ବେଖାତିର କରି ଏଡ଼ାଇ ଦେଇ ଆସିଥିଲେ, ଆଜି ସେଇ ଦୁନିଆର ଜୟ ଜୟନ୍ତୀ ।

 

ମାଲଗୋଦାମର ମଧ୍ୟସ୍ଥଳରେ ଗଣେଶଜୀଙ୍କ ମନ୍ଦିର । ଆଉ କେତେ ଗଜ ଦୂରରେ ବଜରଙ୍ଗବାଲିଙ୍କ ମନ୍ଦିର । ବ୍ୟବସାୟ ବଢ଼ିବା ସଙ୍ଗେ ସଙ୍ଗେ ମନ୍ଦିର ଦୁଇଟିରେ ଭକ୍ତମାନଙ୍କର ସମାବେଶ ବଢ଼ିଛି, ପୂଜାର୍ଚ୍ଚନାର ଢଙ୍ଗରଙ୍ଗ ମଧ୍ୟ ବଦଳିଛି । ଆଗେ କେତୋଟି ବାନାଉଡ଼ୁଥିଲା ସେ ଦେଖି ନାହାନ୍ତି, କିନ୍ତୁ ଏବେ ବାର ହାତର ଅନେକ ବାନା ଫର୍‍ଫର୍‍ ହୋଇ ଉଡ଼ୁଥିବାର ସ୍ୱଚକ୍ଷୁରେ ଦେଖିଲେ ସୁଦର୍ଶନ ।

 

ସେଇ ଗଣେଷଙ୍କ ମନ୍ଦିର ଆଗେ ଦେଖା ହେଲା କିଲଟରୀରେ କାମ କରୁଥିବା ଭୁବନାନନ୍ଦ ମହାନ୍ତିଙ୍କ ସହିତ । ଭୁବନାନନ୍ଦ ବାବୁ ପାନ ପିକ ପକେଇ କହିଲେ, ନମସ୍କାର ନମସ୍କାର ମାଷ୍ଟରବାବୁ, ଆଜି ଅନୁକୁଳ ଭଲ ନ ହେଲେ ଆପଣଙ୍କ ସହିତ ସାକ୍ଷତ୍‍ ହୋଇ ନ ଥାନ୍ତା... ।

 

ସୁଦର୍ଶନ ମାଷ୍ଟ୍ରେ କୋର୍ଟ କଚେରୀ ଦେଖି ନାହାନ୍ତି । ଆବଶ୍ୟକ ପଡ଼ି ନାହିଁ । କିନ୍ତୁ କିଲଟରୀ ଅଫିସରେ, କୋର୍ଟ କଚେରୀରେ କଅଣ ହୁଏ ସେ ବିଷୟରେ ଅନେକ ତଥ୍ୟ ଶୁଣୁଚନ୍ତି ଏଇ ଭୁବନ ବାବୁଙ୍କ ମୁହଁରୁ । ଭୁବନବାବୁ ସଂସାରୀଲୋକ, ନେଇ ଆଣି ଥୋଇ ଜାଣିବା ବିଦ୍ୟାରେ ବିଶାରଦ । ତେଣୁ ଅଳ୍ପ ଦରମା ପାଇ ବି ସାତ ପ୍ରାଣୀର କୁଟୁମ୍ବ ପୋଷିବା ପରେ କଟକ ସହରରେ ଘରଟିଏ କରିଛନ୍ତି, ରାଜଧାନୀର ଉପକଣ୍ଠରେ ଦଶଗୁଣ୍ଠ ଜମି କିଣିଛନ୍ତି ।

 

ତାଙ୍କ ସହିତ ଆଗରୁ ପରିଚୟ ନ ଥିଲା ସୁଦର୍ଶନ ମାଷ୍ଟରଙ୍କର । ଏଇ ମାଲଗୋଦାମରେ ଚିରଞ୍ଜୀଲାଲଙ୍କ ସମ୍ମୁଖରେ ପରିଚୟ ହୋଇଥିଲା ତାଙ୍କ ସହିତ । ସେଇଦିନୁ କେତେଥର ଦେଖା ହୋଇଛି, ସୁଖ ଦୁଃଖ ହୋଇଛି ଦୁହିଁଙ୍କ ମଧ୍ୟରେ ଏବଂ ବନ୍ଧୁତ୍ୱ ବି ହୋଇଛି ଟିକେ ।

 

ସୁଦର୍ଶନବାବୁଙ୍କ ଶୁଖିଲା ଚିନ୍ତିତ ମୁହଁକୁ ଚାହିଁଦେଇ ସବୁ ବୁଝିଗଲା ପରି କହିଲେ ଭୁବନବାବୁ, ଇମିତି ଡରିଗଲେ ସମସ୍ୟାର ସମାଧାନ ହୋଇଯାଏନି ମାଷ୍ଟ୍ରେ । ତମକୁ ଭୂଷି ଦବା ପାଇଁ ଦୌଡ଼ି ଆସୁଥିବା ଷଣ୍ଢ ତା’ କାମ କରିବା ପୂର୍ବରୁ ତା’ର ଶିଙ୍ଗ ଧରି ଯଦି ତାକୁ କାବୁ ନ କର ନିଜେ ଭୋଗିବାହିଁ ସାର ହେବ । ଆଜି ଯାହା ଅସମ୍ଭବ ବା ଅନ୍ୟାୟ ଲାଗୁଛି, କାଲି ତାହା ସମ୍ଭବ ହେବ, ନ୍ୟାୟ ବୋଲି ମନେକରିବ । ପାପବୋଧ ମନର ଏକ ସାମୟିକ ବିକାର । ବାସ୍ତବରେ ପାପପୁଣ୍ୟର ବିଚାର କଲେ ମଣିଷ ବଞ୍ଚି ପାରିବନି ।

 

ତଥାପି ସୁଦର୍ଶନ ମାଷ୍ଟ୍ରଙ୍କ ମୁହଁରୁ ପଦେ କଥା ସ୍ଫୁରିଲା ନାହିଁ, ସେ ଯେପରି ମୁକହୋଇ ଯାଇଥିଲେ ।

 

ସୁବର୍ଣ୍ଣପୁର ଗ୍ରାମରେ ମାଷ୍ଟରୀ କରୁଥିଲାବେଳେ ସେ ଗାନ୍ଧିଜୀଙ୍କର ତିନୋଟି ମାଙ୍କଡ଼ ହାତରେ ଧରି ପିଳାମାନଙ୍କୁ ବୁଝାଉଥିଲେ ସେମାନଙ୍କର ରହସ୍ୟ । କାନ ବନ୍ଦ କରିଥିବା ମାଙ୍କଡ଼ଟି ଖରାପ୍ କଥା ଶୁଣିବ ନାହିଁ, ମୁହଁ ବନ୍ଦ କରିଥିବା ମାଙ୍କଡ଼ଟି ଖରାପ୍ କଥା କହିବ ନାହିଁ, ଆଖି ବନ୍ଦ କରିଥିବା ମାଙ୍କଡ଼ଟି ଖରାପ୍ କିଛି ଦେଖିବ ନାହିଁ । ପିଲାମାନଙ୍କୁ ମାଙ୍କଡ଼ମାନଙ୍କ ପରି ଖରାପ୍ କଥା ନ ଶୁଣିବା ପାଇଁ, ନ କହିବା ଓ ନ ଦେଖିବା ପାଇଁ ସେ ଶିକ୍ଷା ଦେଇଥିଲେ । ଆଜି ତାଙ୍କରି ଆଗରେ ସେଇ ଶିକ୍ଷା ମାଲଗୋଦାମର ଭଙ୍ଗାରୁଜା ରାସ୍ତା ପରି ଭାଙ୍ଗି ପଡ଼ୁଛି ।

 

ଭୁବନବାବୁ ତାଙ୍କୁ ହଲେଇ ଦେଇ କହିଲେ, ଆଜି ବଡ଼ ବିମର୍ଷ ଦେଖୁଛି ଯେ... କଅଣ ହୋଇଛି କି ମାଷ୍ଟ୍ରେ ?

 

ସୁଦର୍ଶନ ଧୀରେ ଧୀରେ କହିଲେ କିଛି ହୋଇନି କାହାରି, ସେ କେବଳ ଏଯାଏ ଜୀବନର ଯେଉଁ ଅଙ୍କ କଷୁଥିଲେ ତାହା ଭୁଲ ହୋଇଯାଇଛି ।

 

ଭୁବନ ବାବୁ କହିଲେ, ମୋତେ ଓ୍ବାର୍ଡ଼ କାଉନ୍ସିଲର ପ୍ରଭୁପଦ ଯାଯୋଡ଼ିଆ ପଠେଇଛନ୍ତି ତୁମ ପାଖକୁ । ତାଙ୍କୁ ମନେଥିବ ନିଶ୍ଚୟ । ଏଇ କେଇ ମାସ ଆଗେ ତ ଲଢ଼ିଥିଲେ ତାଙ୍କ ବିପକ୍ଷରେ-। କିନ୍ତୁ ନିର୍ବାଚନ ଠିକ୍ ଯୁଦ୍ଧ ଓ ପ୍ରେମ ପରି । ଯୁଦ୍ଧ ଓ ପ୍ରେମରେ ଯେପରି ଅନୀତି ନୀତିର ବିଚାର କରାଯାଏ ନାହିଁ ନିର୍ବାଚନରେ ମଧ୍ୟ ଠିକ୍ ସେହିପରି ।

 

ସୁଦର୍ଶନ ଆକାଶରୁ ପଡ଼ିବା ପରି କହିଲେ–ମୋ ପରି ଅର୍ବାଚୀନ ଲୋକ ପାଖରେ କଅଣ କାମ ଅଛି ପ୍ରବଳ ପରାକ୍ରମୀ ପ୍ରଭୁପଦ ଯାଯୋଡ଼ିଆଙ୍କର ?

 

–ଅଛି, ସେଇଥିପାଇଁ ପଠେଇଛନ୍ତି । ସେ ଜାଣନ୍ତି ଯେ ତୁମେ ହାରିଗଲେ ବି ଜିତିଛ । ଭୋଟ୍‍ ଚୋରି କରି ନ ଥିଲେ ସେ ଯେ ଜିତିପାରି ନ ଥାନ୍ତେ ଏହା ସେ ଜାଣନ୍ତି, ମୁଁ ବି ଜାଣେ । ଆଉ ଜାଣନ୍ତି ଇଲେକ୍‌ସନ ଅଫିସର । ଅର୍ଥହିଁ ଏ ଯୁଗର ପରମାର୍ଥ । ଅର୍ଥ ବଳରେ ସବୁ କରିହୁଏ ମାଷ୍ଟର ।

 

ତେବେ ସେକଥା ଛାଡ଼... ଆଗେ କହିଦିଏ ମୋତେ ତୁମ ପାଖକୁ ପଠାଇବାର କାରଣ ।

 

ତା’ପରେ ସୁଦର୍ଶନବାବୁଙ୍କ ହାତଧରି ଯୋଗ କଲେ ଭୁବନ ମହାନ୍ତି । ଠିଆ ଠିଆ କଥା ହବା ଶିଷ୍ଟାଚାର ବିରୁଦ୍ଧ । ଚାଲ ବରଂ ଚା’ କପେ ପିଇବା ଆଉ ସେତିକିବେଳେ ତାଙ୍କ କହିବା କଥା ବି ଶୁଣିବ ।

 

ଇଚ୍ଛା ନ ଥିଲେ ବି ପ୍ରାୟ ବାଧ୍ୟ ହୋଇ ତାଙ୍କ ସହିତ ଚା’ ଦେକାନାକୁ ଗଲେ ସୁଦର୍ଶନ ।

 

ଚା’ରୁ ଢୋକେ ପିଇ ଆରମ୍ଭ କଲେ ଭୁବନମୋହନ, ଯାଯୋଡ଼ିଆ ପୋଖତ ଲୋକ । କୋଉ ପୋଖରୀରେ କେତେ ମାଛ ସେ ଜାଣନ୍ତି ସବୁ । ତାଙ୍କ ଇଚ୍ଛା ତୁମେ ତାଙ୍କର ହୋଇ କାମ କର । ଇଲେକ୍‌ସନ ତ କୋଉ ଦିନରୁ ସରିଛି । ଏବେ ଆଉ ବାଦ ବିବାଦର ପ୍ରଶ୍ନ ନାହିଁ ।

 

–ମୁଁ ସାମାନ୍ୟ ମଣିଷ... ପ୍ରଭୁପଦ ଯାଯୋଡ଼ିଆ କୋଟିପତି ।

 

–କିନ୍ତୁ ତୁମଠାରେ ସେ ଆହୁରି ବଡ଼ ହେବାର ଚାବିକାଠ ଥିବା ଜାଣନ୍ତି । ସେତକ ଦରକାର ତାଙ୍କର... ।

 

–କଅଣ କୁହନ୍ତୁ ସିଧା ସିଧା... । ସଳଖି ବସି କହିଲେ ମାଷ୍ଟର ।

 

–ଏଇ ବସ୍ତିରେ ନିଜ ଖର୍ଚ୍ଚରେ ଗୋଟିଏ କମ୍ୟୁନିଟି ଲାଟ୍ରିନ୍, ଗୋଟେ ନଳକୂଅ, ଆଉ ଗୋଟେ ସ୍କୁଲ କରିବା ପାଇଁ ଚାହାନ୍ତି ସେ । କିନ୍ତୁ ଏସବୁରେ ତଦାରଖ ସେ ନିଜେ କରି ପାରିବେନି, ସମୟ ନାହିଁ ତାଙ୍କର । ସେ ଜାଣନ୍ତି ତୁମକୁ, ଶୁଣିଛନ୍ତି ତୁମର ସାଧୁତା ସମ୍ପର୍କରେ... । ତାଙ୍କରି ମୁହଁରେ କଥା କହୁଛି ମୁଁ... ଯଦି ତୁମେ ରାଜି ହୁଅ ସେ ଖର୍ଚ୍ଚ କରିବେ । ଆଉ ତୁମେ ବି ଅଭାବରେ ରହିବ ନାହିଁ । ମାସକୁ ମାସ ଦରମା ପାଇବ ତାଙ୍କଠାରୁ ।

 

ମୋତେ ଟିକେ ଭାବିବା ପାଇଁ ସମୟ ଦିଅନ୍ତୁ ଭୁବନବାବୁ.... ମୁଁ ସାମାନ୍ୟ ସାଧାରଣ ମଣିଷ । ମୋ ମୁଣ୍ଡ ଗୋଳମାଳ ହୋଇଯାଉଛି ।

 

–ମୁଣ୍ଡ ଠିକ୍ ରଖ ମାଷ୍ଟ୍ରେ । ଯାଯୋଡ଼ିଆ ଯାହା କହିଛନ୍ତି ଭଲ ଭାବରେ ବିଚାର କର । ଆଜି ସେ କାଉନ୍‌ସିଲର, ଆଉ ମାସ ଛଅଟା ପରେ ସେ ଆସେମ୍ଳି ଯିବେ । ମନ୍ତ୍ରୀ ବି ହୋଇପାରନ୍ତି-। ସେତେବେଳର କଥା ଚିନ୍ତା କର । ସବୁ ସମ୍ଭାବନାର ଚାବିକାଠି ତୁମ ହାତରେ । ଚାବିକାଠି ମୋଡ଼ିଲେ ତାଲା ଖୋଲିବ, ନୂତନ ସମ୍ଭାବନାର ଦ୍ୱାର ଖୋଲିଯିବ... ।

 

ସୁଦର୍ଶନଙ୍କୁ ଲାଗୁଥିଲା ଯେପରି ତାଙ୍କର ମଥା ଘୁରୁଛି । ପାଦତଳୁ ଚହଲି ଯାଉଛି ମାଟି । ମାଧବଲାଲଙ୍କ ସୋରିଷ ଗୋଦାମରେ ସୋରଷ ଉପରେ ଛିଡ଼ା ହେଲେ ଯେପରି ପାଦ ପିଛିଳି ଯିବାର ଭୟ ଥାଏ, ସେହିପରି ପଡ଼ିଯିବାର ଆଶଙ୍କାରେ ଶିହରି ଉଠି ହଠାତ୍ ଭୁବନବାବୁଙ୍କ ହାତ ଧରି ପକେଇଲେ ସେ ।

 

ଭୁବନବାବୁ କଅଣ ହେଲା କଅଣ ହେଲା କହି ତାଙ୍କୁ ଧରି ନବାବେଳକୁ ଏକ ଅବ୍ୟକ୍ତ ଯନ୍ତ୍ରଣାର ସ୍ୱର କାଚ ଭଙ୍ଗା ଶବ୍ଦ କରି ତାଙ୍କ ମୁହଁରୁ ବାହାରୁଥିବା ଶୁଣିଲେ ଭୁବନମୋହନ ମହାନ୍ତି ।

 

ପ୍ରାୟ ଦେଢ଼ମାସ ପରେ ହସ୍‌ପିଟାଲରୁ ଫେରି ଆସିଲା ସୌମ୍ୟ ।

 

ଆହୁରି ମାସେ ଲାଗିଗଲା ସ୍ୱାଭାବିକ ଅବସ୍ଥାକୁ ଫେରି ଆସିବା ପାଇଁ । ତାକୁ ପ୍ରାୟ ଅଢ଼େଇ ମାସ ପରେ ପାତାଳପୁରବାସୀ ଦେଖି ସୀତା ମାଉସୀ କହିଲା ଯେ ପୁନର୍ଜନ୍ମ ପାଇଛି ସୌମ୍ୟ ।

 

ସେ ବି ସେୟା ଭାବେ । ପୁନର୍ଜନ୍ମ ନିଶ୍ଚୟ । ଆଉ ବଞ୍ଚିବବୋଲି ଆଶା ନ ଥିଲା ସୌମ୍ୟର-। ତାକୁ ଅଚେତ ଅବସ୍ଥାରେ କେତେବେଳେ କିଏ ମେଡ଼ିକାଲକୁ ନେଲା ତାହା ଆଦୌ ଜାଣେ ନି ସେ । କିନ୍ତୁ ଚେତା ଫେରି ପାଇବାବେଳୁ ତା’ ଚାରିପାଖରେ ଯେଉଁମାନଙ୍କର ମୁହଁ ସଦାବେଳେ ଦେଖୁଥିଲା ସେମାନଙ୍କ ମଧ୍ୟରେ ଥିଲା ନରସିଂହ, ସନିଆ, ସନିଆର ସ୍ତ୍ରୀ, ସୀତା ମାଉସୀ, ସୁଦର୍ଶନ ମାଷ୍ଟ୍ରେ, ସୁଜାତା ଏବଂ ଆହୁରି ଅନେକ । ବସ୍ତିର ଲୋକେ ପାଳିକରି ଜଗୁଥିଲେ ତାକୁ ହସ୍‌ପିଟାଲରେ । ତାର ଚିକିତ୍ସାରେ ସେବା ଶୁଶ୍ରୁଷାରେ ଉଣା ନ ଥିଲା ଆଦୌ । କିନ୍ତୁ ତଥାପି ସୌମ୍ୟର ମନେହେଉଥିଲା ଯେ ସେ ଯଦି ବଞ୍ଚିଯାଏ ତାହା ଡାକ୍ତରଙ୍କ ଔଷଧ ଯୋଗୁଁ ନୁହେଁ, ସୁଜାତାର ପ୍ରାର୍ଥନା, ସୀତା ମାଉସୀ ଓ ସନିଆର ସ୍ତ୍ରୀ ରାଧାର ସେବାଯତ୍ନ ଏବଂ ନରସିଂହ, ସୁଦର୍ଶନ ମାଷ୍ଟ୍ରେ, ସନିଆ ପ୍ରଭୃତିଙ୍କର ଅକ୍ଳାନ୍ତ ନିଃସ୍ୱାର୍ଥପର ସେବାର ଫଳ ।

 

ହାସ୍‍ପାତାଳରୁ ଆସିବା ପରେ ପାତାଳପୁର ବସ୍ତିରେ ପ୍ରଥମ ଦିନ ପହଞ୍ଚି ଆଗ ମାଷ୍ଟରଙ୍କ ଘରକୁ ଗଲା ସୌମ୍ୟ । ତାକୁ ଦେଖି ସୁଜାତା ଆଖିରୁ ଲୁହପୋଛି କହିଲା–ଭଗବାନ ଅଛନ୍ତି ବୋଲି ଖାଲି ଶୁଣୁଥିଲି କିନ୍ତୁ ବିଶ୍ୱାସ ହେଉ ନ ଥିଲା, ଆଜି ବିଶ୍ୱାସ ହେଉଚି ଯେ ସେ ଅଛନ୍ତି, ଏଇ ସୃଷ୍ଟି ତାଙ୍କରି ସର୍ଜନା, ତାଙ୍କର ଇଚ୍ଛାରୁ ଆତଯାତ ହୁଏ ଏଇ ପୃଥିବୀ ।

 

ସୌମ୍ୟ ତା’ ପିଠି ଉପରେ ହାତ ବୁଲାଇ ଦେଇ କହିଲା, ମୁଁ କିନ୍ତୁ କଅଣ ଭାବେ ଜାଣୁ ସୁଜାତା ?

 

ସେ କିନ୍ତୁ ସୁଜାତାର ଉତ୍ତର ଶୁଣିବା ପାଇଁ ଅପେକ୍ଷା ନ କରି କହିଲା, ମଣିଷର ସେବା, ତା’ର ସ୍ନେହ ମମତା ମଣିଷକୁ ବାନ୍ଧିରଖେ ପୃଥିବୀରେ, ସେଥିପାଇଁ ମରଣ ମୁହଁରୁ ସେ ଫେରି ଆସେ, ଆଉ ବାରମ୍ବାର ଏଇ ପୃଥିବୀରେ ମଣିଷ ହୋଇ ଜନ୍ମ ନବା ଲାଗି ଇଚ୍ଛା କରେ ସେ । ଭଗବାନ ଅଛନ୍ତି କି ନାହିଁ ମୁଁ ଜାଣିନି ସୁ... କିନ୍ତୁ ମଣିଷ ସେ ଅଛନ୍ତି, ମଣିଷର ସତ୍ୟତା, ସ୍ନେହ, ପ୍ରେମ ଓନିସ୍ୱାର୍ଥପରତା ଏବେବି ଯେ ବହୁଛି ସ୍ରୋତସ୍ୱିନୀର ଧାର ପରି–ତାହାହିଁ ଟେକି ଧରିଛି ଏଇ ବସୁନ୍ଧରାକୁ । ବାସୁକୀ ପ୍ରତୀକ ମାତ୍ର ।

 

ଅନେକ ଦିନ ପରେ ସେଦିନ ଖେଚେଡ଼ି, ଆଳୁ ଭରତା, ଶାଗ ଓ ବଡ଼ିଆମ୍ବିଳ ଦେଇ ସୌମ୍ୟକୁ ଚର୍ଚ୍ଚା କଲା ସୁଜାତା । ତାର ହାତଯଶର ପ୍ରଶଂସା କରି କହିଲା ସୌମ୍ୟ ଯେ ଇମିତି ସୁଖାଦ୍ୟ ସେ ଗାଆଁରୁ ଆସିବା ପରେ କେବେ ଖାଇ ନ ଥିଲା । ଖେଚେଡ଼ି, ଆଳୁ ଭରତା, ବଡ଼ିଆମ୍ବିଳ ଖାଇ ସୌମ୍ୟର ମା’ କଥା ମନେପଡ଼ିଗଲା ।

 

ଗତ ତିନିମାସ ମଧ୍ୟରେ ଯାହାସବୁ ଘଟି ଯାଇଛି ସେ ସମ୍ପର୍କରେ ମାଆଙ୍କୁ ଆଦୌ ଜଣାଇ ନ ଥିଲା ସୌମ୍ୟ । ପୁଅର ଏପରି ଅବସ୍ଥା ଜାଣିଥିଲେ ସେ ପାଗଳ ପରି ଧାଇଁ ଆସି ଥାଆନ୍ତେ କଟକ । ତା’ର ଅବସ୍ଥା ଯେପରି ଶୋଚନୀୟ ଓ ସାଂଘାତିକ ହୋଇଥିଲା ତାହା ଦେଖି ମାଆ ସେ ସହ୍ୟ କରିପାରି ନ ଥାନ୍ତେ ଏହା ଆଜି ଭଲ ଭାବରେ ହୃଦୟଙ୍ଗମ କରେ ଯେ ସେ ।

 

ସୁଜାତା କହିଲା, ମୋ ଭାଗ୍ୟ ଭଲ । ଭଗବାନ ତୁମକୁ ଫରାଇ ଦେଇଛନ୍ତି ମୋ ପାଇଁ... ।

 

ସୌମ୍ୟ ହସିଲା ଟିକେ, କିଛି କହିଲା ନାହିଁ । ତାକୁ ଭଲ ଲାଗେ ତା’ ବିଷୟରେ ଅନ୍ୟ କେହି ଭାବିବାର ଦେଖିଲେ । ସେ ଅନୁପ୍ରାଣିତ ହୁଏ ସ୍ୱାର୍ଥପରତା, ସଙ୍କୀର୍ଣ୍ଣତା ଓ ନିଷ୍ଠୁରତା ଭିତରେ ନିସ୍ୱାର୍ଥପରତା, ବିସ୍ତୃତି ଓ ଆତ୍ମୀୟତାର ପରଶ ପାଇଲେ । ମଣିଷର ହୃଦୟହିଁ ସ୍ନେହ ଓ ପ୍ରେମର ଉଷ୍ମ ପ୍ରସ୍ରବଣ, ପୁଣି ସେଇଠି ବି ଠୁଳ ହୁଏ ତିଳତିଳ କରି ମରିବାର ନରକ ଯନ୍ତ୍ରଣା ।

 

ସେ ଫଗୁଣର ପ୍ରଥମ ଫୁଲ ପରି ଫୁଟି ଉଠି କହିଲା, ଯଦି ଇଶ୍ୱର ଥାଆନ୍ତି ତୋତେ ସେ ମୋ ପାଇଁ ଜନ୍ମ ଦେଇଛନ୍ତି ନିଶ୍ଚୟ ।

 

ଫୁଲର ସୁରଭି ବିତରଣ କରି କହିଲା ସୁଜାତା, ତୁମ କଥା ସତ ହେଉ, ଫୁଲ ଚନ୍ଦନ ପଡ଼ୁ... । ମୋ ପାଇଁ କିନ୍ତୁ ଅନେକ ଲାଞ୍ଛନା, ଅନେକ କଷ୍ଟ ସହିଲଣି ତୁମେ... ? କହୁ କହୁ ସୁଜାତାର ଆଖି ସଜଳ ହୋଇ ଉଠିଲା ।

 

ତାକୁ ନିର୍ଭୟ କରିବାକୁ ଯାଇ କହିଲା ସୌମ୍ୟ, ମୁଁ ମୋ ନିଜ କଥା ଭାବେନି ସୁଜାତା । ଭଲ କରିବା ପାଇଁ ଗଲେ ସହ୍ୟ କିରିବାକୁ ହୁଏ, ଏଇଟା ସଂସାରର ନିୟମ । ରାଜୁ ପ୍ରତି ମୋର ଆକ୍ରୋଶ ନାହିଁ, କିନ୍ତୁ ମୋର ଦୁଃଖ ଯେ ସେ ଅସତ ମାର୍ଗରେୟହିଁ ଚାଲିଛି । ରାଜୁ ଓ ତା’ ସାଙ୍ଗମାନଙ୍କ ବିରୁଦ୍ଧରେ ପୁଲିସ୍‍ କେସ୍ ଫାଇଲ୍ କରିଛି । ସେମାନଙ୍କୁ ଆରେଷ୍ଟ କରି ତିନିଦିନ ହାଜତରେ ବି ରଖା ଯାଇଥିଲା, କିନ୍ତୁ ଅନେକ ଟଙ୍କା ଖର୍ଚ୍ଚ କରି ଜାମିନରେ ଖଲାସ ହୋଇ ଆସିଛନ୍ତି । ମୋକଦ୍ଦମା ଦାଏର ହୋଇଛି ଅଦାଲତରେ । କେତେଦିନ ଲାଗିବ ବିଚାର ଶେଷ କରିବା ପାଇଁ କିଏ ଜାଣେ । ଆଜିକାଲି ଯେ ଅପରାଧୀ ଦଣ୍ଡ ପାଉନି କେବଳ ତାହା ନୁହେଁ, ବିଚାର ବିଭାଗ ଉପରକୁ ମଧ୍ୟ ଲୋକମାନଙ୍କର ବିଶ୍ୱାସ ତୁଟି ଗଲାଣି । ଅର୍ଥ ଥିଲେ ପୁଲିସ୍‍, ବିଚାରପତି ସମସ୍ତଙ୍କୁ ଆୟତ୍ତ କରାଯାଇ ପାରେ । କିନ୍ତୁ ତଥାପି ଆଶା ଅଛି ସୌମ୍ୟର, ଦିନେ ନା ଦିନେ ଅପରାଧ ପ୍ରତି ଲୋକଙ୍କର ଘୃଣା ବଢ଼ିବ, ଅପରାଧ ବିରୁଦ୍ଧରେ ସ୍ୱାଭାବିକ ଓ ସ୍ୱତଃସ୍ଫୃର୍ତ୍ତ ଭାବରେ ବୟାନ ଦବା ଳାଗି ଆଗେଇ ଆସିବେ ଲୋକେ । ନ୍ୟାୟ ପାଇବା ସେହିଦିନ ସହଜ ହେବ ଯେଉଁଦିନ ନ୍ୟାୟ ସହଜ ଉପଲବ୍ଧ ଏବଂ ସମୟୋଚିତ ହେବ, ଲୋକମାନେ ବୁଝିଯିବେ ଯେ ନ୍ୟାୟ ପାଇବା ପାଇଁ ଲୋକମାନଙ୍କୁ ଅଯଥା ହଇରାଣ ହରକତ ହବାକୁ ପଡ଼ିବ ନାହିଁ ।

 

ସବୁ ଶୁଣିସାରି କିହଲା ସୁଜାତା, ଅପରାଧୀ ଦଣ୍ଡ ନ ପାଇଲେ ସମାଜ ରହିବ ?

 

ସୌମ୍ୟ କିନ୍ତୁ କହିଲା ଯେ ରାଜୁ ସିଂହ ଓ ତା’ର ସାଥିମାନଙ୍କୁ ଦଣ୍ଡ ଦେଇ ନୁହେଁ, ସେମାନଙ୍କୁ ସୁଧାରିବାରେହିଁ ସମାଜର ସ୍ଥିତି ଆହୁରି ଦୃଢ଼ ହେବ । ସେଥିପାଇଁ ସେ ପୁଲିସ୍‍ ସହିତ ଅସହଯୋଗ ନ କରି ମଧ୍ୟ ସମାଧାନର ସୂତ୍ର ବାହାର କରିବା ପାଇଁ ଭିତରେ ଭିତରେ ଉଦ୍ୟମ କରିବାରେ ଲାଗିଚି ।

 

ସୁଦର୍ଶନ ବାବୁଙ୍କ ସହିତ ସାକ୍ଷାତ୍ କରିବା ପାଇଁ ବହୁତ୍ ସମୟ ଅପେକ୍ଷା କଲା ସୌମ୍ୟ । କିନ୍ତୁ ତାଙ୍କର ଫେରିବାରେ ଅନେକ ବିଳମ୍ବ ହେବାରୁ ସେ ବିଦାୟ ନବାଲାଗି ଉଠିପଡ଼ିବାରୁ କହିଲା ସୁଜାତା, ଆଜିକାଲି ବାପାଙ୍କର କଅଣ ହୋଇଛି କେଜାଣି ଅଧିକାଂଶ ସମୟରେ ଚୁପ୍ ହୋଇ ବସି ରହନ୍ତି, ସବୁବେଳେ କିଛି ଭାବିବା ପରି ଜଣାପଡ଼ନ୍ତି । କେତେଥର ପଚାରିଛି ମୁଁ, କିନ୍ତୁ ସେ କିଛି ଉତ୍ତର ଦେଇ ନାହାନ୍ତି ।

 

ଏଇ ଦୁଇମାସର ଅନୁପସ୍ଥିତିରେ ଯେ ପୃଥିବୀ ବଦଳି ଯାଇଥିବ ଏହା ଆଦୌ ଆଶା କରୁ ନ ଥିଲା ସୌମ୍ୟ । କିନ୍ତୁ ତଥାପି ମଣିଷ ଚରିତ୍ର ଦେବତାମାନେ ମଧ୍ୟ ଜାଣିପାରନ୍ତି ନାହିଁ ।

 

ସୁଜାତାକୁ ସାନ୍ତ୍ୱନା ଦେଇ ସେ କହିଲା, ସବୁ ଠିକ୍ ହୋଇଯିବ... ତୁ ଚିନ୍ତା କରନା... ମୁଁ ତ ଆସିଗଲିଣି ।

 

ସୌମ୍ୟର ସେଇ ନିର୍ଭୀକ, ନିଶ୍ଚିନ୍ତ ମୁହଁକୁ ଅନେକ ଅଭୟ ପାଇଲା ସୁଜାତା ।

 

ସୌମ୍ୟ ତା’ ପାଖରୁ ଚାଲିଗଲା ପରେ ଏକାକିନୀ ବସି ରହିଲା ସେ ।

 

ତାହାରି ଆଗରେ ପୃଥିବୀର ନୂଆ ରୂପ ଉଦ୍‌ଘାଟିତ ହେବାରେ ଲାଗିଛି । ତାଳଦଣ୍ଡା କେନାଲ ମରାମତି କିରିବା ପାଇଁ ପାଣି ଛାଡ଼ିବା ବନ୍ଦ ଥିଲା ମାସେ କାଳ । ଏବେ ବନ୍ଧର ମରାମତି କାମ ଶେଷ ହୋଇଛି ଏବଂ କେନାଲକୁ ଆହୁରି ଗଭୀର କରିବା କାର୍ଯ୍ୟ ସମାପ୍ତ ହୋଇଛି । ମହାନଦୀରୁ ପ୍ରଥମ ବର୍ଷା ପାଣି କେନାଲରେ ଛାଡ଼ି ଦିଆଯିବା ଫଳେର ଦୁଇକୁଳ ମାଡ଼ି ଚାଲିଛି ନଈର ସୁଅ । ନୂଆ ପାଣିର ଶୀତଳତା ପରି ସୌମ୍ୟର ଆଶ୍ୱାସନାତାର ସର୍ବାଙ୍ଗରେ ବୋଲି ଦେଇ ଯାଇଛି ଏକ ଅପୂର୍ବ ଶୀତଳତା, ଯାହାର ଶିହରଣ ଅସରନ୍ତି ଏବଂ ମଧୁରତା ମନେରଖିବା ଭଳି ।

 

କିଛି ସମୟ ଏକା ଏକା ଅତିବାହିତ କଲା ପରେ ଲୁଗା ବଦଳାଇ ସଜ ହୋଇପଡ଼ିଲା ସୁଜାତା । ପଶ୍ଚିମ ଛାତ୍ରୀ ନିବାସର ବାର୍ଷିକ ଉତ୍ସବକୁ ସାଙ୍ଗମାନେ ନିମନ୍ତ୍ରଣ କରିଥିଲେ । ଡେରି ହୋଇଗଲାଣି । ବାପା ଏଯାଏ ଫେରିଲେ ନାହିଁ । ଅଥଚ ସେ ଘରୁ ବାହାରିଯିବାବେଳେ ତାଙ୍କୁ ସ୍ପଷ୍ଟ କରି କହିଥିଲା ସେ ଏ ବିଷୟରେ । ସେ ନ ଆସିବା ପର୍ଯ୍ୟନ୍ତ ଘର ଛାଡ଼ି ବାହାରକୁ ଯିବାର ପ୍ରଶ୍ନ ଉଠୁନି । ସେଦିନ ବାପା ନ ଥିବାବେଳେ ସେ ସୀତା ମାଉସୀଙ୍କୁ ଆଗେଇ ଦବା ଲାଗି ତାଙ୍କ ସହିତ ଦଶ ମିନିଟ୍ ଘରୁ ବାହାରକୁ ଯାଇ ଫେରି ଆସିବାବେଳକୁ ଦ୍ୱାର ମୁହଁରେ ଥିବା ସିଲିଭର ଗିନା ଦୁଇଟା କେହି ଉଠେଇ ନେଇ ଯାଇଥିବାର ଦେଖିଥିଲା ସୁଜାତା । ବିଶ୍ୱାସ କରି ହୁଏନି ସମସ୍ତଙ୍କୁ । ଚୋର ସୁଯୋଗ ଅପେକ୍ଷାରେ ଛକିଚି ଯେପରି, ସୁବିଧା ଦେଖି ଡିଆଁ ମାରିବ । ଏକା ଥିଲେ ସେଥିପାଇଁ ଭୟଲାଗେ ତାକୁ ।

 

ସୌମ୍ୟ ପାଇଁ ସେ ଯେପରି ଅନନ୍ତ କାଳଯାଏ ଅପେକ୍ଷା କରୁଥିଲା, ଅଥଚ ସେଇ ପ୍ରତିକ୍ଷୀତ ପୁରୁଷ ଯେତେବେଳେ ଆବିର୍ଭାବ ହେଲା ତା’ ଆଗରେ, ସେତେବେଳେ କହି ନ ପାରି ଅନେକ ଅକୁହା କଥା ରହିଗଲା ତା’ ଭିତରେ । ସୌମ୍ୟକୁ ପାଖରେ ପାଇଲେ ଗୋଟିଏ ଅଦ୍ଭୁତ ରକମର ପୂର୍ଣ୍ଣତା ଅଭିଭୂତ କରିଦିଏ ତାକୁ, ସେଥିପାଇଁ ସେ ଶବ୍ଦରେ କିଛି ପ୍ରକାଶ କରିପାରେନି । ବରଂ ନିଶବ୍ଦରେ ସେ ଶୁଣେ ଭଲ ପାଇବାର ଶବ୍ଦାୟିତ ତରଙ୍ଗର ଧ୍ୱନି ।

 

ସୌମ୍ୟ ପାଇଁ ସେ ଅପେକ୍ଷା କରିବ । ଅପେକ୍ଷା କରିବ ସେଇ ଶୁଭ ମୁହୁର୍ତ୍ତର ।

 

ସୌମ୍ୟ ଯେ ତା’ର ବିଶ୍ୱାସର, ପ୍ରେମର ପ୍ରତୀକ ତାହା ସୁଜାତା ବାରମ୍ବାର କହେ ନିଜକୁ ।

 

ସେଇ ଅପ୍ରଶସ୍ତ ଝୁମ୍ପୁଡ଼ିଟା ହଠାତ୍ ପ୍ରଶସ୍ତ ହୋଇଯାଏ ସୌମ୍ୟ ଆସିଲେ ।

 

ଆଉଥରେ ସେ ଲେଉଟି ଆସନ୍ତାକି ! ସୂର୍ଯ୍ୟାସ୍ତର ସିନ୍ଦୁର କିଏ ଅଜାଡ଼ି ଦେଇଯାଇଛି ତାଳଦଣ୍ଡା କେନାଲର ପାଣିରେ । ନରାଜ ସେ ପାଖରେ ମୁଣ୍ଡୁଳି ପାହାଡ଼ର ଚୂଡ଼ା ସେ ପାଖରେ ସୂର୍ଯ୍ୟ ଲୁଚିଯିବା ଆଗରୁ ଆତ୍ମୀୟତାର ଶେଷ ହସରେ ହସିଉଠିଲା ପାତାଳପୁର, କେନାଲ କୂଳ ଓ କେନାଲର ଜଳ । ହସି ଉଠିଲା ଦାବ୍ୟା ପୃଥିବୀ ।

 

ଅନ୍ତର ଭିତରେ ସେଇ ହସରେ ପ୍ରତିଧ୍ୱନି ଶୁଣି ଆହୁରି ସୁନ୍ଦର ଦିଶୁଥିଲା ସୁଜାତା ।

 

ଘର ବାହାରେ କାହାର ପାଦଶବ୍ଦ ଶୁଭିଲା । କିନ୍ତୁ ଇଏ ବାପାଙ୍କର ସେଇ ପରିଚିତ ପାଦଶବ୍ଦ ନୁହେଁ ବୋଲି ସ୍ପଷ୍ଟ ଜାଣିପାରି ଉଦ୍‌ବିଗ୍ନ ହୋଇପଡ଼ିଲା ସୁଜାତା । ସେଇ ସକାଳୁ ବାହାରି ଯାଇଛନ୍ତି ଯେ ସନ୍ଧ୍ୟା ହେଲାଣି । ଏତେ ସମୟ ବାହାରେ ଆଉ କେବେ ରହନ୍ତିନି ସେ । ଏପରିକି ନିର୍ବାଚନ ସମୟରେ ବି ସକାଳୁ ବାହାରି ଯାଇ ଖାଇବା ପାଇଁ ମଧ୍ୟାହ୍ନକୁ ଫେରିଆସି ପୁଣି ଯାଉଥିଲେ ନିର୍ବାଚନ ଅଭିଯାନରେ ।

 

ସୁଜାତା କବାଟ ଖୋଲି ଘର ଆଗରେ ଦୁଇଜଣ ଅପରଚିତ ଲୋକକୁ ଦେଖି କହିଲା, କିଏ ସେ ?

 

ଜଣେ କହିଲା–ସୁଦର୍ଶନ ମାଷ୍ଟ୍ରେ କେନାଲ କୂଳରେ ଅଚେତ ଅବସ୍ଥାରେ, ତାଙ୍କୁ ମେଡ଼ିକାଲ ନବା ପାଇଁ ଟାକ୍ସି ଆଣିବା ପାଇଁ ଯାଇଛି ଜଣେ ପିଲା । ତମକୁ ଖବର ଦବା ପାଇଁ ଚାଲି ଆସିଲି ।

 

ସୁଜାତା ଉଦ୍‌ବିଗ୍ନ ହୋଇ କହିଲା–ମୋତେ ଟିକେ ଦେଖାଇ ଦିଅ ତ କୋଉଠି... ?

 

ତା’ପରେ ତରତର ହୋଇ ଘରର ଦରଜା ବନ୍ଦ କରି ତାଲା ଲଗାଇ ସେମାନଙ୍କୁ ଅନୁସରଣ କଲା ସେ ।

 

ଯେଉଁ ଚାରିଟି ଘାଟରେ ପାତାଳପୁର ବସ୍ତିର ଲୋକେ ସ୍ନାନ ସୌଚ ହୁଅନ୍ତି ସେଗୁଡ଼ିକର କୌଣସି ଗୋଟିଏ ହୋଇଥିବ ଭାବିଥିଲା ସୁଜାତା । କିନ୍ତୁ ସେମାନେ ତାକୁ ବାଟ କଢ଼େଇ କୋଇଲା ଡିପୋ ପାର ହୋଇ ରେଳଲାଇନଆଡ଼କୁ ନେଇଯିବାର ଦେଖି ସୁଜାତା କହିଲା, ଇଆଡ଼େ ତ କୌଣସି କାମ ନ ଥିଲା ବାପାଙ୍କର, କିପରି ଚାଲିଆସିଲେ କେଜାଣି... ?

 

ସେତେବେଳକୁ ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇ ସାରିଥାଏ, ରେଳଲାଇନ ଏବଂ ପୋଲ ଅଞ୍ଚଳ ନିରୋଳା ଏବଂ ନିକାଞ୍ଚନ । ମ୍ୟୁନିସିପାଲିଟି ଆଲୁଅ ଦେଇନି ଏ ଅଞ୍ଚଳରେ । କେନାଲର ଦକ୍ଷିଣ ବନ୍ଧ ଉପର ଦେଇ ମାତୃମନ୍ଦିର ସମ୍ମୁଖରେ ଯେଉଁ ସଡ଼କ ଭୁବନେଶ୍ୱର କଟକ ରାଜପଥରୁ ବାହାରି ହିନ୍ଦ୍‌ ସିନେମା ପାଖରେ ମୁଖ୍ୟ ରାସ୍ତାରେ ମିଶିଛି ସେଇ ସଡ଼କର ଆଲୋକ ସ୍ତମ୍ଭରୁ ଚେନାଏ ଚେନାଏ ଆଲୋକ ପଡ଼ି କେନାଲ ଭିତରେ କାହାକୁ ଖୋଜୁଥିବା ପରି ମନେ ହେଉଥିଲା । ଯେଉଁଠାରେ କେନାଲ ଉପରର ପୋଲ ଦେଇ ରେଳଲାଇନ ଯାଇଛି ସେଇଠାରେ ପହଞ୍ଚିବା କ୍ଷଣି ସୁଜାତା କିଛି ପଚାରିବା ପୂର୍ବରୁ ଅପେକ୍ଷା କରିଥିବା ଗୋଟିଏ ନୌକା ଦେଖାଇ କହିଲା ଜଣେ, ନୌକା ଉପରକୁ ଚାଲ... । ସୁଜାତା ଯେ ସେମାନଙ୍କ ସହିତ ଏକା ଏତେବାଟ ଚାଲି ଆସି ଭୁଲ କରିଛି ଏହା ହୃଦୟଙ୍ଗମ କରିବା କ୍ଷଣି ପଛକୁ ଫେରିବା ପାଇଁ ଉଦ୍ୟମ କଲାକ୍ଷଣି ତାର ହାତଧରି ପକେଇ ସେଇ ଲୋକଟା କହିଲା, ପଳେଇବାର ଉଦ୍ୟମ ନ କରି ଆମ ସାଙ୍ଗେ ଯିବା ପାଇଁ ସହଯୋଗ କର ।

 

ସୁଜାତା ଚିତ୍କାର କରି ଉଠିଲା ଏବଂ ସେଇ ଲୋକର ହାତମୁଠାରୁ ନିଜର ହାତ ଛଡ଼ାଇ ନବା ଲାଗି ଉଦ୍ୟମ କରି ବିଫଳ ହେଲା ।

 

ଶେଷ ଚେଷ୍ଟା କରି ଆଉଥରେ ଚିତ୍କାର କଲା ସୁଜାତା, ରକ୍ଷାକର,... ରକ୍ଷାକର... ।

 

ଠିକ୍ ସେତିକିବେଳେ ତାକୁ ବ୍ୟଙ୍ଗ କରି ମେଦିନୀ କମ୍ପାଇ ତୁରୀ ବଜେଇ ପୋଲ ଉପର ଦେଇ ଚାଲିଗଲା ଗୋଟିଏ ମାଲଗାଡ଼ି ।

 

ସୁଜାତାକୁ ନେଇ ନୌକା ଚାଲିଲା ଅନୁକୁଳ ସ୍ରୋତରେ ।

 

ପୁଲିସ୍‍ ଅନୁସନ୍ଧାନ କରି ମଧ୍ୟ ସୁଜାତାକୁ ଉଦ୍ଧାର କରିପାରିଲେ ନାହିଁ କି ସେ କେଉଁଠି ମିଳିପାରେ ସେ ସମ୍ପର୍କରେ କୌଣସି ସୁତ୍ର ପାଇପାରିଲେ ନାହିଁ । ଆହୁରି ବିସ୍ମୟର ବିଷୟ ଏହି ଯେ ସୁଦର୍ଶନ ମାଷ୍ଟ୍ରଙ୍କଠାରୁ ଖବର ପାଇ ପୁଲିସ୍ ରାଜୁ ଓ ତା’ର ସାଙ୍ଗମାନଙ୍କୁ ଗିରଫ କରି ଥାନାକୁ ପଚରା ଉଚୁରା କରିବା ପାଇଁ ନେଇ ମଧ୍ୟ ଶେଷରେ କୌଣସି ଦରକାରୀ ତଥ୍ୟ ଆବିଷ୍କାର କରି ନ ପାରି ସେମାନଙ୍କୁ ପାଞ୍ଚଦିନ ପରେ ବ୍ୟକ୍ତିଗତ ମୁଚାଲିକା ଲେଖାଇ ନେଇ ଛାଡ଼ି ଦେଲେ । ରାଜୁ ସିଂହ ଛାତିରେ ହାତ ପିଟି କହି ବୁଲିଲା ଯେ ବସ୍ତିରେ ବାହାରର ବାଜେ ଲୋକଙ୍କର ପ୍ରବେଶ ଓ ନେତୃତ୍ୱ ଗ୍ରହଣର କୁଫଳହିଁ ଏହି ଦୁର୍ଘଟଣାର କାରଣ । ଖାଲି ସୁଦର୍ଶନ ମାଷ୍ଟରଙ୍କର ଏହା ବ୍ୟକ୍ତିଗତ କଳଙ୍କ ନୁହେଁ ଏହା ପାତାଳପୁର ବସ୍ତିର ପାରମ୍ପରିକ ସୌହାର୍ଦ୍ଦ୍ୟ ମୂଳରେ କୁଠାରଘାତ କରିଛି ଏବଂ ସମଗ୍ର କଟକ ସହରରେ ନିଶ୍ଚିନ୍ତରେ ବୁଲାଚଲା କରୁଥିବା ଝିଅ ବୋହୂଙ୍କର ବିଶ୍ୱାସକୁ ଦୋହଲାଇ ଦେଇଛି ।

 

ସୁଦର୍ଶନ ମାଷ୍ଟ୍ରେ କିନ୍ତୁ ଆଉ ମୁହଁ ଦେଖେଇ ପାରିଲେ ନାହିଁ । ତାଙ୍କର ଏକମାତ୍ର ଯୁବତୀ କନ୍ୟାର ଅପହରଣ ତାଙ୍କୁ ନିର୍ବାକ୍ କରି ଦେଇଗଲା ଏବଂ ସେ ଶୂନ୍ୟକୁ ଚାହିଁ କେବଳ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ ।

 

ସୌମ୍ୟ ଜୀବନରେ ଏଇ ପ୍ରଥମ ବିବ୍ରତ ହୋଇପଡ଼ିଲା ଏବଂ ଏପରି ପରିସ୍ଥିତିରେ କଅଣ କରିବା ଉଚିତ ହଠାତ୍ କିଛି ସ୍ଥିର କରିପାରିଲା ନାହିଁ । ସୁଦର୍ଶନ ମାଷ୍ଟରଙ୍କୁ ସାନ୍ତ୍ୱନା ଦେବା ପାଇଁ ଭାଷା ନ ଥିଲା ତା’ ପାଖରେ, ତଥାପି ସେ କିଛି ନ କହିଲେ କାଳେ ତାଙ୍କର ଶୋକ ଆହୁରି ବଢ଼ିଯିବ ଏଥିପାଇଁ କହିଲା ଯେ ସେ ନିଜେ ଚେଷ୍ଟା କରିବ, ଆଉ ସୁଜାତାର ସନ୍ଧାନ ନ ମିଳିବା ପର୍ଯ୍ୟନ୍ତ ସେଇ ଉଦ୍ୟମ ଅବ୍ୟାହତ ରଖିବ । ତାର କଥା ଶୁଣି ସୁଦର୍ଶନ ମାଷ୍ଟ୍ରେ ସାନ୍ତ୍ୱନା ପାଇଲେ କି ନାହିଁ କହି ନ ପାରିଲେ ବି ମନେ ମନେ ନିଜକୁ ସାନ୍ତ୍ୱନା ଦବା ପାଇଁ ସେ ଭାଷା ଖୋଜୁଥିଲେ ।

 

ନରସିଂହ ଓ ସୁର ନାଏକକୁ ସାଙ୍ଗରେ ନେଇ କେନାଲ କୁଳର, ପୋଲ ତଳର ଏବଂ ରେଳଲାଇନ କଡ଼ର ସେଇ ସ୍ଥାନଗୁଡ଼ାକୁ ଆଉଥରେ ଦେଖି ଆସିଲା ସୌମ୍ୟ । ମାଲଗୋଦାମ ଘାଟରେ ଯେଉଁ କେତୋଟି ମାଲବୋଝେଇ ନୌକା ଲଙ୍ଗର ପକେଇ ଅପେକ୍ଷା କରିଥିଲେ ମାଲ ଖଲାସ କରିବା ପାଇଁ ସେଗୁଡ଼ିକର କର୍ମଚାରୀମାନଙ୍କ ସହିତ ବହୁ ଆଲୋଚନା କରି ମଧ୍ୟ କୌଣସି ସୂତ୍ର ନ ପାଇ ଫେରି ଆସିଲା ସେ ।

 

ତାଳଦଣ୍ଡା କେନାଲର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୋଜିବା ଦୁଃସାଧ୍ୟ ନ ହେଲ ମଧ୍ୟ ଏତେଗୁଡ଼ାଏ ଗାଆଁର ଲୋକଙ୍କୁ ପଚରା ଉଚୁରା କରିବା ଯେ କଷ୍ଟସାଧ୍ୟ ବ୍ୟାପାର ତାହା ବୁଝୁଥିଲା ସେ । ତଥାପି ସାହସ କରି ସେ ଗୋଟେ ନୌକା ଭଡ଼ା କରି ସନ୍ଧ୍ୟା ହେବା ପୂର୍ବରୁ ଯାତ୍ରା ଆରମ୍ଭ କଲା ପାରାଦ୍ୱୀପ ଅଭିମୁଖରେ ।

 

ମଝିରେ ଠାଏ ଠାଏ କିଛି ସମୟ ରହି ଅନୁସନ୍ଧାନ କଲା ସୌମ୍ୟ । କିନ୍ତୁ କେହି ସେପରି ଗୋଟିଏ ନୌକାର ଯାତ୍ରୀମାନଙ୍କ ବିଷୟରେ କିଛି କହି ପାରିଲେ ନାହିଁ ଏବଂ ସୁଜାତାର ଅନ୍ତର୍ଦ୍ଧାନ ରହସ୍ୟ ହୋଇ ରହିଲା ।

 

ନରସିଂହ ଅନ୍ୟ କଥା ଚିନ୍ତା କରୁଥିଲା । ସେ ସୁଦର୍ଶନ ମାଷ୍ଟରଙ୍କ ମୁହଁରୁ ଗତ କେତେଦିନର ଘଟଣାବଳୀ ଶୁଣି କିଛିଟା ଅନୁମାନ କରି ନେଇଥିଲା ଯେ, ସୁଜାତାକୁ ଅପହରଣ କରି କେହି କଟକ ବାହାରକୁ ନେଇଯାଇ ନାହିଁ, ବରଂ ବାହାରକୁ ନେଇ ଯାଇଥିବାର ବାହାନା କରି ଏଇ ସହର ଭିତରେ ରଖିଥିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ । କଟକ ବାହାରକୁ ନେଲେ ସୁଜାତା ପରି ଗୋଟିଏ ସୁନ୍ଦରୀ, ଶିକ୍ଷିତା ଯୁବତୀ କନ୍ୟାକୁ ଯେ ସହଜରେ ଲୁଚାଇ ରଖିହେବ ନାହିଁ ଏବଂ ତାକୁ କେହି ଦେଖିବାକ୍ଷଣି ମନରେ ସନ୍ଦେହର ଉଦ୍ରେକ ଘଟିବ ଏହା ଦୁର୍ବୁତ୍ତମାନେ ଜାଣିଥିବେ ନିଶ୍ଚୟ । ତେଣୁ ସେ ସୌମ୍ୟକୁ ପ୍ରସ୍ତାବ ଦେଲା ପାରାଦ୍ୱୀପରୁ ପୁଣି କଟକ ଫେରିଆସି ସହରର ଗଳିକନ୍ଦିରେ ବୁଲିବାର ସମୟ ଅପଚୟ ନ କରି ବରଂ ଛୋଟ ବଡ଼ ହୋଟେଲ, ଧର୍ମଶାଳା ଓ ନୂଆ ଲାଗିଥିବା ଭଡ଼ାଘର ପ୍ରଭୃତିରେ ସନ୍ଧାନ କରାଯାଇପାରେ । ତା’ର କଥା ଯୁକ୍ତିଯୁକ୍ତ ମନେହେଲା ସୌମ୍ୟର, କିନ୍ତୁ ରେଳଦ୍ୱାରା କେହି ସୁଜାତାକୁ ପୁରୀ ବା କଲିକତାକୁ ନେଇ ଯାଇଥିବାର ସମ୍ଭାବନାକୁ ଯେ ଏକାବେଳେକେ ଏଡ଼ାଇ ଦିଆଯାଇ ନ ପାରେ ଏହା ମଧ୍ୟ ମନକୁ ମନ ଯୁକ୍ତି କଲା ସେ ।

 

କଟକ ଷ୍ଟେସନରେ ତନ୍ନ ତନ୍ନ କରି ଖୋଜିଲା, ଷ୍ଟେସନର କର୍ମଚାରୀମାନଙ୍କୁ ସେ ବିଷୟରେ ପଚାରିଲା । କେହି ସେପରି ଝିଅଟିଏ ଦେଖିଥିବାର କହିପାରିଲେ ନାହିଁ । କାଳେ ବସ୍‌ରେ ତାକୁ ବାହାରକୁ ନିଆ ଯାଇଥାଇପାରେ । ଏଥିପାଇଁ ସୌମ୍ୟ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ ଯାଇ ଅନୁସନ୍ଧାନ କରି ଆସିଲା ।

 

ସବୁ ପ୍ରଚେଷ୍ଟା ବିଫଳ ହେଲା ଏବଂ ଜୀବନରେ ଏଇ ପ୍ରଥମ ନିରାଶାରେ ମ୍ରିୟମାଣ ହୋଇ ପଡ଼ିଲା ସୌମ୍ୟ । କିନ୍ତୁ ନରସିଂହ ତାକୁ କହିଲା ଯେ ନିରାଶାରେ ଭାଙ୍ଗି ପଡ଼ିଲେ ତ ଚଳିବ ନାହିଁ, ସୁଜାତାକୁ ଖୋଜି ବାହାର କରିବା ପର୍ଯ୍ୟନ୍ତ ଦୃଢ଼ତାର ସହିତ ଅଭିଯାନ ଚଳାଇ ଯିବାକୁ ହେବ-

 

ସେ ଜୀବନରେ ଅଛି ତ ? ଉଦାସ ଭାବରେ କହିଲା ସୌମ୍ୟ ।

 

ତାର ପ୍ରଶ୍ନ ଶୁଣି ନିର୍ବାକ୍‍ ହୋଇଗଲେ ସୁର ନାଏକ ଓ ନରସିଂହ ଦଳେଇ । ସେମାନଙ୍କ ମୁହଁରୁ ଶବ୍ଦଟିଏ ବି ଉଚ୍ଚାରିତ ହେଲା ନାହିଁ । ତିନି ଜଣଙ୍କର ମଥା ଉପରେ ଅକାଳ ବଜ୍ର ପଡ଼ିଲା ଯେପରି ! ସୁଜାତାକୁ ଶତ୍ରୁମାନେ ଜୀବନରେ ମାରି ଦେଇଥିବା ସମ୍ଭାବନାକୁ କଦାପି ଏଡ଼ାଇ ଦିଆଯାଇ ନ ପାରେ । ଯଦି ବା ଏକଥା ବି ସତ୍ୟ ହୋଇପାରେ ଯେ ତାକୁ ହତ୍ୟାକରି ନୁହେଁ ତାକୁ ବଞ୍ଚାଇ ରଖିବାରେହିଁ ସେମାନଙ୍କର ଫାଏଦା ବେଶୀ । ଜଣେ ଯୁବତୀକୁ ପାଶବିକ ସୁଖ ପାଇଁ ବଳାତ୍କାର କରାଯାଇ ପାରେ । ଏହାର ପ୍ରତିକାର ସେହି ପରମେଶ୍ୱରଙ୍କ ବ୍ୟତିତ ଅନ୍ୟ କାହାରି ହାତରେ ନାହିଁ ।

 

ସୌମ୍ୟ ଯେତିକି ଭାବିଲା ଖରାପ୍ ସମ୍ଭାବନାଗୁଡ଼ିକ ସମ୍ପର୍କରେ ସେତିକି ପ୍ରତିଶୋଧ ନବାର ଅସୀମ ଜ୍ୱାଳା ତା’ ଭିତରେ ଏକ ନୂତନ ପୌରୁଷତ୍ୱର ଅହଂକାର ଗର୍ଜନ କରିବାକୁ ଲାଗିଲା-। ଏହା ଯେ କେଳା ପେଡ଼ିରେ ବନ୍ଦୀ ହୋଇଥିବା ଗୋଖର ସାପର ନିଷ୍ଫଳ ଗର୍ଜନ ପରି ଏହା ସେ ଜାଣୁଥିଲେ ବି ନିଜକୁ ସଂଯତ କରିପାରୁ ନ ଥିଲା ।

 

ହତାଶା ଓ ଦୀର୍ଘଶ୍ୱାସର ବୋଝ ବୋହି ନୌକାରେ କଟକ ଫେରି ଆସିବାବେଳେ କିନ୍ତୁ ଏକ ଉଡ଼ା ଖବର ମିଳିଲା ସେମାନଙ୍କୁ ।

 

ସେଦିନ ରାତିର ପ୍ରଥମ ପ୍ରହରରେ ଗୋଟିଏ ନୌକାରୁ ବିଦ୍ୟାଧରପୁର ଘାଟରେ ଚାରି ପାଞ୍ଚଜଣ ଲୋକ ଓ ଜଣେ ମହିଳାଙ୍କୁ ଓହ୍ଲାଇବାର ଦେଖିଥିବାରୁ କହିଲା ଜଣେ କୃଷକ । ସେମାନେ କେନାଲ ଘାଟ ବର୍ଜନ କରି ସଡ଼କଆଡ଼କୁ ଯାଉଥିବାବେଳେ ଅନ୍ଧାରୁଆ ରାସ୍ତା ଉପରୁ ମହିଳା ଜଣକ କାହିଁ ଚାଲିଗଲେ କି ପଛରେ ପଡ଼ିଗଲେ ତାହା ଜାଣି ନ ପାରି ସେମାନେ ତାଙ୍କୁ ଖୋଜୁଥିବାର ସେ ନିଜ ଆଖିରେ ଦେଖିଛନ୍ତି । କେନାଲ କୂଳରୁ ସଡ଼କ ପର୍ଯ୍ୟନ୍ତ ଗ୍ରାମ୍ୟ ରାସ୍ତାଟି ପ୍ରତିଦିନ ବ୍ୟବହୃତ ହେଉଥିଲେ ମଧ୍ୟ ରାସ୍ତାର ଦୁଇ କଡ଼ରେ ଅନେକ ଗଛବୃଛ ଥିବାରୁ ରାତିରେ ରାସ୍ତାଟି ଅପେକ୍ଷାକୃତ ଅନ୍ଧାରୁଆ । ବିଜୁଳି ଆଲୁଅ ଗାଁକୁ ଆସିଛି ସିନା କିନ୍ତୁ ରାସ୍ତାରେ ଦିଆଯାଇନି-। ଏଣୁ ରାତି ହେଲେ ହଠାତ୍ ସେଇ ଅନ୍ଧାର ଭିତରେ କେହି ଲୁଚିଗଲେ ତାକୁ ସହଜରେ ଖୋଜି ବାହାର କରିବା କଷ୍ଟସାଧ୍ୟ ।

 

ସୌମ୍ୟ କୃଷକର କଥା ଶୁଣି ମନକୁ ମନ କହିଲା, ଯଦି ପ୍ରକୃତରେ ସେହି ଝିଅଟି ସୁଜାତା ହୋଇଥାଏ ତା’ହେଲେ ଏଇ ତିନିଦିନ ହେଲା ସେ ରହିଗଲା କେଉଁଠି, ଆଜିପର୍ଯ୍ୟନ୍ତ ଘରକୁ ଫେରିଲା ନାହିଁ କାହିଁକି ? ତା’ପରେ ସେମାନେ ଯଦି ତାକୁ କଟକରୁ ଉଠେଇ ଆଣିଥାଆନ୍ତେ ବିଦ୍ୟାଧରପୁର ନିକଟରେ ବା ଡଙ୍ଗାରୁ ଉହ୍ଲେଇଲେ କେଉଁ କାରଣରୁ ? ସେମାନେ ନିଶ୍ଚୟ ଜାଣିଥିବେ ଯେ ସେମାନେ ଗୋଟିଏ ଝିଅକୁ ଅପହରଣ କରି ନେଇ ଯାଉଥିବା ବିଷୟ ପ୍ରଘଟ ହୋଇ ସାରିଥିବ ସେତେବେଳକୁ ଏବଂ ପୁଲିସ୍‍ ହୁଏତ ଖୋଜୁଥିବ ସେମାନଙ୍କୁ । ବିଦ୍ୟାଧରପୁର ଅଞ୍ଚଳ କଟକ ସହରର ସନ୍ନିକଟବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଜଣେ ତରୁଣୀକୁ ଯେ ସହଜରେ ଲୁଚାଇ ରଖିହେବ ନାହିଁ ଏହା ମଧ୍ୟ ସେମାନେ ଅନୁମାନ କରିଥିବେ ନିଶ୍ଚୟ । ଏହାସତ୍ତ୍ୱେ କୃଷକର ବିବରଣୀ ସୌମ୍ୟ ଏବଂ ତା’ର ସାଙ୍ଗମାନଙ୍କ ମନରେ ନୂତନ ଆଶାର ସଞ୍ଚାର କଲା । ସେମାନେ ବିଦ୍ୟାଧରପୁର ଏବଂ ଆଖପାଖର ବସ୍ତିଗୁଡ଼ିକରେ କିଛି ସମୟ ଅନୁସନ୍ଧାନ କରି କଟକ ଫେରି ଆସିଲେ ।

 

ଓ.ଏମ୍.ପି. ଛକରେ ବସ୍‌ରୁ ଓହ୍ଲେଇ ଷ୍ଟେସନ ୟାର୍ଡ଼ ପାର ହୋଇ ସେମାନେ ରେଳ ଲାଇନ କଡ଼େ କଡ଼େ ଚାଲିଲେ ପାତାଳପୁର ବସ୍ତି ଆଡ଼କୁ ।

 

ରେଳବାଇ କଲୋନୀ ପାର ହବା ପରେ ହଠାତ୍ ଦେଖା ହୋଇଗଲା ସୀତା ମାଉସୀ ସହିତ । ସେ ଯେପରି ସେମାନଙ୍କୁ ଖୋଜିବା ପାଇଁ ବାହାରି ଥିଲା ।

ତାକୁ ଦେଖିବା କ୍ଷଣି କହିଲା ନରସିଂହ, ମାଉସୀ ଯେ... ।

–ମୋ କଥା ଛାଡ଼, ସୁଜାତାର କୌଣସି ଖବର ପାଇଲ ପୁଅ ? ପଚାରି ଦେଇ ସୀତା ମାଉସୀ ଆଖି ପୋଛିଲା ଗଡ଼ି ପଡ଼ୁଥିବା ଲୁହଧାର ପୋଛିନବା ପାଇଁ ।

–କିଛି ଖବର ମିଳିଲାନି ମାଉସୀ । ଆଶ୍ଚର୍ଯ୍ୟ ଯେ ହଠାତ୍ ଗୋଟେ ମଣିଷ ଆଖି ଆଗରେ ଅଦୃଶ୍ୟ ହୋଇଗଲା... । ଧୀରେ ଧୀରେ ଉଦାସ କଣ୍ଠରେ କହିଲା ସୌମ୍ୟ ।

–ଏଣେ ତ ମାଷ୍ଟର ବାବୁଙ୍କର ମଥା ଖରାପ ହୋଇଯାଇଛି ବାପା । ଖିଆ ନାହିଁ ପିଆ ନାହିଁ ଝିଅ ନିରୁଦ୍ଦେଶ୍ୟ ହେଲାଦିନୁ । ବୁଢ଼ା ବେଳେବେଳେ କାନ୍ଦନ୍ତି ତ ଆଉ ବେଳେବେଳେ ପ୍ରଳାପ କରି ଦୌଡ଼ନ୍ତି ରାସ୍ତାରେ ।

ସୁର ନାଏକ କହିଲା, ଏତେବଡ଼ ଧକ୍କାଟା ସମ୍ଭାଳି ପାରୁନାହାନ୍ତି... ।

ସୌମ୍ୟ କହିଲା, କିନ୍ତୁ ଧୈର୍ଯ୍ୟ ଧରିବାକୁ ହେବ । ଦୁଃଖ ଆସିବ; ଶୋକ ଆସିବ, କିନ୍ତୁ ଏସବୁକୁ ଅତିକ୍ରମ କରି ବୀରପରି ଆଗେଇବ ଲଢ଼ୁଆ ମଣିଷ । ଆଗେଇବାହିଁ ଜୀବନ, ବସି ରହିବା, ପାଗଳ ହୋଇଯିବାହିଁ ମୃତ୍ୟୁ ।

ସୀତା ମାଉସୀ କାନ୍ଦି ଉଠିଲା ।

ତାକୁ ପ୍ରବୋଧ ଦବା ପାଇଁ ଭାଷା ନ ଥିଲା କାହାର । ଏଇ ପାତାଳପୁରର ସବୁ ଲୋକଙ୍କର ସୁଖ ଦୁଃଖରେ ଅଂଶଗ୍ରହଣ କରି ଆସିଛି ମାଉସୀ । ତାକୁ କେହି ଚାହୁଁ ବା ନ ଚାହୁଁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ ସମସ୍ତଙ୍କ ପାଖରେ ହାଜର ହୋଇଛି ସେମାନଙ୍କର ଦୁଃସମୟରେ ।

 

ସେମାନେ କେନାଲ କୂଳେ କୂଳେ ଫେରୁଥିଲାବେଳେ ସୁଦର୍ଶନ ମାଷ୍ଟର କେଉଁଠି ଥିଲେ ଉଲ୍‌କା ପରି ଆବିର୍ଭାବ ହୋଇ ସୌମ୍ୟକୁ କୁଣ୍ଢେଇ ପକେଇ କାନ୍ଦିଲେ କିଛି ସମୟ, ଆଉ ତା’ପରେ ଆଖି ବଡ଼ବଡ଼ କରି ତା’ର ଗଳା ଚିପି ଚିତ୍କାର କଲେ, ତୁମୋ ଝିଅକୁ ବିକ୍ରୀ କରି ଦେଇଛୁ କାହିଁ... ମୁଁ ଯାହା ନ ପାରିଲି ତୁ ସେୟା କଳୁ ଶେଷରେ । ତୋତେ ଖୁନ୍ ନ କଲେ ଶାନ୍ତି ନାହିଁ ମୋର... ।

 

ନରସିଂହ ଓ ସୁର ତାଙ୍କୁ ପ୍ରାୟ ଟେକି ନେଇଗଲେ ତାଙ୍କ ଘରକୁ ।

 

ସୌମ୍ୟ କିନ୍ତୁ କହିଲା ନିର୍ବିକାର ଭାବରେ ଆଉ କଅଣ ସବୁ ପ୍ରଳାପ କରନ୍ତି ମାଷ୍ଟ୍ରେ ?

 

ସୀତା ମାଉସୀ କହିଲା, ସେ ଯାହାକୁ ଦେଖନ୍ତି ପ୍ରାୟ ଚିତ୍କାର କରି ପ୍ରଶ୍ନ ପଚାରନ୍ତି, ମୋ ଝିଅକୁ ଦେଖିଛ ହୋଟେଲରେ... କିଏ ତାକୁ ନେଇଛି ସେଠାକୁ ମୋତେ ତା’ ନାମ କହିଦିଅ, ମୁଁ ତାକୁ ହତ୍ୟା କରିବି....ଛି ଛି ନୀରବ କାହିଁକି... କିଛି କହୁନ କାହିଁକି... ।

 

ସୌମ୍ୟ କହିଲା, ମାଷ୍ଟ୍ରେଙ୍କ କଥାରୁ ଯାହା ଜାଣୁଛି ଏହା ପଛରେ ଏକ ଷଡ଼ଯନ୍ତ୍ର ଅଛି ନିଶ୍ଚୟ । ହୋଟେଲ ଆଉ ସୁଜାତା ମଧ୍ୟରେ କେବେ କୌଣସି ସମ୍ପର୍କ ନ ଥିଲା, ଅଥଚ ମାଷ୍ଟ୍ରେ ବାରମ୍ବାର ହୋଟେଲ ବିଷୟରେ କହିବା ଆଶ୍ଚର୍ଯ୍ୟର ବିଷୟ ।

 

ସୀତା ମାଉସୀ କହିଲା, ସେପରି ଝିଅ ନୁହେଁ ସୁଜାତା, ଏ ବସ୍ତିର କାବେରୀ, କୃଷ୍ଣା, ରମା ହୋଟଲକୁ ଯାଆନ୍ତି ଉପାର୍ଜନ କରିବା ପାଇଁ । ଲୋକ ଆସି ନେଇଯାଏ ପୁଣି ଛାଡ଼ିଯାଏ ବଡ଼ି ଭୋର୍‌ରୁ ।

 

ସୌମ୍ୟ ସୁଡ଼ଙ୍ଗ ଶେଷରେ ଆଲୋକ ଦେଖି କହିଉଠିଲା... ମୁଁ ଯାଏ ଚେଷ୍ଟା କରି ଦେଖେ... ।

 

ରାଜୁ ଏବଂ ତାର ସାଙ୍ଗମାନେ ସେମାନଙ୍କ ଆଡ଼୍ଡା ସ୍ଥଳରେ ପୁଲିସ୍‍ ବାରମ୍ବାର ଚଢ଼ାଉ କରିବା ଫଳରେ ପାତାଳପୁରରୁ ଆଡ଼୍ଡା ଉଠାଇ ନେଲେ କେନାଲ ସେପାଖର ଗୋଟିଏ ଅପେକ୍ଷାକୃତ ନିରୋଳା ସ୍ଥାନକୁ । ଆଗେ ମହମ୍ମଦ ଉସ୍‍ମାନ ନାମକ ଜଣେ ବ୍ୟକ୍ତି ବ୍ୟାଙ୍କରୁ କିଛି ଟଙ୍କା ଋଣ ନେଇ ସେଠାରେ ଏକ ମୋଟର ମରାମତି କାରଖାନା ଖୋଲିଥିଲା । କାରଖାନାଟି ଚାରି ପାଞ୍ଚବର୍ଷ ମଧ୍ୟରେ ବେଶ୍ ଉନ୍ନତି ମଧ୍ୟ କରିଥିଲା । କିନ୍ତୁ ଉସ୍‍ମାନ ପାରିବାରିକ ଅଶାନ୍ତି ଯୋଗୁଁ କାରଖାନା ଛାଡ଼ି ସମ୍ବଲପୁର ଚାଲିଗଲା ତା’ର ତୃତୀୟ ସ୍ତ୍ରୀ ସହିତ । ମୋଟର ମରାମତି କାରଖାନାର ଯନ୍ତ୍ରପାତି କିଛି ସେ ସାଙ୍ଗରେ ନେଇ ଯାଇଥିଲା ଏବଂ ଆଉ କିଛି ବିକ୍ରୀ କରି ଦେଇଥିଲା । କାରଖାନା ଘର ଦଖଲ କରି ରହି ଯାଇଥିଲେ ତା’ର ଦୁଇ ସ୍ତ୍ରୀ କେତକୀ ବେଗମ୍‍ ଓ ଅନୀସା ବେଗମ୍‍ । ଅନୀସା ବେଗମ୍‍ର ବୟସ ଅପେକ୍ଷାକୃତ କମ୍–ପ୍ରାୟ ଅଠେଇଶ ତିରିଶ ମଧ୍ୟରେ । ତା’ ସହିତ କେନାଲ କୂଳରେ ପରିଚୟ ହେବା ପରେ ତାହା ଅତିଶୀଘ୍ର ବନ୍ଧୁତ୍ୱରେ ପରିଣତ ହୋଇଥିଲା । ରାଜୁଠାରୁ ସେ ବୟସରେ ପ୍ରାୟ ବର୍ଷେ ଦୁଇବର୍ଷ ବଡ଼ ହେବ । କିନ୍ତୁ ଅନୀସା ବେଗମ୍‍ର ଗଠନଟି ଏପରି ଯେ ସେ ପ୍ରକୃତ ବୟସଠାରୁ ଆହୁରି ପାଞ୍ଚବର୍ଷର ସାନ ମନେହୁଏ ।

 

ରାଜୁ ଓ ତା’ର ସାଙ୍ଗମାନଙ୍କ ସହିତ ଅନୀସାର ପରିଚୟ ହୁଏ ଏକ ସନ୍ଧିକ୍ଷଣରେ ।

 

ପୁଲିସ୍‍ ସେମାନଙ୍କ ପିଛା ଧରିଛି ବୋଲି ଖବର ପାଇବା ମାତ୍ର ରାଜୁ, ଶଙ୍କର, ମନୁଆ ଆଉ କାମେୟା ଆଡ଼୍ଡା ଛାଡ଼ି ପଳେଇ ଗଲେ କେନାଲ କୂଳକୁ । କାଳେ ସେଠାରେ ପୁଲିସ୍‍ ପହଞ୍ଚି ଯାଇପାରେ ଏଇ ଆଶଙ୍କାରେ ସେଠାରେ ବନ୍ଧାଥିବା ଗୋଟେ ଛୋଟ ନୌକା ଖୋଲି ଚାଲିଗଲେ କେନାଲର ଆର ପାଖକୁ । ଡଙ୍ଗାବାଲା ସେତେବେଳକୁ ଫେରି ଆସି ଡଙ୍ଗା ଏପାଖକୁ ଆସୁଥିବାର ଦେଖି ହୁରି ଛାଡ଼ିଲାରୁ ଡଙ୍ଗା କୂଳରେ ଲାଗିବା ଆଗରୁ ତରତର ହୋଇ ଡେଇଁ ପଡ଼ିଲେ ପାଣିକୁ । ତା’ପରେ ସଡ଼କ ପାର ହୋଇ ଆଉ ପାଖରେ କାହିଁ ଜାଗା ନ ପାଇ ପରିତ୍ୟକ୍ତ ଗ୍ୟାରେଜ୍ ଭାବି ପଶିଗଲେ ଭିତରକୁ । କେତକୀ ସେତେବେଳେ ନ ଥିଲା ଘରେ । ଅନୀସା ବେଗମ୍‍ ସେମାନଙ୍କୁ ଦେଖି ତା’ ଉପରେ କାଳେ ବଳାତ୍କାର କରିବାକୁ ଆସିଥାଇପାରନ୍ତି ଏହି ଆଶଙ୍କା କରି ଚିତ୍କାର କଲାବେଳକୁ ତା’ ମୁହଁ ଉପରେ ହାତ ଜାକି ଅନୁଚ୍ଚ ଅଥଚ ଦୃଢ଼ ସ୍ୱରରେ କହିଲା ରାଜୁ ସିଂହ, ଚୁପ୍‌ ଚୁପ୍‌... ଆମେ ଚୋର ନୋହୁଁ କି ଗୁଣ୍ଡାମୀ କରିବାକୁ ଆସିନୁ । ପୁଲିସ୍‍ ପିଛା ଧରିଛି । ଆମକୁ ଆଶ୍ରୟ ଦେଲେ ପୁରସ୍କାର ପାଇବ... ନ ହେଲେ... । ସେ ଆଉ କିଛି କହିବା ପୂର୍ବରୁ କାମେୟା ତାର ଅଣ୍ଟାରୁ ଚାକୁ ବାହାର କରି ଦେଖେଇଲା ଅନୀସାକୁ ।

 

ଅନୀସା ସେମାନଙ୍କୁ ଘର ଭିତରେ ରଖି ବାହାରକୁ ଆସି ଦେଖିଲା ଯେ ପୁଲିସ୍ ନୁହେଁ ଦୁଇଜଣ ଅନ୍ୟଲୋକ ପଇଁତରା ମାରୁଛନ୍ତି ଘର ଆଗରେ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ଯେ ନାଉରୀ ଏହା ସେ ଦେଖିବା ମାତ୍ରେ ଚିହ୍ନିପାରି କହିଲା ଗୁରୁ ଚାଚା ଯେ... ।

 

ଗୁରୁ କହିଲା, ମୋଡ଼ଙ୍ଗା ନେଇ ଚାରି ପାଞ୍ଚଜଣ ଖେଚଡ଼ା ଟୋକା ଏପାଖକୁ ଚାଲି ଆସିଲେ ଏଇନେ । ଏଇ ପିଲାଟି କହୁଛି ଯେ ସେମାନେ କୁଆଡ଼େ ଏଇ ଘର ଭିତରେ ପଶିଯିବାର ସେ ଦେଖିଛି ।

 

ଅନୀସା ବେଗମ୍‍ ହସି ପକେଇ କହିଲା, ଇଏତ ମୋ ଘର ଚାଚା । ସେ ବୋଧହୁଏ ଭୁଲ୍ ଦେଖିଛି । ସେମାନେ ବୋଧହୁଏ ଏଇ ପଛବାଟ ଦେଇ ସମ୍ରାଟ୍‍ ସିନେମା ଆଡ଼କୁ ଚାଲି ଯାଇଥିବେ-

 

ତା’ କଥା ବିଶ୍ୱାସ କରି ଫେରିଗଲା ଗୁରୁ । କିନ୍ତୁ ତା’ ପଛେ ପଛେ ଘାଟ ପର୍ଯ୍ୟନ୍ତ ତାକୁ ଆଗେଇ ଦବାପାଇଁ ଗଲା ଅନୀସା । ଏ ଭିତରେ ସେ ପିଲାଟା ଅଦୃଶ୍ୟ ହୋଇ ଯାଇଥିଲା ସେଠାରୁ-। ଡଙ୍ଗା ଉପରକୁ ଯିବା ଆଗରୁ ଗୁରୁକୁ କହିଲା ଅନୀସା, ଆର ପାଖ ବସ୍ତିରେ ଏଇ କେତେଦିନ ହେବ ପୁଲିସ୍‍ ପଇଁତରା ମାରିବାର ଦେଖିଛି, କଥା କଅଣ ?

 

ଗୁରୁ କହିଲା, ମୋ ଧନ୍ଦାରେ ସମୟ ନ ଥାଏ ମା’ ଅନ୍ୟର ଖବର ନବା ପାଇଁ । ତେବେ ପୁଲିସ୍‍ ଯେ ଛକିଛି କାହାକୁ ଧରିବା ପାଇଁ ଏୟା ଅନୁମାନ ହେଉଛି ମୋର ।

 

ଏପାଖକୁ ଆସିବେ ନା କଅଣ ? ପଚାରିଲା ଅନୀସା ।

 

ନା, ନା... ତେବେ କିଏ କହିପାରିବ ନିଶ୍ଚୟ କରି... କଥାରେ କହନ୍ତିନି ନରମାୟା ନାରାୟଣଙ୍କୁ ବି ଅଗୋଚର ... ।

 

ଅନୀସା ହସିଦେଇ କହିଲା, ଆସିଲେ ଆସନ୍ତୁ .... କଥାରେ ଅଛି ପରା ମାଛ ଖାଇବ ଇଲିସି ଚାକିରି କରିବ ପୁଲିସ୍‍... ।

 

ଗୁରୁ ଡ଼ଙ୍ଗା ନେଇ ସେ ପାଖକୁ ଚାଲିଗଲା ।

 

ସେତେବେଳକୁ ରାତି ହେଲାଣି । ନଅଟା ବାଜିବ ବୋଧହୁଏ ।

 

ସେଇ ଥରକ ଦେଖାରେ ଅନୀସା ମନରେ ଛାପି ହୋଇ ଯାଇଥିଲା ରାଜୁର ଲମ୍ବା ଚୌଡ଼ା ବଳିଷ୍ଠ ଚେହେରା । ଏହାକୁଇ କହନ୍ତି ମରଦ । ଅନୀସା ଘର ଭିତରକୁ ନ ଯାଇ ପାଖ ଚା’ ଦୋକାନକୁ ଗଲା । ସେ ଜାଣେ ଯେ କେତକୀ ବେଗମ୍‍ ଆଜି ରାତିରେ ଆଉ ଫେରିବ ନାହିଁ, ଶେଖ୍‍ ବଜାରରେ ତା’ ଭାଇ ଘରେ ରହିଯିବ । ଏଇ ମୌକାରେ ଟୋକାଗୁଡ଼ାକୁ ଯଦି ହାତକୁ ଆଣିପାରେ ଦରକାରବେଳେ କାମରେ ଆସିବେ ।

 

ଅନୀସା ଚାରିକପ ଚା’ ଏବଂ କିଛି ବରା ନେଇ ଫେରି ଆସିଲା ଘରକୁ । ସେତେବେଳ ଯାଏ ତା’ର ଖିଆଲ ନ ଥିଲା ଯେ ସେ ଦରଜା ବନ୍ଦ ନ କରି ଅଚିହ୍ନା ଲୋକଗୁଡ଼ାକୁ ଘର ଭିତରେ ରଖି ଚାଲି ଆସିଛି । ଯଦି ଏ ଭିତରେ ତା’ର ସର୍ବସ୍ୱ ନେଇ ସେମାନେ ପଳାଇ ଯାଆନ୍ତି ଆଉ କାହା ଆଗରେ ଫରିଆଦ କରିବାର କିଛି ରହିବ ନାହିଁ ।

 

କିନ୍ତୁ ଘରକୁ ଫେରିଆସି ସେମାନଙ୍କୁ ଠିକ୍ ପୂର୍ବପରି ନୀରବରେ ଅନ୍ଧାର ଘର ଭିତରେ ଦେଖି ସତରେ ଆଶ୍ଚର୍ଯ୍ୟ ହୋଇଗଲା ଅନୀସା । ଆଲୁଅ ଜାଳି ସେ ଖିଲ୍ ଖିଲ୍ ହସି ଉଠି କହିଲା, ମୁଁ ଭାବିଥିଲି ମୋର ସର୍ବସ୍ୱ ଲୁଟ୍ ହୋଇଯାଇଥିବ ଫେରିବାବେଳକୁ । କିନ୍ତୁ ଦେଖୁଛି ତୁମେ ସମସ୍ତେ ଭଲ ପିଲା ପରି ମଉନ ହୋଇ ବସିଛ ... ।

 

ରାଜୁ କହିଲା, ତୁମେ ଆମକୁ ସାହାଯ୍ୟ କରି ଆମର ଦୋସ୍ତ ହୋଇଯାଇଛ । ଆଉ ଭୟ ନାହିଁ । ଯିଏ ଆମର ଉପକାର କରେ ଆମେ କେବେ ତା’ର ତଣ୍ଟି କାଟୁନା... ।

 

ଅନୀସା ସମସ୍ତଙ୍କ ହାତକୁ ଗିଲାସେ ଗିଲାସେ ଚା’ ବଢ଼ାଇ ଦେଇ କାଗଜ ଥଳୀରେ ଆଣିଥିବା ଗରମ ବରାଗୁଡ଼ାକୁ ସେମାନଙ୍କ ଆଗରେ ଥୋଇ ଦେଇ କହିଲା, ନିଶ୍ଚିତ ମନରେ ଖାଅ... ପୁଲିସ୍‍ ଏ ପାଖକୁ ଆସିବାର ଭୟ ନାହିଁ... ।

 

ରାଜୁ କହିଲା, ତୁମ ଋଣ କେବେ ଶୁଝିପାରିବୁ ନାହିଁ ।

 

ଅନୀସା ସିଧା ରାଜୁର ମୁହଁକୁ ଚାହିଁଲା ଏବଂ ତା’ର ମନଜିଣା ହସ ଚହଟି ଉଠିଲା ଏପାଖରୁ ସେପାଖ । ରାଜୁ ବି ତାକୁ ନ ଚାହିଁ ରହିପାରିଲା ନାହିଁ । ଚାରି ଆଖିର ମିଳନ ହେଲା ଗୋଟିଏ ଅପ୍ରତ୍ୟାଶିତ ମୁହୁର୍ତ୍ତରେ ।

 

ମନୁଆ, କାମେୟା ଓ ଶଙ୍କରକୁ ଏକତ୍ର ନ ପଠାଇ ଜଣ ଜଣ କରି ପଠାଇ ଦେଲା ଏବଂ ନିର୍ଦ୍ଦେଶ ଦେଲା ଯେ ସେମାନେ ଯେପରି ଯେ ଯାହାର ଘରକୁ ଫେରି ଯାଆନ୍ତି ।

 

ରାଜୁକୁ କିନ୍ତୁ ସଙ୍ଗେ ସଙ୍ଗେ ଛାଡ଼ି ଦେଲାନି ଅନୀସା ।

 

ତରୁଣୀର ଆଖିର ତୀର ନିକ୍ଷେପ କରି ସେ ଇମିତି ଚାହିଁ ରହିଲା ଯେ, ରାଜୁ ଅନ୍ୟନୋପାୟ ଅପ୍ରତ୍ୟାଶିତ ହୋଇ ପାଖକୁ ଲାଗି ଆସି ତାର ଗୋଟେ ହାତ ଉଠେଇ ନେଇ କହିଲା ଫିସ୍ ଫିସ୍ କରି, ଆଜିଠାରୁ ଆମେ ବନ୍ଧୁ... ।

 

ଖାଲି ସେତିକି ? ଖିଲ୍ ଖିଲ୍ ହସି ଉଠି କହିଲା ଅନୀସା ।

 

ସେହିଦିନଠାରୁ ଅନୀସା ବେଗମ୍‍ର ଘର ରାଜୁର ଘରରେ ପରିଣତ ହେଲା ଏବଂ ଗ୍ୟାରେଜରେ ପଛପଟେ ପରିତ୍ୟକ୍ତ ଷ୍ଟୋର ଘରଟା ରାଜୁ ଓ ତାର ବନ୍ଧୁ ମାନଙ୍କର ଆଡ଼୍ଡାରେ ପରିଣତ ହେଲା । କେତକୀ ବେଗମ୍‍ ଯେଉଁ ନୂଆ ବ୍ୟବସାୟ ଆରମ୍ଭ କରିଛି ସେଥିରେ ବିଶ୍ୱାସୀ କରିତ୍‌କର୍ମା ଲୋକର ପ୍ରୟୋଜନ ବେଶୀ । କିନ୍ତୁ ଏ ଯାଏଁ ସେପରି କାହାକୁ ପାଇ ନ ଥିବାରୁ ବ୍ୟବସାୟ ଆଗଉ ନ ଥିଲା । ଅନୀସାର ବନ୍ଧୁମାନଙ୍କ ସହିତ ତା’ର ପରିଚୟ ହବା ପରେ ଏତେ ନିକଟରେ ଏପରି ପାରଙ୍ଗମ ଲୋକ ଥାଇପାରନ୍ତି ଏହା ବିଶ୍ୱାସ କଲା ସେ ଏବଂ ମନୁଆ କାମେୟା ତା’ର ପ୍ରସ୍ତାବରେ ରାଜି ହୋଇଯିବାରୁ ସେ ଖୁସିରେ ଆଉ ଟିକେ ବେଶୀ ନିଶା କଲା ସେଦିନ ।

 

କେତକୀ ବେଗମ୍‍ର ଭାଇ ଜଲାଲଉଦ୍ଦିନ୍ ପ୍ରତିମାସ କଲିକତାରୁ ଯେଉଁ ଚୋରାନିଶାଦ୍ରବ୍ୟ ଆଣେ ତାହା କଲେଜ ପିଲାଙ୍କ ମଧ୍ୟରେ ବିକ୍ରୀ କରିବାର ଦାୟିତ୍ୱ ନେଇଥିଲା କେତକୀ । କିନ୍ତୁ ସେଭଳି ଭଲ ମାଧ୍ୟମ ପାଉ ନ ଥିବାରୁ ବ୍ୟବସାୟରେ ପ୍ରସାର ଘଟୁ ନ ଥିଲା । ମନୁଆଁ ଓ କାମେୟା କେନାଲ ସେପାଖର ହେଲେ ବି ତା’ ସହିତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦବାରୁ ସେ ନୂଆକରି ଚାଲୁ ହୋଇଥିବା କୋକେନ୍ ଓ ବ୍ରାଉନ୍ ସୁଗାରର ବ୍ୟବହାର ସମ୍ପର୍କରେ ସେମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇ ଲାଭାଂଶରୁ ସେମାନଙ୍କୁ ପଚାଶଭାଗ ଦବ ବୋଲି ତା’ର ସିଦ୍ଧାନ୍ତ ଜଣାଇଦେଲା । ଆହୁରି ସେ କହିଲା ଯେ ଥରେ ବ୍ରାଉନ୍ ସୁଗାରର ଶିକାର ହେଲେ ସହଜରେ ଏ ଅଭ୍ୟାସ ଛାଡ଼ି ହୁଏନି ଏବଂ ଶିକାର ବ୍ରାଉନ୍ ସୁଗାର ଖାଇବା ପାଇଁ ପାଗଳ ପରି ଜୀବନ ପଣକରି ଛୁଟେ । ଏହା ସହିତ ମୁକ୍ତ ଯୌନ ସମ୍ଭୋଗର ଉଲ୍ଲାସ ଅନୁଭବ କରିବା ଲାଗି ସେ କେତେଜଣ ଝିଅଙ୍କୁ ବି ଯୋଗାଡ଼ କରିନେଲା ଏବଂ ପାଖରେ ଗୋଟେ ଛୋଟ ଚାଳଘର ଭଡ଼ାନେଲା ଏଥିପାଇଁ-। ରତିକ୍ରୀଡ଼ା ଏବଂ ବ୍ରାଉନ୍‌ ସୁଗାର ଯୁବକମାନଙ୍କୁ ଶିକାର କରିବାର ଦୁଇଟି ଅମୋଘ ଅସ୍ତ୍ର ଏବଂ ଏହାର କବଳରେ ପଡ଼ିଲେ ଆଉ ଯେ ସହଜରେ କେହି ବାହାରି ଯାଇପାରେ ନାହିଁ ଏ ସମ୍ପର୍କରେ ନିଶ୍ଚିତ ହୋଇସାରିଥିଲା କେତକୀ ।

 

କେତକୀର ବୟସ ପଇଁତିରିଶି ଛତିଶ ମଧ୍ୟରେ ହେଲ ବି ଦୁଇ ଚାରି ବର୍ଷରୁ ଅଧିକ ବୟସ ପରି ମନେହୁଏ ଦେଖିଲେ । କିନ୍ତୁ ତଥାପି ତା’ର ଯୌନ ଲାଲସା ଏତେ ଉଗ୍ର ଯେ ସେ ପ୍ରତିଦିନ ଏକାଧିକ ପୁରୁଷ ସହିତ ରହିବା ପାଇଁ ଇଚ୍ଛା କରେ । ଅନୀସା ପରି ତାର ସେପରି ଦୈହିକି ଆକର୍ଷଣ ନ ଥିଲେ ମଧ୍ୟ ଅତି ଅଳ୍ପ ସମୟ ଭିତରେ ସେ କାମେୟା ଓ ମନୁଆକୁ ଅକ୍ତିଆର କରିନେଲା ଏବଂ ସେମାନେ କ୍ରମଶଃ ତା’ ସହିତ ଅଧିକରୁ ଅଧିକ ସମୟ କଟାଇବାକୁ ଲାଗିଲେ ।

 

କୋକେନ୍ ଓ ବ୍ରାଉନ୍ ସୁଗାର ସାଙ୍ଗକୁ ଗଞ୍ଜେଇ, ଭାଙ୍ଗ, ଅଫିମର ଚୋରା ବ୍ୟବସାୟ ମଧ୍ୟ କେତକୀ ବେଗମ୍ ହାତରେ । ହୁଇସ୍କି ବା ରମ୍ ଖାଇ ମଣିଷ ଯେ ସ୍ୱର୍ଗ ସୁଖ ଅନୁଭବ କରିପାରେନା ଏହାର ଅଙ୍ଗେ ନିଭାଇବା ରୋମାଞ୍ଚକର କାହାଣୀ ସେ କହେ ନବାଗତମାନଙ୍କୁ । ବ୍ରାଉନ୍ ସୁଗାର ଥରେ ଖାଇଲେ ସେଇ ନିର୍ବିକଳ୍ପ ସମାଧି ପରି ଗୋଟିଏ ତରଙ୍ଗାୟିତ ଅନୁଭୁତି ମନକୁ ଆଉ ଏକ ଭୂମିକୁ ନେଇଯାଏ–ଯେଉଁଠାରେ ଥାଏ ଏକ ଅନନୁଭୂତ ଆତ୍ମେଭୋଳା ଅନୁଭୁତି-

 

କେତକୀର ଦୁଇ ପାଖରେ ଶୋଇ ମନୁଆ ଓ କାମେୟା ପ୍ରତିଦିନ ନୂଆ ଶିକାର ଓ ବ୍ୟବସାୟର ହିସାବ ଦିଅନ୍ତି । ମାତ୍ର ତିନିଚାରି ସପ୍ତାହ ମଧ୍ୟରେ କାମେୟାର ଉଦ୍ୟମ ଫଳରେ ବ୍ରାଉନ୍ ସୁଗାର ନିୟମିତ ଭାବରେ ଗ୍ରହଣ କରୁଥିବା ଭକ୍ତମାନଙ୍କ ସଂଖ୍ୟା ଏଗାରରେ ପହଞ୍ଚି ଯିବାରୁ କେତକୀ ତା’ ପାଇଁ ରାତିର ଏକ ନିର୍ଦ୍ଦିଷ୍ଟ ସମୟ ସଂରକ୍ଷିତ କରି ରଖିଛି ।

 

ସବୁଆଡ଼େ ସବୁ ଠିକ୍ ଚାଲିଥିଲାବେଳେ ଦିନେ ହଠାତ୍ ଖବର ମିଳିଲା ଯେ କଟକ ସହରକୁ କଲିକତାଠାରୁ ଆମଦାନୀ କରି ଆଣୁଥିବା ବ୍ରାଉନ୍ ସୁଗାର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ରେଳବାଇ ପୁଲିସ୍‍ ଜଣକଠାରୁ ଜବତ କରି ଆସାମୀକୁ ଗିରଫ କରିଛି । କାଳେ ସେମାନଙ୍କର ସବୁ ପ୍ଲାନ୍‍ ପୁଲିସ୍ ଜାଣିଯିବ, ସେଥିପାଇଁ କେତକୀ ସମେତ ତା’ର ଭାଇ ଜଲାଲଉଦ୍ଦିନ୍ ଉଦ୍‌ବିଗ୍ନ ହୋଇପଡ଼ିଲେ । ଜଲାଲ୍‌ଉଦ୍ଦିନ୍‍ କାମେୟାକୁ ଡାକି କହିଲା ଯେ ଏଇ ସୁଯୋଗରେ ଶଙ୍କରକୁ ଖତମ୍‍ ନ କଲେ ପୋପୁଲିସ୍‍ ପଚରାଉଚୁରା କରି ସବୁ ଜାଣିଗଲେ ବ୍ୟବସାୟ ତ ବୁଡ଼ିବ, ସେମାନେ ସମସ୍ତେ ମାମୁଁଘରକୁ ଯିବେ । ଶଙ୍କର ଶିକ୍ଷାନବିସ ଭାବରେ ଉତ୍ତୀର୍ଣ୍ଣ ହେବା ପରେ ତାକୁ ଏଇ ପ୍ରଥମ କଲିକତା ପଠାଇଥିଲା ଜଲାଲ୍ଉଦ୍ଦିନ୍ । କିନ୍ତୁ ସେଇ ପ୍ରଥମ ଦଫାରେ ସେ ଯେ ଧରାପଡ଼ିଯିବ, ଏହା କସ୍ମିନ୍‌କାଳେ ଭାବି ନ ଥିଲା ସେ । ତା’ କଥା ଯେତିକି ଭାବିଲା ସେତିକି ଜଲାଲ୍‌ଉଦ୍ଦିନ୍ ତା’ ପ୍ରତି ନିଷ୍ଠୁର ହୋଇ ଉଠିଲା ଏବଂ କାମେୟାକୁ କହିଲା ଯେ ଏଇ ଶଳା ହାରାମଜାଦାକୁ ଶେଷ କରିବାହିଁ ପ୍ରଥମ କାମ । ସେଇ କାମ ନିର୍ବିଘ୍ନରେ ଯେପରି ହେବ ତାହା ବୁଝାଇ ଦେଇ କାମେୟା ହାତକୁ ହଜାରେ ଟଙ୍କାର ନୋଟ୍ ବଢ଼େଇ ଦେଇ କହିଲା ଜଲାଲ୍‌ଉଦ୍ଦିନ୍‍ । ମରଦ୍‌କା ବାତ୍ ହାତୀକା ଦାନ୍ତ । କାମ ଫତେ କରି ଫେରିଲେ ଆଉ ଚାରି ହଜାର ।

 

କାମେୟା ଏତେ ଟଙ୍କା ଜୀବନରେ କେବେହେଲେ ଦେଖି ନ ଥିଲା । ଆଗେ ରିକ୍‌ସା ଚଳାଇ ଦିନକୁ ଦଶ ପନ୍ଦର ଟଙ୍କା ରୋଜଗାର କରୁଥିଲା । କିନ୍ତୁ ଥରେ ରିକ୍‌ସାଟା ଦୁର୍ଘଟଣା ଗ୍ରସ୍ତ ହେଲା ବୋଲି ମାଲିକ ତାକୁ ମାତାଲ ଆଉ ବେହୁସିଆର କହି ଅନ୍ୟଜଣକୁ ଦେଲା ଚଳେଇବା ପାଇଁ । ସେଇଦିନୁ କାମେୟା ବେକାର ହୋଇଗଲା ଏବଂ ରାଜୁର ଦୟା ଉପରେ ନିର୍ଭର କରି ତାହାରି ନିର୍ଦ୍ଦେଶ ମାନି ଚଳିବାକୁ ଲାଗିଲା । ଅନୀସା ବେଗମ୍‍ ଓ କେତକୀ ବେଗମ୍‍ ସହିତ ସେମାନଙ୍କର ପରିଚୟ ଓ ବନ୍ଧୁତ୍ୱ ହବାପରେ ଜଲାଲ୍ଉଦ୍ଦିନ୍ ସହିତ ତା’ର ସମ୍ପର୍କ ।

 

କାମେୟା ବାହାରିଯିବା ଆଗରୁ ଜଲାଲ୍ଉଦ୍ଦିନ୍ ଆଉଥରେ ତାକୁ ସତର୍କ କରିଦେଇ କହିଲା, ରେଳବାଇ ପୁଲିସ୍ ହାଜତରେ କଟକ ଷ୍ଟେସନରେ ଅଛି ଶଙ୍କରା । ରାତି ନଅଟା ଦଶଟା ମଧ୍ୟରେ ପୁରୀ ଏକ୍ସେପ୍ରସ୍, ମାନ୍ଦ୍ରାଜମେଲ ଓ ଅନ୍ୟ କେତେକ ଗାଡ଼ି ଆସୁଥିବାରୁ ପୁଲିସ୍‍ବାଲା ବ୍ୟସ୍ତ ରହନ୍ତି ସେତେବେଳେ । ସେତେବେଳେ ହାଜତ ଡ୍ୟୁଟିରେ କେହି ନ ଥାନ୍ତି । ଠିକ୍ ସୁଯୋଗ ଦେଖି ଶଙ୍କରକୁ କିଛି ଖୁଆଇ ଦେଲେ ସେ ଆଉ ଉଠିବ ନାହିଁ, ଖତମ ହେବାକୁ ଅଧଘଣ୍ଟାରୁ ବେଶୀ ଲାଗିବ ନାହିଁ । ଜଳଖିଆରେ ବିଷ ଦବାବେଳେ ସେ ଯେପରି ଅତି ସତର୍କତାର ସହିତ କାମ କରେ-। ଶଙ୍କର ତୋ ହାତରୁ ଜଳଖିଆ ନବାପାଇଁ ଅସ୍ୱୀକାର କରିବନି, ବରଂ ତୁ ଦଳର ଲୋକ ଭାବରେ ତା’ର ଭଲମନ୍ଦ ବୁଝିବା ପାଇଁ ପୁଲିସ୍‍ର ଅଜ୍ଞାତରେ ଆସିଥିବାରୁ ସେ ବା ତୁ ଯେପରି ପୁଲିସ୍‍ ହାତରେ ଏଇ ସାକ୍ଷତ୍‍ବେଳେ ଧରା ନ ପଡ଼ୁ ସେଥିପ୍ରତି ସଜାଗ ରହିବ ।

 

କାମେୟା ଯିବା ଆଗରୁ କହିଲା, ଏଯାଏ କୌଣସି କାମରେ ଫେଲ୍ ମାରିନି କାମେୟା...ଖାଲି ମୋ ଉପରେ ବିଶ୍ୱାସ ରଖ ସାହେବ... ।

 

ସେ ଚାଲିଗଲା ପରେ ବୁଦ୍ଧୁକୁ ଡାକି ଆଖିରେ କଅଣ ଇଶାରା ଦେଲା ଜଲାଲ୍ଉଦ୍ଦିନ୍ । ସେ ମଥା ହଲାଇ କିଛି ଦୂରତ୍ୱ ରକ୍ଷାକରି କାମେୟାର ପଛେ ପଛେ ସେଇ ଅନ୍ଧାର ଭିତରେ ଅଦୃଶ୍ୟ ହୋଇଗଲା ।

 

ଜଲାଲ୍ଉଦ୍ଦିନ୍ ସେଇ ରାତିରେ ଟାକ୍‌ସି କରି ବ୍ରହ୍ମପୁର ଚାଲିଗଲା ।

 

କାମେୟା ଷ୍ଟେସନରେ ପହଞ୍ଚିଲାବେଳକୁ ପୁରୀ ଏକ୍ସେପ୍ରସ୍‌ର ଆଗମନ ଘୋଷଣାକରି ତୃତୀୟ ଘଣ୍ଟି ବାଜି ସାରିଥାଏ । ଉଦ୍ଧତ ଭାବରେ ମାଡ଼ି ଆସୁଥିବା ପୁରୀ ଏକ୍ସେପ୍ରସ୍‌ର ଇଞ୍ଜିନର ହେଡ୍‍ଲାଇଟ୍‌ରୁ ଆଲୁଅ ସର୍ଚ୍ଚ ଲାଇଟ୍ ପରି ପଡ଼ିଥାଏ ଲାଇନ୍ ଉପରେ ।

 

ହଠାତ୍ ଓଭରବ୍ରିଜ୍‍ ପାରହୋଇ ଷ୍ଟେସନ୍ ଭିତରକୁ ପଶିବା ସମୟରେ ରେଳ ଲାଇନ୍ ଉପରେ ଆତ୍ମହତ୍ୟା କରିବା ପାଇଁ କେହି ଜଣେ ଲମ୍ଫ ଦବାରୁ ଶେଷ ମୁହୁର୍ତ୍ତରେ ତାକୁ ରକ୍ଷାକରି ନ ପାରିଲେ ମଧ୍ୟ ଡ୍ରାଇଭର ବ୍ରେକ୍ କଷି ଅଧା ବାଟରେ ଗାଡ଼ି ରଖିଦେଲା । ଷ୍ଟେସନ ପ୍ଲାଟଫର୍ମରେ ଅଧେ ଟ୍ରେନ୍ ତ ଆଉ ଅଧେ ପାର୍ସଲ ଅଫିସ ଓ କେବିନ୍ ମଝିରେ ।

 

ହଇହାଲ୍ଲାରେ କମ୍ପୁଥାଏ ପ୍ଲାଟଫର୍ମ । ଟ୍ରେନ୍ ଚକତଳେ ଗଣ୍ଡିମୁଣ୍ଡ ଅଲଗା ହୋଇ ଯାଇଥିବା ଲୋକର ମୃତ ଶରୀରକୁ ଦେଖିବା ପାଇଁ ଦୌଡ଼ି ଆସିଲେ ଅନେକ ଯାତ୍ରୀ ଓ ଦର୍ଶକ । ଆଇନ ଶୃଙ୍ଖଳା ରକ୍ଷା କରିବା ଓ ତଦନ୍ତ କରି ଶବକୁ ପୋଷ୍ଟମର୍ଟମ କରାଇବା ଲାଗି ପୁଲିସ୍‍ ଓ ଆରପିଏଫ୍‍ ଦଉଡ଼ି ଆସି କର୍ଡ଼ନ କରିଦେଲେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ।

 

ଠିକ୍ ସେତିକିବେଳେ ହାଜତ ଡିଉଟିରେ ଥିବା ଥାନା ଡିଉଟିରେ କାହାକୁ ନ ଦେଖି ଶଙ୍କର ରହୁଥିବା ହାଜତ ଆଗକୁ ଚାଲିଆସି କହିଲା କାମେୟା ସାହେବ ପଠାଇଲେ; ତୋର ଭଲ ମନ୍ଦ ବୁଝି ଯିବାପାଇଁ । ଖୁବ୍ ସହଜରେ ଦେଖା ହୋଇଗଲା । ଥାନାରେ କେହି ନାହାନ୍ତି ଏଇନେ । ସମସ୍ତେ ଯାଇଛନ୍ତି ଦୁର୍ଘଟଣା ଘଟିଥିବା ସ୍ଥାନକୁ । କେବଳ କଣ୍ଟ୍ରୋଲ ରୁମ୍‌ରେ ବସିଛି ଗୋଟେ ମୁର୍ଦ୍ଦାର ଭଳି କନେଷ୍ଟବଳ ।

 

ଶଙ୍କର ଖୁସିହୋଇ କହିଲା, ସାହେବଙ୍କର ଏତେ ଦୟା ମୁଁ ବିଶ୍ୱାସ କରି ପାରୁନାହିଁ... ।

 

ସେ ନିଜେ ତ ପଠେଇଲେ ମୋତେ... । କହିଲା କାମେୟା ।

 

ଆଉ ବିଳମ୍ବନ କରି ପଲିଥିନ ପ୍ୟାକେଟ୍ଟି ବଢ଼େଇ ଦେଇ କହିଲା ସେ, କିଛି ଜଳଖିଆ ଅଛି, ଖାଇ ନେ, ପାଖରେ କେହି ନାହିଁ । ଡିଉଟି କନେଷ୍ଟବଳ ପ୍ଲାଟଫର୍ମକୁ ଚାଲି ଯାଇଛି ।

 

କାମେୟା ନଜର ରଖିଲା ବାହାରକୁ, ତରତର କରି ଜଳଖିଆ ତକ ଦୁଇମିନିଟ୍ ମଧ୍ୟରେ ଶେଷ କରିଦେଲା ଶଙ୍କର ।

 

ତୁ ନିଶ୍ଚିତ ଥାରେ ଶଙ୍କର, ସାହେବ ତୋ ପାଇଁ ଲଢ଼ିବେ ଅଦାଲତରେ, ଭଲ ଓକିଲ ଦେବେ । ଥାନା ବାବୁଙ୍କୁ ହାତ କରିବା ପାଇଁ ମଧ୍ୟ ଉଦ୍ୟମ ଚାଲିଛି ... । ଆଶ୍ୱାସନା ଦେଇ କହିଲା କାମେୟା ।

 

ଶଙ୍କରର ଆଖି ଦୁଇଟି ଉଜ୍ଜ୍ୱଳ ହୋଇଗଲା କୃତଜ୍ଞତାରେ । ସେ ଜଲାଲ୍‍ଉଦ୍ଦିନ୍ ସାହେବଙ୍କର ଦୀର୍ଘ ଜୀବନ କାମନା କରି ତାଙ୍କର ଆହୁରି ବଡ଼ତି ହେଉ ବୋଲି ପ୍ରାର୍ଥନା କଲା ଜଗନ୍ନାଥଙ୍କ ନିକଟରେ । ତା’ପରେ ତା ସ୍ତ୍ରୀ ଓ ପୁଅ, ଝିଅ କଥା ମନେପଡ଼ିଗଲା ବୋଧହୁଏ, ସେ କାମେୟାକୁ କହିଲା ସେମାନଙ୍କର ତତ୍ତ୍ୱ ନବାପାଇଁ । ସାତଦିନ ହେବ ଆସିଲାଣି ଘରୁ, ହୁଏତ ଯାହା ଦେଇ ଆସିଥିଲା ସରିଯିବଣି ଏତେବେଳକୁ ।

 

କାମେୟା କହିଲା, ତୁ ନିଶ୍ଚିନ୍ତ ଥା ଶଙ୍କର । କିଛି ଟଙ୍କା ମୁଁ ତୋ ସ୍ତ୍ରୀ ହାତରେ କାଲି ସକାଳେ ଦେଇ ଆସିବି ।

 

ଆମ ଦଳ ଠିକ୍ ଅଛି ତ ଭାଇ ? ଅନ୍ୟମାନଙ୍କ ସମ୍ପର୍କରେ ଜାଣିବା ପାଇଁ କହିଲା ଶଙ୍କର-

 

ସବୁ ଠିକ୍ ଅଛି । ଶଳା ପୁଲିସ୍‍ ଲାଗିଚି ପଛରେ, କିନ୍ତୁ ଟଙ୍କା ପାଇଲେ ଯେ ସମସ୍ତଙ୍କ ମୁହଁ ବଙ୍କା ହୋଇଯାଏ, ଏହା ତ ଜାଣନ୍ତି ସମସ୍ତେ । ଆଉ ଯଦି ଭଲରେ ଭଲରେ ସାଧନ ନ ହୁଏ, ଆଚ୍ଛାକରି ପାନେ ଦିଆଯିବ ପୁଅକୁ ।

 

ଡିଉଟି କନେଷ୍ଟବଳ ବୋଧହୁଏ ଫେରି ଆସୁଥିଲା ।

 

ଶଙ୍କର ସତର୍କ କରିଦେଲା କାମେୟାକୁ ।

 

କାମେୟା ପ୍ଲାଟଫର୍ମର ଜନଗହଳି ଭିତରେ ମୁହୁର୍ତ୍ତକ ମଧ୍ୟରେ ଅଦୃଶ୍ୟ ହୋଇଗଲା ।

 

ଡିଉଟି କନେଷ୍ଟବଳ ହାଜତ ଆଗରେ ଛିଡ଼ାହୋଇ ହୁଙ୍କାର ଛାଡ଼ିଲା–କାହା ସାଙ୍ଗରେ ଶଳା ପରାମର୍ଶ କରୁଥିଲୁ ଶୁଣେ... ?

 

ଶଙ୍କର ଗୋଡ଼ ଭାଙ୍ଗି ଛିଡ଼ାହୋଇ ରହିଲା, କୌଣସି ଜବାଦ ଦେଲା ନାହିଁ ।

 

କନେଷ୍ଟବଳ ଲାଠି ଦେଖାଇ କହିଲା, ଶଳା ହାରାମଜାଦା... କାହାର ବେପାର କରୁଥିଲୁ ଯଦି ସକାଳ ଆଗରୁ ନ କହୁ ତୋ ଛାଲ ଉତାରି ଦେବେ ଥାନାବାବୁ... ।

 

ମଥାଟା ବୁଲାଇ ଦେଲା । ଆଉ ଛିଡ଼ାହବାପାଇଁ ଶକ୍ତି ନ ପାଇ ଲଥ୍‌କିନା ବସିପଡ଼ିଲା ଶଙ୍କର ।

 

ତା’ ପେଟରେ ଲାଠି ଭୁଷିଦେଇ କହିଲା କନେଷ୍ଟବଳ–ଶଳା ବାହାନା କାଢ଼ୁଛି ଦେଖ ... !

 

ପାତାଳପୁରର ଲୋକମାନଙ୍କୁ ଦୁଃଖ ଓ ଦାରିଦ୍ର୍ୟ ଏକତ୍ର କରି ରଖିଥିଲା ଏପର୍ଯ୍ୟନ୍ତ । ଜଣକର ଦୁଃଖରୁ ଆଉଜଣେ ଭାଗନବା ଥିଲା ଅତି ସହଜ ଓ ସ୍ୱାଭାବିକ ବିଷୟ । କିନ୍ତୁ କାହାର ଅଭିଶାପରୁ କେଜାଣି ସେଇ ସମ୍ପର୍କ ବିଘ୍ନିତ ହବାରେ ଲାଗିଛି ।

 

ସୀତା ମାଉସୀ କହେ ଯେ ଆନନ୍ଦରେ ନ ଡାକ ପଛେ ଦୁଃଖ ସମୟରେ ପରସ୍ପର ପରସ୍ପରକୁ ମନେପକାଅ, ପାଖରେ ଆସି ଛିଡ଼ା ହୁଅ, ଜଣେ ଆଉଜଣକର ଲୁହ ପୋଛିଦିଅ । ସଂସାରରେ ଜାତି କେବଳ ଦୁଇଟି–ଗରୀବ ଓ ଧନୀ, ଶ୍ରଣୀ କେବଳ ଦୁଇଟି ଥିଲାବାଲା ଓ ନ ଥିଲାବାଳା, ବର୍ଣ୍ଣ କେବଳ ଦୁଇଟି–କଳା ଓ ଗୋରା । ଗରୀବର ଧର୍ମ ହିନ୍ଦୁ ନୁହେଁ କି ମୁସଲମାନ ନୁହେଁ, ଭାଷା ଓ ଓଡ଼ିଆ ନୁହେଁ କି ହିନ୍ଦୀ ନୁହେଁ–ପେଟର ଭାଷା ଏକ, ଅନ୍ତରର ଅନୁଭବ ବି ଏକ ।

 

କିନ୍ତୁ ଏ ସୀତା ମାଉସୀର କଥାଗୁଡ଼ା ପବନରେ ଉଡ଼ିଯାଏ କାଠ ଯୋଡ଼ିର ବାଲି ବୈଶାଖର ଦି’ପହରିଆ ଖରାବେଳେ ଉଡ଼ିଯିବା ପରି, କେହି ତାହା ଶୁଣେନି ଆଉ; କେହି ଆଉ ଦଣ୍ଡେ ଅଟକିଯାଇ ପଚାରେନି କଅଣ କହେ ମାଉସୀ ।

 

ରାଜୁ ବେପରୁଆ ଭାବରେ ରାସ୍ତାରେ ଯିବାବେଳେ ସିଗାରେଟରେ ନିଆଁ ଧରାଇଲା ଏବଂ ଲମ୍ବା ଟାଣ ଦେଇ ମୁଣ୍ଡ ଉପରକୁ ଫୁଙ୍କିଦେଲା କଳେ ଧୂଆଁ ।

 

ପାତାଳପୁରର ଭବିଷ୍ୟତ ବି ବୋଧହୁଏ ଏଇ ଧୂଆଁ ପରି ଉଡ଼ିଯାଉଛି ଆକାଶକୁ ଲକ୍ଷ୍ୟହୀନ, ଉଦ୍ଦେଶ୍ୟହୀନ ଭାବରେ ।

 

ରାଜୁ ଏବେ ସବୁଆଡ଼େ କହି ବୁଲୁଛି ଯେ ତାକୁ ସିନା ଅଧା ପାଠୁଆ ବୋଲି ମୁଣ୍ଡ ଗଣତିବେଳେ ହିସାବକୁ ନେଲା ନାହିଁ ସୁଜାତା, କିନ୍ତୁ ଯେଉଁମାନଙ୍କ ହାତରେ ଆପେ ଆପେ ଧରାଦେଲା, ସେମାନେ ତା’ ଠାରୁ ଆହୁରି ଅଧମ ।

 

ସୁଜାତା କଥା ମନେପଡ଼ିଲେ ସୌମ୍ୟ ପ୍ରତି ଜମାଟ ବନ୍ଧା ଆକ୍ରୋଶ କମିଯାଏ । ତା’ ପ୍ରତି ଦୟା ହୁଏ ମନରେ । ଶେଷରେ ତା’ହେଲେ ତାକୁ ବି ଠକିଦେଲା ସୁଜାତା !

 

ରାଜୁ କିନ୍ତୁ ଏତେ ସହଜରେ ଛାଡ଼ି ଦବନି ସୁଜାତାକୁ, ଦିନେ ନା ଦିନେ ପ୍ରତିଶୋଧ ନବ । ସେ ଯେ ଏଇ ସହରରେ ଆଉ କେଉଁଠି ସୁଖରେ ଅଛି ଏଇକଥା ସେ ମନକୁ ମନ କହେ ବାରମ୍ବାର-

 

ରାଜୁଦେଢ଼ ଫୁଟ ଲମ୍ବାର ଗୋଟେ ବେଟନ ଘୂରାଇ ଘୂରାଇ ଗୁଣୁ ଗୁଣୁହୋଇ କଲିଏ ହିନ୍ଦୀ ସିନେମା ଗୀତ ଗାଇ ଗାଇ ଚାଲିଗଲାବେଳେ ସୁର ନାଏକ ଛିଡ଼ା ହୋଇଥିଲା ରାସ୍ତା ଉପରେ-। ତା’ ଆଗରେ ଛିଡ଼ା ହେଲା ରାଜୁ ଏବଂ କିଛି ନ ଜାଣିଲା ପରି ପଚାରିଲା, କେତେଦୂର ଗଲ ଗୁରୁ-?

 

ସୁର ନାଏକ ମୁହଁ ଫେରାଇ ନେଲା, କିଛି କହିଲା ନାହିଁ । ରାଜୁ ସିଂକୁ ଦେଖିଲେ ଘୃଣାରେ ତା’ର ଅନ୍ତର ଭିତରଟା ମୋଡ଼ି ହୋଇଯାଏ । ଆଜି ସେ ଠିକ୍ ସେହିପରି ଅନୁଭବ କଲା, କିନ୍ତୁ ମୁହଁ ଖୋଲି କିଛି କହିଲା ନାହିଁ ।

 

ରାଜୁ କହିଲା ଏ ଗର୍ବ ବେଶୀଦିନ ରହିବ ନାହିଁରେ ପୁଅ । ଦିନକାଳ ସରି ଆସୁଛି, ଶେଷରେ କୋଉ ବାପ ପିଠିରେ ପଡ଼ିବ ଦେଖିବି ଯେ...

 

ସୁର ନାଏକ ଚାଲି ଯାଉଥିଲା, କିନ୍ତୁ ରାଜୁର ଶେଷ ପଦକ ଶୁଣିବା ପରେ ଫେରି ଆସିଲା ମୁହଁ ଟେକି ।

 

ରାଜୁ କହିଲା କଅଣବେ ଏମିତି ଶିଙ୍ଘ ଉଠେଇ ମାଡ଼ି ଆସୁଛୁ ଯେ... ?

 

ତା’ର ଛାତି ଉପରେ ଗୋଟେ ଘୁଷା କଷିଦେଇ କହିଲା ସୁର, ବାଜେକଥା କହିଲେ ଆହୁରି ମାଡ଼ ଖାଇବୁ ।

 

ରାଜୁ ସାହୁ ମୌକା ଖୋଜୁଥିଲା ବୋଧହୁଏ । ଗୋଖର ସାପ ଉପରେ ଗୋଡ଼ ପଡ଼ିଗଲେ ସେ ଯେପରି ଚୋଟମାରେ, ରାଜୁ ନିଜକୁ ସମ୍ଭାଳି ନେଇ ବୁଲି ପଡ଼ି ଆକ୍ରମଣ କଲା ସୁର ନାଏକ ଉପରେ ।

 

ଆଖି ପିଛୁଳାକେ ଧସ୍ତାଧସ୍ତି, ଘୁଷି ମରାମରି, ଗଡ଼ାଗଡ଼ି ଚାଲିଲା ପାତାଳପୁରର ରାସ୍ତା ଉପରେ ।

 

ଦୁଇଜଣଙ୍କୁ ଅଲଗା କରିଦେଇ କହିଲା ସୌମ୍ୟ, ଛି ଛି ପୁଣି ଭାଇ ଭାଇ ମଧ୍ୟରେ କଳି...-?

 

ସୁର ମୁହଁ ତଳକୁ କରି ଛିଡ଼ା ହୋଇଗଲା ।

 

ରାଜୁ ତୁମ୍ବିତୋଫାନ କରି କହିବାକୁ ଲାଗିଲା–ମୁଁ ତୋତେ ଦେଖି ନେବି... କୋଉ ଶଳା ତୋତେ ରକ୍ଷା କରିବ ଦେଖିବି....ହାରାମଜାଦା... ।

 

ରାଜୁରହାତଧରି କହିଲା ସୌମ୍ୟ, ଆଉ ଶତ୍ରୁତା ନୁହେଁ, ଚାଲ ଏଥର ମିତ ବସିବା... ।

 

ସୌମ୍ୟକୁ ଚାହିଁ ଜଳି ଉଠିଲା ରାଜୁ, କିନ୍ତୁ କିଛି କହିଲା ନାହିଁ, ରୋକି ନେଲା ନିଜକୁ ।

 

ସେତିକିବେଳେ ସୁଦର୍ଶନ ମାଷ୍ଟ୍ରେ ସେଇବାଟେ ଚାଲି ଯାଉଥିଲେ । ଆଗେଇ ଯାଇ ପୁଣି ଫେରିଆସି କହିଲେ ମୋ ସୁଜାତା ପାଇଁ କଳି କରୁଛ... ଆହା ! ସେ ତ ନଦୀରେ ପାଣି ହୋଇ ବହି ଗଲାଣି ସମୁଦ୍ରକୁ... ଧେତ୍ ଧେତ୍ ଅଲାଜୁକ କାହାଁକା... ।

 

ସୁଦର୍ଶନ ମାଷ୍ଟ୍ରେ ପାଗଳ ହୋଇଯାଇଚନ୍ତି । ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ଏଯାଏଁ ସମୟ ପାଇନି ସୌମ୍ୟ ।

 

ତାଙ୍କୁ ଏକା ଛାଡ଼ି ନ ଦେଇ ସେ ତାଙ୍କ ହାତ ଧରି ଚାଲିଲା ତାଙ୍କର ଘର ଆଡ଼େ । ଖଣ୍ଡେ ବାଟ ଯିବା ପରେ ସୁଦର୍ଶନ ମାଷ୍ଟ୍ରେ ହଠାତ୍ କାନ୍ଦି ଉଠି କହିଲେ ସେ ମରି ନାହାନ୍ତି, ସେ ଶ୍ମଶାନକୁ ଯିବେ ନାହିଁ... ।

 

ବହୁ କଷ୍ଟରେ ତାଙ୍କୁ ଘରକୁ ନେଇ ତାଙ୍କର ଦେହରୁ ଧୁଳିମଳି ପୋଛି ଦେଇ ଲୁଗା ବଦଳାଇ ଦେଲା ସୌମ୍ୟ । ତା’ପରେ କହିଲା, ଭଲ ଲାଗୁଛି ମଉଷା ?

 

ତାକୁ ଯେପରି ଚିହ୍ନି ପାରିଲେ ନାହିଁ ସୁଦର୍ଶନ ମାଷ୍ଟ୍ରେ । ତାର ସ୍ୱର ତାଙ୍କ କାନରେ ପଡ଼ିଲା କି ନାହିଁ କେଜାଣି ସେ କିନ୍ତୁ ଆକାଶକୁ ଅନାଇ ରହିଲେ ଶୂନ୍ୟ ଦୃଷ୍ଟିରେ ।

 

କାଲି ଯେମିତି ହେଲେ ତାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯିବ ବୋଲି ସ୍ଥିର କରିନେଇ ଆଉ ଜଣେ ମାଷ୍ଟରଙ୍କୁ ଜଗିବା ପାଇଁ କହି ବସ୍ତିରେ ଆରମ୍ଭ କରିଥିବା କାମଗୁଡ଼ା ଠିକ୍ ଚାଲିଛି କି ନାହିଁ ଦେଖିବା ପାଇଁ ଗଲା ସୌମ୍ୟ ।

 

ପିଲାମାନଙ୍କ ସ୍କୁଲ ପୂର୍ବପରି ଚାଲିଛି, କିନ୍ତୁ ଦୁଦର୍ଶନ ମାଷ୍ଟର ଆଉ ଆସୁ ନ ଥିବାରୁ ଜଣେ ମାଷ୍ଟର ଯେତିକି ପାରନ୍ତି ସେତିକି କରୁଛନ୍ତି ମାତ୍ର । ସାନ୍ଧ୍ୟ ବିଦ୍ୟାଳୟ ଶିକ୍ଷକ ଅଭାବରୁ ବନ୍ଦ ହୋଇ ଯାଇଛି । ବିକଳ୍ପ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ କାଲି ସନ୍ଧ୍ୟାରୁ ସେ ନିଜେ କ୍ଲାସ ନବ ବୋଲି ଖବର ପଠାଇ ଦେଲା ସୌମ୍ୟ । ବସ୍ତି ସଫେଇ ଅବହେଳା ଯୋଗୁଁ ଆଗେଇ ପାରିନି । ଠାଏ ଠାଏ ଜମା ହୋଇଛି ମଇଳା । ମଇଲା, ମଳମୁତ୍ରର ଦୁର୍ଗନ୍ଧ ସହିତ ନିର୍ବିକାର ଚିତ୍ତରେ ଯେପରି ସହାବସ୍ଥାନ କରିବାକୁ ଶିଖି ଯାଇଛନ୍ତି ପାତାଳପୁରର ଅଧିବାସୀମାନେ ।

 

ସୌମ୍ୟ ପୁଣି କାଲି ସକାଳେ ଆସିବ କହି ଫେରିଲା ପାତାଳପୁରରୁ ।

 

ମାଲଗୋଦାମା ରାସ୍ତାରେ ସେ ଯାଉଥିଲାବେଳେ ତା’ ହାତକୁ ଗୋଟେ ଚିଠି ବଢ଼େଇ ଦେଇ ଗୋଟେ ପିଲା ଅଦୃଶ୍ୟ ହୋଇଗଲା ଜନଗହଳି ଭିତରେ ।

 

ସେ କିଏ ବା ଏ ଚିଠି ଦେଖି ତାହା ଜାଣିବାର ଅବକାଶ ନ ଥିଲା ସୌମ୍ୟର ।

 

ସେ ଚିଠିଟା ଖୋଲିଲା । ଛୋଟ ଚାରି ଲାଇନର ଚିଠି । ପ୍ରେରକର ନାମ, ସ୍ଥାନର ନାମ ବା ତାରିଖ ନ ଥିଲା ଚିଠିରେ ।

 

ତୁମେ ଯାହାକଥା ଭାବୁଛ ତା’ କଥା ଭୁଲିଯାଅ । ସେ ତୁମ ବିନା ଯେ ବେଶ୍ ସୁଖରେ ରହିପାରେ ଏହା ସମୟ ହେଲେ ଜାଣିବ । ତାକୁ ଖୋଜିବାରେ ବୃଥା ସମୟ ଓ ଶକ୍ତି ଖର୍ଚ୍ଚ ନ କରି ଯେତେଶୀଘ୍ର ପାର ପାତାଳପୁରରୁ ଚାଲିଯାଅ ।

 

ଇତି ତୁମର ହିତୈଷୀ ।

ଚିଠିଟା ଚିରିଦବା ପାଇଁ ଯାଇ ଶେଷରେ କଅଣ ଭାବି ପୁଣି ରଖିଦେଲା ପକେଟ୍ ଭିତରେ-

ସୁଜାତାକୁ ଭୁଲି ପାରିନାହିଁ ସେ ।

ଦେଢ଼ମାସ ହେବ ଆଉ ତା’ ସହିତ ଦେଖା ହୋଇନି ସୌମ୍ୟର ।

ଏଇ କାଲିପରି ଲାଗୁଛି । ଯେତେବେଳେ ସେ ସୁଜାତାକୁ କହିଥିଲା ମୁଁ ତୁମକୁ ପ୍ରାଣଭରି ଭଲପାଏ, ଆଉ ପ୍ରତିଧ୍ୱନି ପରି ସୁଜାତାର ଉତ୍ତର ଭାସି ଆସିଥିଲା ତା ପାଖକୁ–ମୁଁ ପ୍ରାଣଭରି ଭଲପାଏ ତୁମକୁ ।

ଭଲ ପାଇବା ଫୁଲ ଫୁଟିବା ପରି । ଏହାର ଗୋଟିଏ ସମୟ ଅଛି, ମୁହୁର୍ତ୍ତ ଅଛି, ଯେତେବେଳେ ଫୁଲପରି ଭଲ ପାଇବା ଫୁଟେ ଆପେ ଆପେ ନିଜର ପ୍ରବଣତାରେ, ଆଉ ଫୁଲର ବାସ୍ନା ପରି ଭାସିବୁଲେ ଚତୁର୍ଦ୍ଦିଗରେ ।

ସୁଜାତା ଯେ ଆଉ ତା’ ପାଖରେ ନାହିଁ ଏହା ଭାବି ପାରେନି, ବିଶ୍ୱାସ କରି ପାରେନି ସୌମ୍ୟ । ବରଂ ସେ ଅନୁଭବ କରେ ଯେ ସୁଜାତା ତା’ ପାଖେ ପାଖେ ଅଛି, ଯେମିତି ତାର ରାଗ ସହିତ ରାଗିଣୀ, ଫୁଲ ସହିତ ସୁରଭି । ସାରା ବିଶ୍ୱ ବ୍ରହ୍ମାଣ୍ଡ ଖୋଜି ପକେଇବା ପାଇଁ ଇଚ୍ଛା ହୁଏ ତା’ର, ମନରେ ପ୍ରବଳ ଅବଶୋଷ ହୁଏ ଯେ ହଜି ଯାଇଥିବା ଗୋଟେ ମଣିଷକୁ ସେ ଏ ଯାଏ ଖୋଜି ବାହାର କରିପାରିଲା ନାହିଁ । ମନେପଡ଼େ ପିଲାଦିନେ ଶୁଣିଥିବା ସେଇ ବୁଢ଼ୀ ଅସୁରୁଣୀ କଥା ଯିଏ ରଜାର ଝିଅକୁ ମାଛି କରି ଫରୁଆ ଭିତରେ ରଖି ପୋଖରୀର ସାତତାଳ ପାଣିତଳେ ପଙ୍କ ଭିତରେ ଲୁଚେଇ ଦେଇଥିଲା । ରାଜାପୁଅ ବୁଦ୍ଧି ବଳରେ ବୁଢ଼ୀ ଅସୁରୁଣୀକୁ ପରାସ୍ତ କରି ଉଦ୍ଧାର କରିଥିଲା ରାଜକୁମାରୀକୁ । ସେହିପରି ସେ ଉଦ୍ଧାର କରି ଆଣନ୍ତା କି ସୁଜାତାକୁ ! ପଗଡ଼ି ବାନ୍ଧି ବରବେଶ ହୋଇ ବାହା ହୁଅନ୍ତାକି ତାକୁ !

 

ଭାବନା ଭାଙ୍ଗିଯାଏ ଆକାଶରେ ତୋଳା ଘର ପରି ।

 

ଚାଲୁ ଚାଲୁ ପାଦ ଚାଲିଯାଏ ମଙ୍ଗଳାବାଗ ।

 

ହିନ୍ଦ୍ ସିନେମା ପାଖରେ ନୂଆ ହୋଇ ତିଆରି ହୋଇଥିବା ହୋଟେଲ ‘ମହାନଦୀ’ ଛିଡ଼ାହୋଇଛି ଗର୍ବରେ । ସାତ ମହଲା କୋଠା । ଆଖି ପାଏନା ଉପରକୁ ।

 

ସେଇ ହୋଟେଲ ଆଗରେ ଛିଡ଼ାହୋଇ ଶୂନ୍ୟକୁ ଚାହିଁଥିବା ବେଳେ ତା’ କାନ୍ଧ ଉପରେ ହାତ ରଖି କହିଲା ଗୌରବ, କିରେ ହୋଟେଲ ଭିରତକୁ ନ ଯାଇ ହୋଟେଲ ଆଗରେ ଠିଆହୋଇ କଅଣ କରୁଛୁ ? ଭିତରେ କେହି ଅଛି କିରେ ?

 

ତାକୁ ଇମିତି ଏଠାରେ ଦେଖିବ ବୋଲି କଳ୍ପନା କରି ନ ଥିଲା ସୌମ୍ୟ ।

 

ଗୌରବ ତା’ର ସହପାଠୀ । ଏକା ସାଙ୍ଗରେ ଗ୍ରାଜୁଏଟ୍‍ ହୋଇଥିଲେ ଦୁହେଁ । ତା’ପରେ ସୌମ୍ୟ ଏମ୍.ଏ. ପଢ଼ିଲା, ଗୌରବ କିନ୍ତୁ ପ୍ରତିଯୋଗିତା ପରୀକ୍ଷାରେ ପାସ୍ କରି ପୁଲିସ୍‍ ଅଫିସର ହୋଇଗଲା ।

 

ସୌମ୍ୟ ଖୁସୀହୋଇ କହିଲା, ଏବେ କଅଣ କରୁଛୁ, କୋଉଠି ଅଛୁ ଗୌରବ ? ତୁ ଟ୍ରେନିଂରେ ଥିବାର ଶୁଣିଥିଲି ।

 

–ଟ୍ରେନିଂ ଶେଷକରି ଏଇ କଟକରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୁଲିସ୍‍ ଭାବରେ ପନ୍ଦର ଦିନ ତଳେ ଜଏନ କରିଛିରେ ସୌମ୍ୟ । ଆ ଭିତରକୁ ଯିବା, କଫି ପିଇବା ଆଉ ଗଳ୍ପ କରିବା ।

 

ସୌମ୍ୟକୁ ପ୍ରାୟ ଟାଣି ଟାଣି ଭିତରକୁ ନେଇଗଲା ଗୌରବ ।

 

ରେସ୍ତୋଁରାରେ ଦୁହେଁ ବସିଲେ ଯାଇ ।

 

ଏତେଦିନ ପରେ ଦେଖା ହୋଇଛି ଯେତେବେଳେ ସେଲିବ୍ରେଟ୍ କରାଯାଉ...ମନେ ରହିବ ଅନେକ ଦିନ ।

 

ବୟକୁ ଡାକି ଚିକେନ୍‍ ସାଣ୍ଡଉଇଚ୍‍ ଓ କଫି ଆଣିବା ପାଇଁ କହିଲା ଗୌରବ ।

 

–ମୁଁ ତ ଚା’ କି କଫି ପଏନି ଜାଣିଛୁ... କହିଲା ସୌମ୍ୟ ।

 

–ତୁ ସେମିତି ମାଇଚିଆ ରହିଗଲୁ...

 

ଦୁଇଟା କଫି ବଦଳରେ ବୟକୁ ଗୋଟେ କଫି ଆଉ ଗୋଟେ ଲିମକା ଆଣିବା ପାଇଁ କହିଲା ଗୌରବ ।

 

ଚିକେନ୍‍ ସାଣ୍ଡଉଇଚ୍‌ରୁ ଟୁକୁରାଏ ଚୋବାଇ କହିଲା ଗୌରବ, ଜଏନ୍ କରୁ କରୁ ଗୋଟାଏ ଇଣ୍ଟେରେଷ୍ଟିଂ କେସ୍ ହାତକୁ ଆସି ଯାଇଛିରେ ସୌମ୍ୟ ! ସେଇ କେସ୍‌ଟା ଇନ୍‌ଭେଷ୍ଟିଗେସନ କରି କ୍ରିମିନାଲମାନଙ୍କୁ ଧରିବା ପାଇଁ ମୋତେ ସମ୍ପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ବସ୍ । ସେଥିପାଇଁ ସମୟ ଅଣ୍ଟୁନି... ।

 

–ତୁ ବେଶ୍‌ ଭଲ ଅଛୁ ଭାଇ । ଆମ ଭିତରୁ ଏ ଯାଏ ଆଉ କେହି ଚାକିରୀ ପାଇନି... ଯାହା ହେଉ ତୁ ପଶି ଯାଇଛୁ... ।

 

–ତୋର ପାଗଳାମି ସେମିତି ଅଛି ନା ଏ ଭିତରେ ମତ ପରିବର୍ତ୍ତନ କରି ଆଉ କିଛି କରିବୁ ବୋଲି ଭାବିଛୁ ? ପଚାରିଲା ଗୌରବ ।

 

–ନା ଭାଇ, ଚାକିରୀ ମୋ ଦେଇ ହେବ ନାହିଁ । ଚାରିଆଡ଼େ ଏତେ କାମ... କେହି ପୁଣି ତ କରିବ !

 

ଜୀବନଟା ଏତେ ସହଜ ନୁହେଁରେ ସୌମ୍ୟ ! ଏ ସଂସାରରେ ଚଳିବା ପାଇଁ ଅନେକ କିଛି କରିବାକୁ ହୁଏ ।

 

–ସେ ତ ଠିକ୍ କଥା, କିନ୍ତୁ ପ୍ରତିଦିନ ମରୁ ମରୁ ବଞ୍ଚୁଥିବା ଏଇ ଲୋକଗୁଡ଼ାକୁ ଦେଖିଲେ ନିଜକଥା ମନେ ପଡ଼େନି ଭାଇ । ସେମାନଙ୍କୁ ଯଦି ବଞ୍ଚିବାର ଗୌରବ ଦିଆଯାଇ ପାରନ୍ତା ବସୁନ୍ଧରା ହସି ଉଠନ୍ତା ଗର୍ବରେ । ପୃଥିବୀରେ ପ୍ରାଚୁର୍ଯ୍ୟ ଭିତରେ ଏତେ ଅଭାବ ସହି ହୁଏନି ଭାଇ...

 

ଚିକେନ୍‍ ସାଣ୍ଡଉଇଚ୍‍ର ଶେଷ ଟୁକୁରା ଗଳାଧାରଣ କରି କହିଲା ସୌମ୍ୟ ।

 

ଗୌରବ କଫିରେ ଓଠ ଭିଜାଇ କହିଲା, ଶୁଣିଥିଲି ଗୋଟେ ଭଲ ଝିଅ ତୋ ପ୍ରେମରେ ପଡ଼ି ଯାଇଛି ଏ ଭିତରେ ।

 

ସୌମ୍ୟ ଲାଜେଇ ଯାଇ କହିଲା, କିଏ କହିଲା ?

 

–ପୁଲିସ୍‍ ଅଫିସରକୁ ସବୁଆଡ଼ୁ ଖବର ମିଳେ ସୌମ୍ୟ... । କହିଲା ଗୌରବ ।

 

–ସେ ତ ଦେଖୁଛି ।

 

–କେତେଦୂର ଗଲୁଣି ! ପଚାରିଲା ଗୌରବ ।

 

–ଅଧା ବାଟରେ ଅଟକି ରହିଛି । ଅନୁଚ୍ଚ ସ୍ୱରରେ କହିଲା ସୌମ୍ୟ ।

 

ତା’ପରେ ଯାହା ଯାହା ଘଟି ଯାଇଛି ଏଯାଏ, ଗୌରବକୁ ଗୋଟିଗୋଟି କରି ସବୁ କହିଲା ସୌମ୍ୟ ।

 

ଗୌରବ କହିଲା, ବାସ୍‌ ଏଥର ମୋ ଉପରେ ସବୁ ଦାୟିତ୍ୱ ଛାଡ଼ି ଦେ... ତୋତେ କହି ରଖେ ଯେ ମୁଁ ଜଏନ କଲାପରେ ଏଇ କେସ୍‌ଟା ଅନୁସନ୍ଧାନ କରିବାକୁ ମୋ ହାତକୁ ଦେଇ କହିଥିଲେ ବସ୍ ଯେ ଏଇ ଗୋଟାଏ କେସ୍‌ରେ ସଫଳତା ଅର୍ଜନ କଲେ କଟକ ସହରରେ ବଢ଼ୁଥିବା ବହୁ ଅପରାଧ ଅନେକ ପରିମାଣରେ କମିଯିବ । ଗୋଟେ ବଡ଼ ମଲ୍‌ଟିପର୍ପସ୍‍ ଗ୍ୟାଙ୍ଗ ଏହା ପଛରେ ଥିବାର ସନ୍ଦେହ କରରାଯାଉଛି । ରେଳବାଇ ପୁଲିସ୍ ହାଜତରେ ଜଣେ ଡ଼୍ରଗ୍‍ ସ୍ମଗଲର ଏହାର ଅନ୍ତର୍ଭୁକ୍ତ ।

 

–ଶଙ୍କରକୁ ପୁଲିସ୍‍ ମାରି ପକେଇଛି ବୋଲି କହୁଛନ୍ତି ଲୋକମାନେ ?

 

–ନା, ପୋଷ୍ଟମଟମ ପରୀକ୍ଷା ଫଳ ଏହି ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରିଛି । ସେ ପୁଲିସ୍‍ ଅତ୍ୟାଚାରଦ୍ୱାରା ମରିନି, କିନ୍ତୁ ଦୁଃଖର ବିଷୟ ଯେ ପୁଲିସ୍‍ ହାଜତରେ ଥିଲାବେଳେ ପୁଲିସ୍‍ର ଅବହେଳା ଯୋଗୁଁ ବିଷ ଖାଇ ଆତ୍ମହତ୍ୟା କରିଛି ବା ତାକୁ କେହି ବିଷଦେଇ ମାରି ପକେଇଛି ।

 

–କାହିଁକି ?

 

ଅନେକ ଉଦ୍ଦେଶ୍ୟ ମଧ୍ୟରୁ ଗୋଟିଏ ପ୍ରଧାନ ଉଦ୍ଦେଶ୍ୟ ହୋଇପାରେ ଯେ ଶଙ୍କରର ମୃତ୍ୟୁ ହେଲେ ନିଶାଦ୍ରବ୍ୟ ବ୍ୟବସାୟ ସହିତ ସମ୍ପୃକ୍ତ ପ୍ରଧାନ ଆସାମୀ ବିରୁଦ୍ଧରେ ଜଣେ ପ୍ରତ୍ୟକ୍ଷରେ ଲିପ୍ତ ବ୍ୟକ୍ତି ସାକ୍ଷ୍ୟ ଦବାପାଇଁ ମିଳିବ ନାହିଁ । ଶଙ୍କର ନିଜେ ବ୍ୟବସାୟ କରୁ ନ ଥିଲା । ଅନ୍ୟ କେହି ତାକୁ ନିଯୁକ୍ତି କରିଥିଲା... ।

 

ସୌମ୍ୟ କିଛି ସମୟ ଚୁପ୍ ରହି କହିଲା, ପାତାଳପୁର ବସ୍ତିକୁ ତୁ କେବେ ଯାଇଛୁ ?

 

–ଏ ଭିତରେ ଦୁଇଥର ଯାଇଛି । କ୍ରମଶଃ ବସ୍ତିଟା କ୍ରିମିନାଲମାନଙ୍କର ଡ୍ରେନ୍‌ରେ ପରିଣତ ହେଉଛି ।

 

–ସେମାନେ ଯେଉଁ ପରିବେଶରରେ ଅଛନ୍ତି, ଯେଉଁ ପରିବେଶରେ ଅଭାବ ଓ ବଞ୍ଚନା ଭିତରେ ବଢ଼ୁଛି ଆଗାମୀ ବଂଶଧର, ସେଠାରେ କେବଳ ଜନ୍ମର ପାର୍ଥକ୍ୟ ନୁହେଁ, ଗୋଟିଏ ଶତାବ୍ଦୀର ପାର୍ଥକ୍ୟ ସୃଷ୍ଟି ହୋଇଛି ଗୌରବ ! ଏତେ ଲୋକ ଅଛନ୍ତି ସେଇ ପାତାଳପୁର ବସ୍ତିରେ, କଟକ ସହରର ସେବାରେ ପ୍ରାୟ ଅଧିକାଂଶ ନିଯୁକ୍ତ । ମେହେନ୍ତର, ପରିବା ବିକାଳି, ରିକ୍‌ସାବାଲା, ଦିନ ମଜୁରିଆ ସେମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । କିନ୍ତୁ ସମାଜ ବା ସରକାର ବା ପୌରସଭା କଅଣ କରିଛି ସେମାନଙ୍କ ପାଇଁ ? ବରଂ ସେମାନଙ୍କର ତୁଚ୍ଛ ତାଚ୍ଛଲ୍ୟ ଓ ଅବହେଳା ଶିକାର ହୋଇଛନ୍ତି ସେମାନେ । ଏହାର ପ୍ରତିକାର କରିବା ଜରୁରୀ ହୋଇପଡ଼ିଛି । ସେମାନଙ୍କୁ ସୁଧାରିବାକୁ ପଡ଼ିବ, ସେମାନଙ୍କର ପରିବେଶର ଉନ୍ନତି କରିବାକୁ ପଡ଼ିବ । ଏସବୁ ହୋଇପାରିବ ଯଦି ସମାଜ ବା ସରକାର ସେମାନଙ୍କୁ ଉପରକୁ ଉଠେଇବା ଲାଗି କିଛି କରନ୍ତି, ସେମାନଙ୍କୁ ଦୁର୍ଭୋଗ ଭିତରେ ଛାଡ଼ି ନ ଦେଇ ନିଜର ଭୋଗରୁ କିଛି ଭାଗ ଦିଅନ୍ତି... ।

 

–ତୁ ପାର୍ଟିସିପେସନ କଥା କହୁଛୁ ?

 

–ହଁ, ସମାଜରେ ଛୋଟବଡ଼, ଧନୀ ଗରୀବ ରହିବେ ହାତର ପାଞ୍ଚ ଆଙ୍ଗୁଳି ପରି । ରାତାରାତି ସମସ୍ତଙ୍କୁ ସମାନ କରିଦେଇ ହେବ ନାହିଁ । କିନ୍ତୁ ସମାଜର ସମ୍ପଦରେ, ରାଷ୍ଟ୍ରସୃଷ୍ଟି କରୁଥିବା ସୁଯୋଗରେ, ସରକାରର ପରିଚାଳନାରେ ସବୁ ନାଗରୀକଙ୍କର ଭାଗ ରହିବା ଦରକାର । ତା’ ନ ହେଲେ ଦଳେ ଭୋଗ କରିବେ ତ ଆଉ ଦଳେ ଦୁର୍ଭୋଗେ ସଢ଼ୁଥିବେ.... ।

 

–ଉଇସ୍ ୟୁ ବେଷ୍ଟ୍‍ ଅଫ୍ ଲକ୍ ସୌମ୍ୟ ! ସେଇ କାମରେ ତୋର ସୌଭାଗ୍ୟ ଆଉ ସଫଳତା କାମନା କରୁଛି... ।

 

ରେସ୍ତୋଁରାରୁ ଲାଉଞ୍ଜକୁ ଆସିଲେ ଦୁହେଁ । ଗୌରବ ରିସେପସନ କାଉଣ୍ଟରକୁ ଯାଇ ନିଜର ପରିଚୟ ଦେଇ ହୋଟେଲର ଅବସ୍ଥାନ ରେଜିଷ୍ଟାର ଦେଖିଲା ।

 

ଶହେଟି କୋଠରୀରୁ ଏକଷଠିଟି କୋଠରୀ ପୂର୍ଣ୍ଣ । ଗୋଟିଗୋଟି କରି ନାମ ଓ ଠିକଣା ପଢ଼ିବାବେଳେ ଗୋଟାଏ ନାମ ଉପରେ ଅଟକି ଗଲା ଗୌରବ ।

 

–ମିଷ୍ଟର ଏ ଡାଲଟନ୍

 

ସୌମ୍ୟକୁ ବିଦାୟ ଦବାକୁ ଯାଇ କହିଲା, ଲେଟ୍‌ମି ସି ମିଷ୍ଟରଡାଲଟନ । ତୋତେ ଆଉ ଅଟକାଇ ରଖିବିନି ଭାଇ । ପରେ ଦେଖାହେବ ।

 

ସୌମ୍ୟ ହୋଟେଲ ‘ମହାନଦୀ’ରୁ ବାହାରି ଆସି ତାଳଦଣ୍ଡା କେନାଲ ପୋଲ ଉପର ଦେଇ କଲେଜ ଛକ ଆଡ଼କୁ ଯାଉଥିଲା ।

 

ପଛରୁ କାହାର ଡାକାଶୁଣି ଠିଆ ହୋଇଗଲା ।

 

ରାସ୍ତା କଡ଼ରେ ତାର ହାତ ଧରି ପକେଇ କୋହରେ ଫାଟି ପଡ଼ିଲା ଶଙ୍କରର ବାପ ।

 

ସୌମ୍ୟ କେଉଁ ଭାଷାରେ ତାକୁ ସାନ୍ତ୍ୱନା ଦବ ଜାଣିପାରିଲା ନାହିଁ ।

 

ଅନୀସା ବେଗମ୍‍ ଅନୁନୟ କଲା ଚାନ୍ଦିନୀ ରାତିରେ ମହାନଦୀରେ ନୌକା ବିହାର କରିବା ପାଇଁ ।

 

ସାମାନ୍ୟ ଅନୁରୋଧ, କିନ୍ତୁ ରକ୍ଷା କରିବା ପୂର୍ବରୁ ରାଜୁ ଭାବିନେଲା ଟିକେ । ସେ ସନ୍ଧ୍ୟାବେଳେ ମିଷ୍ଟର ଡାଲଟନଙ୍କ ସହିତ ନିରୋଳାରେ ସାକ୍ଷାତ୍‍ କରିବ ବୋଲି କଥା ଦେଇଥିଲା ।

 

ଅନୀସା ରାଜୁର ହାତ ଟାଣିନେଇ ଛାତି ଉପରେ ରଖି କହିଲା, ଚୁପ୍ ହୋଇଗଲ ଯେ...-?

 

ରାଜୁ ତାକୁ ଆହୁରି ପାଖକୁ ଟାଣିନେଇ ତା’ର ଛାତି ଅନାବରଣ କରି ମୁଗ୍‌ଧ ଦୃଷ୍ଟିରେ ଅନାଇ ରହିଲା ।

 

–କଅଣ ଦେଖୁଛୁ ଏତେ ? ପଚାରିଲା ଅନୀସା ।

 

–ବ୍ରହ୍ମାଣ୍ଡ ..... ।

 

–ମୋ ଠାରୁ ଆହୁରି ସୁନ୍ଦରୀ ପ୍ରେମିକା ଥିବେ ତୁମର...

 

–ନା

 

–ପ୍ରତିଜ୍ଞା କରି କୁହ

 

–ପ୍ରତିଜ୍ଞା କରି କହୁଛି.....

 

–ମୋ ଦେହ ଛୁଇଁ କୁହ ।

 

ଆଉ ଅପେକ୍ଷା ନ କରି ମଧ୍ୟାହ୍ନର ସୂର୍ଯ୍ୟାଲୋକକୁ ପରଦା ଓ ଦରଜା ସେପାଖରେ ଅଟକାଇ ଦେଇ ବାଘ ଶିକାର ଉପରକୁ ଲମ୍ଫ ଦବା ପରି ଅନୀସା ଉପରକୁ କୁଦି ପଡ଼ିଲା ରାଜୁ ।

 

ତା’ପରେ କ୍ଳାନ୍ତି ଅପନୋଦନ କରିବା ପାଇଁ କେତେବେଳେ ଯାଏ ଦୁହେଁ ଏକତ୍ର ଶୋଇଥିଲେ କେଜାଣି, ହଠାତ୍ ଦରଜା ଉପରେ କାହାର କରାଘାତର ଶବ୍ଦ ଶୁଣି ଲୁଗାଟା ଗୋଟେଇ ନେଇ ଅନୀସା ବେଗମ୍ ଭିତରୁ କହିଲା, କିଏ ?

 

–ଖୋଲ, କବାଟ ଖୋଲ....

 

–କିଏ କହୁନ କାହିଁକି ? ପୁଣି ପ୍ରଶ୍ନକଲା ଅନୀସା ।

 

–କବାଟ ଖୋଲ କହୁଛି... ଆଉ ଡେରି କଲେ କବାଟ ଭାଙ୍ଗିବାକୁ ବାଧ୍ୟ ହେବି ।

 

ଅନୀସା ବେଗମ୍‍ ଆଶ୍ଚର୍ଯ୍ୟ ହୋଇଗଲା ସ୍ୱରର ଋଢ଼ତାରେ । ଚିହ୍ନାଜଣା ସ୍ୱର ପରି ଜଣାପଡ଼ୁନି ଆଦୌ । ଏଇ ମୁହଁ ସଞ୍ଜରେ କିଏ ଆସିଲା ତା’ ହେଲେ ?

 

ଅନୀସା ପରଦା ଆଡ଼େ ଜଳାବାଟ ଦେଇ ଦେଖିନେଲା ଏବଂ ସ୍ତବ୍ଧ ହୋଇ ରହିଗଲା ।

 

ସେତେବେଳକୁ ରାଜୁ ଲୁଗା ପିନ୍ଧି ଉଠି ଆସିଥାଏ ବିଛଣାରୁ ।

 

ସେ କଅଣ କହିବାକୁ ଯାଉଥିଲା, କିନ୍ତୁ ତା’ର ମୁହଁ ବନ୍ଦ କରି ଫିସ୍ ଫିସ୍ କରି କହିଲା ଅନୀସା, ପୁଲିସ୍‍... ।

 

ପୁଲିସ୍‍ ! ବିସ୍ମୟ ବିମୁଢ଼ ହୋଇ ଚୁପ୍ ହୋଇଛିଡ଼ା ହୋଇଗଲା ରାଜୁ ।

 

–ପଳେଇବାର ଅନ୍ୟପଥ ନାହିଁ ?

 

–ଅଛି । ପଛ କବାଟ ଦେଇ ସମ୍ରାଟ୍‍ ସିନେମା ଆଡ଼କୁ ଯାଇଥିବା ରାସ୍ତାକୁ ଚାଲି ଯିବାର ବାଟ ଅଛି । କିନ୍ତୁ ପଛ ପଟେ ବି ଯଦି ପୁଲିସ୍‍ ଥିବ... ?

 

ଅନୀସା ପଛପଟ କବାଟ ଫାଙ୍କଦେଇ ବାହାରକୁ ଚାହିଁଲା ଗୋଟିଏ ଆଖିରେ । କେହି ଦୃଷ୍ଟି ଗୋଚର ହେଲେ ନାହିଁ । ରାଜୁ ଗୋଟେ ଚାନ୍‌ସ ନବା ପାଇଁ ପଛ କବାଟ ଖୋଲି ମିଶିଗଲା ମୁହଁ ଅନ୍ଧାରରେ ।

 

ଅନୀସା ବେଗମ୍ କବାଟ ଖୋଲି କହିଲା, ଦେହ ଭଲ ନାହିଁ ବାବୁ... ଟିକେ ଶୋଇ ପଡ଼ିଥିଲି... ।

 

ପୁଲିସ୍‍ କନେଷ୍ଟବଳ କହିଲା, ଥାନାବାବୁ ଡକେଇଚନ୍ତି.... ବାହାରିପଡ଼... ।

 

ମୁହଁ ଉପରେ ବଙ୍କା ହସ ଖେଳାଇ କହିଲା ଅନୀସା, କାହିଁକି ଅବେଳରେ ଡାକିଲେ ଯେ-?

 

କନେଷ୍ଟବଳ ଦୁଇଜଣ ପ୍ରାୟ ସମସ୍ୱରରେ ଧମକ ଦେଇ ଉଠିଲେ, ବଜାତ୍ ମାଇକିନିଆର ଢଙ୍ଗ ଦେଖ... ।

 

ଅନୀସା ବେଗମ୍ ହଟି ଯିବାର ପାତ୍ରୀ ନୁହେଁ । ସେ କାଏଦା ଜାଣେ ।

 

ଅଳସ ଭାଙ୍ଗିବା ବାହାନାରେ ଛାତି ଉପରୁ ଲୁଗାଟା ଖସେଇ ଦେଇ ଗ୍ରୀବା ଭାଙ୍ଗି କୋଣାର୍କର ନାରୀମୂର୍ତ୍ତି ପରି ଛିଡ଼ା ହୋଇଗଲା ।

 

ପୁଲିସ୍‍ ଦୁଇଜଣ ତାକୁ ଘର ଭିତରକୁ ଠେଲି ଦେଇ କବାଟ ବନ୍ଦ କରିଦେଲେ ।

 

ଅନୀସା ଦୁଇଜଣଙ୍କୁ ଦୁଇ ପାଖରରେ ବସେଇ କହିଲା, ଏଥିପାଇଁ ଏଡ଼େ ଧମକ... ଭଲରେ ଭଲରେ କହିଥିଲେ ଚଳି ନ ଥାନ୍ତା....

 

ରାତି ପ୍ରାୟ ଦଶଟାବେଳକୁ ଖାଲି ହାତରେ ଫେରି ଆସି ଦୁହେଁ ଖବର ଦେଲେ ଯେ ଅନୀସା ବେଗମ୍‍ ଘରେ ନାହିଁ ।

 

ଗର୍ଜି ଉଠିଲେ ଥାନା ବାବୁ ।

 

ଏଇନେ ଏ.ଏସ୍.ପି ଆସିବେ । ନୂଆ ସାହେବ । କଡ଼ା ମିଜାଜ୍ । କଅଣ କହିବି ତାଙ୍କୁ ?

 

–ସାର୍ ସେ ଘରେ ନ ଥିଲା, ଅନେକ ସମୟ ଅପେକ୍ଷା କଲୁ... କିନ୍ତୁ ଫେରିବାରେ ବହୁତ ବିଳମ୍ବ ହବାରୁ ଚାଲି ଆସିଲୁ ।

 

ତୁମଦେଇ ସାଗ ସିଝିବ ନାହିଁ କି ମୁଗ ସିଝିବ ନାହିଁ । ଗୋଟେ ବଜାତ୍ ମାଇକିନିଆ ଖେଳ ଖେଳୁଛି ଦୁଇଦିନ ହେଲା । ତାକୁ ଧରି ଆଣି ପାରୁନ... ?

 

ମୋଟର ସାଇକେଲ୍ ଧରି ନିଜେ ବାହାରି ପଡ଼ିଲେ ଥାନା ବାବୁ ।

 

ଅନୀସା ବେଗମ୍‍କୁ ଫେରିବାକୁ ଆହୁରି ସମୟ ଦବାପାଇଁ ସେ ପ୍ରଥମେ ଗଲେ ପାତାଳପୁର ବସ୍ତି ।

 

ମୋଟର ସାଇକେଲ୍ ରଖି ସୁଦର୍ଶନ ମାଷ୍ଟରଙ୍କ ଘରେ ଉଙ୍କି ମାରିଲେ ଥାନା ବାବୁ ପ୍ରତାପ କାନୁନ୍‌ଗୋ ।

 

ସୁଦର୍ଶନ ମାଷ୍ଟ୍ରେ ନିର୍ଜୀବ ପରି ପଡ଼ି ରହିଥିଲେ ଭୂଇଁ ଉପରେ ।

 

ଥାନାବାବୁ ଡାକିଲେ, ମାଷ୍ଟରବାବୁ... !

 

ସୁଦର୍ଶନ ଆଖି ଖୋଲିଲେ ନାହିଁ କି ମୁହଁ ଫିଟାଇଲେ ନାହିଁ ।

 

–ମାଷ୍ଟରବାବୁ ଉଠନ୍ତୁ, ମୁଁ ଥାନାବାବୁ ଆସିଛି । ସୁଜାତାକୁ ଠାବ କରିବା ପାଇଁ ଇନ୍‍ଭେଷ୍ଟିଗେସନ୍‍ ଚାଲିଛି । ଆପଣ ସହଯୋଗ ନ କଲେ...

 

ସୁଜାତାର ନାମ କାନରେ ପଡ଼ିବା କ୍ଷଣି ପ୍ରାଣ ସଞ୍ଚାର ହେଲା ସୁଦର୍ଶନ ବାବୁଙ୍କ ଦେହରେ-

 

ସେ ଆଖି ଖୋଲିଲେ, ପୁଣି ବନ୍ଦ କଲେ ।

 

–ଆପଣ ଉଠନ୍ତୁ, କିଛି କଥା ଅଛି... ।

 

ସୁଦର୍ଶନ ମାଷ୍ଟ୍ରେ ନିର୍ବାକ ନିଷ୍ପନ୍ଦ ।

 

ବହୁ ଚେଷ୍ଟା କରି ମଧ୍ୟ କୌଣସି ପ୍ରତ୍ୟୁତର ନ ପାଇ ଥାନା ବାବୁ କବାଟ ଆଉଜାଇ ବାହାରକୁ ଆସିଲେ ଏବଂ ମୋଟର ସାଇକେଲ୍ ସେଠାରେ ରଖି କେନାଲ କୂଳେ କୂଳେ ପୂର୍ବକୁ ଚାଲିଲେ ।

 

ବରଗଛ ମୂଳେ ଦଳେ ଲୋକ ବସି ତାସ୍ ଖେଳୁଥିଲେ । ପ୍ରତାପ କାନୁନ୍‌ଗୋ ଆଢ଼ୁଆଳରେ ଛିଡ଼ା ହେଲେ ।

 

ପର୍ଯ୍ୟାପ୍ତ ଅନ୍ଧକାର ଠୁଳ ହୋଇଥିଲା ବରଗଛର ଶାଖା ପ୍ରଶାଖାରେ । ଲଣ୍ଠନର ସ୍ତିମିତ ଆଲୋକରେ କେବଳ ଦେଖା ଯାଉଥିଲା ତିନିପତ୍ତି ଖେଳୁଥିବା ଚାରିଜଣ ଲୋକଙ୍କୁ ।

 

ଯଥା ସ୍ଥାନରେ ପିସ୍ତଲତା ଅଛି କି ନାହିଁ ପରଖିନେଲେ ଥାନାବାବୁ ।

 

–କିବେ ଶଳା ମନୁଆ... ଆଜି ଯେ ଖାଲି ହାରିବାରେ ଲାଗିଛୁ... ପଇସା ପାଖରେ ଅଛି ନା ବେ ପକେଟ୍ ଖାଲି କରି ଦେଇଛି ମାଇପ ?

 

–ମୋ ମାଇପ ତୋ’ର ଶାଳୀ ନୁହେଁ ବା କାମେୟା, ମୁହଁ ସମ୍ଭାଳି କଥା କହ ।

 

ପୁଣି ଖେଳରେ ମନ ଦେଲେ ସେମାନେ

 

ପକେଟ୍‌ରେ ଯାହା ଥିଲା ସବୁ ବାହାର କରି ବାଜିମାରିଲା ମନୁଆ ।

 

କାମେୟା ଫେର୍ ଜିତିଲା ।

 

ମନୁଆ ଉଠି ଛିଡ଼ା ହେଲା ଯିବା ପାଇଁ ।

 

କାମେୟା କହିଲା, ପଳେଇ ଯାଉଛୁ ଯେ... ପାଣ୍ଡବମାନଙ୍କ ପରି ସ୍ତ୍ରୀକୁ ପଣ ରଖି ଖେଳିପାରୁ ଆଉ ବାଜିଏ... ।

 

ମନୁଆ ସିଧା ଝାମ୍ପି ପଡ଼ିଲା କାମେୟା ଉପରେ । ଅନ୍ୟ ଦୁଇଜଣ ହାଁ ହାଁ କରୁ କରୁ ଦୁଇଜଣ ଲାଗିଗଲେ ମଲ୍ଲ ଯୁଦ୍ଧରେ । କାମେୟା ଉପରେ ମାଡ଼ିବସି ଗର୍ଜି ଉଠିଲା ମନୁଆ । ଶଳା କୁତ୍ତା କା ଲଡ଼କା... ତୁ ମୋ ସ୍ତ୍ରୀ ଉପରେ ଆଖି ରଖିଛୁ... ଆଜି ଶଳାର ଖୁନ୍‍ ପିଇଯିବି... ।

 

କାମେୟା ତାକୁ ଓଲଟାଇ ଦବାପାଇଁ ଶେଷ ଶକ୍ତି ପ୍ରୟୋଗ କଲା ।

 

ମନୁଆ ଛିଟିକି ପଡ଼ିଲା ତଳେ ।

 

ତା’ର ଛାତି ଉପରେ ଚାକୁର ମୁନ ରଖି କହିଲା କାମେୟା, ଏତେବେଳେ ଦେଖିବି ତୋତେ କୋଉ ମାଇପ ରକ୍ଷା କରିବ ।

 

କାଳୁ ଓ ରାଧୁ ଦୁହିଁଙ୍କୁ ଅଲଗା କରିଦେବା ପାଇଁ ଆଗେଇ ଆସିଲେ । ରାଧୁ କହିଲା, ମାଷ୍ଟର ଜାଣିଲେ ଦୁହିଁଙ୍କୁ ଶାସ୍ତି ଦବ... । ଛାଡ଼ ଛାଡ଼....

 

ଠିକ୍ ଏତିକିବେଳେ ପିସ୍ତଲ ହାତରେ ସେମାନଙ୍କ ସାମ୍ନାରେ ଯମଦୂତ ସଦୃଶ୍ୟ ଆବିର୍ଭାବ ହେଲେ ଥାନାବାବୁ ।

 

କାଳୁ ପକେଟ୍‌ରେ ଚାକୁ ଭର୍ତ୍ତି କରି କହିଲା, ସାଙ୍ଗମାନଙ୍କର କଳି ହଜୁର... କିଛି ମନେକରିବେ ନାହିଁ ।

 

ଥାନା ବାବୁ ହୁଙ୍କାର ଛାଡ଼ିଲେ ।

 

ଜୁଆଖେଳ ବେଶ୍ ଚାଲିଛି... ।

 

–ନା ସାର୍, .... ଏମିତି ବସି ଟ୍ୱେଣ୍ଟିନାଇନ୍ ଖେଳୁଥିଲୁ... ।

 

ତାକୁ ଗୋଇଠାଏ ମାରି କହିଲେ ଥାନାବାବୁ, ସେଦିନ ଶଙ୍କର ସାଙ୍ଗରେ ଦେଖା କରିବାକୁ କିଏ ଯାଇଥିଲା ଷ୍ଟେସନକୁ ?

 

କାମେୟା ଖସିଯିବାର ଉପକ୍ରମ କରୁଥିଲା, କିନ୍ତୁ ତାକୁ ଧରି ପକେଇ କହିଲେ ଥାନା ବାବୁ, ତୁମେ ସବୁ କାଲି ସକାଳେ ଥାନାକୁ ଆସ... ମୁଁ କାମେୟାକୁ ନେଇ ଯାଉଛି.... ।

 

କାମେୟାର ସବୁ ବୀରତ୍ୱ ହଠାତ୍ ଅଦୃଶ୍ୟ ହୋଇଗଲା ମୁହଁରୁ । ସେ କାକୁସ୍ଥ ହୋଇ ହାତଯୋଡ଼ି କହିଲା, ମୁଁ ବି କାଲି ଗଲେ ଚଳିବନି ହଜୁର ?

 

ତା’ ପିଚାରେ ଆଉ ଲାତେ ମାରି କହିଲେ ଥାନାବାବୁ, ଚାଲ ଶଳା ମାମୁଁ ଘରକୁ ....

 

କାଳିଆ ବୋଦାରେ ମହାନଦୀ କୂଳରେ ଏକ ପ୍ରଶସ୍ତ ସ୍ଥାନରେ ଅସହାୟ ପିତୃମାତୃହୀନ ଶିଶୁମାନଙ୍କ ପାଇଁ ଗଢ଼ି ଉଠିଚି ଶିଶୁ ନିକେତନ । ଶିଶୁ ନିକେତନ ଚର୍ଚ୍ଚର ମିସନାରୀମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ପରିଚାଳିତ । ଚାରିବର୍ଷର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏଇ ଅଳ୍ପଦିନ ପୂର୍ବରୁ । ଶହେ ଶିଶୁଙ୍କ ପାଇଁ ରହିବା, ପାଠ ପଢ଼ିବା, ଖେଳ କସରତ କରିବା ଓ ବିଭିନ୍ନ ଧନ୍ଦା ଶିଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି ଶିଶୁ ନିକେତନରେ । ନଦୀ କୂଳରେ ଅପେକ୍ଷାକୃତ ଟିକେ ଉଚ୍ଚ ସ୍ଥାନରେ ଗୀର୍ଜା । ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବର୍ଷେ ହେବ ।

 

ପ୍ରତି ରବିବାର ପୂର୍ବାହ୍ନ ଆଠଟାରେ ପ୍ରାର୍ଥନା ସଭା । ଭକ୍ତ ଓ ବିଶ୍ୱାସୀମାନଙ୍କର ସମାବେଶଦ୍ୱାରା ପ୍ରାର୍ଥନା ଘର ପୂର୍ଣ୍ଣ ।

 

ଛାତି ଉପରେ କ୍ରସ୍ ଧାରଣା କରି ପ୍ରାର୍ଥନା ସଭା ପରିଚାଳନା କରିବା ଏବଂ ପ୍ରବଚନ ଦବାପାଇଁ ଫାଦର ଅରୁଣାଚଳମ୍‍ ଆସି ଉପସ୍ଥିତ ହେଲେ ମଣ୍ଡପରେ । ସମସ୍ତେ ଛିଡ଼ାହୋଇ ସମ୍ମାନ ଜଣାଇଲେ ଫାଦରଙ୍କୁ ।

 

ଫାଦର ଅରୁଣାଚଳମ୍‍ ତାମିଲଭାଷୀ କିନ୍ତୁ ଘର କେରଳର ପାଲଘାଟ ଜିଲ୍ଲାରେ । କାଳିଆବୋଦାର ଶିଶୁ ନିକେତନ, ଗୀର୍ଜା ଏବଂ ଅନ୍ୟାନ୍ୟ ଉନ୍ନତି ତାଙ୍କରି ପ୍ରଚେଷ୍ଟାରୁ । ବୟସ ପଚାଶ ପାଖାପାଖି, ସ୍ୱାସ୍ଥ୍ୟ ଉତ୍ତମ ଏବଂ ପ୍ରଶସ୍ତ କପାଳ ଉପରେ ତଳେ ଉନ୍ନତ ନାଶିକା ଏବଂ ଆୟତ ଲୋଚନ । ଉଚ୍ଚତା ଛଅଫୁଟ ପାଖାପାଖି । ମେଦହୀନ ସୁନ୍ଦର ସ୍ୱାସ୍ଥ୍ୟ ।

 

ଆଖିରେ ପ୍ରଚକ୍ଷୁ ଲଗାଇ ଛାତି ଉପରେ କ୍ରସ୍ କାଟିଲେ ଫାଦର ।

 

ସମସ୍ତେ ଉତ୍କଣ୍ଠାର ସହିତ ଅନାଇ ରହିଲେ ଫାଦରଙ୍କ ମୁଖ ନିଶୃତ ବାଣୀ ଶୁଣିବାପାଇଁ ।

 

ପ୍ରାୟ ଅଧଘଣ୍ଟାଏ ପରେ ପ୍ରାର୍ଥନା ସଭା ଶେଷ ହେଲା ।

 

ନୂଆହୋଇ ଯୋଗ ଦେଇଥିବା ଚାରିଜଣ ସିଷ୍ଟରଙ୍କୁ ପରିଚୟ କରାଇ ଦେଲେ ଫାଦର ସମବେତ ଭକ୍ତମାନଙ୍କୁ ।

 

ଚାରିଜଣଙ୍କ ମଧ୍ୟରୁ ସିଷ୍ଟର ନିବେଦିତା କେବଳ ଓଡ଼ିଆ ।

 

ଭକ୍ତମାନେ ଫେରିଗଲାବେଳେ କେହି କେହି କହିବାର ଶୁଣାଗଲା ଯେ, ଯା’ ହେଉ ଚର୍ଚ୍ଚକୁ ଏଇ ପ୍ରଥମ ଜଣେ ଓଡ଼ିଆ ସିଷ୍ଟର ଆସିଲେ ।

 

ସିଷ୍ଟର ନିବେଦିତାଙ୍କ ସହିତ ମହିଳା ଭକ୍ତମାନେ କିଛି ସମୟ କଥାଭାଷା କଲେ । ତାଙ୍କର ବ୍ୟକ୍ତିତ୍ୱ ମନେରଖିବା ଭଳି, କଥାବାର୍ତ୍ତାରେ ଆପଣାର କରିବାର ମଧୁରତା ।

 

ପ୍ରାୟ ସମସ୍ତେ ଚାଲିଗଲା ପରେ ଏ.ଏସ୍.ପି. ଗୌରବ ଜେନାଙ୍କ ଜିପ୍ ଆସି ପହଞ୍ଚିଲା ଫାଟକ ଆଗରେ । ଆଗରୁ ଜାଣିଥିଲା ଚୌକିଦାର, ଫାଟକ ଖୋଲିଦେଇ ହାତଟେକି ନମସ୍କାର କଲା ।

 

ଫାଦର ଅରୁଣାଚଳମ୍‍ ବସିବା ଘରେ ଭେଟିଲେ ଗୌରବକୁ ।

 

ଗୌରବ କହିଲା, ଆଜି ରବିବାରରେ ଆପଣଙ୍କୁ ବ୍ୟସ୍ତ କରୁଥିବାରୁ ଦୁଃଖିତ ଫାଦର, କିନ୍ତୁ କାମଟା ଏଡ଼େ ଜରୁରୀ ଯେ ଅନ୍ୟ ଉପାୟ ନ ଥିଲା ପାଖରେ.....

 

ମୁହଁ ଉପରେ ପ୍ରଶାନ୍ତ ସ୍ମିତହାସ୍ୟ ଖେଳାଇ କହିଲେ ଫାଦର, ମୁଁ ଆପଣଙ୍କୁ ଅପେକ୍ଷା କରୁଥିଲି... । ମୁଁ ଖୁସୀ ଯେ ଆପଣ ଆସିଛନ୍ତି । କଥାଭାଷା ସରୁ, ମୁଁ ନିଜେ ଶିଶୁ ନିକେତନ ବୁଲାଇ ଆଣିବି ।

 

ଗୌରବ କହିଲା, ଧନ୍ୟବାଦ ଫାଦର, ଆପଣ ଏପରି ଏକ ପରିତ୍ୟକ୍ତ ସ୍ଥାନକୁ କିପରି ସ୍ୱର୍ଗ ଭୂମିରେ ପରିଣତ କରିଛନ୍ତି ମୁଁ ଲୋକ ମୁହଁରୁ ଶୁଣିଚି ସବୁ । ଆପଣ ମୋର କୃତଜ୍ଞତା ଗ୍ରହଣ କରନ୍ତୁ ।

 

ଫାଦର କହିଲେ, ଖାଲି ସମାଜ ବଦଳିବା ଉଚିତ କହିଲେ ସମାଜ ବଦଳି ଯାଏ ନାହିଁ । ସମାଜର ପରିବର୍ତ୍ତନ ପାଇଁ କାମ କରିବାକୁ ହୁଏ, ଯାହା ପୁରୁଣା, କଳଙ୍କି ଲଗା କୁସଂସ୍କାର ତାହା ବର୍ଜନ କରି ନୂତନ ସୃଷ୍ଟି କରିବାକୁ ହୁଏ । ଧର୍ମ ଲୋକ ଜୀବନରେ ସଂସ୍କାର ଆଣେ ବୋଲି ଯୁଗେ ଯୁଗେ ଧର୍ମକୁ ଅନୁସରଣ କରିବା ପାଇଁ ଉଦ୍‌ବୋଧନ ଦେଇଚନ୍ତି ସାଧୁସନ୍ଥ ଆଚାର୍ଯ୍ୟମାନେ । ଅନେକ ଧର୍ମ ହେଲେ ବି ଲକ୍ଷ୍ୟ ତ ଏକ । ଦିଲ୍ଲୀକୁ ଯିବାପାଇଁ ଯେପରି ଏକାଧିକ ରାସ୍ତା ।

 

ଗୌରବ ଫାଦରଙ୍କ ସହିତ ବେଶ୍ କିଛି ସମୟ ଆଲୋଚନା କଲା ଧର୍ମ, ମୌଳିକବାଦ ଓ ସମାଜ ସଂସ୍କାର ସମ୍ପର୍କରେ ।

 

ତା’ପରେ ବିନୟ ସହକାରେ କହିଲା ଗୌରବ, ଆପଣଙ୍କ ଆପତ୍ତି ନ ଥିଲେ ଶିଶୁ ନିକେତନ ଓ ଚର୍ଚ୍ଚରେ ରହୁଥିବା ସମସ୍ତ ଲୋକଙ୍କର ନାମ, ଠିକଣା ଇତ୍ୟାଦି ଜାଣିବା ଦରକାର । ଚାରିଟା ମୋଟା ଖାତା ଆଣି ଶିଶୁ ନିକେତନ ଓ ଚର୍ଚ୍ଚରେ ରହୁଥିବା ସମସ୍ତଙ୍କର ସବିଶେଷ ବିବରଣୀ ଦେଲେ ଫାଦର । କେତୋଟି ଠିକଣା ଓ ଆନୁସଙ୍ଗିକ ବିବରଣୀ ନୋଟ୍ ବହିରେ ଲେଖିନେଲା ଗୌରବ ଏବଂ ତା’ପରେ କହିଲା, ଆପଣ ଡାଲଟନ୍ ସାହେବକୁ ଜାଣନ୍ତି ?

 

ଫାଦର ସଂକ୍ଷେପରେ କହିଲେ, ଏଇ ମାସେ ଭିତରେ ସେ ଦୁଇଥର ଆସିଚନ୍ତି ସଣ୍ଡେ ମାସ୍‌କୁ । ତା’ ପୂର୍ବରୁ ତାଙ୍କ ସହିତ କୌଣସି ପରିଚୟ ନ ଥିଲା ।

 

–ତାଙ୍କ ବିଷୟରେ ଆଉ କିଛି ଜାଣନ୍ତି ?

 

–ତାଙ୍କର ମୁହଁରୁ ଶୁଣିବା କଥା କହୁଛି । ମିଷ୍ଟର ଆନ୍ଥୋନି ଡାଲଟନ୍ ଅଷ୍ଟ୍ରେଲିଆର ଅଧିବାସୀ । ବ୍ୟବସାୟ ବାଣିଜ୍ୟ ସଂକ୍ରାନ୍ତରେ ଆସିଚନ୍ତି ଏ ଦେଶକୁ । ଓଡ଼ିଶାର ବିପୁଳ ପ୍ରାକୃତିକ ସମ୍ପଦର ବିନିଯୋଗ କରିବା ଳାଗି ଏଠାରେ କୌଣସିଠାରେ ଶିଳ୍ପ ପ୍ରତିଷ୍ଠା କରିବା ତାଙ୍କର ଇଚ୍ଛା ।

 

–ଚର୍ଚ୍ଚର କାହା ସହିତ ତାଙ୍କର ବିଶେଷ ସମ୍ପର୍କ ଆପଣଙ୍କ ଦୃଷ୍ଟିରେ ପଡ଼ିଛି କି ?

 

–ନୂଆ ହୋଇଯୋଗ ଦେଇଥିବା ସିଷ୍ଟର ନାନ୍‌ସି ତାଙ୍କର ପୂର୍ବ ପରିଚିତ ।

 

–ସିଷ୍ଟର ନାନ୍‌ସିଙ୍କ ଘର ?

 

–ଗୋଆ

 

–ସିଷ୍ଟର ନିବେଦିତାଙ୍କର ବାପା ମାଆଙ୍କର ଠିକଣା ଏଇ ଖାତାରେ ଲେଖା ଅଛି ନିଶ୍ଚୟ, କିନ୍ତୁ ବର୍ତ୍ତମାନ ସେମାନେ ଜୀବିତ ନା ମୃତ ?

 

–ବୋଧହୁଏ ମୃତ ।

 

–ଚର୍ଚ୍ଚର ନିୟମ ଶୃଙ୍ଖଳା ପାଳନ କରିବାରେ କୌଣସିଠାରେ ବା କୌଣସି ବ୍ୟକ୍ତିବିଶେଷଙ୍କ ଆଚରଣରେ ଶିଥିଳତା ଦେଖିଛନ୍ତି କି ?

 

–ନା । କଠୋର ଶୃଙ୍ଖଳା ଓ ସଂଯମ ପ୍ରତ୍ୟକର ଆଚରଣରେ ପ୍ରତିଫଳିତ ହେବା ଅନିବାର୍ଯ୍ୟ ।

 

ଆହୁରି କିଛି ସମୟ ଆଲୋଚନା କଲେ ଦୁଇଜଣ । ସହରରେ ବଢ଼ୁଥିବା ଅପରାଧ, ଅସାମାଜିକ ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପ ସମ୍ପର୍କରେ ଏବଂ ଏହାର ସାମାଜିକ ପ୍ରତିକାର ସମ୍ପର୍କରେ ମତ ବିନିମୟ କଲେ ଦୁହେଁ । ଫାଦର କହିଲେ ଯେ ବାଧ୍ୟ ବାଧକତା ବା ପ୍ରଲୋଭନଦ୍ୱାରା ଧର୍ମାନ୍ତର କରାଇବାରେ ଯେପରି ତାଙ୍କର ବିଶ୍ୱାସ ନାହିଁ, ସେହିପରି ଯୋରକରି ରାଷ୍ଟ୍ରଲୋକ ଚରିତ୍ରର ପରିବର୍ତ୍ତନ କରିପାରିବ ନାହିଁ । ଏଥିପାଇଁ ଲୋକମାନଙ୍କ ମଧ୍ୟରେ ସ୍ୱତଃସ୍ଫୁର୍ତ୍ତ ଉଦ୍ୟମ, ଆଚରଣଗତ ଶୁଦ୍ଧତା ଓ ଶୃଙ୍ଖଳାର ପ୍ରୟୋଜନ । ପାଶ୍ଚାତ୍ୟ ଦେଶର ମୁକ୍ତ ଭୋଗୀ ସହଜିଆ ଜୀବନଧାରା ଏ ଦେଶର ପରମ୍ପରା ଓ ସଂସ୍କୃତି ବିରୋଧୀ । କିନ୍ତୁ ନୂତନତ୍ୱ ପାଇଁ ନୂତନ ଫେସନ, ନୂତନ କଳା, ନୂତନ ରୁଚି ଓ ଜୀବନଧାରା ଆମଦାନୀ ନ କରି ବା ଏହାକୁ ଯୋରକରି ବନ୍ଦ କରିବାର ଲକ୍ଷ୍ୟ ନ ରଖି ଯଦି ଏହାର କୁପରିଣାମ ସମ୍ପର୍କରେ ଜନସାଧାଣଙ୍କୁ ବୁଝାଇ ଦିଆଯାଏ, ସୁଫଳ ଫଳିବା ନିଶ୍ଚିତ । ଏ ସମ୍ପର୍କରେ ଆଲୋଚନା ପ୍ରସଙ୍ଗରେ ଫାଦର ଡ୍ରଗ୍ ବା ନିଶାର ପ୍ରବଳ ପ୍ରସାର ଓ ପ୍ରଚଳନ ସମ୍ପର୍କରେ ଉଲ୍ଲେଖ କରିଥିଲେ । ତା’ପରେ ଶିଶୁ ନିକେତନର ବିଭିନ୍ନ ବିଭାଗ ବୁଲାଇ ଦେଖାଇ ଥିଲେ ଗୌରବକୁ । ପ୍ରକୃତରେ ସେ ମୁଗ୍ଧ ହୋଇ ଯାଇଥିଲା ।

ଗୌରବ ତାଙ୍କୁ ଅନେକ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ବିଦାୟ ନେଲାବେଳେ ଫାଦର କହିଲେ., ୟଙ୍ଗମ୍ୟାନ୍ ୟୁ ମାଷ୍ଟ କମ୍ ଟୁ ଆଓ୍ୱାର ଏକ୍ସମାସ ସେଲିବ୍ରେସନ୍‍ । ଆମର ବଡ଼ଦିନ ଉତ୍ସବକୁ ଆସିବେ ନିଶ୍ଚୟ । ନିମନ୍ତ୍ରଣ ପତ୍ର ଯଥା ସମୟରେ ପଠାଇ ଦେବି ମୁଁ । ସେଦିନ ଆମ ସହିତ ରାତ୍ରି ଭୋଜନ କରିବା ପାଇଁ ମୋର ବିଶେଷ ଅନୁରୋଧ ।

ତାଙ୍କଠାରୁ ବିଦାୟ ନେଇ ଫେରିଲାବେଳେ ସୌମ୍ୟ କଥା ମନେପଡ଼ିଲା ଗୌରବର ।

ଆହା ବିଚରା !

ଏକା ଏକା ଯାହା ପାରୁଛି କରିଯାଉଛି । ତା’ ପଛରେ କୌଣସି ଆନୁଷ୍ଠାନିକ ସପୋର୍ଟ ନାହିଁ । ଯଦି ଚର୍ଚ୍ଚଭଳି ଏକ ଅନୁଷ୍ଠାନର ସହଯୋଗ ଓ ସାହାଯ୍ୟ ପାଉଥାଆନ୍ତା ସୌମ୍ୟ, ସେ ହୁଏତ ଆହୁରି ବିଚକ୍ଷଣ ଦେଖାଇ ଦିଅନ୍ତା ନିଜର କାମରେ ।

 

ଡାଲଟନ ସମ୍ପର୍କରେ ତା’ର ଅନୁସନ୍ଧାନ କ୍ରମଶଃ ବେଶ୍ ଆକର୍ଷଣୀୟ ହୋଇ ପଡ଼ୁଛି । ମୁଖ୍ୟମନ୍ତ୍ରୀଙ୍କ ହଜାରେ ଦିନରେ ହଜାରେ ଶିଳ୍ପ ନିର୍ମାଣ କରିବାର ଆହ୍ୱାନ ଆଉ କେହି ଗ୍ରହଣ କରୁ ବା ନ କୁ ସୁଦୂର ଅଷ୍ଟ୍ରେଲିଆରୁ ଧାଇଁ ଆସିଛି ସାହେବ ସେଇ ଚ୍ୟାଲେଞ୍ଜ ଗ୍ରହଣ କରି ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ !

 

ସାହେବମାନଙ୍କର ରକ୍ତରେ ପୂର୍ବ ପୂରୁଷର ରକ୍ତ ଓ ଚତୁରତା ପ୍ରବାହିତ ହେଉଛି ନିଶ୍ଚୟ । ନ ହେଲେ ଇଂଲଣ୍ଡରୁ ଅଷ୍ଟ୍ରେଲିଆ, ତା’ପରେ ବ୍ୟାଙ୍କକକ୍‌ ଏବଂ ଶେଷରେ ପାରାଦୀପ ଆସି ଚୋରା କାରବାରର ଗୋଟିକ ପରେ ଗୋଟିଏ ନୂଆ କେନ୍ଦ୍ର ଖୋଲି ନ ଥାନ୍ତା ସାହେବ ।

 

ସେ ଘରକୁ ଫେରି ନ ଯାଇ ରବିବାରର ବାକି ପୂର୍ବାହ୍ନଟି ପାତାଳପୁରରେ କଟେଇବାର ଅଭିପ୍ରାୟ ରଖି ଜିପ୍ ଚଳେଇଲା ମାଲଗେଦାମ ଅଭିମୁଖରେ ।

 

ମାଲଗୋଦାମ ବନ୍ଦ ରହେ ରବିବାର ଦିନ ।

 

କିନ୍ତୁ ତଥାପି କେତୋଟିରେ କାରବାର ଚାଲୁଥିବାର ଦେଖି କୌତୁହଳ ଦମନ କରି ନ ପାରି ଗାଡ଼ି ଛିଡ଼ା କଲା ମାଧବଲାଲ ଖଜୁରୀଲାଲଙ୍କ ଗୋଦାମ ଆଗରେ ।

 

ମାଲବୋଝେଇ ହେଉଥିଲା ଟ୍ରକରେ ।

 

କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ପ୍ରଭୃତି ଅଞ୍ଚଳକୁ ଅଟା, ସୁଜି, ତେଲ, ପଠାଇବା ଲାଗି ବୋଝେଇ ଚାଲିଥିଲା ।

 

ଗୋଦାମ ଆଗରେ ପୁଲିସ୍‍ ଜିପ୍ ଦେଖି ଚିରଞ୍ଜିଲାଲ ସଙ୍ଗେ ସଙ୍ଗେ କବାଟ ବନ୍ଦ କରିବା ପାଇଁ ଦୌଡ଼ି ଆସିଲେ, କିନ୍ତୁ ସେତେବେଳକୁ ବିଳମ୍ବ ହୋଇ ସାରିଥିଲା । ଗୌରବ ଚାରିଜଣ କନେଷ୍ଟବଳ ସହ ଗୋଦାମ ଭିତରକୁ ପଶି ସାରିଥିଲା ସେ ଆସିବା ଆଗରୁ ।

 

ତାଙ୍କୁ ନମସ୍କାର କରି କାନ୍ଦ କାନ୍ଦ ହୋଇ ଉଚ୍ଚ ସ୍ୱରରେ କହିଲେ ଚିରଞ୍ଜିଲାଲ, ହଜୁର ମାଫ୍ କରିବେ । ଆଜି ଗେଦାମା ବନ୍ଦ, କିନ୍ତୁ ତଥାପି ଗରାଖ ଅନେକ ଦୂରରୁ ଆସିଛନ୍ତି ବୋଲି ଫେରାଇ ନ ଦେଇ ମାଲବୋଝେଇ କରାଉଥିଲି... ।

 

ଗୌରବ କହିଲା, ସୋରିଷତେଲ ଓ ଅଟା ଗୋଦାମ ମୁଁ ଦେଖିବାକୁ ଚାହେଁ ।

 

ଚିରଞ୍ଜିଲାଲ ମୁହଁ ସେତା ପଡ଼ିଗଲା ଏ.ଏସ୍.ପି.ଙ୍କ ଆଦେଶ ଶୁଣି ।

 

ଗୌରବ ଧମକ ଦେଇ କହିଲା, ଯେଉଁଠି ଯାହା ଅଛି ଦେଖାଅ ନ ହେଲେ ଗିରଫ କରିବାକୁ ବାଧ୍ୟ ହେବି ।

 

ପ୍ରାୟ କାନ୍ଦି ପକାଇଲା ମୁନ୍‍ସି ଚିରଞ୍ଜିଲାଲ ।

 

ଘଣ୍ଟାଏ ଧରି ବିଭିନ୍ନ ଗେଦାମା ବୁଲି ସାରି ଅନେକ ଭେଜାଲ ତେଲଟିଣ, ଅଟା ବସ୍ତା ଜବତ୍ କଲା ଗୌରବ । ଖାଣ୍ଟି ସୋରିଷ ତେଲ ନାମରେ ଅଗରା ଓ କପାମଞ୍ଜି ମିଶା ତେଲ ପେଡ଼ା ହେଉଥିବାର ପ୍ରତ୍ୟକ୍ଷ ପ୍ରମାଣ ମିଳିଲା ତେଲ କଳରୁ । ଗହମ ସହିତ ମକା ମିଶାଇ ଅଟା କରାଯାଉଥିବାର ପ୍ରମାଣ ବି ପାଇଲା ସେ ଅଟା କଳରୁ ।

 

ସେଇ ଗୋଦାମରୁ ଥାନାକୁ ଫୋନ୍ କରି ଥାନାବାବୁଙ୍କୁ ଅଧିକ ଫୋର୍ସ ଧରି ଆସିବାକୁ କହିଲା ଗୌରବ । ଦୁଇଟା ଗୋଦାମର ମାଲ ସିଜ୍ କରି ଗୋଦାମ ଘରେ ତାଲା ଲଗେଇ ସିଲ୍ କରି ସାରିବାବେଳକୁ ଗଳଦ୍‌ଘର୍ମ ହୋଇ ପହଞ୍ଚିଲେ ଗୋଦାମ ମାଲିକ ମାଧବଲାଲ ଖଜୁରୀଲାଲ ।

 

ଗୌରବକୁ ନିକଟରେ ପାଇ କହିଲେ, କିଛି ମନେକରିବେ ନାହିଁ ହଜୁର୍‍... ଆସିବାରେ ବିଳମ୍ବ ହୋଇଗଲା । ହୋଟେଲ ଉତ୍କଳକୁ ମନ୍ତ୍ରୀ ଆସିଥିଲେ, ସେଇଠି ରହି ଯାଇଥିଲି ମୁଁ ତାଙ୍କୁ ସଙ୍ଖୋଳିବା ପାଇଁ ।

 

–ହୋଟେଲ ଉତ୍କଳ ଆପଣଙ୍କର ?

 

–ଆଜ୍ଞା... ହଜୁର... ମନ୍ତ୍ରୀ ଆସିଥିଲେ ଯେ ତାଙ୍କୁ ଚର୍ଚ୍ଚା କରୁଥିଲି ସାର୍... ।

 

–ଚୁପ୍‌କର ବଦମାସ୍‌ ! ମନ୍ତ୍ରୀଙ୍କ ନାମ ନେଇ ମୋତେ ଭୟ ଦେଖାଇବାକୁ ଚେଷ୍ଟା କରନି-

 

–ମାଫ୍‍ କରିବେ ହଜୁର୍‍ । ମନ୍ତ୍ରୀ ନୁହନ୍ତି ଆପଣ ମାଲିକ... ଆପଣ ଶାସନର ସର୍ବେସର୍ବା-। ଆପଣଙ୍କ ସେବା କରିବା ଳାଗି ମୋତେ ଥରୁଟିଏ ସୁଯୋଗ ଦିଅନ୍ତୁ ସାର୍... !

 

ବେଟନ୍‌ଟା ଶୂନ୍ୟରେ ଘୂରେଇ କହିଲା ଗୌରବ, ସଟ୍ ଅପ୍‌.... ସଟ୍‌ ଅପ... ।

 

ଚିରଞ୍ଜିଲାଲ ଆହୁରି ବୋକାମୀ କରିବାକୁ ଯାଇ ଗୋଟେ ବ୍ରିଫ୍‌କେସ୍‌, ଦେଖେଇ କହିଲେ, ହଜୁରଙ୍କ ଗାଡ଼ିରେ ଉଠେଇ ଦଉଚି ସାର୍... ।

 

ଚିରଞ୍ଜିଲାଲ୍ ଓ ମାଧବଲାଲ ଖଜୁରୀଲାଲ ଉଭୟଙ୍କୁ ଗିରଫ କରିବା ପାଇଁ ଆଦେଶ ଦେଲା ଗୌରବ ।

 

ଠିକ୍ ସେହି ସମୟରେ ଗୋଦାମର ପୂର୍ବତନ କର୍ମଚାରୀ ସୁଦର୍ଶନ ସାହାଣୀ ଉଚ୍ଚହାସ୍ୟ କରି କହି ଉଠିଲେ, ଠିକ୍ ହୋଇଛି,.. ଭଲ ହୋଇଛି... ହି ହି ହି.... ପାପର ପ୍ରାୟଶ୍ଚିତ କରୁଥା ଏଥର... ହି ହି ହି... ।

 

ଯାହା ଦିନେ ଅତି ଗୋପନୀୟ ମନେହେଉଥିଲା ତାହା ଯେ ସମୟ ଆସିଲେ ସମସ୍ତେ ଜାଣି ଯାଆନ୍ତି ଏହା ବୋଧହୁଏ ଗୋପନୀୟ ଶବ୍ଦଟି ଆସିଷ୍କାର କରିଥିବା ଭାଷା ବିଶାରଦ ଜାଣି ନ ଥିଲେ । ଏ ପୃଥିବୀରେ ସମ୍ପର୍କର ପ୍ରସାର, ଗଣ ମାଧ୍ୟମରେ ବିସ୍ତାର, ଲୋକ ଚରିତ୍ରର ଅଧୋଗତି ଯୋଗୁଁ ଗୋପନୀୟ ହୋଇ ଆଉ କିଛି ରହୁ ନାହିଁ । ଦେଶର ଐକ୍ୟ ଓ ଅଖଣ୍ଡତାକୁ ବିପନ୍ନ କଲାଭଳି ତଥ୍ୟ, ଦେଶ ରକ୍ଷାର ନିଷିଦ୍ଧ ଗୋପନୀୟ ବ୍ୟବସ୍ଥା ଶତ୍ରୁକୁ ଅର୍ଥଲୋଭରେ ବିକ୍ରୀ କରି ଦିଆଯାଉଛି । ଦେଶଦ୍ରୋହୀ, ଚୋରା ବେପାରୀ, କଳାଧନର ମାଲିକ, ଅସାଧୁ ବ୍ୟବସାୟୀ, ଅସାମାଜିକ ବ୍ୟକ୍ତି ଓ ଆଇନଶୃଙ୍ଖଳା ଭାଙ୍ଗୁଥିବା ଅବାଞ୍ଛିତ ଲୋକ ଯେପରି ଏ ଦେଶରେ ଏକ ସମାନ୍ତରାଳ ଶାସନ ଚଳାଇଛନ୍ତି । ସେମାନଙ୍କ କାର୍ଯ୍ୟ କେବଳ ମୁଦ୍ରା ବିନିମୟ ବା ମୁଦ୍ରା ଉପାର୍ଜନରେ ସୀମିତ ରହିନି, ସେମାନେ ଏ ଜାତିର ଚରିତ୍ରକୁ ବିକୃତ କରିବାରେ ଲାଗିଛନ୍ତି । ସେଥିପାଇଁ ନିଶା ଦ୍ରବ୍ୟର ପ୍ରଚଳନ ବୃଦ୍ଧି ପାଉଛି, ପର୍ଯ୍ୟଟକମାନଙ୍କ ସୁଖ ସୁବିଧା କରିବାକୁ ଯାଇ ନୂଆ ହୋଟେଲ ଖୋଲିବା ନାମରେ ଘରର ଝିଅ ବୋହୁଙ୍କ ଇଜ୍ଜତ ବିକ୍ରୟ ପାଇଁ ସବୁ ପ୍ରକାର ପ୍ରଲୋଭନ ଯୋଗାଇ ଦିଆଯାଉଛି । ପାଣିଠାରୁ ଆରମ୍ଭ କରି ଦୁଧ, ଘିଅ, ଯାବତୀୟ ଖାଦ୍ୟ ଓ ବ୍ୟବହାରୋପଯୋଗୀ ପଦାର୍ଥ ଏବଂ ଏପରିକି ବାୟୁ ମଧ୍ୟ ଅପମିଶ୍ରଣ ଘଟୁଛି । ଭେଜାଲ ଖାଇ ଖାଇ ଏ ଜାତିଟା ବୋଧହୁଏ ଶେଷରେ ଭେଜାଲ ପାଲଟି ଯିବ ।

 

ସୌମ୍ୟ ଆଗରେ ସମସ୍ୟାଗୁଡ଼ା ଏତେ ବିରାଟ ମନେହୁଏ ଯେ ସେ ଅସହାୟ ପରି ଛିଡ଼ାହୋଇ ରହେ ଆଗକୁ ଯିବାର ବାଟ ନ ପାଇ । ପାତାଳପୁରର ବାସିନ୍ଦାମାନେ ଦିନେ ଭାଗ୍ୟ ଆଦି ଦୁଃଖ ଦୈନ୍ୟ ସହି ଯାଉଥିଲେ, ଲାଞ୍ଛନା ଓ ଅପମାନ ସହ୍ୟ କରୁଥିଲେ, ଯେଉଁଠି ପଶୁ ମଧ୍ୟ ରହିବା ଅସମ୍ଭବ ସେଠାରେ ମଣିଷ ବଞ୍ଚି ରହିବାର ଅପୂର୍ବ ସମ୍ଭାବନାକୁ ସହର୍ଷ ଚିତ୍ତରେ ଗ୍ରହଣ କରି ନେଉଥିଲେ । ସେଇ ଦିନଗୁଡ଼ାକ ଥିଲା ସୁନ୍ଦର ଓ ଚିତ୍ତାକର୍ଷକ । ଦିନସାରା ରିକ୍‌ସା ଟାଣି ଘରକୁ ଫେରିବା ବାଟରେ ଦେହରେ ଆଉଁସି ଦେଇ ସୀତା ମାଉସୀ ହରି ନଉଥିଲା କ୍ଳାନ୍ତି, କାମ ନ ପାଇ ଦିନସାରା ବୁଲି ବୁଲି ମ୍ୟୁନିସିପାଲିଟି କଳରୁ ପାଣି ପିଇ ବସ୍ତିର ଝୁମ୍ପୁଡ଼ିକୁ ଫେରିଆସି କେହି ଦେଖିବା ଆଗରୁ ଶୋଇପଡ଼ିବାବେଳକୁ ପ୍ରତିବେଶୀର ସ୍ତ୍ରୀ ପଖାଳ କଂସାଏ ବାଢ଼ିଦେଇ ଜଳୁଥିବା ପେଟରେ ଜାଳି ଦେଉଥିଲା ବଞ୍ଚିବାର ନିଆଁ, ପ୍ରିୟଜନର ତିରୋଧାନ ସହି ନ ପାରି ଶ୍ମଶାନରେ ମୁଣ୍ଡ ପିଟୁଥିଲାବେଳେ ତାକୁ ଉପରକୁ ଆଉଜାଇ ନେଇ ତା’ ଆଖିରୁ ଲୁହ ପୋଛି ତା’ ଦୁଃଖରୁ ଭାଗ ନବାପାଇଁ ଆଗେଇ ଆସିଥିବା ଆଉ ଜଣକର ଆନ୍ତରିକତା ଧୀରେ ଧୀରେ ହଜି ଯାଉଛି–ହଜି ଯାଉଥିବା ଆଦର୍ଶ ପରି ।

 

କିନ୍ତୁ ସମସ୍ୟା ବଡ଼ ହେଲେ ବି, ସେ ଅତି ସାମାନ୍ୟ ହେଲେ ବି ପଛଘୁଞ୍ଚା ଦେବାକୁ ଇଚ୍ଛା ହୁଏନି ସୌମ୍ୟର ।

 

ଏଇ କାମରେ ଯାହାର ସହଯୋଗ ସେ ଆଶା କରୁଥିଲା ଅନେକ ବେଶୀ, ସେଇ ସୁଜାତା ତାକୁ ଛାଡ଼ି ଚାଲିଗଲା । ଇମିତି ଏକ ସଭ୍ୟ ସମାଜରେ ସେ ବଞ୍ଚୁଛି ଯେ ଅସଭ୍ୟତାର ଚରମ ନିଦର୍ଶନ, ଅସତ୍ୟର ନିଷ୍ଠୁର ପରିହାସ ତିଳ ତିଳ କରି ଜୀବନକୁ ଝୁଣୁଥିଲେ ବି ସେ କିଛି କରିପାରୁନି, ନିଃସହାୟକ ପରି ଅନେଇ ରହିଛି କେବଳ ।

 

ସୁଜାତା ଆଜି ପାଖରେ ଥିଲେ ସବୁ ବ୍ୟର୍ଥତା ଭୁଲି ସେ ଦ୍ୱିଗୁଣ ଉତ୍ସାହରେ ଦୋହରାଉ ଥାଆନ୍ତା ନିଜର ସଂକଳ୍ପ ।

 

ସତରେ ସେ କଅଣ ଆଉ ନାହିଁ ଜୀବନରେ ? ଭାବି ପାରେନି ସୌମ୍ୟ, ବିଶ୍ୱାସ କରିପାରେନି ସେ । ଈଶ୍ୱର ଅଛନ୍ତି କି ନା ସେ ଜାଣେନା, ଆଜିଯାଏ ତାଙ୍କୁ ମାଗିନି କିଛି, କିନ୍ତୁ ଯଦି ସେ ଥାଆନ୍ତି, ଯଦି ସତ୍ୟ, ଧର୍ମ ବୋଲି କିଛି ଥାଏ, ତା’ହେଲେ ପ୍ରାର୍ଥନା କରି କହିବାକୁ ଇଚ୍ଛାହୁଏ ତାର–ସୁଜାତା ବଞ୍ଚିଥାଉ, ଯେଉଁଠି ଅଛି ସେଇଠି ସୁଖରେ ଥାଉ... ।

 

ଆଖି ସଜଳ ହୋଇ ଉଠିଲା ସୌମ୍ୟର ।

 

ସେ ଫେରି ଯାଉଥିଲା ହାର୍‍ ମାନି, କିନ୍ତୁ ପୁଣି ଲେଉଟି ଆସିଲା ଆଉଥରେ ଲଢ଼ିବା ପାଇଁ, ସମସ୍ୟାର ମୁକାବିଲା କରିବା ଲାଗି ।

 

ନରସିଂହ ରିକ୍‌ସା ରଖିଦେଇ ତା’ ପାଖରେ ବସିଲା ଆସି । ସୌମ୍ୟକୁ ନିରୁତ୍ତର ଓ ନିରୁତ୍ତାପ ଦେଖି ତା’ ପିଠି ଉପରେ ହାତ ବୁଲାଇ ଆଣିଲା ନରସିଂହ । ପ୍ୟାଣ୍ଟ ପକେଟ୍‌ରୁ କେତେଖଣ୍ଡ ଭଜା ବାଦାମ ବାହାର କରି ସୌମ୍ୟର ହାତରେ ଦେଇ କହିଲା, ତମପାଇଁ ଆଣିଛି ସୌମ୍ୟ ଭାଇ, ନବନି ?

 

ସୌମ୍ୟର ଆଖି ପୁଣି ସଜଳ ହୋଇ ଉଠିଲା । ସେ ମନା କରିପାରିଲା ନାହିଁ ।

 

ସେଇ ନରସିଂହଠାରୁ ଶୁଣିଲା ସେ ରାଜୁ, କାମେୟା, ଅନୀସା ବେଗମ୍‍, କାବେରୀର ଗିରଫ ହବାର କଥା । ତାହାରି ପାଖରୁ ଜାଣିଲା ଯେ ଜଲାଲ୍‍ଉଦ୍ଦିନ୍ ସାହେବ, ମନୁଆ, ମାଧବଲାଲ ଖଜୁରୀଲାଲ ଗିରଫ ହବାର କାହାଣୀ ।

 

କିନ୍ତୁ ସେ ତ ଏସବୁ କଥା ଶୁଣିବା ପାଇଁ ଲଢ଼େଇ ଆରମ୍ଭ କରି ନ ଥିଲା ! ନିଜର ଭବିଷ୍ୟତ, ସୁଖ, ସୁବିଧାକୁ ଜଳାଞ୍ଜଳି ଦେଇ ସେ ସେବା ଓ ସଂସ୍କାର କରିବାର ପଥ ବାଛି ନେଇଥିଲା ସ୍ୱେଚ୍ଛାରେ । ପାତାଳପୁରର ଆବର୍ଜନା ପରି ମଣିଷର ଚରିତ୍ରରେ ଠୁଳ ହୋଇଥିବା ରାଶି ରାଶି ଆବର୍ଜନା ସଫା କରି ତାକୁ ଶୁଦ୍ଧ, ନିର୍ମଳ ଓ ଲଢ଼ୁଆ କରିବା ଲାଗି ପଣ କରିଥିଲା ସେ ।

 

ସବୁ ବ୍ୟର୍ଥ ହୋଇଗଲା ତା’ହେଲେ !

 

ଯେଉଁ ରାଜୁର ବିଦ୍ୟା ବୁଦ୍ଧି ଓ କୌଶଳକୁ ସେ ଉପଯୋଗ କରିବାକୁ ଚାହିଁଥିଲା ପାତାଳପୁରୀର ପୁନର୍ଗଠନ କାର୍ଯ୍ୟରେ, ସେଇ ରାଜୁ ଆଜି ଅଣଲେଉଟା ରଥପରି କେବଳ ଆଗେଇ ଚାଲିଛି ଧ୍ୱଂସଆଡ଼କୁ... ।

 

–ଇମିତି ଭାଙ୍ଗି ପଡ଼ୁଛ ଯେ.... ତମରି ମୁହଁକୁ ଚାହିଁ ଲଢ଼ିବା କଥା ସୌମ୍ୟ ଭାଇ । ତୁମେ ତ କହିଥିଲ ଯେ ନ୍ୟାୟ ପାଇଁ, ନୀତି ପାଇଁ ଲଢ଼େଇର ଶେଷ ନାହିଁ, ଶେଷ ହୁଏନି ସମାଜରେ ସମତା ପ୍ରତିଷ୍ଠା କରିବାର ଲଢ଼େଇ... । ମଣିଷ ଚରିତ୍ରକୁ ଲଢ଼ିବାର ଶକ୍ତି ଯୋଉଦିନ ଉଭେଇ ଯିବ, ସେଇଦିନ ସେ ମରିଯିବ... ।

 

ସୌମ୍ୟ ଚାହିଁଲା ନରସିଂହର ମୁହଁକୁ ।

 

ସେ ବାଟ ଖୋଜୁଥିଲା ।

 

ବାଟ କଢ଼ାଇ ନବାପାଇଁ କହିଲା ନରସିଂହ, ଲଢ଼େଇ ଆରମ୍ଭ ହୋଇଛି ମାତ୍ର... ତମେ ମଝିରେ ଆମକୁ ଛାଡ଼ି ଚାଲିଯିବ ସୌମ୍ୟଭାଇ ?

 

ଆଉ ବିଳମ୍ବ ନ କରି ନିଜର କୋହ ଚାପି ରଖି କହିଲା ସୌମ୍ୟ, ନା, ନା, ମୁଁ ପଳେଇ ଯିବିନି... ତୁମ୍ଭମାନଙ୍କ ସହିତ ସାଙ୍ଗହୋଇ ଲଢ଼ିବି ।

 

ସୌମ୍ୟକୁ ଖୋଜି ଖୋଜି ଗୌରବ ଶେଷରେ ଜିପ୍ ଗାଡ଼ିଟା ଛିଡ଼ା କରାଇଲା ତାହାରି ଆଗରେ ।

 

ସେ ଓହ୍ଲେଇ ପଡ଼ି କହିଲା, କିରେ ତୁ ଭୁଲି ଯାଇଛୁ ବୋଧହୁଏ... ତୁ ମୋ ଘରକୁ ଆସିବୁ ବୋଲି କହିଥିଲୁ ନା... ତୋତେ ନ ଆସିବାର ଦେଖି ମୁଁ ଭାବିଲି ଯେ କୋଉ କାମରେ ଫସି ଯାଇଥିବୁ... । ଚାଲି ଆସିଲି । ଡେରି ହୋଇଗଲାଣି । ଫାଦର ଅନାଇ ଥିବେ ଯେ.... । ଉଠି ବସ, ଆଜି ପରା ବଡ଼ଦିନ, ଚର୍ଚ୍ଚକୁ ଯିବା କଥା... । ଫାଦର ନିମନ୍ତ୍ରଣ କରିଛନ୍ତି ।

 

ସୌମ୍ୟ ଭୁଲି ଯାଇଥିଲା ।

 

ସେ ଉଠି ବସିଲା ଏବଂ ନରସିଂହକୁ ସୁଦର୍ଶନ ମାଷ୍ଟରଙ୍କତତ୍ତ୍ୱ ନବାପାଇଁ କହି ଜିପ୍ ଉପରକୁ ଉଠିଗଲା ।

 

ଜିପ୍ ଛାଡ଼ିଦେଇ କହିଲା ଗୌରବ, ଇମିତି ଶୁଖିଲା ଦିଶୁଛୁ ଯେ...ଦେହ ଭଲ ଅଛି ତ ?

 

ସୌମ୍ୟ ସେ କଥାର ଉତ୍ତର ନ ଦେଇ କହିଲା, କିଛି ଅଗ୍ରସର ହେଲୁ ?

 

–କିଛି ଆଗେଇନି କହିଲେ ମିଛ କହିବି, କିନ୍ତୁ ଯେତିକି ଜାଣିବା ଦରକାର ସେତିକି ତଥ୍ୟ ପାଇନି ଏ ଯାଏ । କିନ୍ତୁ ସୁ–ଖବରଗୁଡ଼ାକ ତୁ ବୋଧହୁଏ ଏ ଭିତରେ ଶୁଣି ସାରିଥିବୁ... ।

 

–ସ୍ମଗଲର, ଡ୍ରଗ୍ ବ୍ୟବସାୟୀ ପ୍ରଭୃତିଙ୍କୁ ଧରିବା କଥା ତ... ?

 

–ହଁ, ଜଲାଲ୍‍ଉଦ୍ଦିନ୍ ଧରାପଡ଼ିଛି, ତା’ର ଦଳବଳ ସମସ୍ତେ ଧରାପଡ଼ିଛନ୍ତି । ଧରାପଡ଼ିଛି ମାଧବଲାଲ ଖଜୁରୀଲାଲ, ଭ୍ରମରବର କହ୍ନେଇଲାଲ... କିନ୍ତୁ ମୁଁ ଦୁଃଖିତ ଯେ ଡାଲଟନ୍ ସାହେବ ଖସି ଯାଇଛି ଠିକ୍ ସମୟରେ । ସବୁ ପୋର୍ଟ ଏବଂ ଏଆରପୋର୍ଟକୁ ବେତାର ବାର୍ତ୍ତା ଦେଇଛି, ଦେଖାଯାଉ ଶେଷରେ କଅଣ ହେଉଛି ।

 

–କିନ୍ତୁ ଯୋଉ କଥାଟା ଶୁଣିବା ପାଇ ମୋର ଉତ୍କଣ୍ଠା ବେଶୀ ସେ ବିଷୟରେ କିଛି କହିଲୁ ନାହିଁ ତ ?

 

–ସମୟ ଆସିନି ସେଥିପାଇଁ... । ତେବେ ଏତିକି ଜାଣିରଖ ଯେ ସୁଜାତାକୁ କେହି ହତ୍ୟା କରିନି ବା ସେ ଆତ୍ମହତ୍ୟା କରିନି...

 

ମନେ ମନେ ଈଶ୍ୱରଙ୍କୁ ହାତଯୋଡ଼ି ପ୍ରଣାମ କଲା ସୌମ୍ୟ ।

 

ଶିଶୁ ନିକେତନ ଫାଟକ ପାର ହୋଇଗାଡ଼ି ଚାଲିଲା ଭିତରକୁ ।

 

ଚର୍ଚ୍ଚ ଆଗରେ ତାକୁ ସଙ୍ଖୋଳି ନବାପାଇଁ ନିଜେ ଫାଦର ଛିଡ଼ା ହୋଇଥିଲେ ।

 

ଗୌରବ ପରିଚୟ କରାଇ ଦେଲା ସୌମ୍ୟ ସହିତ । ହି ଇଜ୍ ଏ ସୋସିଆଲ ରିଫର୍ମର ଫାଦର... ।

 

ଗଡ୍‍ ବ୍ଲେସ୍ ୟୁ... ଆଶୀର୍ବାଦ କରିବା ଭଙ୍ଗୀରେ ହାତ ଉଠାଇ କହିଲେ ଫାଦର ।

 

ସେମାନଙ୍କୁ ନେଇ ହଲ୍ ଭିତରେ ପ୍ରବେଶ କଲେ ଫାଦର ।

 

ପର୍ଦ୍ଦା ଉଠିଲା ସେମାନେ ପହଞ୍ଚିବା କ୍ଷଣି ।

 

ଚର୍ଚ୍ଚର ସିଷ୍ଟର ଓ ଶିଶୁ ନିକେତନର ଶିଶୁମାନେ ମିଶି ମଞ୍ଚସ୍ଥ କରୁଥାଆନ୍ତି–କ୍ରୁଶବିଦ୍ଧ ନାଟକ ।

 

ପ୍ରଥମେ ଶିଶୁ ନିକେତନର ବ୍ୟାଣ୍ଡ ବାଦ୍ୟ ଶୁଣି ମୁଗ୍‌ଧ ହୋଇଗଲେ ସମସ୍ତେ ।

 

ତା’ପରେ ନାଟକ ।

 

ଗୋଟିଏ ପରେ ଆଉଗୋଟିଏ ଦୃଶ୍ୟ ଅଭିନୀତ ହେଉଥାଏ । ପ୍ରାୟ ଶ୍ୱାସରୁଦ୍ଧ ଅବସ୍ଥାରେ ନାଟକ ଦେଖୁଥାଏ ସୌମ୍ୟ ।

 

ସେଇ ଅନ୍ତିମ ଦୃଶ୍ୟରେ ଯେତେବେଳେ ଯୀଶୁଙ୍କୁ କ୍ରୁଶ ବିଦ୍ଧ କରିବା ସତ୍ତ୍ୱେ ସେ କହୁ ଥାଆନ୍ତି–ହେ ଈଶ୍ୱର ଏମାନଙ୍କୁ କ୍ଷମାକର, ଏମାନେ କଅଣ କରୁଛନ୍ତି ଜାଣନ୍ତି ନାହିଁ–ସେତେବେଳେ ସୌମ୍ୟ ସମ୍ଭାଳି ପାରିଲା ନାହିଁ, ତା’ ଆଖିରୁ ଝର ଝରହୋଇ ଗଡ଼ି ପଡ଼ିଲା ଅଶ୍ରୁ ।

 

ସେ ମଧ୍ୟ ବ୍ୟାକୁଳ ଚିତ୍ତରେ ପ୍ରାର୍ଥନା କଲା–ହେ ଈଶ୍ୱର ସମସ୍ତଙ୍କୁ କ୍ଷମା କର... ସମସ୍ତଙ୍କୁ ଶୁଦ୍ଧ ଓ ନିର୍ମଳ କର... ।

 

କିନ୍ତୁ ଆଉ ଥରେ କ୍ରୁଶବିଦ୍ଧ ଯୀଶୁଙ୍କ ରକ୍ତାକ୍ତ ଶରୀରକୁ ଚାହିଁବା କ୍ଷଣି ଯାହା ଦେଖିଲା ଆଖିକୁ ବିଶ୍ୱାସ କରି ପାରିଲା ନାହିଁ ସୌମ୍ୟ ।

 

ସେ ଆଖି ପୋଛି ପୁଣି ଆଉଥରେ ଚାହିଁଲା ।

 

ନା’ ଏଥର ମଧ୍ୟ ସେଇ ଦୃଶ୍ୟ ।

 

ସେ ସ୍ୱପ୍ନ ଦେଖୁ ନାହିଁ ତ ।

 

ମଞ୍ଚ ଉପରେ ଯେଉଁ କେତେଜଣ ଶିଷ୍ୟ ଶେଷ ମୁହୁର୍ତ୍ତରେ ପ୍ରଭୁଙ୍କ ଶରଣାଗତ ହେଲେ ସେମାନଙ୍କ ମଧ୍ୟରେ ପୁରୁଷ ବେଶରେ ଅଭିନୟ କରୁଥିବା ନାରୀ ଜଣଙ୍କ ଅନ୍ୟ କେହି ନୁହେଁ, ସୁଜାତା... ।

 

ଆଖିକୁ ଅବିଶ୍ୱାସ କରିବାର ଉପାୟ ନାହିଁ । ନା, ନା... ସେ ଠିକ୍ ଦେଖିଛି... ତା’ର ଚିହ୍ନିବାରେ ଭୁଲ୍ ହୋଇନି... ।

 

ସତ୍ୟ ଚିରଦିନ ଏହିପରି, ନିର୍ମମ...ନିଷ୍ଠୁର... ପୁଣି ସୁନ୍ଦର ଓ ମଧୁର... ।

 

ସୁଜାତାର ଦୃଷ୍ଟି ଅପସରି ଗଲା ତା’ ଉପରୁ ।

 

ଭାବବିହ୍ୱଳ ହୋଇ ପ୍ରାୟ ଚିତ୍କାର କରି ଉଠିଲା ସୌମ୍ୟ, ସୁ...ଜା...ତା ।

 

ସିଷ୍ଟର ନିବେଦିତାଙ୍କର ଅଭିନୟ ସାର୍ଥକ ଓ ଅତି ବାସ୍ତବ.... ମନ୍ତବ୍ୟ କଲା ଗୌରବ ।

 

କିନ୍ତୁ ସେତେବଳକୁ ସେଠାରେ ଆଉ ତା’ କଥା ଶୁଣିବା ପାଇଁ ବସି ନ ଥିଲା ସୌମ୍ୟ ।

 

ପର୍ଦ୍ଦା ପଡ଼ିଲାବେଳକୁ କରତାଳିରେ କମ୍ପି ଉଠିଲା ହଲ୍ ।

 

ସୌମ୍ୟ ପର୍ଦ୍ଦାର ଅନ୍ତରାଳରେ ସିଷ୍ଟର ନିବେଦିତା ଆଗରେ ଛିଡ଼ାହୋଇ କହିଲା, ତୁମେ ଶେଷରେ ଏଇ ପଥ ବାଛିନେଲ ସୁଜାତା ... ? ମୋତେ ଠକି ଦେଲ ଶେଷରେ ... ?

 

ସେଇ ମଧୁର ନିର୍ମଳ ହସର ରେଖା ଅଧର ଉପରେ ଖେଳାଇ କହିଲା ସୁଜାତା, ନା ତୁମକୁ ଠକିବା ପାଇଁ ନୁହେଁ, ନିଜକୁ ଆଉ ନ ଠକିବା ପାଇଁ ଏଇ ପଥ ବାଛିନେଲି ଭାଇ । ସେଦିନ ଶୟତାନମାନଙ୍କଦ୍ୱାରା ନିର୍ଯାତିତା ହବା ପରେ ମୋ ପାଖରେ ଆଉ କିଛି ନ ଥିଲା ତୁମକୁ ଦବା ପାଇଁ... ।

 

ଶେଷରେ ସେଇ କରୁଣାମୟ ପ୍ରଭୁଙ୍କର ଆଶୀର୍ବାଦରୁ ଆଶ୍ରା ପାଇଗଲି ଏଠାରେ, ଫାଦରଙ୍କ ଚରଣ ତଳେ...

 

ସେଇ କ୍ରୁଶବିଦ୍ଧଙ୍କୁ ସ୍ମରଣ କରି କହିଲା ସୌମ୍ୟ–‘‘ପ୍ରଭୁ ସେମାନଙ୍କୁ କ୍ଷମା କର, ସମସ୍ତଙ୍କୁ କ୍ଷମାକର... ସମସ୍ତଙ୍କୁ ଶୁଦ୍ଧ ଓ ନିର୍ମଳ କର ।’’

Image